Latest Odisha News

BREAKING NEWS

କାଳୀପୂଜାରେ ଭଦ୍ରକାଳୀ ପୀଠ ସମେତ ସମଗ୍ର ଭଦ୍ରକ ଜିଲ୍ଲା ଉତ୍ସବମୁଖର

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ଭଦ୍ରକାଳୀଙ୍କର ମଙ୍ଗଳବାର ରାତିରୁ ପୂଜା ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାର ଆହାରପଦାସ୍ଥିତ ଭଦ୍ରକାଳୀସାହିରେ ଥିବା ମା’ଭଦ୍ରକାଳୀପୀଠ ଉତ୍ସବମୁଖର ହୋଇ ଉଠିଛି । ମଙ୍ଗଳବାରଦିନ ବେଦମାତା ବେଶରେ ପୂଜା ପାଇଛନ୍ତି ଓଡ଼ିଶାର ଏହି ତନ୍ତ୍ରପୀଠର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ । ଏହି ଶକ୍ତିପୀଠରେ ମା’ଭଦ୍ରକାଳୀ ଦୀପାବଳୀ ଅମାବାସ୍ୟା ତିଥିରୁ ସାତ ଦିନ ବ୍ୟାପୀ ସପ୍ତମାତୃକା ବେଶରେ ପୂଜା ପାଇବେ ।

ପବିତ୍ର କାଳୀପୂଜା ଏବଂ ଦୀପାବଳୀ ଅମାବାସ୍ୟା ଲାଗି ସମଗ୍ର ଭଦ୍ରକ ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ଥିବା କାଳୀ ମନ୍ଦିର ଏବଂ ମଣ୍ଡପ ଗୁଡ଼ିକରେ ପୂଜା ଆରମ୍ଭ ହୋଇଯାଇଛି । ଭଦ୍ରକ ସହର ସମେତ ଜିଲ୍ଲାର ଚାନ୍ଦବାଲି, ତିହିଡ଼ି, ଧାମନଗର, ବାସୁଦେବପୁର, ଭଣ୍ଡାରୀପୋଖରୀ, ବନ୍ତ ଆଦି ବ୍ଳକର ବିଭିନ୍ନ ଅଞ୍ଚଳରେ କାଳୀପୂଜା ବଡ଼ ଧୁମଧାମରେ ପାଳିତ ହେଉଛି ।

ଆହାରପଦାସ୍ଥିତ ଭଦ୍ରକାଳୀସାହିର ପ୍ରସିଦ୍ଧ ଭଦ୍ରକାଳୀ ପୀଠକୁ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ସୂଅ ଛୁଟିଛି । ଏଠାରେ ମା’କାଳୀଙ୍କର ସପ୍ତମାତୃକା ବେଶ ଦର୍ଶନ କରିବା ଲାଗି ଆସନ୍ତା ୭ଦିନ ଧରି ପ୍ରବଳ ଭିଡ଼ ପରିଲକ୍ଷିତ ହେବ । ପ୍ରବଳ ଭିଡ଼ କୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । କାଳୀପୂଜାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଭଦ୍ରକାଳୀ ପୀଠରେ ପ୍ରଥମ ଦିନରେ ବେଦମାତା ବେଶ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଏହାପରେ ମା’ଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଞ୍ଚ ସହିତ ରକ୍ଷାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ୱତୀ ଏବଂ ସପ୍ତମ ଦିନରେ ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ ମା ଭଦ୍ରକାଳୀ ।

ଆହାରପଦାରେ ଥିବା ମା’ଙ୍କ ଭଦ୍ରକାଳୀପୀଠ ବ୍ୟତୀତ ଭଦ୍ରକ ସହରସ୍ଥ ଚରମ୍ପା ଷ୍ଟେସନ ଅଞ୍ଚଳରେ ଥିବା ମା’ପଥରକାଳୀ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ନୂଆ ବସଷ୍ଟାଣ୍ଡର ମା’ଦକ୍ଷିଣେଶ୍ୱରୀ ପୀଠରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି ।

ଚାନ୍ଦବାଲିସ୍ଥିତ ପୁରାତନ ଦକ୍ଷିଣେଶ୍ୱରୀ କାଳୀପୀଠରେ ଅମାବାସ୍ୟାରୁ ପୂଜା ଅନୁଷ୍ଠିତ ହେବା ପରମ୍ପରା ରହିଆସିଛି । ମାନସିକଧାରୀ ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟରେ ଭୋଗ ସହିତ କୁଷ୍ମାଣ୍ଡ ବଳୀ ଦେବା ଲାଗି ମନ୍ଦିରରେ ପୂଜା ଆରମ୍ଭ କରିବାରେ ଲାଗିଛନ୍ତି । ସେହିପରି ତିହିଡ଼ିରେ ଶ୍ୟାମାକାଳୀ ପୂଜା ଲାଗି ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି ।

Leave A Reply

Your email address will not be published.