Latest Odisha News

କୋରାପୁଟ ଯୁଦ୍ଧ : ସପ୍ତଗିରିଙ୍କ ପାଇଁ ଡବଲ୍ ଚ୍ୟାଲେଞ୍ଜ !

କୋରାପୁଟ: କିଏ ହେବେ କୋରାପୁଟ କିଙ୍ଗ ? ସରିଛି ସମରସଜ୍ଜା, ସେନାପତି ଘୋଷଣାକୁ ଅପେକ୍ଷା । ୧୯ରେ ରଥୀ ମହାରଥୀଙ୍କୁ ମାତ୍ ଦେଇଥିଲେ ସପ୍ତଗିରି ଉଲାକା । ଡେବ୍ୟୁ ମ୍ୟାଚରେ ହିଁ ହୋଇଥିଲେ ମ୍ୟାନ ଅଫ୍ ଦି ମ୍ୟାଚ୍ । ବିଜେଡି-ବିଡେପି ମେଂଟ ହେଲେ ସହଜ ହେବନି ସପ୍ତଗିରିଙ୍କ ଦିଲ୍ଲୀ ବାଟ । ଚବିଶରେ ସାମନାରେ ରହିବ ଡବଲ ଚ୍ୟାଲେଞ୍ଜ !
ଦିନେ କୋରାପୁଟ ଥିଲା କଂଗ୍ରେସର ଗଡ । ଦେଶ ସ୍ୱାଧୀନ ହେବା ପରଠୁ ୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ କଂଗ୍ରେସ ଦଖଲରେ ରହିଥିଲା କୋରାପୁଟ । ତେବେ ଶଙ୍ଖନାଦରେ ଭୁଶୁଡିଥିଲା ହାତର ଗଡ । ୨୦୦୯ରେ କଂଗ୍ରେସ ହାତରୁ କୋରାପୁଟ ଛଡାଇ ନେଇଥିଲା ବିଜେଡି । ୧୦ବର୍ଷ ପରେ କୋରାପୁଟରେ କଂଗ୍ରେସର ଅଜ୍ଞାତବାସ ସରିଥିଲା । ଆଉ ବିଜୟ ରଥର ସାରଥି ଥିଲେ ସପ୍ତଗିରି ଉଲାକା । ପ୍ରଥମ ଥର ନିର୍ବାଚନ ମଇଦାନକୁ ଓହ୍ଲାଇ ଉଡାଇଥିଲେ ବିଜୟବାନା । ବିଜେଡି ପ୍ରାର୍ଥୀ ତଥା କୋରାପୁଟର ପୂର୍ବତନ ଏମପି ଝିନ୍ନ ହିକ୍କାଙ୍କ ପତ୍ନୀ କୌଶଲ୍ୟା ହିକ୍କାଙ୍କୁ ୩ହଜାର ୬୧୩ ଭୋଟରେ ହରାଇଥିଲେ ସପ୍ତଗିରି । କଂଗ୍ରେସର ଟାଣୁଆ ନେତା ସ୍ୱର୍ଗତ ରାମଚନ୍ଦ୍ର ଉଲାକାଙ୍କ ପୁଅ ସପ୍ତଗିରି ଉଲାକା । ବାପାଙ୍କ ଛାୟାରେ ଶିଖିଛନ୍ତି ରାଜନୀତିର ଅ ଆ । ଗତ ୫ବର୍ଷରେ ସଂସଦରେ ସପ୍ତଗିରିଙ୍କ ରିପୋର୍ଟ କାର୍ଡ ବି ବେଶ୍ ଭଲ । ରାଜ୍ୟରୁ ଏକମାତ୍ର କଂଗ୍ରେସ ସାଂସଦ ଭାବେ ସେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଉଠାଇଛନ୍ତି । ପିସିସି, ଏଆଇସିସି ସମେତ ଗାନ୍ଧୀ ପରିବାର ସହ ତାଙ୍କର ବେଶ୍ ଭଲ ସଂପର୍କ ରହିଛି । ରାୟଗଡା ଜିଲ୍ଲାର ଗୁଣପୁର, ରାୟଗଡା, ବିଷମକଟକ ଓ କୋରାପୁଟର ପଟାଙ୍ଗୀ, କୋରାପୁଟ, ଜୟପୁର ଓ ଲକ୍ଷ୍ମୀପୁରକୁ ନେଇ କୋରାପୁଟ ଲୋକସଭା ଆସନ । ଗତଥର ସପ୍ତଗିରି ରାୟଗଡା, ଗୁଣପୁର, ଜୟପୁର ଓ ଲକ୍ଷ୍ମୀପୁରରୁ ସର୍ବାଧିକ ଭୋଟ୍ ପାଇଥିଲେ । କୋରାପୁଟର ଟାଣୁଆ ନେତା ତାରାପ୍ରସାଦ ବାହିନୀପତି ତାଙ୍କୁ ସହଯୋଗ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ମତଭେଦ ଚର୍ଚ୍ଚା ହୋଇଥିଲେ ବି ସପ୍ତଗିରି ଓ ତାରା ଅଲ୍ ଇଜ ୱେଲର ସନ୍ଦେଶ ଦେଇଛନ୍ତି । ତେଣୁ କୋରାପୁଟରୁ କଂଗ୍ରେସ ସପ୍ତଗିରିଙ୍କୁ ରିପିଟ୍ କରିବା ନେଇ ଚର୍ଚ୍ଚା ହେଉଛି ।

୨୦୧୯ ପରେ କୋରାପୁଟ ରାଜନୀତିରେ ବଦଳିଛି ସମୀକରଣ । ପ୍ରଦୀପ ମାଝୀ ବିଜେଡିରେ ସାମିଲ ହୋଇଛନ୍ତି ତ ଜୟରାମ ପାଙ୍ଗୀ, ଗମାଙ୍ଗୋ ପରିବାର କଂଗ୍ରେସକୁ ଫେରିଛନ୍ତି । ତେଣୁ ଏଥର ଟକ୍କର ଜୋରଦାର ହେବ । କୋରାପୁଟରେ ଭୋଟ୍ ସମୀକରଣ ଦେଖିଲେ, ଏଠାରେ ପ୍ରାୟ ୫୨ ପ୍ରତିଶତ ଆଦିବାସୀ ଭୋଟର । ଆଦିବାସୀ ବହୁଳ କୋରାପୁଟର ଅନେକ ଗାଁ ଏବେବି ମୌଳିକ ସମସ୍ୟା ପାଇଁ ସଂଘର୍ଷ କରୁଛନ୍ତି । କୋଟିଆ ସୀମା ବିବାଦ ବି ଲୋକସଭା ଆସନ ପାଇଁ ବଡ ପ୍ରସଙ୍ଗ । ତେଣୁ ବିକାଶ ପ୍ରସଙ୍ଗରେ ବ୍ୟାକଫୁଟକୁ ଆସିପାରେ ବିଜେଡି । ତେବେ ପ୍ରଦୀପ ମାଝୀ ଫ୍ୟାକ୍ଟର ବିଜେଡି ପାଇଁ ଆଶ୍ୱାସନା । ନବରଙ୍ଗପୁର, ମାଲକାନଗିରିରେ ପ୍ରଦୀପଙ୍କ ପ୍ରଭାବ ଅଧିକ । ହେଲେ ବଡ ଆଦିବାସୀ ଚେହେରା ଭାବେ ସେ ବିଜେଡି ପାଇଁ ହୋଇପାରନ୍ତି ଭୋଟ୍ ପୁଲର । କଂଗ୍ରେସର ପକେଟ୍ ଭୋଟ୍ ରହିଥିବାରୁ ଦଳକୁ ଗଡ ରକ୍ଷା କରିବା ସହଜ ହୋଇପାରେ । ସେପଟେ ବିଜେପିର କୋରାପୁଟରେ କୌଣସି ବଡ ଚେହେରା ନଥିବାରୁ ମେଂଟ ହେଲେ ବିଜେଡି ଖାତାକୁ ଲୋକସଭା ସିଟ୍ ଟେକି ଦେଇପାରେ ଦଳ । କୋରାପୁଟ କୁରୁକ୍ଷେତ୍ରରେ ଚେହେରା ସ୍ପଷ୍ଟ ହୋଇନଥିଲେ ବି ଯୁଦ୍ଧ ଯେ ଜୋରଦାର ହେବ ସେଥିରେ ସନ୍ଦେହ ନାହିାଁ

Leave A Reply

Your email address will not be published.