Latest Odisha News

BREAKING NEWS

ଗୁମୁଟ ଗୁମର (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ଆଭ୍ୟନ୍ତରିଣ ତୋରଣ : ଦେବାଳୟର ପ୍ରବେଶ ପଥରେ ବିିଭିନ୍ନ ନକ୍‌ସା ସମ୍ବଳିତ ସମାନ୍ତରାଳ ପଟି ସମୁହ ଦ୍ୱାରା ସମୃଦ୍ଧ ଭବ୍ୟ ତୋରଣ ଆମ ପାରମ୍ପରିକ ମନ୍ଦିର ସ୍ଥାପତ୍ୟର ଏକ ପ୍ରମୁଖ ଅଂଶ । ଏହି ପଟିଗୁଡ଼ିକରେ କଳାତ୍ମକ ନକ୍‌ସା ସୃଷ୍ଟି କରିବାରେ ହୁଏତ ଶିଳ୍ପୀମାନଙ୍କ ମଧ୍ୟରେ ଶୈଳ୍ପିକ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିଲା । ଏହିଭଳି ତୋରଣ ଶ୍ରୀମନ୍ଦିରରେ ଗର୍ଭଗୃହରେ କଳାହାଟ ଦ୍ୱାର, ଜଗମୋହନର ଜୟବିଜୟ ଦ୍ୱାର ତଥା ଭୋଗମଣ୍ଡପର ଚାରିଦ୍ୱାର ସମେତ ଚର୍ଚ୍ଚିତ ଗୁମୁଟରେ ଖୋଦିତ ହୋଇ ରହିଥିବାର ଦେଖାଯାଏ । ଏ ସବୁଥିରେ ବିିଭିନ୍ନ ଡାଳି ଲତା ଫୁଲ ଓ ବିଷୟ ଭିତ୍ତିକ ପୌରାଣିକ କଥାବସ୍ତୁ, ମିଥୁନ ମୂତ୍ତି ଆଦି ସହିତ ସବୁଥିରେ ନିଶ୍ଚିତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ନାଗବନ୍ଧର ପଟି ରହିଥିବା ଦେଖିବାକୁ ମିଳେ । ବାସ୍ତୁଶାସ୍ତ୍ର ଓ ତନ୍ତ୍ରଶାସ୍ତ୍ରର ନିୟମ ଅନୁସାରେ ଏହି ନାଗବନ୍ଧ ମନ୍ଦିର ସ୍ଥାପତ୍ୟରେ ଅନେକ ଗୁରୁତ୍ୱ ବହନ କରେ । ପ୍ରବେଶ ପଥର ତୋରଣରେ ଥିବା ଏହି ନାଗବନ୍ଧ ନକରାତ୍ମକ ଶକ୍ତିର ପ୍ରତିରୋଧ କରିଥାଏ ।

ଗୁମୁଟର ଏହି ଭିତର ତୋରଣରେ ପାଞ୍ଚଗୋଟି ଭିନ୍ନ ନକ୍ସା ସମ୍ବଳିତ ପଟି ରହିଅଛି । ନିମ୍ନରେ ଦୁଇ ପାଶ୍ୱରେ ଥିବା ଖାଖରାମୁଣ୍ଡିର ଖୋପରେ ମକରାରୂଢ଼ା ଗଙ୍ଗା ଓ କଚ୍ଛପାରୂଢ଼ା ଯମୁନାଙ୍କ ମୂର୍ତ୍ତି ବିଧି ଅନୁସାରେ ରହିଛି । ତା’ ଉପରେ ଚାରିଗୋଟି ପଟି ବାହାରୁ ଭିତରକୁ ସାମାନ୍ୟ କ୍ରମପଶ୍ଚାତ୍‌ ସ୍ତରରେ ସମାନ୍ତରାଳ ହୋଇ ଉଲମ୍ବ ଭାବରେ ଦୁଇପାଶ୍ୱର୍ରେ ରହି ଉପର କୋଣମାନଙ୍କରେ କେନ୍ଦ୍ରମୁଖୀ ହୋଇ ଲଲାଟବିମ୍ବର ମଧ୍ୟଭାଗରେ ଥିବା ଗଜଲକ୍ଷ୍ମୀ ବିଗ୍ରହର ଦୁଇ ପାଶ୍ୱର୍ରେ ସରିଛନ୍ତି । ପଟିଗୁଡ଼ିକ ବାହାରୁ ଭିତରକୁ ପ୍ରଥମଟିରେ ପଦ୍ମପାଖୁଡ଼ା ଆକୃତିର ଜଳପତ୍ରର ଏକକ ସବୁ ଯୋଡ଼ି ହୋଇରହିଛି । ଏହାକୁ ଶିଳ୍ପୀ ଭାଷାରେ ବୋରଝାଞ୍ଜକ କୁହାଯାଏ । ତା’ପାଖକୁ ଦୁଇ ପାଶ୍ୱର୍ରୁ ନାଗରାଜା ଓ ନାଗରାଣୀଙ୍କୁ ନେଇ ଅପୂର୍ବ ଛନ୍ଦଯୁକ୍ତ ପଟି ରହିଛି । ତୃତୀୟ ପଟିର ପ୍ରାୟ ଏକ ଫୁଟର ଏକକ ଖଣ୍ଡରେ, ନିମ୍ନାର୍ଦ୍ଧରେ ପିଷ୍ଟ ଉପରେ କୃଷ୍ଣଲୀଳାର ଗୋଟିଏ ଗୋଟିଏ ଦୃଶ୍ୟ ଉତ୍କୀର୍ଣ୍ଣ ହୋଇଛି । ଏକକ ଗୁଡ଼ିକ ଉଲମ୍ବ ଭାବରେ ଉପରକୁ ଉପର ହୋଇ ରହିଛନ୍ତି ଏବଂ ଉପରେ ଏହାର ନକ୍ସା ବଦଳିଯାଇଛି । ଚତୁର୍ଥ ବା ଶେଷ ଆଭ୍ୟନ୍ତର ପଟିରେ ସୁନ୍ଦର ଲତା ମଧ୍ୟରେ ପ୍ରତି ମୋଡ଼ରେ ଗୋଟିଏ ଗୋଟିଏ ଲେଖାଁଏ ରୂପ ରହିଥିବା ଦେଖାଯାଏ । ଏହାକୁ ଶିଳ୍ପୀମାନେ ପୁଅ-ପଟି ବୋଲି କହନ୍ତି ।

ଏହି ଭିତର ତୋରଣର ଆଭ୍ୟନ୍ତର ପଟିର ଭିତର ପାଶ୍ୱର୍ରେ ଆଉ ଗୋଟିଏ ସୂକ୍ଷ୍ମ ଖୋଦେଇ ଯୁକ୍ତ ଡାଳି-ପଟି ପ୍ରାୟତଃ ଅଣଦେଖା ହୋଇ
ରହିଛି । ଏହା ପ୍ରବେଶ ପଥର ନନ୍ଦାବର୍ତ୍ତ ଉପରକୁ ଉଠିଲେ ଦୁଇ ଆଡ଼କୁ ମୁହଁ ବୁଲାଇ କେବଳ ଦେଖିହୁଏ । ପ୍ରାୟ ଛଅ ଇଞ୍ଚ ଓସାର ପଟିର ସବୁ ଛନ୍ଦ ମଧ୍ୟରେ ଏକାଧିକ ମର୍କଟଙ୍କ ରୂପ ବିିଭିନ୍ନ ଭଙ୍ଗିରେ ଖୋଦିତ ହୋଇ ଉଲମ୍ବ ଭାବରେ ଲଲାଟ ବିମ୍ବକୁ ସ୍ପର୍ଶ କରିଅଛି । ଏହି ସ୍ଥାପତ୍ୟର ଏହା ଏକ ବିରଳ ଅତିରିକ୍ତ ଅଂଶ ଯେଉଁଥିରେ ଶୈଳ୍ପିକ ଚାତୁର୍ଯ୍ୟ ପ୍ରତିପାଦିତ ହୁଏ । ଏହାକୁ ଶିଳ୍ପୀ ଭାଷାରେ ମାଙ୍କଡ଼ବନ୍ଧ ଡାଳି ବୋଲି କୁହାଯାଏ ।

ବାଡ଼କାମ :- ଗୁମୁଟର ଦୁଇ ପାଶ୍ୱର୍ ଅନୁରଥ ପାଗର ପ୍ରାୟ ୮ ଫୁଟ ଉଚ୍ଚତା ବିଶିଷ୍ଟ ପାଭାଗରେ କୌଣସି କାରୁକାର୍ଯ୍ୟ ନରହି କେବଳ ସାଧା ପଥରରେ ଖୁରା କୁମ୍ଭ ଉପରେ ତିନିଗୋଟି କଣି ଏବଂ ଟାଙ୍କୁଯୁକ୍ତ ବରଣ୍ଡ ରହିଛି । ବାଡ଼ରେ ରହିଥିବା କଳାକୃତି, ଉଲମ୍ବ ଭାବରେ ତିନି ଭାଗରେ ବିଭକ୍ତ । ଦୁଇ ପାଶ୍ୱର୍ରେ ଦୁଇଗୋଟି ସମ-ସାଦୃଶ୍ୟ ସୁସଜ୍ଜିତ ସ୍ତମ୍ଭ ରହିଥିବା ବେଳେ ମଧ୍ୟ ଭାଗରେ ଅଧିକ ସୂକ୍ଷ୍ମକଳା ଭରି ରହିଛି । ସ୍ତମ୍ଭ ଦ୍ୱୟକୁ ନିମ୍ନରୁ ଅନୁଶୀଳନ କଲେ ଏହା ମଧ୍ୟ ଅଂଶସହିତ ଆନୁଭୂମିକ ଭାବରେ ବିିଭିନ୍ନ ସ୍ତର ଅନୁସାରେ ସମତାଳରେ ବିଭାଜିତ । ସେହି ବିଭାଜନ ଅନୁସାରେ ସ୍ତର ବିଶେଷରେ ମଧ୍ୟ ଏହାର ତର୍ଜମା କରାଯାଇପାରେ ।

ସ୍ତମ୍ଭର ନିମ୍ନରୁ ପଞ୍ଚକର୍ମ ନିୟମରେ ପାଭାଗ ଉପରକୁ ଗୋଲାକାର ଅଂଶରେ ଉଲମ୍ବ ଭାବରେ କେତୋଟି ଡାଳି ପଟି ରହିଛି । ତା’ ଉପରକୁ ତିନିକର୍ମର ଅଂଶ ଉପରେ ପୁନଶ୍ଚ ଗୋଲାକାର ଖମ୍ବ ଓ ବରଣ୍ଡ ପାଞ୍ଚ କର୍ମରେ ସଜାଯାଇଛି । ପାଭାଗ ବସନ୍ତ ଓ ତିନି କର୍ମର ବସନ୍ତ ଉପରେ ଦୁଇ ପଟେ ଦ୍ୱିପିଚା ଗଜସିଂହ ଓ ମଝିରେ ବଜ୍ରମୁଣ୍ଡି,ଅଳଙ୍କାର ସଦୃଶ୍ୟ ରହିଛନ୍ତି । ଦୁଇପାଶ୍ୱର୍ର ସୁଶୋଭିତ ବାଡ଼ର ମଧ୍ୟଭାଗର ନିମ୍ନରେ ଥିବା ପୀଠ, ଆକର୍ଷଣୀୟ ଭାବରେ ବିଭାଜିତ ଓ ସୁସଜ୍ଜିତ । କେନ୍ଦ୍ରରେ ଖାଖରାମୁଣ୍ଡିର ଖୋପରେ ତ୍ରିଭଙ୍ଗ ଶୈଳୀରେ ବଂଶୀଧାରୀ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରହିିଛି । ଏହାର ଦୁଇପଟ ପୀଠ ଉଚ୍ଚତାରେ ତଳେ ଉଭୟ ପାଶ୍ୱର୍ରେ ଦ୍ୱିପିଚା ସିଂହ ଉପରେ ତିନିରୂପଯୁକ୍ତ ନାଗବନ୍ଧ ଆଗକୁ ରହି ପଛକୁ ଦୁଇ ପାଶ୍ୱର୍ରେ ପୀଠର ପଞ୍ଚକର୍ମର ଅବତାରଣା କରାଯାଇଛି । ଏହି ନାଗବନ୍ଧରେ ଦୁଇ ନାଗରାଣୀଙ୍କ ସହିତ ଜଣେ ନାଗରାଜା ରହିଛନ୍ତି । ଏହି ଅଂଶର ସ୍ଥାପତ୍ୟ ଆନୁଭୂମିକ ଭାବରେ ବିଭାଜିତ ହୋଇ ଏହାର ଆଗପଛ ସ୍ଥିତି ସକାଶେ ସୌନ୍ଦର୍ଯ୍ୟ ବୃଦ୍ଧି ପାଉଛି ।

ଏହି ନିୟମ ଉପର ବରଣ୍ଡ ପର୍ଯ୍ୟନ୍ତ ଅନୁସୃତ ହୋଇଥିବା ଦେଖାଯାଏ । ତା’ଉପରେ ସ୍ତର ଦୁଇଟିରେ ସମଧର୍ମୀ ସ୍ଥାପତ୍ୟ ରହିଅଛି । ତଳ ପୀଠର ନାଗବନ୍ଧ ଉପରକୁ ଉଲମ୍ବ ତଥା ସମାନ୍ତରାଳ ଭାବରେ ସ୍ତମ୍ଭମାନ ରହିଛି । ଏହି ବାଡ଼ର ଜଙ୍ଘା ଦ୍ୱୟରେ ଥିବା କ୍ଷୁଦ୍ର ସ୍ତମ୍ଭ ଅବିକଳ ବାଡ଼ର ଦୁଇ ପାଶ୍ୱର୍ର ବୃହତ ସ୍ତମ୍ଭର କ୍ଷୁଦ୍ର ସଂସ୍କରଣ ଭଳି ଅନୁରୂପ ନକ୍ସାରେ ଉତ୍କୀର୍ଣ୍ଣ ହୋଇଛି । ଏହି କ୍ଷୁଦ୍ର ସ୍ତମ୍ଭର ଦୁଇ ପାଶ୍ୱର୍ରେ ଉଲମ୍ବ
ଡାଳିପଟି ଏବଂ ତତ୍‌ପାଶ୍ୱର୍ସ୍ଥ ସନ୍ଧି ଭିତରେ ସିଂହ ବିଡାଳମାନ ରହିଛନ୍ତି । ତଳ ଜଙ୍ଘାର ମଧ୍ୟଭାଗରେ ଥିବା ଚତୁଷ୍କୋଣୀୟ ଖୋପ ଭିତରେ ବିଷୟଭିତ୍ତିକ ଭାସ୍କର୍ଯ୍ୟ ସ୍ଥାପନା କରାଯାଇଛି । ଏହା ରାମାୟଣର ବିଷୟବସ୍ତୁ ଉପରେ ଆଧାରିତ । ଏକ ଉଚ୍ଚ ଆସନ ଉପରେ ଶ୍ରୀରାମ ଓ ଲକ୍ଷ୍ମଣ ଆଗ ପଛ ହେଇ ବସି ଅନୁଚରମାନଙ୍କ ସହିତ ଆଳାପ କରୁଛନ୍ତି । ହନୁମାନ ପ୍ରଭୁ ଶ୍ରୀରାମଙ୍କ ପାଦକୁ ଧରି ନିମ୍ନରେ ବସିଛନ୍ତି । ଉପର ଜଙ୍ଘାର ସ୍ତର ସୁନ୍ଦର ଭାବରେ ପଞ୍ଚରଥ ଶୈଳୀରେ ବିଭାଜିତ ହୋଇ ଉଲମ୍ବ ଭାବରେ ମଧ୍ୟ ପଞ୍ଚକର୍ମରେ ସମୃଦ୍ଧ ହେଇଛି । ଏଥିରେ ତଳେ ଓ ଉପରେ ବସନ୍ତ ପଟି ରହି ମଝିରେ ତିନିଗୋଟି କଣି ଓ କାଣ୍ଟିଘର ତଥା ମଝିରେ ଉଲମ୍ବ ବନ୍ଧନା ରହିଅଛି । ଶେଷରେ ଉଡ଼ା ଛାତ ତଳକୁ ଏକ ଝାଲର ପଟି ରହିଛି । ଉପର ବରଣ୍ଡିର ମଝିରେ ମଧ୍ୟ ତଳ ବରଣ୍ଡିର ଅନୁରୂପ ସ୍ଥାପତ୍ୟ ସୃଷ୍ଟି କରାଯାଇ ମଝି ପ୍ୟାନେଲରେ ଚତୁର୍ଭୁଜ ବିଷ୍ଣୁଙ୍କ ବିଗ୍ରହ ସହିତ ନିମ୍ନରେ ଗରୁଡ଼ ତଥା ଦୁଇ ପଟେ ଦୁଇ ସଖୀଙ୍କ ମୂର୍ତ୍ତି ସ୍ଥାନ ପାଇଛି । ଦୁଇ ପାଶ୍ୱର୍ ସନ୍ଧି ଭିତରେ ଦୁଇଟି ଭିନ୍ନ ଭଙ୍ଗୀର ଦେବାଦାସୀ ମୂର୍ତ୍ତି ସ୍ଥାନିତ ।

ଉତ୍ତର ପାଶ୍ୱର୍ର ବାଡ଼ର ମଧ୍ୟ ଭାଗର ନିମ୍ନରେ ଥିବା ଖାଖରାମୁଣ୍ଡିର ଖୋପରେ ରାଧା କୃଷ୍ଣଙ୍କର ଏକ ଛନ୍ଦା ମୂର୍ତ୍ତି ରହିବା ସହିତ ତଳଜଙ୍ଘାର ପ୍ୟାନେଲରେ ରାମାୟଣର ଏକ କଥାବସ୍ତୁ ଭାବରେ ରାମଚନ୍ଦ୍ରଙ୍କର ସୈନ୍ୟ କଳନା ବିଷୟ ଅତ୍ୟନ୍ତ କମନୀୟ ଭାବେ ଉତ୍କୀର୍ଣ୍ଣ ହୋଇଅଛି । ଉପର ଜଙ୍ଘାର ପ୍ୟାନେଲରେ ଥିବା ଭାସ୍କର୍ଯ୍ୟଟି ନଷ୍ଟପ୍ରାୟ ଅବସ୍ଥାରେ ରହିଛି । ଭୋଗ ମଣ୍ଡପର ଅନୁରୂପ କାରୁକାର୍ଯ୍ୟ ମଣ୍ଡିତ ଏହି ଚର୍ଚ୍ଚିତ ଗୁମୁଟର ଅଳଙ୍କରଣ, ସିଂହଦ୍ୱାର ଦେଇ ପ୍ରବେଶ କଲାପରେ ଭକ୍ତମାନଙ୍କୁ ବାଇଶି ପାହାଚ ଚଢ଼ିବା ସମୟରେ ଆକର୍ଷିତ କରିଥାଏ । ଏହାର ନିକଟତର ହୋଇ ନିରେଖି ଦେଖିଲେ ଏଥିରେ ସ୍ଥାନୀତ ଶାସ୍ତ୍ରୀୟ ରୂପ ସମୁହ ଭକ୍ତଜନଙ୍କ ମନରେ ଅପୂର୍ବ ଆଧ୍ୟାତ୍ମିକ ଭାବ ସୃଷ୍ଟି କରେ । କଳା ସଚେତନ ଭକ୍ତମାନେ ଏହାର ସନ୍ଦର୍ଶନରେ ଆମ ପୂର୍ବପୁରୁଷମାନଙ୍କର ଭାସ୍କର୍ଯ୍ୟ କଳା ପ୍ରତି ଆନୁଗତ୍ୟର ପ୍ରଶଂସା କରିବା
ପାଇଁ ବାଧ୍ୟ ହୁଅନ୍ତି । ଉଲ୍ଲେଖଯୋଗ୍ୟ ଜଗମୋହନ ତଥା ଭୋଗମଣ୍ଡପର କାରୁକାର୍ଯ୍ୟର ସମକକ୍ଷ ହୋଇଥିଲେ ମଧ୍ୟ ଏ ସବୁଥିରେ ଥିବା ମିଥୁନ ମୂର୍ତ୍ତି ଭଳି ଭାସ୍କର୍ଯ୍ୟ ଚର୍ଚ୍ଚିତ ଗୁମୁଟର ବାଡ଼ରେ ସ୍ଥାନ ପାଇନାହିଁ । ଏହି ସମ୍ଭ୍ରାନ୍ତ ରୁଚିଶୀଳ କାରୁକୀର୍ତ୍ତି, ଏକ ବିରଳ ସ୍ଥାପତ୍ୟ ଭାବରେ ଶତାବ୍ଦୀ ଶତାବ୍ଦୀ ଧରି ଭକ୍ତମାନଙ୍କୁ ସଠିକ୍ ସ୍ଥାନରେ ରହି ପାଟଅଗଣାକୁ ପ୍ରବେଶ କରିବା ପାଇଁ ଆମନ୍ତ୍ରଣ ଜଣାଇଆସୁଛି ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed, but trackbacks and pingbacks are open.