ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମଧ୍ୟସ୍ୱର୍ଗର ପ୍ରଶାନ୍ତି 

ଚିଠିରେ ଅବିରାମତ୍ୱ ନରହିଲେ ପଢିବାରେ ଆଗ୍ରହ ତିଆରି ହୁଏନି କୁଆଡେ ! ସତରେ ଆବଶ୍ୟକ କଣ ତୁମ ସହ ଘଟଣାମାନଙ୍କୁ ସମୟାନୁପାତରେ ପାହାଚ ଭଳି ନିର୍ଦ୍ଦିଷ୍ଟ ତାଳରେ ଅତିକ୍ରମି ଯିବା ? ଆବଶ୍ୟକ କି ଅମୂର୍ତ୍ତ ଭାବର ଗହ ଗହ ଅନ୍ଧାରକୁ ପ୍ରଶ୍ନର ଆଲୁଅଟେ ଫିଙ୍ଗି ସମସ୍ତଙ୍କ ଆଖି ଫିଟେଇ ଦେବାର ଅପଚେଷ୍ଟାଟେ କରିବା ? ଜରୁରୀ କି ଗତାନୁଗତିକ ଧାରାରେ ପରିବର୍ତ୍ତନର ପାଣିଚିଆ ରଙ୍ଗ ଲେସି ସମ୍ପର୍କର ବାସ୍ତବତାକୁ ଉକୁଟେଇ ସେହିମାନଙ୍କୁ ଦେଖେଇବା ଯେଉଁମାନେ ଗୋଟେ ସ୍ଥିତିବଦ୍ଧତାକୁ ନିଜର ପୃଥିବୀ ଭାବନ୍ତି ? ଆଖି ଖୋଲା ଅଛି କଣ ସେ ସମସ୍ତଙ୍କର ଆମ ଚାହିଁବା ଭଳି ସବୁ ଇନ୍ଦ୍ରିୟାନୁଭୂତିକୁ ଏକୀଭୁତ କରି ଆମ ସମ୍ପର୍କକୁ ମର୍ଯ୍ୟାଦା ଦେବା ପାଇଁ ? ତେବେ କାହିଁକି ବି ଘାରି ହେବି ତୁମକୁ ଅମୂର୍ତ୍ତତାରୁ ଆଣି ନିର୍ଦ୍ଦିଷ୍ଟ ସ୍ୱରୂପ ଦେବାର ସାଂସାରିକତାରେ ?

କେଉଁ ଆବେଗର ଶକ୍ତି ଗୋଟେ ଅପ୍ରାପ୍ୟକୁ ପ୍ରାପ୍ତି କରି ସମ୍ପାଦି ସାରିଛି ମୋର ସଚେତନ, ଅଚେତନ ଏବଂ ଅବଚେତନ ସତ୍ତାରେ ତାକୁ ଜଣେଇବା ପାଇଁ ସତରେ ପ୍ରମାଣ ଖୋଜିଯିବି ? ଅତୀତ ହିଁ ବର୍ତ୍ତମାନର ପୌନଃପୁନିକ ଅବିରାମତ୍ୱ ବୋଲି ଦିନେ କେବେ ଆତ୍ମସ୍ଥ କରିଥିଲି ସିନା ହେଲେ ବର୍ତ୍ତମାନକୁ ନେଇ ଯେତେ ସବୁ ରାସ୍ତା ଲମ୍ବିସାରିଛି ଅତୀତ ଏବଂ ଭବିଷ୍ୟତ ଆଡ଼କୁ ତାର ବର୍ଣ୍ଣବିଭା ଦର୍ଶେଇ ସାରିଛି ତୁମ ସତ୍ତା କିଭଳି ଆଚ୍ଛାଦିତ କରିସାରିଛି ମୋର ସମୁଦାୟତାକୁ ଅଦ୍ଭୁତ ଭାବାବେଗରେ ।

ଜହ୍ନର କବରୀରେ ଖେଳୁଥିବେ ହଜାର ରଙ୍ଗର ନଈ । ସମୁଦ୍ର ମୁହାଁ ହେଉ ହେଉ ଅସଂଖ୍ୟ ଚଢ଼େଇ ସମ ମେଘଖଣ୍ଡମାନଙ୍କରେ ପଖାଳି ଦେଉଥିବେ ସାରାଟା ଆକାଶ । ହେଇ ମୁଁ କଅଁଳୁଛି ପ୍ରକାଣ୍ଡ ବାତ୍ୟାରେ , ହେଇ ମୁଁ କଅଁଳୁଚି ପ୍ରଚଣ୍ଡ ଉତ୍ତାପରେ , ହେଇ ମୁଁ କଅଁଳି ପାରୁଛି ମୋ ଦେହରେ ମାନବକୃତ ବିଭତ୍ସ ବ୍ୟବହାର ପରେ, ଏଇ କଥା କହି ଚାଲିଥିବା ସର୍ବକାଳୀନ ଉଦାର ପର୍ଣ୍ଣମୋଚୀ କୋଳେଇ ନେଉଛି ଆମ ଉଭୟଙ୍କୁ ତାର କୋମଳ ବିଛଣାରେ ଏବଂ ସ୍ଥାପନା କରୁଛି ଆକାଶ ଓ ପୃଥିବୀ ମଧ୍ୟବର୍ତ୍ତୀ ସେହି ଆଧିଭୌତିକ ଇଲାକାରେ ଯେଉଁଠି ହାତ ପାଆନ୍ତାରେ ସ୍ୱର୍ଗ ଥାଇ ମର୍ତ୍ତ୍ୟର ମଗ୍ନତା ଆମକୁ ହାତ ଠାରି ଡାକିପାରେ ।

ତୁମ ଉଦ୍ଦେଶ୍ୟରେ ଜହ୍ନ ବଢ଼େଇଥିବା ରୂପା ରଙ୍ଗର ଉତ୍ତରୀୟ ତୁମେ ପିନ୍ଧେଇ ସାରିଥାଅ ସେତିକିବେଳକୁ ମୋ ବେକରେ ଗହଣା କରି ତ ଵ୍ରୀଡ଼ାକୁ କଜ୍ଜ୍ଵଳ କରି ନାଇ ମୁଁ ମୂର୍ଚ୍ଛିତ ପ୍ରାୟ ଅଛି ତୁମ ପ୍ରକାଣ୍ଡ ବ୍ୟକ୍ତିତ୍ୱର ମିଠା ଆବେଶରେ । ଏମିତି କବିତା ଭଳି କିଛି ମନରେ ଆଙ୍କୁ ଆଙ୍କୁ ଆଜି ଆଙ୍କିଦେଇଛି କଳ୍ପନାକୁ ହାଣ୍ଡମେଡ କାଗଜ ଫର୍ଦ୍ଦକରେ । ଦେଖ ଚିତ୍ର ଆଙ୍କିବା ପରେ ସେହି ନଈ ସବୁ ମୋ ଦେହର ଶିରା ପ୍ରଶିରାରେ କେମିତି ଦୌଡ଼ି ଚାଲିଛନ୍ତି କେତେ କଣ ଗୀତ ଗାଇ । ମୋ ଭିତରର ଚଞ୍ଚଳତା , ଭାବପ୍ରବଣତାର ଅଜସ୍ର ଉଲମ୍ଫନ ସତ୍ତ୍ୱେ ତୁମେ ଏତେ ଅବିଚଳ ଲାଗ କାହିଁକି ? କାହିଁକି ଲାଗ ତୁମେ ବିସ୍ତୃତ ଭୂଖଣ୍ଡ ଉପରେ କେଉଁ ଅନାଦି କାଳରୁ ରାଜୁତି କରୁଥିବା ପ୍ରଶାନ୍ତି ? ଆନନ୍ଦ ଓ ସନ୍ତୋଷର ଫିଟି ଦିଶୁଥିବା ବିଶୁଦ୍ଧ ଶୁଭ୍ରତାର ଅସୀମ ବ୍ୟାପ୍ତି !

ଚିରୁଡ଼ାଏ ହୋଇ ରହିବାକୁ ବ୍ୟାକୁଳତା ଏବେ ତୁମ ସମ୍ପ୍ରସାରିତ ସ୍ଥିରତାରେ । ସମାହିତ କରିବାକୁ ଇଚ୍ଛା ମୋର ଛଟପଟପଣକୁ ତୁମ ଶାନ୍ତ ଦୃଷ୍ଟିର ସ୍ନିଗ୍ଧତାରେ । ଏତିକି ହିଁ ଆଜି । ଆଖି ମୋର ମୁଦି ହୋଇ ଥାଉ ଚିତ୍ରରେ ବର୍ଣ୍ଣିତ ନୀଳପଣରେ ।

ତୁମର’ ମୁଁ