ନୂଆଦିଲ୍ଲୀ: ପାକିସ୍ତାନର ଲାହୋର ସହରକୁ ନେଇ ଗୋଟେ ପଦ ତ ଆପଣ ନିଶ୍ଚୟ ଶୁଣିଥିବେ । ‘ଯିଏ ଲାହୋରକୁ ଦେଖି ନାହିଁ, ସେ ଜୀବନ ଦେଖି ନାହିଁ’ । ବାସ୍ତବରେ, ଲାହୋର ଏହାର ଇତିହାସ, ସାଂସ୍କୃତିକ ଏବଂ ସାହିତ୍ୟିକ ଐତିହ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । କିନ୍ତୁ ଆପଣ ଜାଣନ୍ତି କି ଏହି ପ୍ରସିଦ୍ଧ ସହରର ସଂଯୋଗ ରାମାୟଣ ସହିତ ଅଛି । ହିନ୍ଦୁ ପୁରାଣରେ ଲାହୋରର ନାମ ରହିଛି ‘ଲବପୁରୀ’ । ଯାହାକି ପ୍ରଭୁ ରାମଙ୍କ ପୁତ୍ର ଲବଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।
୨୦୨୩ ମସିହାରେ ପାକିସ୍ତାନର ଏକ ଖବରକାଗଜ ମଧ୍ୟ ସ୍ୱୀକାର କରିଥିଲା ଯେ, ଲାହୋର ନାମ ଲବପୁରୀରୁ ଆସିଛି। ୧୯୪୭ ମସିହାରେ ବିଭାଜନ ସମୟରେ ଲାହୋର ଭାରତର ଏକ ଅଂଶ ହେବାକୁ ଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ସାର୍ ସିରିଲ ରେଡକଲିଫଙ୍କ ସୀମାରେଖା ଅଙ୍କନ କରିବାର ନିଷ୍ପତ୍ତି କାରଣରୁ ଏହା ପାକିସ୍ତାନକୁ ଚାଲି ଯାଇଥିଲା। କୁହାଯାଏ ଯେ ବିଭାଜନ ପୂର୍ବରୁ ଲାହୋରର ଗଳି କନ୍ଦିରେ ମହିଳାମାନେ ସାଇକେଲ ଚଳାଉ ଥିଲେ, ଶାଢୀ ପିନ୍ଧୁଥିଲେ । ଏଠାରେ ବାର୍ଡିସ୍କୋ ଏବଂ କ୍ଲବ ସଂସ୍କୃତି ପ୍ରଚଳିତ ଥିଲା ।
କିନ୍ତୁ, ୧୯୭୦ ପରେ, ଲାହୋର ତା’ର ସ୍ୱାଧୀନତା ହରାଇଲା । ବିଭାଜନ ଏବଂ ପରବର୍ତ୍ତୀ ପରିବର୍ତ୍ତନଗୁଡ଼ିକ ଲାହୋରର ସାଂସ୍କୃତିକ ଆତ୍ମାକୁ ଗଭୀର ଆଘାତ ପହଞ୍ଚାଇଥିଲା । ଲାହୋରର ଐତିହ ସୈଫ ଜୁଲଫିଙ୍କ କବିତା ଦେଖିବାକୁ ମିଳେ । ଯାହା ଲାହୋରର ହଜିଯାଇଥିବା ଗୌରବର କାହାଣୀ ବର୍ଣ୍ଣନା କରିଥାଏ । ଏଠାରେ ୫୦ ରୁ ଅଧିକ ହିନ୍ଦୁ ମନ୍ଦିର ଥିଲା, କିନ୍ତୁ ଆଜି କେବଳ କୃଷ୍ଣ ମନ୍ଦିର ଏବଂ ବାଲ୍ମିକି ମନ୍ଦିର ବାକି ଅଛି । ୧୯୯୨ରେ ବାବ୍ରି ମସଜିଦ ଭାଙ୍ଗିବା ପରେ ପାକିସ୍ତାନର ହିନ୍ଦୁ ମନ୍ଦିର ଉପରେ କ୍ରୋଧ ପ୍ରକାଶ ପାଇଥିଲା। ଫଳରେ ଅନେକ ମନ୍ଦିର ଭାଙ୍ଗି ଦିଆଯାଇଥିଲା ଏବଂ କିଛି ମନ୍ଦିରକୁ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା ।
କହିରଖୁଛୁ ଯେ, ଲାହୋର ହେଉଛି ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ସହର। ଏହାକୁ ପାକିସ୍ତାନର ହୃଦୟ ବୋଲି ମଧ୍ୟ କୁହାଯାଏ। ରବି ଏବଂ ୱାଗା ନଦୀ କୂଳରେ ଅବସ୍ଥିତ ଏହି ଭୂମି ସାହିତ୍ୟ, କଳା ଏବଂ ଶିକ୍ଷାର କେନ୍ଦ୍ର ପାଲଟିଛି।
Comments are closed.