ରାୟଗଡ଼ା: ରାୟଗଡ଼ା କଲ୍ୟାଣସିଂହପୁରରେ ପିଲା ଚୋର ସନ୍ଦେହରେ ହୋଇଥିବା ଅମାନୁଷିକ କାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) । ୭ ଦିନ ଭିତରେରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ଆଡ଼ୁ ମାମଲା ଦାୟର କରି ପୋଲିସ ମହାନିର୍ଦ୍ଦେଶକଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର୍) ତଲବ କରାଯାଇଛି ।
ମାମଲାରେ ଏଫଆଇଆର୍ କପି, ତଦନ୍ତର ସ୍ଥିତି, ଅଭିଯୁକ୍ତ ଓ ଗୁଜବକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସବିଶେଷ ତଥ୍ୟ ଦେବାକୁ ଡିଜିପି କହିଛନ୍ତି । ଏହି ଘୃଣ୍ୟ ମାମଲାଟି ଏବେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ଙ୍କ ନିକଟରେ ପହଞ୍ଚିଛି ।
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଏହି ଲୋମହର୍ଷଣକାରୀ ଘଟଣାକୁ ଅତି ନିନ୍ଦା କରିଛନ୍ତି । ଦିଲ୍ଲୀ ଫେରିଥିବା ପୀଡି଼ତାଙ୍କ ସହ ଭିଡିଓ ରେକର୍ଡିଂରେ ବୟାନ ରେକର୍ଡ କରାଯାଇଛି । ୬୦ ଦିନ ଭିତରେ ଫାଷ୍ଟଟ୍ରାକ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ଗୁରୁତ୍ୱ ଦିଆଯାଉଛି । କାହିଁକି କେଉଁ ପରିସ୍ଥିତିରେ ଏତେ ବଡ଼ ଘୃଣ୍ୟ କାଣ୍ଡ ଘଟିଗଲା, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଜିଲ୍ଲା ଏସ୍ପିଙ୍କ ସହ ଆଲୋଚନା କରିଛି ବୋଲି ସେ କହିଛନ୍ତି ।
ଏଡିଜି (ସିଏଡବ୍ଲୁ ଆଣ୍ଡ ସିଡବ୍ଲୁ) ଏସ୍. ସାଇନିଙ୍କ କହିବା ମୁତାବକ, ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛୁ । ସର୍ବୋଚ୍ଚ ପ୍ରାଥମିକତା ମାମଲା ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଅଧୀନରେ ଶୁଣାଣି କରାଯିବ । ମାମଲା ତଦନ୍ତକୁ ନିରନ୍ତର ଅନ୍ତରାଳରେ ମନିଟରିଂ କରାଯିବ ।
