ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅମୃତ ଦୃଷ୍ଟି 

ପ୍ରେମ ସହ ପରିଚୟ ତୁମ ସହ ସମ୍ପର୍କ ଯୋଡ଼ି ହେଲାପରେ । କେତେ ବୟସ ମୋର ସେତେବେଳେ ? ବୋଧହୁଏ ସାଢ଼େ ଛଅ କିମ୍ବା ସାତ । ନିଜେ ଅସମଯୋଜିତ ବୋଲି ବୁଝେଇ ସାରିଥିଲେ ସାଙ୍ଗସାଥୀ , ଆତ୍ମୀୟସ୍ଵଜନ । ମୋର ରୁଷିବାକୁ ନେଇ ବିରକ୍ତିର ଗଣ୍ଠିଲିକୁ ଖୋଲୁଥିଲେ ସେମାନେ ବୋଉ ପାଖରେ । ସେହିବେଳୁ ସମ୍ପର୍କର ଗହଳିରୁ ଓହରେଇ ନେବାର ଅଦ୍ଭୁତ ଅଭ୍ୟାସ ଅର୍ଜିସାରିଥିଲି ପିଲାମନର ଦାର୍ଶନିକତରେ ।

ନନା ଜାଣିସାରିଥିଲେ ତାଙ୍କ ଝିଅ ଉତ୍କଟ ଅଭିମାନକୁ ଗୁଣସୂତ୍ର ଆକାରରେ ବୋହି ଜନ୍ମ ନେଇଚି ଏବଂ ଏକୁଟିଆପଣକୁ ବୟସର ଗତି ସହ ଆଡ଼ଜଷ୍ଟମେଣ୍ଟ ମେକାନିଜିମରେ ଆଦରି ନେଉଛି । ତାଙ୍କ ପିତାମନ କିନ୍ତୁ ଉଦାସ ହେବା ବଦଳରେ ମୋର ଭିନ୍ନତାକୁ ନେଇ ଉତ୍ସାହିତ ହେଉଥିଲା । ସୂର୍ଯ୍ୟାସ୍ତ ଦେଖେଇବାର ଅଭିପ୍ରାୟରେ ହେଉ କି ଛାତ ଉପରେ ଆକାଶମୁହାଁ ପଡ଼ି ରହି ତାରାଙ୍କୁ ଚିହ୍ନେଇବା ଭିତରେ , ଧାନ ଶଗଡ଼ରେ ବସି ଦୂର ଦିଗବଳୟରେ ଉଡୁଥିବା ପକ୍ଷୀମାନଙ୍କୁ ଦେଖେଇବା ହେଉ କି ମୋର କୁଞ୍ଚୁକୁଞ୍ଚିଆ କେଶରେ ମୟୂର ଚନ୍ଦ୍ରିକା ଲଗେଇ ନନା ଶକ୍ତ କରି ଗଢୁଥିଲେ ତୁମପାଇଁ ମୋ ଭିତରେ ପ୍ରେମ ଓ ବିଶ୍ୱାସ ।

ଅକ୍ଷରରୁ ଶବ୍ଦ ତିଆରି କରିବା , ଶବ୍ଦକୁ ନେଇ ବାକ୍ୟ ଗଢି ତୁମକୁ ଚିଠି ଲେଖିବା ପୂର୍ବରୁ ମୁଁ ମନର ଫର୍ଦ୍ଦରେ ଲେଖିପକାଉଥିଲି ଅଜସ୍ର ଚିଠି ଅଭିମାନରେ ଓଦା ହୋଇ ତୁମ ଉଦ୍ଦେଶ୍ୟରେ । ମନରେ ଯନ୍ତ୍ରଣାର ଦାଗଟେ କେହି ତିଆରିକଲେ କାନ୍ଦ ସହ ତୁମେ ମୋର ମନେପଡ଼ ଏବଂ ତୁମକୁ କୋହଲୁହରେ ଏକାକାର ହୋଇ ଫେରାଦି କରୁ କରୁ ନିଦଟେ ହୋଇ ତୁମେ ମୋତେ କୋଳେଇ ନିଅ ବୋଲି ବୁଝିପାରୁଥିଲି । ସେହି ନିଦରେ ତୁମେ ମୋ ମନକୁ ଛୁଇଁଗଲା ଭଳି ମିଠା ମିଠା କଥା କୁହ । ସାଙ୍ଗ ହୋଇ ଖେଳ । ଫୁଲ ଗଛରେ ଚଢି ଫୁଲଙ୍କ ସହ ମହକି ଯାଉଥାଅ । ନନା କହିଥିବା କାହାଣୀର କାହ୍ନା ଭଳି ମୋତେ ତୁମେ ଆକର୍ଷିତ କର ଆଉ ଭଲପାଉଥାଅ ସାରାଟା ରାତି। ପ୍ରେମ ଆଉ କଣ ଯେ ! ବନ୍ଧୁତା ତ । ‘ହେଇ ତୋ ସହ ସବୁ ସମୟରେ ଅଛି’ର ଦୃଢ଼ ପ୍ରତ୍ୟୟ । ଠିଆ ହୋଇଥିବା ପାଦରେ ଦମ୍ଭ ହୋଇ ସଂଚରି ଯାଉଥିବା ମାଟିର ବିଶ୍ୱାସ ହିଁ ତ ବନ୍ଧୁତାର ମୂଳଦୁଆ । ସେହି ବନ୍ଧୁତାର ଖାତିରରେ ତୁମ ସହ ରହିବାର ଲୋଭରେ ସ୍କୁଲବାକ୍ସରେ ଘରପିନ୍ଧା ଫ୍ରକ ଖଣ୍ଡେ ସାଇତି ମୁଁ ବାହାରି ଯାଇଥିଲି ଦିନେ ପୁରୀଯାତ୍ରାରେ ମୁହଁସଞ୍ଜ ବେଳେ ।

ଜାତୀୟ ସଡ଼କ ପଥରେ ଛୋଟ ଛୋଟ ପାହୁଣ୍ଡ ପକେଇ ଘରଠାରୁ ଛ’ ସାତ କିଲୋମିଟର ଦୂରକୁ ପଳେଇଥିବା ନ’ ବର୍ଷର କୁନିଝିଅଟେକୁ ଅଟକେଇ ପାରୁନଥିଲା ସେହି ସମୟର ଅନ୍ଧାର କି ନିର୍ଜନତାର ଭୟ । କେଉଁ ସମ୍ପର୍କୀୟ ଦାଦାଙ୍କ କୋମଳ ତାଗିଦାରେ ତୁମ ପାଇଁ ଅନୁରାଗକୁ ସେହି ସ୍କୁଲ ବାକ୍ସରେ ରଖି ମୁଁ ଘରକୁ ତ ଫେରିଥିଲି ଲାଜ ଲାଜ ହୋଇ କିନ୍ତୁ ଏହାକୁ କାହାଣୀ କରି ନନା ଶୁଣେଇ ଆସିଥିଲେ ମୋର ପାଠପଢୁଥିବା ସ୍କୁଲ ଏବଂ ଆମ ବନ୍ଧୁବାନ୍ଧବଙ୍କ ଘରେ । ତୁମ ନାଁ ସହ ଯୋଡ଼ି ହୋଇ ରହିବାର ଆବେଗ ଏତେ ମଧୁର ଏବଂ ସୁନ୍ଦର ହୋଇପାରେ ବୁଝିଲି ତ ତୁମ ସହ ବନ୍ଧୁତାକୁ ଆହୁରି ନିବିଡ କଲି ।

ତୁମେ ମୋର ସବୁକିଛି ବୋଲି ହଜାରଥର ବୁଝଉଥିଲେ ନନା । ତୁମ ପାଇଁ ତାଙ୍କ ଲିଖିତ କବିତାକୁ ଗାଇ ଶୁଣାଉଥିବାବେଳେ , ତୁମକୁ ଫୁଲ ଚନ୍ଦନରେ ସଜାଉଥିବାବେଳେ , ପାଖରେ ଶୁଆଇ କାହାଣୀ ଶୁଣାଉଥିଲାବେଳେ । ମୁଁ ମୋର ଭାଇଭଉଣୀଙ୍କ ଭଳି ସୁନ୍ଦର ନୁହେଁ , ମୋତେ କଥା କହି ଆସୁନି , ମୋତେ କେହି ଆଦର କରନ୍ତିନି , ସାଙ୍ଗରେ ଖେଳିବାକୁ କେହି ଡାକନ୍ତିନି , ଭୀଷଣ ଅନ୍ୟମନସ୍କତା ଯୋଗୁଁ ପାଠରେ ଅମନଯୋଗୀ , ମାନସିକ ଅନଗ୍ରସର ବୋଲି ଧୈର୍ଯ୍ୟହରା ସ୍କୁଲ ସାରଙ୍କ ବେତମାଡରେ ନୋଳା ପଡି ଯାଉଥିବା ପିଠିକୁ ନେଇ ଦୁଃଖୀ ଥିଲାବେଳେ ନନା କହୁଥିଲେ,  ତୁମେ ମୋର ଅନ୍ତର୍ଯ୍ୟାମୀ ସଖା ଯିଏ ମୋ ପାଇଁ ଢେର ଭାବି ହେଉଥାନ୍ତି କୁଆଡେ । ନନା ତୁମର ସତ୍ତାକୁ ମୋ ଅନ୍ତଃକରଣରେ ଜୀବନ୍ତ କରୁଥିଲାବେଳେ ବିଶ୍ୱାସ କର ମୁଁ ଜୀବନକୁ ଜୀଇଁଗଲା ଭଳି ଅନୁଭବରେ ଥାଏ । ଆଜି ବି ଯେତେବେଳେ କୌଣସି ମହାର୍ଘ ମୁହୂର୍ତ୍ତକୁ ମୁଁ ଜୀଉଁଥାଏ ମୁଁ ତୁମକୁ ତହିଁରୁ ପାଉଥାଏ ଏବଂ ବିଭୋର ହେଉଥାଏ ।

ଯେତେବେଳେ ଅସମ୍ଭାଳ ଯନ୍ତ୍ରଣା ଓ ଅସହାୟତା ଚିତ୍କାର କି ନୀରବତା ହୋଇ ମୋ ସମୁଦାୟତାରେ ଉକୁଟୁଥାଏ , ତୁମେ ମୋତେ ଦେଖୁଥାଅ ଶାନ୍ତ ଓ ଅବିଚଳ ହୋଇ । ଅନ୍ୟ ସାଧାରଣ ମଣିଷ ଭଳି ତୁମେ ନିଜ ପାଇଁ ଉଦ୍ଦିଷ୍ଟ ଅଭିଯୋଗର ଅପମାନରେ ଫାଟି ପ୍ରତିକ୍ରିୟାଶୀଳ ହୁଅନି । ଲୁହ ସବୁ ବହିଯିବା ପରେ ମୋ ପ୍ରଶ୍ନର ସମସ୍ତ ଉତ୍ତର ମୁଁ ହୋଇ ଫେରେଇଲା ଯାଏଁ ତୁମେ ଚାହିଁଥାଅ କରୁଣାଦ୍ର ଆଖିରେ । ମୁଁ କୁହେ , ସେଠାରେ ମୋତେ କାହିଁ ଠିଆ କର ଈଶ୍ୱର ଯେଉଁଠି ନିଜକୁ ଗୋଟେଇ ଧରିବାରେ ମୁଁ ଅସମର୍ଥ ହୁଏ ! ତୁମେ କୁହ ଧୀରେ ଯେ ତୁମେ ମୋତେ ସମର୍ଥ କରି ଠିଆ କରେଇବାର ପ୍ରଚେଷ୍ଟାରେ । ମୁଁ କୁହେ ତୁମେ ଏମିତି ସମୟ କାହିଁକି ଦିଅ ଠାକୁର ଯାହାର ମୁହୂର୍ତ୍ତମାନଙ୍କ ଆୟୁଷ ଖୁବ୍ ଦୀର୍ଘ ଏବଂ ପୀଡ଼ାଦାୟୀ ! କାହିଁକି ଅପ୍ରସ୍ତୁତ କରି ଛାଡିଦିଅ ମୋ ତିଆରି କୁନି ପୃଥିବୀ ଦୋହଲୁଥିଲାବେଳେ ! ତୁମେ କୁହ ତୁନି ତୁନି ଆତ୍ମାର କେଉଁଏକ ପବିତ୍ର କୋଣରୁ ଲୁହ ତିଆରି ପ୍ରଶ୍ନ ସବୁ ଶୁଖିଯିବା ପରେ । ସମୟ ଓ ଦୁଃସମୟକୁ ଏକାଠି କରି ସନ୍ତୁଳନ ରଖିବାର, ନାହିଁକୁ ହଁ ଆଡ଼କୁ ମୁହାଁଇନେବାର କଳାସବୁ ମୋ ଭିତରେ ଆରୋପିତ ହେଉ ବୋଲି ତୁମେ କୁଆଡେ ଖଞ୍ଜୁଥାଅ ଗୋଟାକ ପରେ ଗୋଟାଏ ଦୁଃଖର କାରକ କାରଣ ତାହା ହିଁ ଜୀବନ । ରଙ୍ଗା ଅଧରରେ ହସ ଚହଟେଇ କହୁଥିଲାବେଳେ ମୁଁ ଆଖି ପତା ମୁଦେ । ତୁମକୁ ଅଧିକରୁ ଅଧିକ ଭଲ ପାଇଯାଏ ।

ତୁମ ଆଡ଼ୁ ତୁମେ ଶତ ପ୍ରତିଶତ ସ୍ପଷ୍ଟ ଏବଂ ନିର୍ଭୁଲ । ତୁମେ ପ୍ରମାଣିତ କରି ଆସିଛ ତୁମେ ହିଁ ମୋ ଶ୍ରେଷ୍ଠ ବନ୍ଧୁ , ପ୍ରେମ ଓ ଆବେଗର ଆଧାର । ମୁଁ ସବୁବେଳେ ସୁଖଲୋଭୀ ମନ ନେଇ ଗଢ଼ିଛି ସମ୍ପର୍କ ତ ପ୍ରବଳ କଷ୍ଟ ପାଇଛି । ତୁମ ଆଖିକୁ ଆଢୁଆଳ କରି ଯେଉଁଠି ମିଛକୁ ରୋପିଛି ତାର ଫଳ ଦୁଃଖଦ ବୋଲି ତୁମେ ଧୈର୍ଯ୍ୟର ସହ ବୁଝେଇଛ ଯଥାରୀତି ଶାସ୍ତି ଦେଇ। ଯେଉଁମାନଙ୍କୁ ଆଶୀର୍ବାଦ କରି ତୁମେ ମୋତେ ସମ୍ପର୍କୀକୃତ କରେଇଛ ଭଗବାନ ସେମାନଙ୍କୁ ନେଇ ଆଗାମୀର ଜୀବନଯାତ୍ରା ଛନ୍ଦମୟ ହେଉ ବୋଲି ଚାହିଁଛ । ତୁମ ଇସାରା ଓ ଇଙ୍ଗିତରୁ ମୁଁ ବୁଝେ ତୁମର ମୋ ପ୍ରତି ଥିବା ଅମୃତ ଦୃଷ୍ଟି । ଅଳ୍ପ କିଛି ନୁହେଁ ଅନେକ କିଛିରେ ଜୀବନ ପାତ୍ର ଭରିଛ ତୁମେ ଅମୃତମୟତାରେ ।

ଶେଷଥର ତୁମକୁ ଭେଟିବାକୁ ଗଲାବେଳେ ପହଡ଼ର ପାହାଡ଼ ଥିଲା ମୋ ସାମ୍ନାରେ । ପଇସା ଦେଲେ ତୁମକୁ ଭେଟିହେବ କହିଲା ଜଣେ ତ ମୋ ଆଖି ଭର୍ତ୍ତି ହୋଇଗଲା ଲୁହରେ । ଥାଅ ତୁମେ ତୁମ ଆସ୍ଥାନରେ ମୋତେ ନଦେଖିପାରିବାର ଅସହାୟତାରେ ଭାବିଲି ତ ଅଭିମାନରେ ବାହାରି ଆସିଲି । ତୁମେ ଜାଣ ମୁଁ ଗହଳିକୁ ଭୟ କରେ । ତୁମକୁ ଭେଟିବା ନାଁରେ ଗହଳି ଭିତରେ ହେଉଥିବା ଅସାମାଜିକ କାମକୁ ଦେଖି ଅସ୍ଥିର ହୁଏ । ତୁମ ନାଁରେ ହେଉଥିବା ବେପାରରେ ମୁଁ ଖୁବ୍ କଷ୍ଟ ପାଏ । ମୁଁ ତୁମକୁ କେବଳ ହିଁ ଭଲପାଇବାରେ ଦେଖିବାକୁ ଚାହେଁ । ତୁମ ସହ ମୋର ଅଭିମାନ କେବେ ଅଭିଯୋଗ ହୋଇ ମୋତେ ତୁମଠାରୁ ଦୂରେଇ ନନେଉ ବୋଲି ମୁଁ ଚାହେଁ । ତୁମେ ନଖୋଜିଲା ଯାଏଁ ମାଡ଼ିବିନି ଚନ୍ଦନଅର୍ଗଳିର ଦ୍ୱାର ବୋଲି ରୁଷିଆସିଲି । ମୁଁ ତୁମକୁ ଆଙ୍କିବି , ତୁମକୁ ଝୁରିହେବି , ତୁମକୁ ଲେଖିବି ବୋଲି ଦେଖ କେତେ ବର୍ଷ ଏମିତି ଅଟକିଗଲିଣି ମୁଁ । ମନ୍ଦିରଠାରୁ ନିରାପଦ ଦୂରତା ରଖି ପତିତପାବନଙ୍କ ସହ କଥା ହେଉଥିଲାବେଳେ କାହିଁକି ଲାଗେ ତୁମେ ମୋତେ ଡକେଇନେବ କେମିତି ନା କେମିତି । ମୋତେ ନଖୋଜିଲେ ଅନୁପ୍ରବେଶକାରୀ ହୋଇ ତୁମ ପରିଧୀକୁ ଯିବିନି ଜଗନ୍ନାଥ । ତୁମେ ମୋର ଜିଦ ଜାଣିଛ । ମୁଁ ଜାଣିଚି ତୁମେ ମୋତେ ଖୋଜିବ । ଏବେ କେବଳ ଅପେକ୍ଷାରେ ।
ତୁମର ” ମାନମୟୀ “