Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

” ଏବେ ମୁଁ ଠିକ୍ ବୁଝି ପାରୁଛି ସୀତା ହରଣର ରହସ୍ୟ। ”

କୈଳାସ ପର୍ବତରେ ଧ୍ୟାନସ୍ଥ ଈଶ୍ୱରଙ୍କୁ ସ୍ମିତ ସ୍ମିତ ହସୁଥିବା ଦେଖି ପାର୍ବତୀ ପଚାରିଲେ, ” ପ୍ରଭୁ ! ଏପରି ଆନନ୍ଦିତ ହେବାର କାରଣ କ’ଣ ? ”

ଅର୍ଦ୍ଧନାରୀଶ୍ୱର କହିଲେ, ” ପ୍ରଭୁଙ୍କ ଲୀଳା ବି ଅଦ୍ଭୁତ। ଯାହାଙ୍କର ଭ୍ରୂବିଳାସରେ ସମଗ୍ର ସଂସାରର ସୃଷ୍ଟି , ମୋର ପରମ ଆରାଧ୍ୟ ଶ୍ରୀରାମଚନ୍ଦ୍ର ଆଜି ସମୁଦ୍ରତଟରେ ରାମେଶ୍ୱରମ୍ ଙ୍କର ସ୍ଥାପନା କରି ମୋ ନାମର ମହିମା ବଖାଣୁଛନ୍ତି। ”

” ଅର୍ଥାତ୍ !! ”

” ଲଙ୍କାରେ ପହଞ୍ଚିବା ପାଇଁ ରାମଚନ୍ଦ୍ର ଓ ଲକ୍ଷ୍ମଣ ତାଙ୍କର ବାନରସେନା ସହିତ ସାଗର ତଟରେ ପହଞ୍ଚିଲେ। ବିଶାଳ ସାଗର କିପରି ପାର ହେବେ, ଏହିପରି ଚିନ୍ତାକରି ପ୍ରଭୁ ତିନିଦିନ ବ୍ୟାପୀ ସାଗର ଦେବତାଙ୍କୁ ପଥ ଦେବା ପାଇଁ ବ୍ରତ ରଖି ପ୍ରାର୍ଥନା କଲେ। ମାତ୍ର ସାଗର ତାଙ୍କର ପ୍ରାର୍ଥନା ଶୁଣିଲେ ନାହିଁ। ତେଣୁ ସେ ସାଗରକୁ ଶୁଷ୍କ କରିଦେବା ପାଇଁ କ୍ରୋଧରେ ଧନୁ ଉତ୍ତୋଳନ କଲେ। ଧନୁର ଟଙ୍କାରରେ ଭୟଭୀତ ସାଗର ତୁରନ୍ତ ପ୍ରକଟ ହୋଇ କ୍ଷମା ପ୍ରାର୍ଥନା କଲେ ଏବଂ ସାଗର ଉପରେ ସେତୁବନ୍ଧ ନିର୍ମାଣ ନିମିତ୍ତ ପରାମର୍ଶ ଦେଲେ। ”

” ପରନ୍ତୁ ପ୍ରଭୁ ! ବିଶାଳ ସାଗର ବୁକୁରେ ସେତୁବନ୍ଧ ସମ୍ଭବ କିପରି ? ”

” ସମ୍ଭବ ହେଲା। ବାନରସେନା ମଧ୍ୟରେ ଥିବା ନଳ ଓ ନୀଳ ଥିଲେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ପୁତ୍ର। ବାଲ୍ୟକାଳରେ ପ୍ରଚଣ୍ଡ ଚଞ୍ଚଳ ଥିଲେ ଦୁହେଁ। ମୁନି ଋଷିଙ୍କର କମଣ୍ଡଳୁ, କୁଶ, ଆସନ ଇତ୍ୟାଦି ସାମଗ୍ରୀମାନ ପାଣିରେ ଫୋପାଡ଼ି ଦେଉଥିଲେ। ଏଥିପାଇଁ ସେମାନେ ସେ ଦୁହିଁଙ୍କୁ ଅଭିଶାପ ଦେଇଥିଲେ, ଯାହା ବି ସେମାନେ ପାଣିରେ ଫୋପାଡିବେ ନ ବୁଡ଼ି ଭାସିବ। ସେହି ଅଭିଶାପ ବରଦାନ ପରି କାର୍ଯ୍ୟ କଲା। ନଳ ଓ ନୀଳ ସ୍ପର୍ଶ କରିଥିବା ପ୍ରସ୍ତର ସବୁ ସାଗର ଜଳରେ ଭାସିବାକୁ ଲାଗିଲା। ବାନରସେନାଙ୍କ ସହଯୋଗରେ ସେମାନେ ସାଗର ଉପରେ ସେତୁବନ୍ଧ ନିର୍ମାଣ କଲେ। ”

 

କ୍ରମଶଃ…

Leave A Reply

Your email address will not be published.