Latest Odisha News

BREAKING NEWS

ରାମେଶ୍ବରମ କାଫେ ବିସ୍ଫୋରଣ: ବିଜେପି କର୍ମୀକୁ ଉଠାଇ ନେଲା ତଦନ୍ତକାରୀ ଦଳ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାର ଅନ୍ୟ ଏକ ଅଭିଯୁକ୍ତକୁ ଚିହ୍ନଟ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି । ଅନ୍ୟପଟେ ଏନେଇ କଂଗ୍ରେସ ଦାବୀ କରିଛି ଯେ ତଦନ୍ତକାରୀ ସଂସ୍ଥା ଯାହାକୁ ଚିହ୍ନଟ କରିଛି ସେ ବିଜେପି କର୍ମୀ । ପଚରାଉଚରା କରିବା ପାଇଁ ଏନଆଇଏ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇଛି ।

ଏହି ମାମଲାରେ ସାଇ ପ୍ରସାଦ ନମକ ଏକ ଯୁବକଙ୍କୁ ଉଠାଇ ନେଇଛି ଦଳ । ପ୍ରସାଦଙ୍କ ବ୍ୟତୀତ ଗୋଟିଏ ମୋବାଇଲ ଦୋକାନର ମାଲିକଙ୍କୁ ମଧ୍ୟ ଏନଆଇଏ ଅଟକ ରଖିଛି । ତେବେ ପ୍ରସାଦ ଜଣେ ବିଜେପି କର୍ମୀ ବୋଲି ଦାବି କରିଛି କଂଗ୍ରେସ । ବର୍ତ୍ତମାନ ଉଭୟଙ୍କୁ ସଂସ୍ଥା ପକ୍ଷରୁ ଜେରା କରାଯାଉଛି । ତେବେ ଗତ ସପ୍ତାହରେ ତଦନ୍ତକାରୀ ଦଳ ଶିବମୋଗା ଅଞ୍ଚଳରେ ତଦନ୍ତ କରିଥିଲା । ତଦନ୍ତ ବେଳେ ଏକ ମୋବାଇଲ ଦୋକାନ ଏବଂ ୨ ସନ୍ଦିଗ୍ଧଙ୍କ ଘରେ ଚଢାଉ କରିଥିଲା । ମୋବାଇଲ ଦୋକାନରେ କାମ କରୁଥିବା ୨ଜଣ କର୍ମଚାରୀ ଅଭିଯୁକ୍ତ ବିଷୟରେ କିଛି ତଥ୍ୟ ପ୍ରଦାନ କରିଥିଲେ ।

ତଦନ୍ତକାରୀ ଏଜେନ୍ସିର କହିବାନୁସାରେ, ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀ ଘଟଣା ଘଟିବା ପରେ ସେଠାରୁ ପଳାୟନ କରିଥିଲେ । ସେମାନଙ୍କୁ ଧରିବା ଲାଗି ଏଜେନ୍ସି ପକ୍ଷରୁ କର୍ଣ୍ଣାଟକ, ତାମିଲନାଡୁ, ଉତ୍ତର ପ୍ରଦେଶ ସମେତ ପ୍ରାୟ ୧୮ଟି ସ୍ଥାନରେ ଚଢାଉ କରାଯାଇଥିଲା । ଏହାବାଦ ଏମାନଙ୍କୁ ଧରେଇଦେବା ପାଇଁ ମୁଣ୍ଡପିଛା ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା ।ଶେଷରେ ଗତ ମାର୍ଚ୍ଚ ୨୬ ତାରିଖରେ ଚିକ୍କାମଗାଲୁରୁର ଖଲସା ଅଧିବାସୀ ମୁଜାମିଲ ଶରିଫକୁ ପୋଲିସ ଗିରଫ କରିଥିଲା । ସେ ମୁଖ୍ୟ ଅଭିଯୁକ୍ତର ଅନ୍ୟ ଜଣେ ସହଯୋଗୀ ଥିଲା ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧ ରେ ବେଙ୍ଗାଲୁରୁର ରମେଶ୍ୱରାମ୍ କାଫେରେ ଅପରାହ୍ନରେ ଏକ ବଡ ଧରଣର ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ୧୦ ଜଣ ଆହତ ହୋଇଥିଲେ । ଏହା ପରେ ପୋଲିସ ଏବଂ FSL ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ସିସିଟିଭି ଯାଞ୍ଚ କରାଯାଇଥିଲା ଏବଂ ଜଣେ ଅଭିଯୁକ୍ତଙ୍କୁ ସିସିଟିଭିରେ ଦେଖିବାକୁ ମିଳିଥିଲା। ତାଙ୍କ କାନ୍ଧରେ ବିସ୍ଫୋରକ ଭର୍ତ୍ତି ଏକ ବ୍ୟାଗ ଥିବା ଦେଖିବାକୁ ମିଳିଥିଲା ।

 

Leave A Reply

Your email address will not be published.