ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଥିଲେ ବି ଉନ୍ନତ ସାହିତ୍ୟ
ଭାଷା ହୁଏନି ଚିରାଦୃତ
ଲାଟିନ୍, ଗ୍ରୀକ୍ ଓ ସଂସ୍କୃତ
ପ୍ରମାଣ କରଂତି ଏ ସତ
ସର୍ବସ୍ତରୀୟ ପ୍ରଚଳନ
ନ ହେଲେ ଭାଷାର ସମ୍ମାନ
କେଉଁଠି କେବେ ବଢ଼େନାହିଁ
ଏ କଥା ବୁଝୁନୁ କିପାଇଁ ?
ଏଠାରେ ଶିକ୍ଷାପ୍ରାପ୍ତ ଲୋକ
ନୁହଂତି ସାହିତ୍ୟ ପାଠକ
ସ୍ବଭାଷା ହେଉନି ବ୍ୟାପକ
ଏ କଥା ବୁଝଂତୁ ଲେଖକ
କବିଂକୁ କବି ଦେଲେ ଧ୍ୟାନ
ହୁଅଇ ସ୍ବଜନ ତୋଷଣ
ସାହିତ୍ୟକାର ଗଢ଼ି ଗୋଷ୍ଠୀ
ପାଆଂତି ନିଷ୍ଫଳା ସଂତୁଷ୍ଟି
ଲେଖକ ହେଲେ ଖ୍ୟାତିପ୍ରାପ୍ତ
ସୁଦ୍ଧା ଭାଷାଟେ ଯଦି ଲୁପ୍ତ
ହେବାର ଅଛି ସଂଭାବନା
କାହିଁକି ଭାଷାପ୍ରୀତି ଊଣା ?
ପ୍ରୀତିରେ ରହିଲେ ଶୁଦ୍ଧତା
ବଢ଼ଇ ମନର ଦୃଢ଼ତା
ପ୍ରୀତି-ଚାଳିତ ନର, ନାରୀ
ପାରଂତି ସବୁ କିଛି କରି
ପ୍ରୀତି ହିଁ ପ୍ରଧାନ ପ୍ରେରଣା
ଏ କଥା ଥିଲେ ସୁଦ୍ଧା ଜଣା
ନ ହୋଇ ପ୍ରୀତିପରାୟଣ
କରୁଛୁଁ ସ୍ବଭାଷାକୁ ନ୍ୟୂନ
ଆଉ କେତେ ହୋଇଲେ କ’ଣ
ଚେଇଁବ ଆମ ସୁପ୍ତ ମନ
କରିହେଉନି ଅନୁମାନ
ତେଣୁ ସ୍ଥିତି ସଂଦେହାଚ୍ଛନ୍ନ
ସବୁ ପ୍ରକାର କାର୍ଯ ପାଇଁ
ସ୍ବଭାଷା ବ୍ୟବହୃତ ହୋଇ
ଯେହେତୁ ଏଠି ଚଳୁନାହିଁ
ଗୌରବ ଯାଉଛି ଉଭେଇ
ଲୋକେ ନ ହେଲେ ଭାଷାଲଗ୍ନ
ବଢ଼େ ଅନେକ ବାଧା, ବିଘ୍ନ
ସେ ସବୁ ନ କରିଲେ ଦୂର
ଭାଷାଟେ ହୁଏନି ସୁଂଦର