ଦୁବାଇ: ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମୁକାବିଲାରେ ଚମତ୍କାର ପ୍ରଦର୍ଶନ ସହ ବିରାଟ କୋହଲି ପୂନର୍ବାର ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି । କୋହଲି ଏହି ମ୍ୟାଚରେ ୧୧୧ ବଲରେ ୧୦୦ ରନ କରି ଅପରାଜିତ ରହିଥିଲେ । ଏଥିସହ ସେ ଆନ୍ତର୍ଜାତୀୟ କ୍ରିକେଟରେ ୮୨ ଶତକ ପୂରଣ କରିଛନ୍ତି । ଅଷ୍ଟ୍ରେଲିଆର ମହାନ ଖେଳାଳି ରିକି ପଂଟିଂଙ୍କୁ ପଛରେ ପକାଇ ସେ ଆନ୍ତର୍ଜାତୀୟ କ୍ରିକେଟରେ ତୃତୀୟ ସର୍ବାଧିକ ରନ ସ୍କୋରର ହୋଇଛନ୍ତି । ସଚିନ ତେନ୍ଦୁଲକର ଓ କୁମାର ସଙ୍ଗକାରା ତାଙ୍କଠାରୁ ଆଗରେ ରହିଛନ୍ତି । ମାର୍ଚ୍ଚ ୨ରେ ଭାରତ ତାର ପରବର୍ତୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ । ଏହି ମ୍ୟାଚ ଖେଳିବା ପାଇଁ କୋହଲି ପଡିଆରେ ପାଦ ଦେଲେ ନୂତନ କ୍ଲବରେ ସାମିଲ ହେବେ । ସେ ୭ମ ଭାରତୀୟ ଏବଂ ୨୩ତମ ଖେଳାଳି ଭାବେ ଆନ୍ତର୍ଜାତୀୟ ଦିନିକିଆରେ ୩୦୦ ମ୍ୟାଚ ଖେଳିବେ ।
ତାଙ୍କ ପୂର୍ବରୁ ଭାରତର ସଚିନ ତେନ୍ଦୁଲକର(୪୬୩), ମହେନ୍ଦ୍ର ସିଂ ଧୋନୀ (୩୫୦), ରାହୁଡ ଡ୍ରାଭିଡ(୩୪୪), ମହମ୍ମଦ ଆଝାରୁଦ୍ଦିନ(୩୩୪), ସୌରଭ ଗାଙ୍ଗୁଲି(୩୧୧) ଓ ଯୁବରାଜ ସିଂ (୩୦୪) ମ୍ୟାଚ ଖେଳିଛନ୍ତି । କୋହଲି ୨୯୯ ଦିନିକିଆ ମ୍ୟାଚରେ ୫୮.୨୦ ଆଭରେଜରେ ୯୩.୪୧ ଷ୍ଟ୍ରାଇକ ରେଟରେ ୧୪୦୮୫ ରନ ସଂଗ୍ରହ କରିଛନ୍ତି । ଏଥିରେ ୫୧ ଶତକ ଓ ୭୩ ଅର୍ଦ୍ଧଶତକ ସାମିଲ । ତାଙ୍କର ସର୍ବାଧିକ ସ୍କୋର ୧୮୩ ରନ ରହିଛି । ଭାରତ ୨ଟି ମ୍ୟାଚରେ ବିଜୟୀ ହୋଇ ଚଳିତ ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ ଏକପ୍ରକାର ନିଶ୍ଚିତ କରିଛି ।
Comments are closed.