ଜୀବନ ଚକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ବିନୟାର ପରିବାରରେ ଆଉ କାହାର କୌଣସି ଅସ୍ତିତ୍ୱ ନାହିଁ । ଏପରିକି ତା ସ୍ୱାମୀ ବୈରିଗଞ୍ଜନ ବି ଆପାତତଃ ଜଣେ ପ୍ରଖ୍ୟାତ ସ୍ତ୍ରୈଣ । ମାନେ ସ୍ତ୍ରୀ କହିଲେ ଉଠିଲା, ଆଉ ସ୍ତ୍ରୀ କହିଲେ ବସିଲା । ବିନୟାର ତିନିଟା ପୁଅ ଆଉ ଦୁଇଟା ଝିଅ । ବଡ଼ ପୁଅ ସନାତନ ଆଉ ବଡ଼ ଝିଅ କେତକୀର ବାହାଘର ପାଞ୍ଚ ବର୍ଷ ତଳୁ ହୋଇସାରିଲାଣି । କିନ୍ତୁ ଆଉ ଦୁଇଟା ପୁଅ ଓ ସାନ ଝିଅ ବାହା ହୋଇନାହାନ୍ତି । ଏଣେ ପୁଅ ବାହା ହେଲା ପରେ ଘରକୁ ପଚାରୁନି । ତା ଦୁନିଆରେ ସେ ବ୍ୟସ୍ତ । ଦି ବଖରା ଘରୁ ବଖରାଏ ଘରେ ବଡ଼ ପୁଅ ବୋହୂ  ଆସ୍ଥାନ ଜମାଇ ବସିଛନ୍ତି । ସେମାନେ ଆଉ ହଲିବାର ନା ନାହିଁ । ଆର ବଖରାଏରେ ସାନ ଭୁଆସୁଣୀ ଝିଅଟାକୁ ସାଙ୍ଗରେ ନେଇ ଶୁଏ ବିନୟା । ବାକି ତା ଭେଣ୍ଡିଆ ପୁଅ ଦି ଜଣ କେତେବେଳେ ବାରଣ୍ଡାରେ ତ ଆଉ କେତେବେଳେ  ଚଉଁରା ଉପରେ ଶୁଅନ୍ତି । ବୁଢ଼ା ବୈରିଗଞ୍ଜନ ବାର ଦୁଆର ହେଉ ହେଉ ଦିନ ସରେନି। ଅଧିକାଂଶ ସମୟରେ ଘରୁ ବାହାରେ ହିଁ ଥାଏ ସେ ।

ଦିନେ ଖରାବେଳଟାରେ ବୈରିଗଞ୍ଜନ ଘର କୋଠା ମଝିରେ ବସି ପଖାଳ କଂସାରେ ହାତ ବୁଡ଼େଇଥାଏ । ହେଲେ କଂସା ପାଖରେ ଚାଖି ଖାଇବାକୁ ଆଉ କିଛି ନାହିଁ । ଗିନାଟାରେ ଦି ଚିମୁଟା ଲୁଣ ଆଉ ଦୁଇଟା କଞ୍ଚାଲଙ୍କା ବ୍ୟତୀତ ପିଆଜ ଖଣ୍ଡେ ବି ନାହିଁ । ଏତିକି ବେଳେ ବୁଢ଼ା ହୁରି ପକେଇଲା ବଡ଼ ବୋହୂର ନାଁ ଧରି । କହିଲା, ବୋହୂ .. ଯଦି କିଛି ତିଅଣ ପତ୍ର ରଖିଛୁ, ଟିକେ ଦେ । ଖାଲି ଲୁଣ ମରିଚ ଦେଇ ଏ ବାସି ପଖାଳଗୁଡ଼ାକ ଖାଇ ହେଉନି । କିଛି ସମୟ ପୂର୍ବରୁ ଚୁଲିରୁ ଗରମ ଗରମ ଭଜା ଓହ୍ଲେଇକି ନେଇଥିବା ସତ୍ତ୍ୱେ ଦି ଦିନ ତଳର ଟିକିଏ ଗନ୍ଧିଆ ତରକାରି ଆଣି ବୈରିଗଞ୍ଜନର କଂସା ପାଖରେ ଥୋଇଦେଲା ତା ବଡ଼ବୋହୂ । ସେ ତରକାରି ମୁହଁରେ ଦେଲା ଭଳି ଅବସ୍ଥାରେ ନଥିଲା । ବୈରିଗଞ୍ଜନକୁ ଭାରି ବାଧିଲା କଥାଟା । ସେ କିଛି ନକହି କଂସାମୂଳରୁ ଉଠିପଡ଼ିଲା ଏବଂ ଏକମୁହାଁ ହୋଇ ଚାଲିଗଲା ବାହାରକୁ । ତେବେ କିଛି ସମୟ ପରେ ଯେତେବେଳେ ଘରେ ପହଞ୍ଚିଲା ବିନୟା, ଘର ମଝିରେ ଅଇଁଠା କଂସା ଦେଖି ତାର ରାଗ ପଞ୍ଚମରେ । ଯେଚ୍ଛା ତା ଗାଳି ଦେଲା ବିନୟା । ଏତିକି ବେଳେ ଦାଣ୍ଡପଟରେ ରହି ଏ ସବୁ କଥା ଶୁଣୁଥିଲା ବୈରିଗଞ୍ଜନ । ତା ଅସ୍ମିତାକୁ ଅତ୍ୟନ୍ତ ବାଧିଲା । ବୋହୂର ଅମଣିଷ ଆଚରଣରେ ପୂର୍ବରୁ ମର୍ମାହତ ବୈରିଗଞ୍ଜନ ଏଥର ବିନୟାର ଆଚରଣରେ ବେଶୀ ଭାଙ୍ଗି ପଡ଼ିଲା । ଅଯୋଗ୍ୟ ପୁଅ, ସ୍ୱାର୍ଥପର ସ୍ତ୍ରୀ ଓ କୃତଘ୍ନ ବୋହୂ ଯୋଗୁଁ ମାନସିକ ସ୍ତରରେ ଅତ୍ୟନ୍ତ ଭାଙ୍ଗିପଡ଼ିଥିବା ବୈରିଗଞ୍ଜନ ଏଥର କିଛି ଗୋଟାଏ ଅଘଟଣ ଘଟାଇବାର ଯୋଜନାରେ ଥିଲା ଭଳି ମନେ ହେଉଥିଲା ।

ସତକୁ ସତ ସେଇଆ ହିଁ ହେଲା । ପରଦିନ ସକାଳୁ ଘରେ ସମସ୍ତେ ଯେ ଯାହାର ନିତ୍ୟକର୍ମ ପାଇଁ ବନ୍ଧ ବିଲଆଡ଼େ ଯାଇଥିଲା ବେଳେ, ବେକରେ ରସି ଲଗାଇ ଆତ୍ମହତ୍ୟା କରିଦେଲା ବୈରିଗଞ୍ଜନ । ଘରର କବାଟ ଭାଙ୍ଗି ବାହାର କରାଗଲା ମରଶରୀର । ହେଲେ ଶେଷକୃତ୍ୟ ପାଇଁ ବଡ଼ ପୁଅର ଉପସ୍ଥିତି ଜରୁରୀ ଥିଲେ ବି ତାର ଦେଖାଦର୍ଶନ ନଥିଲା । ଲୋକେ କେତେ କଣ କହିଲେ । ହେଲେ ଦିନ କେଇଟା ପରେ ପୁଣି ସବୁ କିଛି ଚିରାଚରିତ ଧାରାରେ ପଡ଼ିଗଲା । ବଡ଼ପୁଅ ସନାତନ ଏବେ କିଛି ଦିନ ହେଲା ନୂଆ ବେପାର ଗୋଟିଏ ଆରମ୍ଭ କରିଛି । ଗାଁଠୁ ଅନେକ ଦୂରରେ ରାଜପଥ କଡ଼ରେ ଆରମ୍ଭ କରିଛି ଗୋଟିଏ ହୋଟେଲ । ଏପଟେ ତା ପରିବାରରେ ତାର ପୁଅ ଝିଅ ଦୁଇଟି । ଡଉଲଡାଉଲ ପିଲା ଦୁଇଟା ସ୍କୁଲ ଗଲେଣି । ତେଣେ ସନାତନର ହୋଟେଲରେ ଭଲ ଦି ପଇସା ବେପାର ହେଉଛି । ଦିନ ରାତି ଚବିଶ ଘଣ୍ଟା ଚାଲୁଛି ହୋଟେଲ । ଗାଡ଼ିବାଲାଏ ଏତେ ପରିଚିତ ହୋଇଗଲେଣି ଯେ, କିଏ କେତେବେଳେ ବିଭିନ୍ନ ଜିନିଷ ପକାଇଦେଇ ଯାଉଛନ୍ତି । କିନ୍ତୁ ବିଡ଼ମ୍ବନା ଯେ, ଘରର ବଡ଼ପୁଅ ଭାବରେ ସନାତନ ନିଜ ସାନ ଭାଇ ଭଉଣୀ ବା ବାପା ମାଆ ପାଇଁ କିଛି କରିନି ।

ଏ ସବୁ ଭିତରେ ଜିଦଖୋର ବିନୟା ନିଜର ଦୁଇ ପୁଅ ଓ ସାନ ଝିଅକୁ ବାହା ଦେଇଛି । ତେବେ ମାଆର ବଡ଼ଲୋକି ପଣିଆ ଓ ଏକାଙ୍ଗ ଚକ୍ରବର୍ତ୍ତୀ ମନୋଭାବ ଆଗରେ କେହି ତିଷ୍ଠି ପାରିନାହାନ୍ତି । ନିଜ ନିଜ ସ୍ତ୍ରୀକୁ ନେଇ ଘର ଛାଡ଼ି ଚାଲିଯାଇଛନ୍ତି ବିନୟାର ଏଇ ଦୁଇ ପୁଅ । ଏକାକୀ ରହିଛି ବିନୟା । ଧୀରେ ଧୀରେ ବୟସ ବଢ଼ିଛି । ତାର ରୋଜଗାରର ସବୁ ପନ୍ଥା ବନ୍ଦ । ଘରର ଜମିବାଡ଼ି ସେ ନିଜ ଅକ୍ତିଆରରେ ରଖିଥିଲେ ମଧ୍ୟ ସେଥିରେ କାମ କରିବାକୁ ତାର ଆଉ ବଳ ନାହିଁ । ଭାଗଚାଷୀକୁ ଦେଇ ସେମାନଙ୍କ ପଛରେ ଗୋଡ଼େଇବା ବ୍ୟତୀତ ତା ପାଖରେ ଆଉ କୌଣସି ବାଟ ନାହିଁ । ଏଭଳି ସ୍ଥଳେ ବିନୟାର ସାନ ଦୁଇ ପୁଅ କଳେ ବଳେ କୌଶଳେ ଜମିତକ ହାତେଇ ନେଲେ । ଏବେ ବୁଢ଼ୀ ବିନୟା ଚଳିବା ଭାରି କଷ୍ଟ । ତଥାପି ଜୀବନ ତମାମ ବିଭିନ୍ନ ଲୋକଙ୍କୁ ଟଙ୍କା, ଧାନ, ମାଣ୍ଡିଆ ଇତ୍ୟାଦି ଋଣ ଦେଇ, ସେମାନଙ୍କଠାରୁ ଯେଉଁଭଳି ଭାବରେ ସୁଧ ନେଇଛି, ସେଥିରେ ସେ ଟାଣି ନେଉଛି ତା ଜୀବନ ଗାଡ଼ି । ଏଣେ ସରକାର ବି ପ୍ରତି ମାସରେ କିଛି ପଇସା ଦେଉଛନ୍ତି ବିନୟାକୁ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ରୂପରେ ।

ସନାତନର ବେପାର ଏବେ ଭଲ ଚାଲିଛି । ସେ ବି ନିଜ ଛୁଆ ପିଲାଙ୍କୁ ନେଇ ଗାଁ ଛାଡ଼ି ଚାଲିଯାଇଛି । ଗାଁଠୁ ଅନତି ଦୂରରେ ଏକ ବିରାଟ କୋଠାଘର ତିଆରି କରିଛି ସନାତନ । ସମସ୍ତ ଅତ୍ୟାଧୁନିକ ସୁବିଧା ଥିବା ସେହି ଘରକୁ ଦେଖିଲେ କେହି ବି କହିବେନି ଯେ, ଏଇଟା କୌଣସି ଗାଁ ଘର ବୋଲି । ତିନି ମହଲା କୋଠା। ସନାତନର ଆଦବ କାଇଦା ଦେଖିଲେ ଲାଗୁଛି, ସତେ ଯେମିତି ସେ ଏଇ କିଛି ବର୍ଷ ଭିତରେ ବଡ଼ଲୋକ ପାଲଟିଯାଇଛି । କିନ୍ତୁ ମାଆ ଖାଇଲା କି ନାହିଁ, କେମିତି ଅଛି, କଣ ତାର ପରିସ୍ଥିତି, ସେ ସବୁ ସେ ଦିନେ ବି ଦେଖିନି କିମ୍ବା ଦେଖିବାକୁ ବି ଚାହିଁନି । ସନାତନର ପୁଅ ଝିଅଙ୍କୁ ବେଶ୍ ଭଲ ପାଉଥିବା ବିନୟା ବି ନାତିନାତୁଣୀଙ୍କ ସ୍ନେହରୁ ବଞ୍ଚିତ ଅଛି ।

ସନାତନ ଝିଅକୁ ପାଠ ପଢ଼େଇଛି । କିନ୍ତୁ ପୁଅଟା ଡାହା ବାଳୁଙ୍ଗା । ବୋଧହୁଏ ପଞ୍ଚମ ଷଷ୍ଠ ଶ୍ରେଣୀ ପରେ ସେ ଆଉ ଅଧିକ ପାଠ ପଢ଼ିନି । ବରଂ ବାପାର ବଢୁଥିବା ସମ୍ପତ୍ତି ଓ ବେପରୁଆ ଭାବରେ ମିଳୁଥିବା ହାତଖର୍ଚ୍ଚ ତାକୁ ବିଗାଡ଼ି ଦେଇଛି । କୌଣସି ଏକ ଅପରାଧରେ ଛନ୍ଦି ହୋଇ ପୁଅ ଜେଲ୍ ଯିବା ପରେ ସନାତନ ଭାଙ୍ଗି ପଡ଼ିଛି। ଦେଖୁ ଦେଖୁ ଆଖି ସାମ୍ନାରେ ତାର ସବୁ ସମ୍ପତ୍ତି ଧୀରେ ଧୀରେ ଚାଲି ଯାଇଛି ତା ହାତରୁ । ପୁଅକୁ ଅପରାଧ ମୁକ୍ତ କରାଇବା ଉଦ୍ଦେଶ୍ୟରେ ପ୍ରଥମେ ଗାଡ଼ି, ତା ପରେ ଘର ଏବଂ ଶେଷରେ ହୋଟେଲକୁ ବିକି ଦେଇଛି ସନାତନ । ହଜାର ଥର କୋର୍ଟ କଚେରୀ ଦୌଡ଼ିଥିଲେ ବି ପୁଅକୁ ମୁକୁଳାଇବାରେ ସକ୍ଷମ ହୋଇନି ସେ । ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇ ଗୋଟିଏ ଦୁଇ ବଖୁରିଆ ଭଡ଼ା ଘର ନେଇଛି । କେମିତି କଣ କରି, ବିନା ବନ୍ଧୁବାନ୍ଧବରେ ଝିଅକୁ ବାହା ଦେଇଛି ସନାତନ । ଏବେ ଆଉ ରୋଜଗାରର କୌଣସି ପନ୍ଥା ନାହିଁ । ନା ବେପାର ଅଛି, ନା ଚାଷବାସ । ଏଭଳି ସ୍ଥଳେ ଘର ଚଳାଇବା କାଠିକର ପାଠ । ପୁଅ ଜେଲରେ ବନ୍ଦୀ । ଝିଅ ତା ଘର ସଂସାର ନେଇ ବ୍ୟସ୍ତ। ଏତିକି ବେଳେ ତାକୁ ତା ଘର ମନେ ପଡୁଛି । ମନେ ପଡୁଛନ୍ତି ତାର ବାପା ମାଆ ଭାଇ ଭଉଣୀ ସମସ୍ତେ । ହେଲେ ଭାଇ ଭଉଣୀ କେହି ବି ତାକୁ ଗ୍ରହଣ କରିବାକୁ ନାରାଜ । ବଡ଼ ଚେଷ୍ଟା କରି ମାଆ ପାଖକୁ ଯିବାକୁ ଚାହିଁଛି ସନାତନ । ତେବେ ବାପା ଆତ୍ମହତ୍ୟା କରିଥିଲା ବେଳେ ତାକୁ ମୁଖାଗ୍ନି ଦେବାକୁ ଯାଇନଥିବା ସନାତନ, କେଉଁ ମୁହଁରେ ମାଆ ପାଖକୁ ଯିବ, ସେ କଥା ଭାବି ପାରୁନି। ତାର ସାହସ ହେଉନି । ତଥାପି ମନେ ମନେ ଭାବୁଛି, ଦୁନିଆରେ ସମସ୍ତେ ପର କରିଦେଇ ପାରନ୍ତି, କିନ୍ତୁ ମାଆ ତ କେବେ ପରକରିବନି । ଯେତେ ବଡ଼ ଭୁଲ କରିଥିଲେ ବି, ମାଆ ତ ତା ପିଲାକୁ ନିଶ୍ଚୟ କୋଳେଇ ନେବ । ସେଇ ଆଶାରେ ଦିନେ ହଠାତ୍ ନିଜ ଘରେ ଯାଇ ପହଞ୍ଚିଲା ସନାତନ । ଏଇଟା ସେଇ ଘର, ଯେଉଁଠି ତାର ଅନ୍ତୁଡ଼ିଶାଳ । ଏଇ ଘରର ଏରୁଣ୍ଡିବନ୍ଧ ତଳେ ତା ନାହି ନାଡ଼ ପୋତିଥିଲା ତା ଜେଜେମା । ଏଇଠି ସେ ତା ବାପା ପିଠି ବସି ହାତୀ ସବାର ହୋଇଥିଲା । ଏଇଠି ତା ଭାଇ ଭଉଣୀଙ୍କୁ ଲୁଚାଇ ତା ମାଆ ତାକୁ ଭଲ ଭଲ ଖାଇବାକୁ ଦେଉଥିଲା। ଏଇ ଘରେ ହିଁ ତାର ବାହାଘର ହୋଇଥିଲା । ଏଇଠି ଜନ୍ମ ନେଇଥିଲେ ତା ପୁଅ ଝିଅ । ହେଲେ ଏ କଣ? ଏ ଘରଟା ଆଉ ଘର ହୋଇନାହିଁ ।

ଶେଷଥର ପାଇଁ କେବେ ନଡ଼ା ଛପର ହୋଇଥିଲା ସେ ଖବର କାହା ପାଖରେ ନାହିଁ । ବାଡ଼ିପଟରେ ଥିବା ବଖରାଟି ବର୍ଷା, ପାଣି ପବନରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କହିବାକୁ ଗଲେ, ସେଇଟା ଘର ନୁହେଁ ଗୋଟିଏ ବିଲୁଆ ଡେଉଁଥିବା ଡିହ ପାଲଟିଯାଇଛି । ଦାଣ୍ଡପଟରେ ଥିବା ବଖରାଟି ଭୁଶୁଡ଼ିବା ଅବସ୍ଥାରେ । ତଥାପି ଘର ସାମ୍ନାରେ ଠିଆ ହୋଇ ସମ୍ପୂର୍ଣ୍ଣ ଅତୀତମନସ୍କ ହୋଇଯାଇଥିବା ସନାତନ ଧୀରେ ଆସି କବାଟ ପାଖରେ ଠିଆ ହେଲା । ତେବେ ମାଆକୁ ଡାକିବ କି ନାହିଁ, ସେଥିପାଇଁ ସାହସ ଜୁଟାଇ ପାରୁନଥିଲା ସେ । ଆଉ ନିଜକୁ ରୋକି ନପାରି କବାଟ ବାଡ଼େଇ ଡାକିଲା .. ମାଆ .. ମାଆ … ।

କିଛି ସମୟ ଠିଆ ହେଲା ପରେ, ପୁଣି ଡାକିଲା .. ମାଆ .. ମାଆ .. । ତଥାପି କୌଣସି ଶବ୍ଦ ନାହିଁ । ସନାତନର ଧୈର୍ଯ୍ୟଚ୍ୟୁତି ଘଟୁଥାଏ । ଏତିକିବେଳେ କବାଟଟା ଏକ ଅଦ୍ଭୂତ ଶବ୍ଦ କରି ଧୀରେ ଖୋଲିଲା । ଲାଗୁଥିଲା ସତେ ଯେମିତି ସେ କବାଟ ମାସ ମାସ ଧରି ଖୋଲାହୋଇନି । ଘର ଭିତରୁ ନିଜର ଜୀର୍ଣ୍ଣଶୀର୍ଣ୍ଣ ଶରୀରକୁ କଷ୍ଟେମଷ୍ଟେ ଉଠାଇ, ବାହାରକୁ ଚାହିଁଲା ବିନୟା । ତାକୁ ଦେଖିଲେ ଲାଗୁଥିଲା, ଯେମିତି ସେ ଅନେକ ବର୍ଷ ହେଲା କିଛି ଖାଇନି । ମୁଣ୍ଡର ବାଳସବୁ ଝୋଟ ଭଳି ଧଳା ହୋଇଯାଇଛି । ଆଖିରେ ଲେଞ୍ଜରା ଭର୍ତ୍ତି । ଠିକ୍ ଭାବେ ଆଖି ଖୋଲିପାରୁନି ସେ । ଦେହରେ ଥିବା ଶାଢ଼ୀଟା ଅହେତୁକ ଭାବରେ ଫଡ଼ଫଡ଼ା ହୋଇ ଚିରିଯାଇଛି । ତଥାପି ମିଞ୍ଜିମିଞ୍ଜି ଆଖିରେ ଧୀରେ ଦେଖିବାକୁ ଚେଷ୍ଟା କରୁଥିଲା ବିନୟା । ସାମ୍ନାରେ ଷାଠିଏ ବର୍ଷର ପୁଅ ସନାତନ । ତାର ବି ମୁଣ୍ଡରେ ସବୁ ବାଳ ପାଚି ଯାଇଛି । ଚିନ୍ତାଗ୍ରସ୍ତ ହୋଇ ତାର ବି କୃଶୋଦର ଶରୀର । ମଇଳା ଧୋତି ଖଣ୍ଡେ ଉପରେ କାମିଜ୍ ଖଣ୍ଡେ ଓ କାନ୍ଧରେ ଗୋଟିଏ ପୁରୁଣା ସାତସିଆଁ ଗାମୁଛା । ସନାତନ କିଛି କହିବା ଆଗରୁ, ବିନୟା କହିଲା .. କିଏ ସନା କିରେ? ମୋ ସନା .. ମୋ ବାପ କିରେ । କେମିତି ତିରିଶ ବର୍ଷ ପରେ ତତେ ତୋ ମାଆ ମନେ ପଡ଼ିଲାରେ ବାପ? ସନା କିଛି ନକହି ମାଆକୁ ଭିଡ଼ି ଧରିଲା । ତାକୁ ଠିକ୍ ସେମିତି ଲାଗୁଥିଲା, ଯେମିତି ପିଲାଦିନେ ତାକୁ ଡର ଲାଗିଲେ ସେ ଦୌଡ଼ିଆସି ମାଆକୁ କୁଣ୍ଢାଇ ଧରୁଥିଲା ଓ ତାର ପଣତ ତଳେ ଲୁଚିଯାଉଥିଲା । ଢେର ସମୟ ଯାଏଁ ଉଭୟେ ଉଭୟଙ୍କୁ ଧରି କାନ୍ଦୁଥିଲେ । ମାଆ ଭୁଲି ଯାଇଥିଲା ମାନ ଅଭିମାନ ସବୁକିଛି । ଘର ଭିତରେ ପଶିଗଲା ପରେ ସନାତନକୁ ଲାଗୁଥିଲା, ସତେ ଯେମିତି ସେ ତା ଜୀବନରେ ହରାଇଥିବା ସବୁକିଛି ପାଇଯାଇଛି । ଗୋବର ଲିପା ଚଟଣାରେ ବସିପଡ଼ିଲା ପରେ ସନାତନ ଫେରିଯାଉଥିଲା ତାର ପିଲାଦିନକୁ । ଓଃ କି ଅପୂର୍ବ ଶାନ୍ତି । ବୋଧ ହୁଏ ଜୀବନ ତମାମ ସେ ଏଇ ଦିନକୁ ଅପେକ୍ଷା କରିଥିଲା । କେତେ ସମ୍ପତ୍ତି, ଘର, ଟଙ୍କା ପଇସାର ଖେଳ ଦେଖି ସାରିଥିବା ସନାତନକୁ ଆଜି କାହିଁକି ଲାଗୁଥିଲା ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଭଳି । ତାଠୁ ବଳି ବଡ଼ ବିତ୍ତଶାଳୀ ଆଉ କେହି ନାହିଁ । ତାକୁ ଲାଗୁଥିଲା, ମାଆଠୁ ବଳି ବଡ଼ ସମ୍ପତ୍ତି ତା ପାଇଁ ଆଉ କିଛି ଅଛି? ଜୀବନ ଜଞ୍ଜାଳରେ ଦହଗଞ୍ଜ ହୋଇଯାଇଥିବା ସନାତନ ମାଆ କୋଳରେ ମୁଣ୍ଡରଖି ଟିକିଏ ଶୋଇଯାଇଥିଲା । ଆଉ ତା ଆଖି ସାମ୍ନାରେ ନାଚି ଯାଉଥିଲା ତା ଜୀବନର ପ୍ରତିଟି ଘଟଣା । ସେ ଅନୁଭବ କରିପାରୁଥିଲା ତା ଜୀବନ ଚକର ଧୀରମନ୍ଥର ଗତିକୁ । ..

ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ 
ଫୋନ୍- ୯୯୩୭୨୫୨୪୬୪