Latest Odisha News

BREAKING NEWS

କର୍ଣ୍ଣାଟକରେ ସରିଲା ପ୍ରଚାର, ଡବଲ ଇଞ୍ଜିନକୁ ବନ୍ଦ କରିଦେବନି ତ ଦୁର୍ନୀତି କାର୍ଡ?

ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ଶେଷ ହେବା ସହ ଆରମ୍ଭ ହୋଇଛି ଅନେକ କଳ୍ପନାଜଳ୍ପନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହାଇଭୋଲ୍ଟେଜ ପ୍ରଚାରରେ ଦୀର୍ଘ ଦିନ ଧରି କର୍ଣ୍ଣାଟକ ମୈଦାନ କମ୍ପୁଥିଲା। ଏପରିକି କଂଗ୍ରେସ ଓ ବିଜେପିର ଅନେକ ନେତା ଜୋରଦାର ପ୍ରଚାର କରିଛନ୍ତି।

ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ପ୍ରକାର ଜନମତ ସର୍ଭେରେ ବିଭିନ୍ନ ପ୍ରକାର ତଥ୍ୟ ଆସୁଛି। ଏଭଳି ସ୍ଥିତିରେ କଂଗ୍ରେସର ବଜରଙ୍ଗ ଦଳକୁ ବ୍ୟାନ ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହେବା ସହ ବିଜେପି ଏହାକୁ ପ୍ରମୁଖ ରାଜନୈତିକ ମୁଦ୍ଦା କରି ପ୍ରଚାର କରିଛି। ସେପଟେ କଂଗ୍ରେସ କର୍ଣ୍ଣାଟକରେ ବିଜେପି ସରକାରର ଦୁର୍ନୀତିକୁ ମୁଖ୍ୟ ଅସ୍ତ୍ର କରି ଜୋରଦାର ପ୍ରଚାର କରିଛି।

ବଜରଙ୍ଗ ଦଳ ପ୍ରସଙ୍ଗକୁ ନେଇ କଂଗ୍ରେସ କ୍ଷତିଗ୍ରସ୍ତ ହେବ ବୋଲି ବିଜେପି ଆଶା ରଖିଥିବା ବେଳେ କଂଗ୍ରେସ କିନ୍ତୁ କର୍ଣ୍ଣାଟକରେ ପ୍ରମୁଖ ଜାତିର ସମର୍ଥନ ପାଇବା ନେଇ ବେଶ ଆଶାବାଦୀ। ପୂର୍ବରୁ କଂଗ୍ରେସକୁ କର୍ଣ୍ଣାଟକର ଦଳିତ ସମାଜ ସମର୍ଥନ ଦେଇଥିବା ବେଳେ ଏବେ କର୍ଣ୍ଣାଟକ ବିରଶୈବ ଲିଙ୍ଗାୟତ ଫୋରମ କଂଗ୍ରେସକୁ ସମର୍ଥନ କରିବା ନେଇ ବିଧିବଦ୍ଧ ଭାବେ ଲିଖିତ ଆକାରରେ ଜଣାଇଛି।

ଏପରିକି ଫୋରମ ପକ୍ଷରୁ ସମସ୍ତ ଲିଙ୍ଗାୟତ ମାନଙ୍କୁ କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ଲଗାତର ଭାବେ ଟ୍ରବଲ ଇଞ୍ଜିନ ସରକାର ପ୍ରସଙ୍ଗ ଉଠାଇ ବିଜେପିକୁ ପୁଣି ଘେରିଛି।

ରନ୍ଧନ ଗ୍ୟାସ, ଚାଉଳ, ଡାଲି, ଖାଇବା ତେଲ ଆଦିର ଦରକୁ ନେଇ ଏକ କାର୍ଡ ପ୍ରସ୍ତୁତ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ଦରଦାମ ବଢ଼ାଇ ବିଜେପି ସରକାର କିଭଳି ଲୋକଙ୍କ ଠାରୁ ଲୁଟ କରିଛି ବୋଲି ଅଭିଯୋଗ କରିବା ସହ କଂଗ୍ରେସ ସରକାର ସମୟରେ ଦରଦାମ ଓ ଏବେର ଦରଦାମକୁ ନେଇ ଏକ ତୁଳନାତ୍ମକ ଚିତ୍ର ଦିଆଯାଇଛି।

ରନ୍ଧନ ଗ୍ୟାସ ଦରରେ ୧୬୮ ପ୍ରତିଶତ ବୃଦ୍ଧି, ଚାଉଳ ରେ ୧୩୩, ଡାଲିରେ ୧୬୮ ଓ ଖାଇବା ତେଲରେ ୨୫୦ ପ୍ରତିଶତ ବୃଦ୍ଧି ହୋଇଥିବା ଦର୍ଶାଯାଇଛି। ସେହିପରି ପେଟ୍ରୋଲ ୬୮ ଟଙ୍କାରୁ ୧୦୨ ଟଙ୍କା, ଡିଜେଲ ୫୫ ଟଙ୍କାରୁ ୮୮ ଟଙ୍କା, ଏଲପିଜି ୪୧୩ ଟଙ୍କାରୁ ୧୧୦୫ ଟଙ୍କା, ଚିନି ୨୯ ଟଙ୍କାରୁ ୪୨ ଟଙ୍କା ଏଭଳି ସାଧାରଣ ଲୋକେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ସାମଗ୍ରୀର ଦର କିଭଳି ବିଜେପି ଆକାଶଛୁଆଁ କରିଛି ତାର ଏକ ଚିତ୍ର କାର୍ଡ ମାଧ୍ୟମରେ ଦର୍ଶାଯାଇଛି।

ଏହାକୁ କର୍ଣ୍ଣାଟକରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଇଛି କଂଗ୍ରେସ। ଏପରିକି ବିଜେପିକୁ ଟ୍ରବଲ ଇଞ୍ଜିନ ସରକାର କହିବା ସହ ଏହି ସରକାର କିଭଳି ଲୋକଙ୍କ ପକେଟ କାଟି ପଇସା ନେଇଛି ଓ ୪୦ ପ୍ରତିଶତ କମିଶନ ନେଇ ପୁରା କର୍ଣ୍ଣାଟକକୁ ଲୁଟିଛି ବୋଲି କହିଛି କଂଗ୍ରେସ।

ବିଜେପିର ଡବଲ ଇଞ୍ଜିନ ଓ ଟ୍ରିପଲ ଇଞ୍ଜିନ ସରକାର ନାରାକୁ ଏଭଳି ଢଙ୍ଗରେ ପ୍ରଚାର ଶେଷ ଯାଏ କାଉଣ୍ଟର କରିଛି ଦଳ। ସେପଟେ ମୋଦିଙ୍କ ଲଗାତର ରୋଡ଼ ସୋ, ଜନସଭାରେ ଉଦବୋଧନ ଆଦି ବେଶ ପ୍ରଭାବୀ ହୋଇଛି ବୋଲି ବିଜେପି ଆଶା ରଖିଛି।

ସେପଟେ ପ୍ରଚାରର ଶେଷ ଦିନରେ କଂଗ୍ରେସ, ବିଜେପି ଓ ଜେଡିଏସର ବହୁ ହେଭିୱେଟ ପ୍ରଚାର ମଇଦାନକୁ ଓଲ୍ହାଇଥିବା ଦେଖାଯାଇଛି। ଆଉ ଗୋଟିଏ ଦିନ ପରେ କର୍ଣ୍ଣାଟକରେ ମତଦାନ ହେବାକୁ ଥିବା ବେଳେ ପ୍ରଚାରର ପ୍ରଭାବ ଲୋକଙ୍କ ଉପରେ କଣ ପଡିଛି, ଲୋକେ କାହା କଥା ଓ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି ଓ କେଉଁ ଆଧାରରେ ଭୋଟ ଦେବେ ତାକୁ ନେଇ ଆକଳନ ଆରମ୍ଭ ହୋଇଛି।

Leave A Reply

Your email address will not be published.