Latest Odisha News

BREAKING NEWS

ଆମଦାନୀ ନେତାଙ୍କ ବିଧାୟକ ପଦ ସୁରକ୍ଷିତ, କିନ୍ତୁ ବିଜେଡି ଛାଡିଥିବା ନେତାଙ୍କର ହେଉଛି ପଦ ରଦ୍ଦ!

ଭୁବନେଶ୍ୱର: ଆମଦାନୀ ହୋଇଥିବା ଅନ୍ୟ ଦଳର ବିଧାୟକ ଶାସକ ଦଳ ବିଜୁ ଜନତା ଦଳ ପାଇଁ ହୋଇଗଲେ ଗେହ୍ଲା ପୁଅ? କିନ୍ତୁ ଦିନେ ଦଳର ସେନାପତି ହୋଇ ମୈଦାନରେ ଲଢେଇ କରୁଥିଲେ ଆଉ ବିଭିନ୍ନ କାରଣରୁ ନିର୍ବାଚନ ବେଳେ ଏଥର ବିଜେଡି ଛାଡି ଅନ୍ୟ ଦଳରେ ସାମିଲ ହେବା ପରେ ହୋଇଯାଇଛନ୍ତି ପର। ଆଉ ସ୍ଥିତି ଏମିତି ଯେ କାହିଁକି ପଦ ନହରାଇବେ ତାର ଉତ୍ତର ଲୋଡିଛନ୍ତି ବିଧାନସଭାର ସଚିବ। ଯାହାର ଉତ୍ତର ୨୭ ତାରିଖ ସୁଦ୍ଧା ଦେବାକୁ ନୋଟିସରେ କୁହଯାଇଛି।

ବିଜେଡି ଛାଡିଥିବା ୪ ବିଧାୟକ ନିମାପଡାର ସମୀର ଦାଶ, ହିନ୍ଦୋଳର ସୀମାରାଣୀ ନାୟକ, ଆଠମଲ୍ଲିକର ରମେଶ ସାଏ ଏବଂ ସୋରର ପର୍ଶୁରାମ ଧଡାଙ୍କୁ ଏହି ନୋଟିସ ଜାରି କରିଛନ୍ତି ବିଧାନସଭା ସଚିବ । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତିଙ୍କ ନିକଟରେ ଏକ ପିଟିସନ ଦାଖଲ କରିବା ପରେ ଏପରି ଏକ ନୋଟିସ ଜାରି ହୋଇଛି।

ନିର୍ବାଚନ ଶେଷ ହେଲା ପରେ ଏବଂ ଗଣତି ପରେ ପୁରୁଣା ସରକାର ଭାଙ୍ଗିଯିବ ଏବଂ ନୂଆ ସରକାର ଗଠନ ହେବ। ହାତରେ ଆଉ ମାସେରୁ କମ୍ ସମୟ ରହିଛି ଏବେର ସରକାରର। ଏପରି ସ୍ଥିତିରେ ବିଜେଡି ଛାଡିଥିବା ବିଧାୟକଙ୍କ ପଦ କାହିଁକି ରଦ୍ଦ ନହେବ ଏବଂ ବିଜେପି, କଂଗ୍ରେସରୁ ଆସିଥିବା ବିଧାୟକଙ୍କୁ ସମାନ ନୋଟିସ ଜାରି ନହେବା ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ବିଜେପି ଛାଡି ନୀଳଗିରି ବିଧାୟକ ସୁକାନ୍ତ ନାୟକ, କଂଗ୍ରେସ ଛାଡିଥିବା ଖଡିଆଳ ବିଧାୟକ ଅଧୀର ରଞ୍ଜନ ପାଣିଗ୍ରାହୀଙ୍କ ପରି ଅନେକ ନେତା ଚଳିତ ନିର୍ବାଚନରେ ଦଳ ଡେଇଁ ବିଜେଡିର  ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ବିଜେଡି ଛାଡିଥିବା ନେତା ଜଣଙ୍କ ପରେ ଜଣଙ୍କୁ ଜବାବ ତଲବ କରିବା ଆଶ୍ଚର୍ଯ୍ୟ କରିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ଏମାନଙ୍କର ବିଧାୟକ ପଦ ରଦ୍ଦ ହୋଇସାରିଛି। ଏହାପରେ ଏବେ ସମୀର ଦାଶ, ସୀମାରାଣୀ ନାୟକ, ରମେଶ ସାଏ ଏବଂ ପର୍ଶୁରାମ ଧଡାଙ୍କୁ ନୋଟିସ ଜାରି କରି ବିଧାୟକ ପଦ ରଦ୍ଦ କାହିଁକି ନହେବ ବୋଲି ଜବାବ ଲୋଡାଯାଇଛି।

ବଡ଼ କଥା ହେଉଛି କେବଳ ପ୍ରେମାନନ୍ଦ ଏବଂ ଅରବିନ୍ଦଙ୍କ ବିଧାୟକ ପଦ କାହିଁକି ଅନ୍ୟ ଦଳରୁ ଆସି ବିଜେଡିରେ ସାମିଲ ହୋଇଥିବା ବିଧାୟକଙ୍କୁ ତାଙ୍କ ପଦ ରଦ୍ଦ କରିବାକୁ କାହିଁକି ନୋଟିସ ହେଉନି। ଜବାବରେ ସରକାରଙ୍କ ତରଫରୁ ଉତ୍ତର ଆସିଥିଲା ସେମାନଙ୍କ ବିରୋଧରେ କେହି ପିଟିସନ ଦାଖଲ କରିନାହାନ୍ତି। ତେଣୁ ସେମାନଙ୍କ ପଦ କାହିଁକି ରଦ୍ଦ ନହେବ ବୋଲି ନୋଟିସ ଜାରି କରାଯାଉନି।

Leave A Reply

Your email address will not be published.