Latest Odisha News

BREAKING NEWS

ଆସନ୍ତା ୧୬ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ୧୫ ରାତିରେ ରଥ ପ୍ରତିଷ୍ଠା ନେଇ ନିଷ୍ପତ୍ତି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ରହିଛି । ଏକାମ୍ର ଆରାଧ୍ୟ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଏବେ ରଥ ଖଳାରେ ଯୋରସୋରରେ କାମ ଜାରି ରହିଛି । ଏଥିପାଇଁ ଚଳଚଞ୍ଚଳ ପୂରା ଭୁବନେଶ୍ୱର । ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି ।

ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ନୀତିକାନ୍ତି, ରଥ ପ୍ରତିଷ୍ଠା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା । ଆସନ୍ତା ୧୬ରେ ରଥଯାତ୍ରା ଥିବାବେଳେ ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ୧୪ ତାରିଖ ସନ୍ଧ୍ୟାରେ ମହାରଣା ସେବାୟତ ରଥ ସମ୍ପୂର୍ଣ୍ଣ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ। ଏନେଇ ମହାରଣା ସେବାୟତଙ୍କ ସହ‌ ଆଲୋଚନା ସରିଛି ।

ଆଜି କ୍ଷେତ୍ରବାସୀ ସେବାୟତଙ୍କ ସହ ସେବାୟତଙ୍କ ସହ ଆଲୋଚନା ପରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୧୫ ତାରିଖ ଦିନ ରଥ ପ୍ରତିଷ୍ଠା କରାଯିବ । ଉକ୍ତଦିନ ରାତି ୮ଟା ସୁଦ୍ଧା ପୁରୀର ରାଜଗୁରୁ ରଥ ଖଳାରେ ପହଞ୍ଚିବେ ଏହା ପରେ ରଥ ପ୍ରତିଷ୍ଠା କରାଯିବ ।

ରୁକୁଣା ରଥଯାତ୍ରା ଶ୍ରୀଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଚୈତ୍ର ମାସ ଶୁକ୍ଳ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହୁଏ । ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ରୁକ୍ମଣୀ ଓ ବାସୁଦେବ ରଥ ଉପରେ ବିଜେ ହୁଅନ୍ତି । ରଥକୁ ଲିଙ୍ଗରାଜ ମନ୍ଦିରଠାରୁ ରାମେଶ୍ୱର (ମାଉସୀ ମା’ ମନ୍ଦିର ) ମନ୍ଦିର ପର୍ଯ୍ୟନ୍ତ ଟଣାଯାଏ । ଏହି ରଥଯାତ୍ରା ୫ ଦିନ ବ୍ୟାପୀ ଚାଲେ । ଏହି ରଥର ଉଚ୍ଚତା ୫୦ ଫୁଟ୍ ଓ ୪ ଚକ, ୨ ଓରା, ୧୬ ନାହାକା, ୫ ଦଣ୍ଡା ବିଶିଷ୍ଟ । ରଥର ନାମ ରୁକ୍ମଣୀ ବା ରୁକୁଣା ରଥ । ଏହି ରଥଟିର ବିଶେଷତ୍ୱ ହେଉଛି ରଥଟି ଅଣଲେଉଟା ।

ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବୁଲିନଥାଏ । ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ ।

Leave A Reply

Your email address will not be published.