ଭୁବନେଶ୍ବର: ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଓଏଏସ ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ ଆଜି ୨ ଦିନିଆ ରିମାଣ୍ଡରେ ଆଣିଛି ପୋଲିସ । ବାରଙ୍ଗ ଥାନା ପୋଲିସ ଭୀମସେନଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ହେଲେ କଟକ ଜେଏମଏଫସି କୋର୍ଟ ଭୀମସେନଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।
ଏପରିକି କଟକ ଡିସିପି ଚନ୍ଦ୍ରିକା ମୃତ୍ୟୁ ମାମଲରେ ବିଭିନ୍ନ ଦିଗକୁ ତଦନ୍ତ କରାଯାଉଥିବା କହିଥିବା ବେଳେ ଖୁବଶୀଘ୍ର ଭୀମସେନଙ୍କ ଦ୍ବିତୀୟ ପ୍ରେମିକାକୁ ଜେରା କରାଯିବ ବୋଲି କହିଛନ୍ତି ।
ପୂର୍ବରୁ ତଦନ୍ତର ମନ୍ଥର ଗତିକୁ ନେଇ ଚନ୍ଦ୍ରିକାଙ୍କ ପରିବାର ଲୋକେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । କେଉଁ ପରିସ୍ଥିତିରେ ଚନ୍ଦ୍ରିକାଙ୍କ ମୃତ୍ୟୁ ହେଲା, ସେ ନେଇ ପୋଲିସ ସେମାନଙ୍କୁ କୌଣସି ସ୍ପଷ୍ଟ ସୂଚନା ଦେଉ ନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଚନ୍ଦ୍ରିକାଙ୍କ ମା’ କହିଛନ୍ତି, ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକାଙ୍କ ସହ ଭୀମସେନଙ୍କ ତଥାକଥିତ ବାନ୍ଧବୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଚନ୍ଦ୍ରିକାଙ୍କୁ ଅନ୍ଧାରରେ ରଖିବା ପାଇଁ ବାନ୍ଧବୀଙ୍କ ନାମକୁ ଲୁଚାରାମ ନାମରେ ସେଭ କରିଥିଲେ ଭୀମସେନ । ତେଣୁ କଲ୍ ରେକର୍ଡ ଏବଂ ଡାଏରୀ ସହ ଲ୍ୟାପ୍ଟପ୍ ହଁ ସବୁ ରହସ୍ୟ ଖୋଲିବ ।
ତେବେ କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ଘଟଣାର ସମସ୍ତ ଦିଗକୁ ବେଶ୍ ଗୁରୁତ୍ୱର ସହ ଯାଞ୍ଚ କରାଯାଉଛି । କଲ୍ ଡିଟେଲ୍ସ, ଇଲେକ୍ଟ୍ରୋନିକ ଡିଭାଇସ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ସୂତ୍ରକୁ ଆଧାର କରି ପୋଲିସ ତଦନ୍ତ ଆଗକୁ ବଢ଼ାଉଛି ।
କୋର୍ଟଙ୍କ ଠାରୁ ଅନୁମତି ମିଳିବା ପରେ ପୋଲିସ ଭୀମସେନଙ୍କୁ ଜେଳରୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରିଛି ।
