Latest Odisha News

BREAKING NEWS

ଜାଣନ୍ତୁ ଓଡ଼ିଶାର ବମକାଇ ବସ୍ତ୍ର ସମ୍ପର୍କରେ…

ଭୁବନେଶ୍ୱର: କଳା ଓ ସଂସ୍କୃତି ସମୃଦ୍ଧ ରାଜ୍ୟ ଓଡ଼ିଶା । ଏହାର ହସ୍ତତନ୍ତ ଓ ହସ୍ତଶିଳ୍ପ କଳାପାଇଁ ବହୁ ଯୁଗରୁ ପରିଚିତ । ଆଜି ମଧ୍ୟ ଓଡ଼ିଶା ଭାରତର ଏକ ପ୍ରମୁଖ ହସ୍ତତନ୍ତ ବସ୍ତ୍ର ଉତ୍ପାଦନକାରୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଅଛି । ଉଚ୍ଚ କୋଟିର ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କରିବା ଓଡ଼ିଶାର ଏକ ପରମ୍ପରା ଭାବେ ଚାଲିଆସୁଅଛି ।

BjdElectrycity

ସମ୍ବଲପୁରୀ ଓ ସୋନପୁରୀ ବାନ୍ଧ ଶାଢୀ ନୂଆପାଟଣାର ଖଣ୍ଡୁଆ, ବରଗଡ଼ର ବାନ୍ଧ ବେଡ଼ସିଟ୍ ତଥା ସର୍ବୋପରି ବମ୍‌କାଇ କଟନ୍ ବସ୍ତ୍ର ବିଶେଷ ଭାବରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଶେଷ ଭାବରେ ଆଦୃତ ହୋଇପାରିଛି । ବମ୍‌କାଇ କଟନ୍ ବସ୍ତ୍ର ତଥା ଡ୍ରେସ୍‌ ମାଟେରିଆଲ୍ସ ର ରଙ୍ଗ ଓ ଡିଜାଇନ୍ ଗ୍ରାହକମାନଙ୍କ ମଧ୍ୟରେ ବିଶେଷ ଆଦୃତ ହୋଇଅଛି ।

ବମକାଇ ବସ୍ତ୍ର ପ୍ରଥମେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ତହସିଲ ମଧ୍ୟରେ ବମକାଇ ଗ୍ରାମରେ ସୃଷ୍ଟି ହୋଇଥିବାରୁ ଏହି ଡିଜାଇନ ବସ୍ତ୍ରକୁ ‘ବମକାଇ’ ବୋଲି କୁହାଯାଇଥାଏ । ପ୍ରଥମତଃ ଏହା ମୋଟା କାର୍ପାସ ସୁତାରେ ପ୍ରସ୍ତୁତ ହେଉଥିଲା । ମୁହଁରେ ଏକ୍ସଟ୍ରା ଭରଣି ସୂତା ଲଗାଇ ବମକାଇ ଲୁଗା ପ୍ରସ୍ତୁତ କରାଯାଉଥିଲା । ବମକାଇ ଶାଢୀରେ କଲରା, କଣ୍ଠିଫୁଲ, ଅତସିଫୁଲ, ପଦ୍ମଫୁଲ, ମାଛ, କଇଁଛ, ମୟୁର ଓ ବିଭିନ୍ନ ଚଢେଇ ର ଛବି ବିଶେଷ ଆକର୍ଷଣୀୟ ହୋଇଥାଏ । ପ୍ରଥମତଃ ଜ୍ୟାମିତିକରେ ବମକାଇ କରାଯାଉଥିଲା । ମାଛକୁ ଶୁଭ ରୁପେ ମାନୁଥିବାରୁ ବିଭିନ୍ନ ମାଛର  ମଧ୍ୟ ଏହି ଶାଢୀ ରେ ବ୍ୟବହାର କରାଯାଏ ।

ବମକାଇ କଟନ ଶାଢୀର ଦୁଇପଟକଡ଼ ରେ କୁମ୍ଭ ର ଡିଜାଇନ୍ ଧଡ଼ି ଦେଇଆକର୍ଷଣୀୟ କରାଯାଇଥାଏ । ଏହି ବମକାଇର ପୁରାତନ ଡିଜାଇନକୁ ନୂତନ ରୁପରେଖ ଦେଇ ୮୦ ରୁ ୯୦ ଦଶକ ପର୍ଯ୍ୟନ୍ତ ସୋନପୁର ମଧ୍ୟରେ ଥିବା ବୁଣାକାରଙ୍କ ଦ୍ୱାରା ଉତ୍ପାଦିତ ହେଉଥିଲା । ବିଭିନ୍ନ ଡିଜାଇନକୁ ପରୀକ୍ଷା ନିରୀକ୍ଷା ସହ ବାନ୍ଧ ଡିଜାଇନ୍ ଓ ଜରିକୁ ଏକ୍ସଟ୍ରା ବୁଣାରେ ବ୍ୟବହାର କରି ବମକାଇ କଟନ୍‌ ବସ୍ତ୍ର ପ୍ରସ୍ତୁତ କରାଯାଉଥିଲା । ପରେ ବଡ଼ି ବମକାଇ ଶାଢ଼ୀ ଓ ଏଥିରେ ଜରି ଲଗାଇ ବମକାଇ ଶାଢୀ ଉତ୍ପାଦନ କରାଗଲା ।

ବର୍ତମାନ ବମକାଇ କଟନ୍ ବସ୍ତ୍ର ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ମେହେର ସମ୍ପ୍ରଦାୟ ବୁଣାକାରଙ୍କ ଦ୍ୱାରା ଉତ୍ପାଦିତ ହେଉଅଛି । ଏହି ବମକାଇ କଟନ୍ ବସ୍ତ୍ର ବିଶେଷ ଭାବରେ ଅନ୍ୟ ହସ୍ତତନ୍ତ ବସ୍ତ୍ର ତୁଳନାରେ ଖୁବ୍ ସୁନ୍ଦର ଓ ଆର୍କଷଣୀୟ ହେଉଥିବାରୁ, ଏହା ଗ୍ରାହକମାନଙ୍କ ମଧ୍ୟରେ ଖରିଦ୍ କରିବାପାଇଁ ବିଶେଷ ଆଗ୍ରହ ସୃଷ୍ଟି କରୁଛି ।

ବମକାଇ କଟନ୍ ବସ୍ତ୍ରକୁ ଆଧୁନିକ ସମାଜରେ ଅଧିକ ଲୋକପ୍ରିୟ କରିବାପାଇଁ ଏଥିରେ ଏକ୍ସଟ୍ରା ବୁଣା ସୁତାରେ ଫୁଲ, ନାଚୁଥିବା କଣ୍ଢେଇ, ବିଭିନ୍ନ ଗଛ, କଇଁଛ, ମାଛ ଓ ଲତା ଆଦିର ମୋଟିଭ୍ ବ୍ୟବହାର କରି ପ୍ରସ୍ତୁତ କରାଯାଉଅଛି । ବମକାଇ କଟନ୍ ବସ୍ତ୍ର ବୁଣୁଥିବା ବୁଣାକାରମାନେ ସ୍ୱଚ୍ଚ୍ଥଳ ଅଟନ୍ତି । ଏହି ବମକାଇ ଶାଢୀର ଚାହିଦା ବିଶେଷ ଭାବରେ ଥିବାରୁ ବୁଣାକାରମାନେ ଏହାର ବିକ୍ରିରେ କୌଣସି ଅସୁବିଧା ଅନୁଭବ କରିପାରୁନାହାନ୍ତି ।

ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବମକାଇ ଶାଢୀ ଓ ଡ୍ରେସ୍ ମାଟେରିଆଲ ବୁଣାକାର ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ମାଷ୍ଟର ବୁଣାକାର ଓ ନିଜ ଅଂଚଳର ଗ୍ରାହକମାନଙ୍କୁ ବିକ୍ରି କରନ୍ତି । ହସ୍ତତନ୍ତର ଅଗ୍ରଣୀ ସଂସ୍ଥା ଯଥା; ବୟନିକା, ଉତ୍କଳିକା, ସେରିଫେଡ଼୍ ତଥା ସମ୍ବଲପୁରୀ ବସ୍ତ୍ରାଳୟ ଏହି ବସ୍ତ୍ରର ବିକ୍ରି ପାଇଁ ଖରିଦ୍ କରି ନିଜସ୍ୱ ବିକ୍ରି କେନ୍ଦ୍ର ତଥା ବିଭିନ୍ନ ପ୍ରଦର୍ଶନୀରେ ବିକ୍ରି କରନ୍ତି । ବମକାଇ ବୁଣୁଥିବା ବୁଣାକାରଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ଯୋଜାନା ମାଧ୍ୟମରେ ଆର୍ଥିକ ସହାୟତା କରୁଛନ୍ତି, ଯଦ୍ୱାରା ବୁଣାକାରମାନେ ସ୍ୱାବଲମ୍ବି ହୋଇ ବୁଣାକାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.