Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୨ 

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କଶକ୍ତି ସ୍ୱରୂପିଣୀ ଯୋଗମାୟା ଦେବୀ ଦୁର୍ଗେଦୁର୍ଗତିନାଶିନୀଙ୍କ ଆଲୋଚନା ଜାରି ରଖିବା। କିନ୍ତୁ ମନରେ ସ୍ୱତଃ ପ୍ରଶ୍ନ ଉଠେ ଯଦି ପରଂବ୍ରହ୍ମ ଏକ ଓ ଅଦ୍ଵିତୀୟ ଏବଂ ଉଭୟ ପ୍ରକୃତି ଓ ପୁରୁଷ ସ୍ୱରୂପରେ ସେହିଁ ବିଦ୍ୟମାନ। ତେବେ ପ୍ରକୃତି ସ୍ୱରୂପିଣୀ ଶକ୍ତି କିଏ ଓ କଣ? ଏହାର ଦାର୍ଶନିକ ବିଚାର କଲେ ଶାସ୍ତ୍ର କହେ “ସାମର୍ଥ୍ୟ ସର୍ବଭାବନାଂ ଶକ୍ତିରିତ୍ୟଭିଧିୟତେ “ଅର୍ଥାତ ଉତ୍ପତି, ସ୍ଥିତି, ଧ୍ୟାନ, ଧାରଣା ଆଦି ବିବିଧ ଭାବ ବିଶେଷ ର ସାଧନ ସାମର୍ଥ୍ୟ ହିଁ “ଶକ୍ତି “।

ଯେହେତୁ ଶକ୍ତି ମଧ୍ୟ ପରଂବ୍ରହ୍ମଙ୍କ ଏକ ସ୍ୱରୂପ ତେଣୁ ଏହାକୁ ନିର୍ଗୁଣ ଓ ନିରାକାର ହେବା କଥା କିନ୍ତୁ ଶକ୍ତି ସ୍ୱରୂପିଣୀ ହେଉଛନ୍ତି ଗୁଣlନ୍ୱିତା ଓ ସକଳ କର୍ମର ସାଧିକା ତଥା ପ୍ରବର୍ତ୍ତିକା.। ସେଥିପାଇଁ ପ୍ରତ୍ୟେକ ସମୟରେ ନିର୍ଗୁଣ, ନିରାକାର ପରଂବ୍ରହ୍ମ ସଗୁଣ ଓ ସାକାର ହେବା ମାତ୍ରେ ଯୋଗମାୟାଙ୍କ ଦ୍ୱାରା ଆବିଷ୍ଟ ହୁଅନ୍ତି। ସେଥିପାଇଁ ଗୀତାରେ କୁହାଯାଇଛି “ଯୋଗମାୟା ସମାବୃତ୍ତଲ ।

ପ୍ରଥମେ ପ୍ରଥମେ ମନ୍ତ୍ରଦ୍ରଷ୍ଟା ମୁନି ଋଷିମାନେ ପରଂବ୍ରହ୍ମଙ୍କ ଏହି ଶକ୍ତି ସ୍ୱରୂପକୁ “ପରାଶକ୍ତି “ଭାବରେ ଆଖ୍ୟାତ କଲେ। ସନାତନ ଧର୍ମରେ ଶକ୍ତି ଉପାସନାର ପ୍ରଚଳନ ହେଲା। ମାତୃସ୍ୱରୂପିଣୀ ଦେବୀ ଶକ୍ତିଙ୍କ ବିଭିନ୍ନ ରୂପ ଓ ଭାବର ପରିପ୍ରକାଶ ଘଟି ଏକ ସ୍ୱତନ୍ତ୍ର ଶାକ୍ତ ପରମ୍ପରା ସୃଷ୍ଟି ହେଲା। ଜଗତର ମାତୃରୂପା ଶକ୍ତିଙ୍କୁ ଆରାଧନା କରିବାର ସମସ୍ତ ସାଧନ (ମନ୍ତ୍ର, ତନ୍ତ୍ର, ପୂଜା ଵିଧି )ନିର୍ଣ୍ଣୟ କରାଗଲା। ପ୍ରଥମେ ପୃଥିବୀ ଓ ପ୍ରକୃତିକୁ ମାତୃରୂପେ ଆରାଧନା କରାଗଲା। ଶାକ୍ତ ପରମ୍ପରାରେ ବିଭିନ୍ନ ଦେବୀ ସ୍ୱରୂପର କଳ୍ପନା କରାଯାଇଛି। ବିଶେଷ ଭାବରେ ଋଗ ବେଦରେ ପରଂବ୍ରହ୍ମଙ୍କ ଦେବୀ ସ୍ୱରୂପର ଆଲୋଚନା ହୋଇଛି ।
ଏପରିକି ବିଭିନ୍ନ ଯନ୍ତ୍ର ଉପାସନା ମଧ୍ୟ ଶାକ୍ତ ପରମ୍ପରାର ଅଂଶ ବୋଲି ବିବେଚନା କରାଯାଏ। କିନ୍ତୁ ଅଧୁନା ସର୍ବତ୍ର ପୂଜିତ ସର୍ବଶକ୍ତିମୟୀ ଜଗତଜନନୀ ଦେବୀ ଦୁର୍ଗାଙ୍କର କଳ୍ପନା ଉପନିଷଦ ଯୁଗରୁ ଆରମ୍ଭ ହୋଇଛି। ଦେବୀ ଉପନିଷଦ କହେ “ତlମଗ୍ନି ବର୍ଣା ତପସାଜ୍ୱଳନ୍ତି, ବୈରୋଚନୀଂ କର୍ମଫଳେଷୁ ଦୁଷ୍ଟlମ ଦୁର୍ଗା ଦେବୀ ଶରଣମହଂ ପ୍ରାପଦ୍ୟେ, ସୁତରାଂ ନାଶୟତେ ନମଃ “। କେବଳ ଉପନିଷଦ ନୁହେଁ ପରବର୍ତ୍ତୀ ସମୟରେ ପୁରାଣମାନଙ୍କରେ ଦେବୀ ସ୍ୱରୂପର ବିଭିନ୍ନ ରୂପ ପରିକଳ୍ପିତ ହେଲା। ସେଥିପାଇଁ ବର୍ତ୍ତମାନ ପୂଜିତା ଶ୍ରୀଦୁର୍ଗା ଦେବୀଙ୍କୁ ମଧ୍ୟ ଆମେ ବିଭିନ୍ନ ରୂପରେ ଦେଖୁ । ଯଥା, ଦ୍ବିଭୁଜା, ଚତୃଭୁଜା, ଷଢ଼ଭୁଜା, ଓ ଅଷ୍ଟଭୁଜା ଇତ୍ୟାଦି )। ଦେବୀ ଦୁର୍ଗାଙ୍କୁ ଅନେକ ଭାରତୀୟ (ସନାତନ ଧର୍ମୀ )ନିଜର କୂଳ ଦେବୀ ଭାବରେ ମଧ୍ୟ ଉପାସନା କରନ୍ତି. କିନ୍ତୁ ଏହିଠାରେ ମଧ୍ୟ କିଛି ବ୍ୟତିକ୍ରମ ଦେଖିବାକୁ ମିଳେ। କୌଳାଚାର ଅନୁସାରେ ତିନିଶକ୍ତିର ବିଶେଷ ଉପାସନା ଦୃଷ୍ଟି ଗୋଚର ହୁଏ।

ମହାକାଳୀ (ତମ ଗୁଣ ), ମହାଲକ୍ଷ୍ମୀ (ରଜ ଗୁଣ )ଓ ମହାସ୍ୱରସ୍ବତୀ (ସତ୍ତ୍ୱ ଗୁଣ )ର ପ୍ରତୀକ ଭାବରେ ଉପାସିତ ହୁଅନ୍ତି। ଏମିତି ସାଧାରଣ ଭାବରେ କହିଲେ ଶାକ୍ତ ପରମ୍ପରା ରେ ଉଗ୍ରସ୍ଵଭାଵ ଧାରଣ କରିଥିବା କାଳୀକୂଳ ଓ ନମ୍ର ସ୍ଵଭାଵ ଧାରଣ କରିଥବା ଶ୍ରୀକୂଳ ହିଁ ବିଶେଷ ଭାବରେ ଆଦୃତ.ଏ ବିଶାଳ ଶାକ୍ତ ପରମ୍ପରାର ଆଲୋଚନା ଜାରି ରହିବ, ଆଜି କିନ୍ତୁ ଏହିଠାରେ ବିରାମ ଦେଇ ପରଂବ୍ରହ୍ମଙ୍କ ଚିତ୍ ଶକ୍ତି ରୂପେ ପ୍ରକାଶିତ ଓ ଆମର ପରମ ଆରାଧ୍ୟ ମା ଦୁର୍ଗେ ଦୁର୍ଗତିନାଶିନୀଙ୍କୁ ଆଜି ମଙ୍ଗଳ ମୂର୍ତ୍ତି ମିନାକ୍ଷୀ ରୂପେ ଉପାସନା କରିବା ।
“ଯୟା ଦେଵ୍ୟା ବିରହୀତଃ ସଶିବୋ ଅପି ନିରଥ୍ରକ, ନମସ୍ତସୈ ସୁମିନାକ୍ଷ୍ୟ ଦେବୌ ମଙ୍ଗଳ ମୂର୍ତୟେ “. ଅର୍ଥାତ ଯେଉଁ ଦେବୀ (ଶକ୍ତି )ଙ୍କ ବିନା ଶିବଙ୍କର ମଧ୍ୟ ସାର୍ଥକତା ନାହିଁ, ସେହି ମଙ୍ଗଳ ମୂର୍ତ୍ତି ମିନାକ୍ଷୀ ଦେବୀଙ୍କୁ ନମସ୍କାର କରୁଛି। ଜୟ ମା ଦୁର୍ଗା, ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed, but trackbacks and pingbacks are open.