ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଗାୟବ ହରିଣୀ 

ମୁଁ ତୁମକୁ ଖୋଜୁଛି ପୁଷ୍ପା ନାନୀ । କେଉଁ ଠିକଣାରେ ତୁମେ ? ସାମ୍ନାରେ ଥିଲେ ଓଦା ଓଦା କ୍ଳାନ୍ତ ଗଳାରେ ହୁଏତ ଆଜିକା ଦିନରେ କହିଥାନ୍ତ ଆକ୍ରମକ ପଞ୍ଝାରୁ ନିଜକୁ ମୁକୁଳେଇବାର ରାସ୍ତା ଖୋଜୁ ଖୋଜୁ ତୁମ ଠିକଣା ତୁମ ପାଇଁ ଅନିର୍ଦ୍ଦିଷ୍ଟ ହୋଇଯାଇଛି । ତୁମେ ତୁମକୁ ଖୋଜୁଛ ମୋ’ଠାରୁ ଅଧିକ ବ୍ୟାକୁଳତାରେ ।

ପୂରାଟା ଆକାଶକୁ ଆବୋରି ବସିଥିବା ନୀଳପଣ ଏବଂ ତହିଁରେ ଡେଣା ପିଟି ଉଡୁଥିବା ଗୋଟେ କୁନି ଧଳା ଚଢେଇର ଗ୍ରୀଟିଙ୍ଗସ ଥିଲା ତୁମର ଶେଷ ଚିଠି ମୋ’ ପାଇଁ ଯେଉଁଥିରେ ତୁମ ଆବେଗ ଭିଜା ଶବ୍ଦ କିଛି ସହ ବାଙ୍ଗାଲୋରର ଠିକଣା ଆଉ ଫୋନ ନମ୍ବର ଥିଲା । ସାଇତି ଥିଲି । ଯତ୍ନରେ ସାଇତିଥିବା ବହୁତ କିଛିର ଠିକଣା ବି କେମିତି ହଜିଯାଏ ପୁରୁଣା ସ୍ମୃତିରୁ ନୂଆ ସ୍ମୃତିକୁ ଡେଉଁଥିଲା ବେଳେ ଜାଣି ହେଲାନି । ଏବେ ସେହି ଡାଏରୀ କି କାଗଜମୁଣା କି ଚମଡା ବ୍ୟାଗ ଖୋଜିଲାବେଳେ ଆଖିର ଲେନ୍ସରେ ସ୍ଥାୟୀ ହୋଇଥିବା ଜିନିଷଗୁଡିକ କେମିତି କେଜାଣି ଅଦୃଶ୍ୟ ହୋଇଯାଇଛନ୍ତି ଜାଣିହେଲାନି ନାନୀ ।
ମୁଁ ଅସଂଖ୍ୟ ଚିଠି ଲେଖେ ଲୁଚେଇ ଲୁଚେଇ ତୁମେ ଜାଣିଛ ।ତୁମକୁ କେବେ ଲେଖିନି କାରଣ ତୁମେ ମୋତେ ନିଜେ ଗୋଟେ ଚିଠି ଭଳି ଲାଗ ନାନୀ – କବିତାଭର୍ତ୍ତି ଚିଠି । ତୁମ କଥାକୁହା ଢଙ୍ଗ ଥିଲା ଚିଠି ଭଳି ଲୋଭନୀୟ , କମନୀୟ । ଭାନୁଜୀ ରାଓ ହୁଅନ୍ତୁ କି ହୃଷିକେଶ ମଲ୍ଲିକ କି କମଳାକାନ୍ତ ଲେଙ୍କା ; ରାଧାମୋହନ ଗଡ଼ନାୟକ ହୁଅନ୍ତୁ କି ସଚ୍ଚିଦାନନ୍ଦ ରାଉତରାୟ ତୁମେ ମନରେ ସାଇତି ନେଉଥିଲ କବିତା ସବୁକୁ ପୂଜା ଚାଙ୍ଗୁଡ଼ାରେ ରଙ୍ଗବେରଙ୍ଗର ଫୁଲ ଭଳି । ଆବୃତ୍ତି କଲାବେଳେ ବିଭୋର ହେଉଥିଲ , ବିଷର୍ଣ୍ଣ ବି । ଗପ ଲେଖୁଥିଲ । କାହାକୁ କେଜାଣି ଅଜସ୍ର ଚିଠି ଲେଖି ଲୁହ ଲୁହ ହେଉଥିଲ ।

ଏବେ ତୁମକୁ ଖୋଜିବାକୁ ଖୋଲା ଚିଠିର ସାହାରା ନେଉଛି ଯେ ତୁମ ଯାଏଁ ପହଞ୍ଚିବ କି ନାଁ ଜଣା ନାହିଁ ମୋତେ । ମୋ’ ଲୋଡିବାପଣର ତୀବ୍ରତା କେମିତି ସଂଯୋଜିତ ହୋଇପାରିବ ଶବ୍ଦରେ ଯେ ତୁମକୁ ଖୋଜେଇ ଦେବ ଏହି ଚିଠି ଜଣାନାହିଁ ମୋତେ । ଏଇ ନିରବ ଦିନମାନଙ୍କରେ ତୁମ ସଜଫୁଟା ଧଳା ଗୋଲାପ ଭଳି ମୁହଁ କେମିତି ଧସେଇ ପଶି ଆସୁଛି ମୋର ସ୍ମୃତିକୁ ଖଣ୍ଡିଆ ଖାବରା କରି, ମୋତେ ରକ୍ତାକ୍ତ କରି ବୁଝେଇ ହେବନି । ବୁଝେଇ ହେବନି କେମିତି ଖୋଜି ହେଉଛି ତୁମକୁ ଏବଂ ତୁମ ସହ ସମ୍ପର୍କିତ ସକଳ ଆବେଗକୁ ।

ପୁରୀ ସହରଠାରୁ ଟିକିଏ ଦୂରରେ ଥିବା ସେ ଚିତ୍ରକଲା ଭଳି ଗାଁ ଯାହାକୁ ବେଢ଼େଇ ରଖିଥିଲା ଗୋଟେ ନଈ ଆଉ ତା ପଠାରେ ଫୁଟୁଥିଲା ରାଶି ରାଶି କାଶ ଫୁଲ ଏବେ ମୋତେ ଖୁବ ଦିଶୁଛି ସବୁଆଡେ – ଏପରିକି ଗଭୀର ନିଦରେ ଶୋଇଥିଲାବେଳେ । ସେହି ଗାଁଆ ତୁମକୁ କବିର ଅନୁଭବ ଦିଏ ବୋଲି ତୁମେ ଆଖିରେ ଆଖିଏ ସ୍ନିଗ୍ଧତା ଭରି ମୋତେ କହିଥିଲ । କେବେ ଲଟେଇଥିବା କଖାରୁଡଙ୍କ , ଅମରିଫୁଲ , ନାଗୁଆରୀ କି ଛୋଟମୋଟ ଅଥଚ ପେନ୍ଥା ପେନ୍ଥା ହସନ୍ତ ଘାସଫୁଲ, ଶିଉଳିଲଗା କାନ୍ଥ କି ଥୁଣ୍ଟା ଗଛରେ ଚଢ଼େଇ ପଲ ଦେଖି ତୁମେ ଚାଲୁ ଚାଲୁ ଠିଆ ହୋଇଯାଉଥିଲ ଅନ୍ୟମନସ୍କ ହୋଇ ତ ମୁଁ ତୁମ ସହ ଅଟକି ଯାଉଥିଲି ଅନୁଚ୍ଚାରିତ ପ୍ରଶ୍ନମାନଙ୍କୁ ନେଇ । ବଡ଼ ବେଖାପ ଲାଗେ ତୁମ ସହ ସବୁ ଗ୍ରାମ୍ୟ ସୁନ୍ଦରତାର ଫ୍ୟୁଜନ୍ ।

ତୁମେ ଦେଖିବାକୁ ବିଦେଶୀ ରାଜକନ୍ୟା ଭଳି ଅସାମାନ୍ୟା ସୁନ୍ଦରୀ ଓ ବିଦୁଷୀ ଥିଲ ଯିଏ ଉଚ୍ଚାରଣରେ କେବଳ କୋମଳ, ସ୍ଵଳ୍ପଭାଷୀ ନଥିଲା ଅଧିକନ୍ତୁ ଅସମ୍ଭବ ଭାବରେ ସାହସୀ ବି ଥିଲା । ଅମାବାସ୍ୟାର ଗାଢ଼ ଅନ୍ଧାରରେ ହଷ୍ଟେଲର ଛାତରେ ତାରା ଭର୍ତ୍ତି ଆକାଶ , ସମୁଦ୍ରରେ ଉତ୍ତାଳ ଢେଉର ଆଲୋଡନ ଦେଖିବାକୁ ଯାଇ ତୁମେ ଗାଳି ଖାଉଥିଲ ସୁପରିନଟେଣ୍ଡେଣ୍ଟଙ୍କଠାରୁ । ନିରାଟ ସତ କହୁଥିବା ସତ୍ତ୍ବେ ବହୁତ ଅପରିଷ୍କାର କଥା ତୁମେ ଶୁଣୁଥିଲ ଅଥଚ ଟିକିଏ ବି ବିଚଳିତ ନହୋଇ ଓଲଟା ମୋର ବୋହିବାକୁ ଆରମ୍ଭ କରୁଥିବା ଲୁହକୁ ଆଦରରେ ପୋଛି ନେଉଥିଲ ( ଥିଲି ନା ତୁମ ସହ ଅବୋଲକରା ହୋଇ ପାଖେ ପାଖେ !) । କେତେ କେତେ ଜହ୍ନରାତିର ଆକର୍ଷଣକୁ ପଛ କରି ଉଦାସ ରହୁଥିଲ ତୁମେ ରାତି ତମାମ ! ସେହି ଔଦାସ୍ୟ ଗୋଟିଏ କବିର ଚେହେରା ବୋଲି ମୁଁ ଧରି ନେଇଥିଲି ସେହି ସମୟରୁ ତୁମ ତିଆରି ଅଖଣ୍ଡ ନିରବତାରୁ । ସେହି ନିରବତାର ଗର୍ଜନ ମୋ ଛାତି ତଳେ ପ୍ରକାଣ୍ଡ ଢେଉ ଭଳି କଚାଡି ହୋଇ ସମୟ ଅସମୟରେ ମୋତେ ବର୍ଷିବାକୁ ଛାଡ଼ିଦେଉଛି ଲୁହରେ ନାନୀ । ମୁଁ ଖୋଜି ହେଉଛି ତୁମକୁ ।

ତୁମ କବିତା ପ୍ରକାଶିତ ହୋଇ ପତ୍ରିକା ଦେଇ ହଷ୍ଟେଲକୁ ଆସିଲାବେଳେ ତୁମ ଆଖିରେ ଯେଉଁ ଖୁସି ମୁଁ ଦେଖୁଥିଲି ତହିଁର ଶହେ ଭାଗରୁ ଭାଗେ ଦେଖିନଥିଲି କେବେ କେମେଷ୍ଟ୍ରିର କେଉଁ ପେପରରେ ଟପ୍ପର ହୋଇଥିଲାବେଳେ କି କେଉଁ ପ୍ରତିଯୋଗିତାରେ ବିଜୟୀ ହୋଇଥିଲାବେଳେ । ତୁମେ କେବଳ କବି ହେବାକୁ ଚାହୁଁଥିଲ । ମୁଁ ଛୁଇଁପାରିନି ତୁମ ଲୁହ କି କୋହର କାରଣକୁ ଯେଉଁସବୁକୁ ନେଇ ତୁମେ ଯେତିକି ଅନ୍ୟମନସ୍କ ,ଅସ୍ଥିର ଥିଲ ସେତିକି ଦୃଢ଼ ଏବଂ ଜିଦ୍ଖୋର ଥିଲ । ତୁମ ନମନୀୟତାରେ ମୁଁ ଯେତିକି ଛଳଛଳ ହୁଏ ସେତିକି ଆପ୍ଳୁତ ହେଉଥାଏ ତୁମ ଭିତରର କରୁଣାରେ। ହଷ୍ଟେଲରୁ , ସାଙ୍ଗସାଥୀରୁ କେମିତି କେମିତି ଗାଳି , ନିନ୍ଦା , ଭତ୍ସନା ତୁମଯାଏଁ ଲହରେଇ ଆସୁଥିଲାବେଳେ ତୁମ ଓଠ କି ଆଖିରେ ମୁଁ କେବେ ନକରାତ୍ମକ ପ୍ରତିକ୍ରିୟା ଖୋଜି ପାଉନଥିଲି ପ୍ରତିଶୋଧ ତ ବହୁ ଦୂରର କଥା । ଏବେ ଯେତେବେଳେ ମୁଁ ଭାବୁଥିବା ଆତ୍ମୀୟ ଅନ୍ତରଙ୍ଗ ମଣିଷମାନେ ମୋତେ ସୁଖଲୋଭୀ , ସ୍ୱାର୍ଥପର , ଫୁଲେଇ ,ଅବଦମନକାରୀ କି ଅନୁପ୍ରବେଶକାରୀ ଭାବରେ ଚିତ୍ରିତ କରନ୍ତି ଆଉ ମୁଁ ମୋ ନିଜକୁ ସେମିତି ବାରମ୍ବାର ପାଇ ଗେଣ୍ଡା ଭଳି ମୁଦି ହୋଇଯାଉଛି ଅଭିମାନରେ ସେଇଠି ତୁମ ଆଦର ଏବଂ ପ୍ରତ୍ୟୟ ମନ ଭିତରକୁ ପଶି ଆସୁଛି ନାନୀ । ତୁମ ସହ କାଟିଥିବା ସମୟମାନଙ୍କରେ ମୋର ସ୍ୱାର୍ଥପରତା ମୋତେ ବେଶି ଜଳଜଳ ଦିଶୁଛି।

ଏକଥା ସତ ଯେ ମୁଁ ତୁମପାଇଁ କେବେ ଏତେବେଶି ଆବେଗପ୍ରବଣ ନଥିଲି ଯେମିତି ଆଜି କାହା ଲାଗି ହେଉଛି । କେବେ ବି ମାନି ନେଇ ପାରୁନଥିଲି ତୁମ ନିଆରାପଣର ବିଶେଷତ୍ୱକୁ ଯାହାକୁ ନେଇ ତୁମେ ଚର୍ଚ୍ଚିତ କି ସମାଲୋଚିତ ହେଉଥିଲ । କୌତୂହଳ ଥିଲା , ପ୍ରଶ୍ନ ଥିଲା , ଅନ୍ୱେଷଣ ଥିଲା ବିଶେଷ କରି ଗୋଟେ ଆର୍ଟିଷ୍ଟିକ ଆକର୍ଷଣ ଥିଲା ତେଣୁ ଲଟକି ଯାଉଥିଲି , ଟାଣି ହୋଇଯାଉଥିଲି ତୁମ ଯାଏଁ ସୁପରିନଟେଣ୍ଡେଣ୍ଟ ସାର , ଅନ୍ୟ ଅପା କି ଅନ୍ତେବାସିନୀମାନେ ବୁଝାଉଥିବା ସତ୍ତ୍ୱେ । ତୁମେ ଯେ ଖୁବ ସଚ୍ଚୋଟ ଥିଲ ଆଉ ସେତିକି ଗ୍ରହଣ କରିବାକୁ କାହା ଛାତି ଏତେ ଚଉଡ଼ା ନଥିଲା ! ଅଦମନୀୟ ନାରୀ ବ୍ୟକ୍ତିତ୍ୱ ଉପରେ ଚରିତ୍ରହୀନତାର ଲାଞ୍ଛନା ଲାଗିବା ପଛରେ କେଡ଼େ ବିକଳ ହୀନମନ୍ୟତା କାମ କରୁଥାଏ ସେଇଟା ଏବେକୁ ବୁଝୁଛି । ତୁମେ ସେଇ ବୟସରୁ ବୁଝି ଯାଇଥିଲ ବୋଧେ ତେଣୁ ଲୁହ କୋହରେ ବତୁରିବା ସତ୍ତ୍ୱେ ତୁମେ ଅସମ୍ଭବ ଶାନ୍ତ ରହୁଥିଲ ।

ତୀବ୍ର ଆବେଗ ଏବଂ ଅକପଟ ପ୍ରେମ ତୁମର ସାମର୍ଥ୍ୟ ଥିଲା ଯେଉଁଥିରୁ କିଛିଟା ମୁଁ ମୋ’ ଆଡ଼କୁ ମୁହାଁଇ ପାରିଥିଲି ଗୋଟେ ଦରଫୁଟା ସମୟରେ । ଶେଷଚିଠିର ଉତ୍ତର ଫେରେଇ ନଥିଲି ମୁଁ । ଫେରେଇବାର ଆଗ୍ରହ କରି ପାରିନଥିଲି ନିଜ ବ୍ୟକ୍ତିଗତ ଅଦରକାରୀ ବ୍ୟସ୍ତତା ଦେଖାଇ । ତୁମେ ମୋର ଜବରଦସ୍ତ ହେଳାର ନିରବତାରେ ହଜେଇ ଦେଲ ସେବେଠାରୁ ନିଜକୁ । ମୁଁ କ୍ଷମା ମାଗିବି ନାହିଁ ନାନୀ କାରଣ ମୋତେ ଜଣା ତୁମେ ଭିତରେ ମୁଁ ନିଶ୍ଚୟ ଥିବି ଯେମିତି ତୁମେ ଅଛ ମୋ ଭିତରେ । କଥା ଏତିକି ଆମେ ଦୁହେଁ ଅପହଞ୍ଚ ହୋଇଯାଇଛେ ପରସ୍ପର ପାଖରେ । କବିତାରେ ଚମକ ଦେଖାଇ କଲେଜ ଜୀବନରେ ଯିଏ ମୋତେ ବିସ୍ମୟ ବିହ୍ଵଳ କରି ଦେଇଥିଲା ସେ ଆଜି ନାହିଁ ଖୋଜି ହେଲାବେଳକୁ । ଅନେକ ପତ୍ରପତ୍ରିକା ଓଲଟେଇଛି । ତୁମ ସହ ଯୋଡି ହୋଇଥିବା ମଣିଷମାନଙ୍କୁ ପଚାରିଛି । ତୁମ ନାଁରେ ଫେସବୁକର ସବୁ ଆକାଉଣ୍ଟ ଖୋଜିଛି ଅଥଚ ତୁମକୁ ପାଇନାହିଁ । ହୁଏତ ତୁମେ ନିଜେ ଗୋଟେ କମ୍ପାନୀ ଖୋଲି ସାରିଥିବ । ହୁଏତ ନାହିଁ ନାହିଁ କହୁ କହୁ କେହି ଜଣେ ରାଜକୁମାର ତୁମର ଜୀବନସାଥୀ ହୋଇ ଯାଇଥିବେ । ହୁଏତ ଇଂରାଜୀ କି ଅନ୍ୟ କେଉଁ ଭାଷାରେ ତୁମେ ଲେଖାଲେଖି କରୁଥିବ । ହୁଏତ ବହୁତ କିଛି ହେଉଥିବ ନାନୀ କିନ୍ତୁ ମୋ ଖୋଜିବାରେ ଡେଣା ଲାଗୁନଥିବ ତୁମକୁ ତୁମ ଠିକଣାରୁ ମୋ’ ଆଡକୁ ଉଡେଇ ଆଣିବାକୁ । ଚିଠି କେମିତି ହେଲେ ବି ପହଞ୍ଚୁ ତୁମ ପାଖରେ । ଏହି ଭିତରେ ମୁଁ ଡାଏରୀ ଭିତରେ ଆଙ୍କୁଥିବା ଚିତ୍ର କବିତା ଭଳି କଥା କହିବା ଆରମ୍ଭ କଲେଣି ନାନୀ । ତୁମେ ଦେଖିଲେ ଖୁସି ନିଶ୍ଚୟ ହେବ । ମୋ’ଚିଠି ପାଇଯାଅ । ନିଜେ ଚିଠି ହୋଇ ପହଞ୍ଚି ଯାଅ । ଅପେକ୍ଷାରେ ।
ତୁମ ‘ ଚେପଟୀ ନାକୀ , ନାକକାନ୍ଦୁରୀ ‘