ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୪୫
କଠିନ ଶବ୍ଦ ପ୍ରତି ପ୍ରୀତି
ଯୋଗୁଁ ଏ ଭାଷାର ଉନ୍ନତି
ବିକାଶ ଅବା ଅଗ୍ରଗତି
ହେଉନି, ବୁଝୁ ବ୍ୟକ୍ତି ଜାତି
ଗଳଦ୍ଘର୍ମ କି ଝାଳନାଳ
ପୁଷ୍ପ, ପ୍ରସୂନ ଅବା ଫୁଲ
ପ୍ରଗଳ୍ଭ କିଂବା କୁହାଳିଆ
ସାଦିଷ୍ଠ ଅବା ସୁଆଦିଆ
ପଙ୍କ୍ତି କୁ କହୁଁ ଯଦି ଧାଡ଼ି
ଭାଷା ପାରିବ ଆଗେ ବଢ଼ି
ଭର୍ତ୍ସନା ବଦଳରେ ଗାଳି
ଦେଲେ ବି ସୁଖେ ହେବ ଚଳି
ଫାଲ୍ଗୁନ ହୋଇଛି ଫଗୁଣ
ଉଡ୍ଡୟନ ହେଲା ଉଡ଼ାଣ
ତୀକ୍ଷ୍ଣ ତ ହେଲାଣି ଦାଢ଼ୁଆ
ସ୍ପର୍ଶ ବି ହୋଇଅଛି ଛୁଆଁ
ସ୍ଫୀତ କହିବା କିଂବା ଫୁଲା
ଶିଶୁ ସଭିଏଁ ଏବେ ପିଲା
ଦଗ୍ଧ ଯେହେତୁ ଅଟେ ପୋଡ଼ା
କାହିଁକି ପଡ଼େନାହିଁ ଲୋଡ଼ା ?
ଲୋକଭାଷାରୁ ଖସି ଆସି
ସାହିତ୍ୟ ପାରେ କି ବିକଶି?
ଲେଖକ ପାଠକ ସମୂହ
ଏବେ ତ ସିଧା କଥା କହ
ଏତଦ୍ବ୍ୟତୀତ, ଏହାଛଡ଼ା
କେଉଁ ଶବ୍ଦଟି ଏବେ ଲୋଡ଼ା
ଏତଦ୍ଦ୍ବାରା କି ଏହାଦ୍ବାରା
କେଉଁଟି ଚଳେ ଭାଷା ସାରା?
ଅଗୋଚର ଅର୍ଥ ଅଜଣା
ପ୍ରାପ୍ତିର ଅର୍ଥ ତ ପାଉଣା
ଅଜସ୍ର ବୋଇଲେ ବହୁତ
କେଉଁଟି ବହୁ ବ୍ୟବହୃତ ?
ଲୋକଭାଷାକୁ ଦେଲେ ଛାଡ଼ି
ସାହିତ୍ୟ ରହିଥାଏ ପଡ଼ି
ଆଗକୁ ପାରେନାହିଁ ବଢ଼ି
ଉପରେ ପାରେନାହିଁ ଚଢ଼ି
ସବୁଠୁଁ ସହଜିଆ ଶବ୍ଦ
ବାଛି ଲେଖିଲେ ପଦ୍ୟ ଗଦ୍ୟ
ଲୋକେ ପାରଂତି ସୁଖେ ବୁଝି
ଆହୁରି ପଢ଼ିବାକୁ ରାଜି
ଲୋକଂକ ସହିତ ସାହିତ୍ୟ
ରହିଲେ ହୁଏ ଶବ୍ଦାମୃତ
ଏହା ତ ସର୍ବଜଣା କଥା
କିପାଇଁ ଭାବିବା ଅନ୍ୟଥା ?
Comments are closed, but trackbacks and pingbacks are open.