Latest Odisha News

BREAKING NEWS

କବିତା କେଉଁଠି ଅଛି

କବିତା କେଉଁଠି ଅଛି

ସଂଘମିତ୍ରା ମିଶ୍ର

ମୁଁ ଜାଣିଛି ଅକ୍ଷରର କାରୁକାର୍ଯ୍ୟ କବିତା ନୁହେଁ
ତା’ ଭିତରେ ଜୀବନୀଶକ୍ତି ହିଁ କବିତା
ଧାଡ଼ିଗଣି ପୃଷ୍ଠା ଓଲଟାଇ କବିତା ଲେଖାଯାଏ ନାହିଁ
କବିତାରେ ଝରିଯାଏ ସାରା ସଂସାର ପାଇଁକି
ଅସୁମାରି ନିରୁତା ମମତା ।

କବିତା ଯଦି ଶିଖିଛି ନିଜକୁ ପରଖିବାକୁ
ଲୁହ ପୋଛିଦେବାକୁ କେଉଁ
ଅଜଣା ମଣିଷ ଆଖିରୁ
କବିତା ଯଦି ଜାଣିଛି ଅଭାବକୁ ଭାବରେ
ବଦଳାଇବାର କଳା,
ଆଉ କ’ଣ ଲୋଡ଼ା? ଛପା ହେବା ନ ହେବା
ମୂଲ୍ୟହୀନ, ସେଇମିତି ଲୋଡ଼ୁ ସିଏ
ଏକୁଟିଆ କରି ନଦେଉ କେବେହେଲେ
କବିତା ବୁଝାଇଦେଉ ବଞ୍ଚିବାର ନୂତନ ଫର୍ମୁଲା ।

କବିତା ଯଦି ବସିଛି ହିଡ଼ମୁଣ୍ଡେ, ଚୁଲିମୁଣ୍ଡେ
ଅବା କେବେ କମାରଶାଳରେ
କବିତା ଚାହିଁଛି କେବେ ଆସିଯିବ ଉତ୍ତରପୁରୁଷ ତା’ର
ଯୁଗପୁରୁଷ ନ ହେଉ, ବସିଯିବ ଆବେଗରେ
କେବେ ତା’ର ଉଷୁମ କୋଳରେ,
କିବା ଲୋଡ଼ା ଖୋଜିବାକୁ କୁଞ୍ଜବନ ବଂଶୀସ୍ୱନ ଯମୁନାପୁଳିନ
କବିତା ଯେଉଁଠି ଅଛି
ସେ ତ ମୋର ଚିରକାଳ ଭାବସାନ୍ଦ୍ର ହରିତ୍ ଅରଣ୍ୟ ।

କବିତା ଯଦି ହଜିଛି ଶକୁନ୍ତଳା ମୁଦି ପରି
ମିଳିବାର ସମ୍ଭାବନା ଆଉ ଜମା ନାହିଁ
ମାଛମାନେ ଛାଡ଼ିଲେଣି ସମ୍ପର୍କର ତଟିନୀକୁ
ଦୁଷ୍ମନ୍ତଙ୍କର ବି ଖୁବ୍ କାମ ଅଛି
ଏକଦା ପ୍ରଣୟିନୀର ଲୁହ ବତୁରା ମୁହଁକୁ
ଅନାଇବା ପାଇଁ ଆଉ ବେଳ ତାଙ୍କୁ କାହିଁ?

କବିତା ଯଦି ଚାହୁଁଛି ତୁମକୁ ଭୁଲିବ ବୋଲି
ମୁଁ ଜାଣିଛି ତୁମେ ତାକୁ ବାନ୍ଧି ପାରିବନି,
ତା’ର ଲୋଡ଼ା ଆଦରର ହାତ ଆଉଁଶା ଟିକକ
ଯେତେବେଳେ ଆସୁଥିଲା
ସେ କଥାଟା ତୁମେ ତାକୁ ପଚାରିଦେଲନି?

Leave A Reply

Your email address will not be published.