Latest Odisha News

ସୁବର୍ଣ୍ଣପୁରରୁ ୪୧ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ , ଜଣେ ଗିରଫ

ଭୁବନେଶ୍ୱର: ଭଡା ଘରେ ଛପା ଯାଉଥିଲା ଜାଲ ନୋଟ୍  । ଧରିଲା ଏସଟିଏଫ୍  । ସୁବର୍ଣ୍ଣପୁରରୁ ଜବତ ହୋଇଛି ୪୧ ଲକ୍ଷ ଟଙ୍କାର ଜାଲ୍‌ ନୋଟ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳରେ ଏସଟିଏଫ୍ ଚଢାଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କା ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ କରିଛି  । ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  ।  ଗିରଫ ଅଭିଯୁକ୍ତଙ୍କ ନାଁ ଦୀପକ ମେହର ଓ ସେ ସୋନପୁର ବାସିନ୍ଦା ବୋଲି ଜଣାପଡିଛି । ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଏଥିସହିତ ଜାଲ୍‌ ନୋଟ ଛପା ଯାଉଥିବା କଲର ପ୍ରିଣ୍ଟର, କଲର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇରେ ଏକ ଭଡ଼ା ଘରେ ଜାଲ୍‌ ନୋଟ ଛପା ଯାଉଥିଲା । ୫୦୦ ଟଙ୍କିଆ ଜାଲ୍‌ ନୋଟ ଛପାଯାଇ ସୁବର୍ଣ୍ଣପୁର ସମେତ ରାଜ୍ୟର ବିଭିନ୍ନ ସହରକୁ ପଠାଯାଉଥିଲା  । ବିଶେଷକରି ସୁବର୍ଣ୍ଣପୁର ମାର୍କେଟକୁ ଅଧିକ ପରିମାଣର ଜାଲ୍‌ ନୋଟ୍‌ ଛଡ଼ା ଯାଇଥିବା ସୂଚନା ମିଳିଛି । ୨୫ ହଜାର ଟଙ୍କାର ଅସଲି ନୋଟ୍‌ ବଦଳରେ ୧ ଲକ୍ଷ ଟଙ୍କାର ଜାଲ୍‌ ନୋଟ ଯୋଗାଇ ଦିଆଯାଉଥିଲା । ବିଶେଷ ସୂତ୍ରରୁ ଖବରପାଇ ଗତକାଲି ଏସ୍‌ଟିଏଫର ଏକ ଟିମ୍‌ ମାଟିଖାଲରେ ଉକ୍ତ ଭଡ଼ା ଘରେ ଚଢ଼ଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି  । ଏହି ଜାଲ୍‌ ନୋଟ କାରବାର ରାକେଟ୍‌ରେ କେତେ ଜଣ ସାମିଲ୍‌ ଅଛନ୍ତି? ଜାଲ୍‌ ନୋଟ ନେଟୱର୍କ କେତେବାଟ ଲମ୍ବିଛି? କେଉଁ କେଉଁ ଜିଲ୍ଲାକୁ ବ୍ୟାପିଛି? ସେନେଇ ଏସ୍‌ଟିଏଫ୍‌ ଛାନଭିନ୍ କରୁଛି ।  ତେବେ ଜବତ ନୋଟଗୁଡିକ ଯାଂଚ ପାଇଁ ପଶ୍ଚିମବଙ୍ଗ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସକୁ ପଠାଯାଇଥିବା ସୂଚନା ମିଳିଛି ।

 

 

Leave A Reply

Your email address will not be published.