Latest Odisha News

BREAKING NEWS

ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍‌, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍‌ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ । ଆଜି ଏହି ବ୍ୟବସ୍ଥାରେ ଆଉ ୩ଟି ଜିଲ୍ଲା ଯୋଡି ହେଲା ।

ଆଜିର ଶୁଭାରମ୍ଭ ପରେ ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍‌ ଚାଲିବ । ଏହା ଦ୍ୱାରା ୨୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ୍‌ ଚାଲିବ ଏବଂ ୩ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ଅନୁଗୋଳର ୧୭୬ଟି ପଞ୍ଚାୟତରେ ୨୯ଟି ବସ୍‌ ଚାଲିବ ଏଥିରେ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ସେହିପରି ଢେଙ୍କାନାଳର ୧୯୫ଟି ପଞ୍ଚାୟତରେ ୫୫ଟି ବସ୍‌ ଚାଲିବ ଏବଂ ୧୩ ଲକ୍ଷ ଲୋକ ଉପକୃତ ହେବେ ।

ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି । ସାରା ରାଜ୍ୟରେ ୧ ହଜାରରୁ ଅଧିକ ବସ୍ ଚାଲିବ । 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି । ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି । ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ ରହିଛି । ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।

ଏହି ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଛି । ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି ।

ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହି ଏକ ନୂଆ ଓଡିଶା ଗଢିବା ପାଇଁ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେ କହିଥିଲେ ଯେ, ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣି ନିଷ୍ପତ୍ତିକ୍ରମେ ଏହି ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ କରାଗଲା । ଗ୍ରାମାଞ୍ଚଳ ଲୋକମାନେ ସୁବିଧାରେ ଏବଂ କମ୍ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସ୍‌ କୁ ବ୍ୟବହାର କରିପାରିବେ ।

ଲକ୍ଷ୍ମୀ ବସ୍‌ ସେବା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ମୀ ବସ୍‌ ଲୋକଙ୍କୁ ଲୋକ ସହିତ ଯୋଡିବ । ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ । ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍‌ ରେ ଯିବା ଆସିବା କରିପାରିବେ ବୋଲି ସେ କହିଥିଲେ ।

Leave A Reply

Your email address will not be published.