Latest Odisha News

BREAKING NEWS

ସମାଜର ଅବହେଳିତ ବର୍ଗଙ୍କ ବ୍ୟଥା ହିଁ ମୋ ସାହିତ୍ୟ ସ୍ଵର : ଆଶୁତୋଷ ମିଶ୍ର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଆଶୁତୋଷ ମିଶ୍ରଙ୍କ ସହ ‘ସ୍ୱଳ୍ପ ଆଳାପ’

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ସାହିତ୍ୟାନୁରାଗୀ ପରିବାରରେ ଜନ୍ମହେବା ବୋଧହୁଏ ମୋର ପ୍ରାରବ୍ଧ ଥିଲା । ଏଣୁ ବୟସ ବଢ଼ିବା ସହ ସାହିତ୍ୟ ପ୍ରତି ପ୍ରେମ ବଢ଼ିବାରେ ଲାଗିଲା। ଏହି ପ୍ରେମ ଉତ୍ତୁଙ୍ଗ ଛୁଇଁଯିବା ପରେ ପ୍ଲାବିତ ହେବାର ପ୍ରକ୍ରିୟାକୁ ମୋର ସାହିତ୍ୟ ସର୍ଜନାର ଆରମ୍ଭ ବୋଲି ମୁଁ କହିବି।

ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ମୋର ଛୋଟ ବଡ଼ ଅନେକ କବିତା ମୋ ସାଙ୍ଗସାଥି ଏବଂ ପରିବାର ବର୍ଗମାନଙ୍କ ପାଖରେ ପହଞ୍ଚି ଭଲ ପାଇବା ସାଉଁଟୁଥିବା ବେଳେ ମୋ ରଚିତ କୁନି ଏକ ଗୋଲାପର କଢି ‘ ପ୍ରଥମ କରି ଦୈନିକ ଆଶା ଖବରକାଗଜରେ ପ୍ରକାଶ ପାଇଥିଲା । ଯାହାକୁ କି ଅଗଣିତ ପାଠକ ପାଠିକା ପସନ୍ଦ କରିଥିଲେ ଏବଂ ମୋ ସହ କବିତା ବିଷୟରେ ଆଲୋଚନା କରିଥିଲେ । ଏହା ମତେ ଉତ୍ସାହ ଓ ଆତ୍ମବିଶ୍ୱାସ ଦେଇଥିଲା ।

ଗଳ୍ପ ଓ କବିତାରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

କବି ବା ଲେଖକର ଧର୍ମ ହେଉଛି ସମାଜର ଅଛୁଆଁ ଜାଗାକୁ ଛୁଇଁବା । ମୁଁ ମଧ୍ୟ ମୋର କବିତା ଏବଂ ଗଳ୍ପ ମାଧ୍ୟମରେ ସମାଜର ଅବହେଳିତ ବର୍ଗଙ୍କ ହିତସାଧନ ପାଇଁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଥାଏ।

ତାଙ୍କ ରଚନାରୁ କବିତା : ମିଳନ ମାଗୁଣି

ମୋ ଅନ୍ତରେ ଗୋଟାଏ ବିନ୍ଦୁରେ
ତୁମକୁ ଭେଟିବାର ଲକ୍ଷ୍ୟ ନେଇ
ମୁଁ ଆବାହନ ଆରମ୍ଭିଲି
ସମସ୍ତ ଇନ୍ଦ୍ରିୟକୁ କେନ୍ଦ୍ରୀଭୂତ କରି
ଚେତନାରେ ଚିନ୍ତିଲି
ମୋ ନିଶ୍ୱାସ ପ୍ରଶ୍ୱାସର ଗତିକୁ
ସରଳରେଖାରେ ବାନ୍ଧିଦେଇ,
ଜ୍ଞାତସାରରେ ତନ୍ଦ୍ରାଗ୍ରସ୍ଥ ହେଲି

ତୁମକୁ ଭେଟିବାର ପାଖାପାଖି ଇଲାକାରେ ପହଞ୍ଚିବା କ୍ଷଣି
ମୋ ଭିତରେ ପାର୍ଥଙ୍କର ଉତ୍ତାପ ଆସିଲା
ଚର୍ମ ଶରୀରରେ ଥାଇ
ତମ ମର୍ମକୁ ଦେଖିନେବାର ଶକ୍ତି
କଣ ମୋ ଭିତରେ ସନ୍ତାପିତ ଅଛି
ମୁଁ କଣ ଭେଟିପାରେ ତୁମର ଗୋଟାଏ ଅଂଶକୁ ……?

ହେ ଗୋପଦାଣ୍ଡର ବାଳୁତ ମୁଖିଆ
ମୋ ତନ୍ତ୍ର ତନ୍ତ୍ର ଆଜି ଗୀତାର ମନ୍ତ୍ର ଭିକ୍ଷା କରେ
ତୁମେ ଫୁଙ୍କିଦିଅ ଆତ୍ମସାକ୍ଷାତର ମଞ୍ଜି
ତୁମକୁ ଭେଟିବାର ତୀବ୍ର ଲାଳସା ସମ୍ବରଣ କରିହେଉନାହିଁ
ମତେ ଟିକିଏ ଦିବ୍ୟଦୃଷ୍ଟି ଦିଅ
‘ମୁଁ’ ସହ ‘ମୁଁ’ ର ସାକ୍ଷାତ କରାଅ !

ସବୁତକ ଦର୍ଶନ ମୋ, ଆଜି ଦାଣ୍ଡରେ ଗଡୁଛି
ତୁମେ ଥିବା ଘରଟିରେ କଣ ସବୁଆଡେ କାନ୍ଥ,
ସବୁ କଣ ନିବୁଜ ଦିଶୁଛି
ଭିତରକୁ ଯିବା ପାଇଁ ଦରଜାଟେ ଦିଶୁନି କାହିଁକି….?

ହେ ରାଧାପ୍ରାଣହରି
ମୋ ଚେତନାର ସଜ୍ଞାନରେ
ଆଖି ଯୋଡ଼େ ଭେଟି ଦିଅ
ଯେଉଁ ଆଖି ପିନ୍ଧିଲା ପରେ,
ମତେ ଦିଶିବ ମୁକୁଳା ଦରଜା
ତୁମ ଦେହଘଷା ଫରଚା ଆଲୁଅ
ମୁଁ ସେତିକିରେ ଜନ୍ମ ଜନ୍ମର ସ୍ୱପ୍ନ ପୂର୍ଣ୍ଣାହୁତି ଦେବି
ଅନୁପ୍ରବେଶ ବାରଣ ପଛକେ,
ଦାଣ୍ଡରୁ ଥାଇ ଓଳଗି କରିବି ।

Leave A Reply

Your email address will not be published.