Latest Odisha News

କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, କୁଚିପୁଡ଼ି ଓ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନମୋହିଲା

କୋଣାର୍କ : ଈଶ୍ୱରୀୟ ଉପାସନାର ଆଧାର ହିଁ ନୃତ୍ୟ ଓ ସଙ୍ଗୀତ । ହୃଦୟକୁ ବିଭୁକରୁଣାରେ ବିଗଳିତ କରିଦିଏ ନୃତ୍ୟ ସଙ୍ଗୀତର ଆସର । ଏହି ଉକ୍ତିର ସତ୍ୟତାକୁ ପ୍ରତିପାଦନ କରିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ । ଅବସର ଥିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ମହୋତ୍ସବର ଦ୍ୱିତୀୟ ସଂଧ୍ୟା । ଦ୍ୱିତୀୟ ସନ୍ଧ୍ୟାରେ ପ୍ରଥମ ପ୍ରସ୍ତୁତିକୁ ନେଇ ଆସିଥିଲେ ସୁବିଖ୍ୟାତ କୁଚିପୁଡ଼ି ନୃତ୍ୟ ବିଦ୍ୱାନ ପଦ୍ମଶ୍ରୀ ଗୁରୁ ଜୟରାମା ରାଓ ଓ କୁଚିପୁଡ଼ି ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନେ । କଳାକାରଙ୍କ କୁଚିପୁଡ଼ି ନୃତ୍ୟ ବେଶ୍ ଆକର୍ଷଣୀୟ ଥିଲା ।

ଦ୍ୱିତୀୟ ଚରଣରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟର ଆଙ୍ଗିକ ଶୁଦ୍ଧତା ଓ ନିଖୁଣ ଉପସ୍ଥାପନାକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ଖ୍ୟାତନାମା ଓଡ଼ିଶୀ ନୃତ୍ୟ ବିଦୁଷୀ ପଦ୍ମଶ୍ରୀ ରଞ୍ଜନା ଗୌହର ଓ ଉତ୍ସବ ସମାଜ ନୂଆଦିଲ୍ଲୀର ଶିଳ୍ପୀଗଣ । ଈଶ୍ୱରୀୟ ପ୍ରକାଶର ଅନୁଭବକୁ ନେଇ ଉପସ୍ଥାପିତ ସାକ୍ଷାତକାର ଖୁବ୍ ମନଛୁଆଁ ଥିଲା । ରାଧାକୃଷ୍ଣ ପ୍ରୀତିବିଳାସର ଭାବ ଓ ଆବେଗରେ ପରିବେଷିତ ହୋଇଥିଲା ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି ଓ ଶୁଦ୍ଧନୃତ୍ୟ ପଲ୍ଲବୀ । ହଜାର ହଜାର ପର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ସଂସ୍କୃତି ଅନୁରାଗୀଙ୍କ ଉପସ୍ଥିତିରେ ଶାସ୍ତ୍ରୀୟ ନୃତ୍ୟର ମାଦକତାରେ ବିହ୍ୱଳ ହୋଇଥିଲେ ସମସ୍ତେ ।

ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ଭାବେ ଯୋଗ ଦେଇଥିଲେ ପୋଲିସ୍ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ।

Leave A Reply

Your email address will not be published.