ସାଧନା ପଣ୍ଡା
ଦକ୍ଷିଣକୁ ଯେବେ ମୋଡ ହେଲା ରଥ
ସେ ଦିନୁ ତା ମୁହଁ ଶୁଖିଛି
ନଅଦିନ ଖେଳ ସରିଆସୁଅଛି
ଯାଣି ତଳମୁହାଁ ବସିଛି ।
ଶୂନ୍ୟପଣ ଭରି ସେ ଚକାନୟନେ
ଗୋଟିଗୋଟି କୁ ସେ ଚାହିଁଛି
ଫେରିବାକୁ ତିଳେ ମନ ନାହିଁ ତାର
ଅଧରୁ ଯେ ହସ ଲିଭିଛି।
ଗୁଣ୍ଡିଚା ପରଷା ସରି ସରି ଆସେ
କାଳିଆ ଯାଣିଲା ଯେଦିନୁ
ହରସ ସେ ମନେ ଆଉ ଜମା ନାହିଁ
ଉଦାଶେ ବସିଛି ସେଦିନୁ।
ଆସିବା ଫେରିବା ଜୀବନର ରୀତି
ଆକଟ ସେଥିକି ନାହିଁ
ଯିଏ ଆସିଅଛି ସେ ଯିବ ଯେ ଫେରି
କାଳିଆ ଦେଉଛି କହି ।
ଆସିବା ବେଳର ସେ ସୁଖ ସୁଆଦ
ଫେରିବାରେ ନାହିଁ ମିତ
ତଥାପି ଫେରିବା ନିୟତିର ନୀତି
ମନେ ରଖିଥା ସଙ୍ଗାତ ।
ଭୁବନେଶ୍ବର