କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପ୍ରଥମ ବିଜୟ ହାସଲ କରିଛି । ରିଙ୍କୁ ସିଂଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ କେକେଆର ୪ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାଜିତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୯ ୱିକେଟ ବିନିମୟରେ ୧୫୫ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୩୯ ଓ ବୈଭବ ସୁର୍ଯ୍ୟବଂଶୀ ୪୬ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । କାର୍ତିକ ତ୍ୟାଗୀ, ବରୁଣ ଚକ୍ରବର୍ତି ୩ଟି ଲେଖାଏଁ ଏବଂ ସୁନୀଲ ନାରିନ ୨ଟି ୱିକେଟ ନେଇଥିଲେ ।
ଜବାବରେ କୋଲକାତା ୧୫୬ ରନର ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ରିଙ୍କୁ ସିଂଙ୍କ ଅପରାଜିତ ଅର୍ଦ୍ଧଶତକ ଦଳକୁ ବହୁ ପ୍ରତୀକ୍ଷୀତ ବିଜୟ ପ୍ରଦାନ କରିଥିଲା । ସେ ୩୪ ବଲରେ ୫ ଚୌକା ଓ ୨ ଛକା ସହାୟତାରେ ୫୩ ରନ କରି ଅପରାଜିତ ରହିଥିଲେ । କାମେରୁନ ଗ୍ରୀନ ୨୭ ଓ ରୋଭମ୍ୟାନ ପାୱେଲ ୨୩ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୨ଟି ୱିକେଟ ନେଇଥିଲେ । ପ୍ରଭାବୀ ବୋଲିଂ ପ୍ରଦର୍ଶନ ପାଇଁ ବରୁଣ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ରାଜସ୍ଥାନ ୬ ମ୍ୟାଚରୁ ୮ ପଂଏଟ ପାଇ ତୃତୀୟ ଏବଂ କୋଲକାତା ୭ ମ୍ୟାଚରୁ ୩ ପଂଏଟ ହାସଲ କରି ୯ମ ସ୍ଥାନରେ ରହିଛି ।