Latest Odisha News

ଅଂଶୁଘାତ ଆଶଙ୍କା: ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ଖରାର ଉତ୍ତାପ ଆଗକୁ ଆହୁରି ବୃଦ୍ଧି ପାଇବାର ଆଶଙ୍କା କରିଛି ପାଣିପାଗ ବିଭାଗ । ଆଉ ଏହି କାରଣରୁ ଏପ୍ରିଲ ମାସରେ ଅଂଶୁଘାତ ଆଶଙ୍କା ବଢ଼ିଯାଇଛି । ଏନେଇ ଶ୍ରମିକମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ନିମନ୍ତେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏଣୁ ସମ୍ପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକଙ୍କୁ ଚଳିତ ଅପ୍ରେଲ ୧ ତାରିଖରୁ ଜୁନ ୧୫ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପ୍ରଚଣ୍ଡ ଖରାରେ କାର୍ଯ୍ୟ କରିବାକୁ ବାରଣ କରିବାକୁ ନିର୍ଦ୍ଦେଶନାମାରେ ଜାରି କରାଯାଇଛି । ସକାଳ ସମୟ କିମ୍ବା ୩ଟା ପରେ କାର୍ଯ୍ୟରେ ନିୟୋଜିତ କରିବାକୁ କୁହାଯାଇଛି ।

ନିର୍ଦ୍ଦେଶନାମାରେ ଜାରି ହୋଇଥିବା ତାରିଖର ସମୟ ଭିତରେ ସରକାରଙ୍କ ସମସ୍ତ ବିଭାଗ ତଥା ଓଡିଶାରେ ଥିବା ଭାରତ ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରଙ୍କ ଅଧୀନରେ କାର୍ଯ୍ୟରତ ଶ୍ରମିକଙ୍କୁ କାର୍ଯ୍ୟରେ ନ ଲଗାଇବାକୁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରିବେ ।

ଯଦି କୌଣସି କାର୍ଯ୍ୟ ଅତ୍ୟନ୍ତ ଜରୁରୀ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ତାହେଲେ ସେହି ସମୟରେ ଶ୍ରମିକମାନେ କାର୍ଯ୍ୟ କରିପାରିବେ । କିନ୍ତୁ ଶ୍ରମିକଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା, ପ୍ରତ୍ୟେକ ଶ୍ରମିକ ପାଇଁ ଓଆର୍‌ଏସ ପ୍ୟାକେଟ ପ୍ରଦାନ ଭଳି ସୁବିଧା ନିଯୁକ୍ତିଦାତାମାନଙ୍କୁ କରିବାକୁ ପଡିବ ।

Comments are closed.