Latest Odisha News

ସାହିତ୍ୟ ବିନା ଜୀବନ ରଙ୍ଗହୀନ : ଶିବଦୂତୀ ପାଣିଗ୍ରାହୀ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଶିବଦୂତୀ ପାଣିଗ୍ରାହୀ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ‘ନବ ପ୍ରତିଭା’ ଶିବଦୂତୀ ପାଣିଗ୍ରାହୀଙ୍କ ସହ ‘ସ୍ଵଳ୍ପ ଆଳାପ’

ମୁଁ କାହିଁକି ଲେଖେ ?

ସମାଜ ପାଇଁ ସାହିତ୍ୟର ଭାବବସ୍ତୁ ଉଦ୍ଦିଷ୍ଟ ।ସମାଜରେ ସାହିତ୍ୟର ସୃଷ୍ଟି, ପ୍ରଚାର ଓ ପ୍ରସାର ମଧ୍ୟ । ସେଥିପାଇଁ ସାହିତ୍ୟ ଓ ସମାଜ ପରସ୍ପର ନିବିଡ଼ଭାବେ ସଂପୃକ୍ତ ଓ ଉଭୟ ପରସ୍ପରର ପରିପୂରକ । ସ୍ରଷ୍ଟା ହୃଦୟର ରସଘନ ପରିପ୍ରକାଶ ସାହିତ୍ୟ ସହୃଦୟ ସମାଜ ଦ୍ବାରା ଆସ୍ପାଦିତ ହୋଇ ସ୍ଵୀକୃତି ଓ ସାର୍ଥକତା ଲାଭକରେ ।ସମାଜର ନିଚ୍ଛକ ପ୍ରତିଛବି ସାହିତ୍ୟର ପୃଷ୍ଠା ବିମଣ୍ଡିତ କରିଥାଏ ।ପୃଥିବୀର ଏହି ସବୁଜ ସୁନ୍ଦର ରଙ୍ଗମଞ୍ଚ ରେ ଆମେ ମାନେ ଅଭିନେତା ଓ ଅଭିନେତ୍ରୀ ଏବଂ ଆମ ଓଡ଼ିଶାର ଓଡ଼ିଆ ଭାଷା ଓ କଳା ସଂସ୍କୃତି ମଧ୍ୟ ଖୁବ୍ ନିଆରା । ଏହି ପରିଚିତ୍ରଣ କୁ ଲିଖନଶୈଳୀ ମାଧ୍ୟମରେ ସମାଜରେ ଉପସ୍ଥାପନା କରିବାରେ ମୋର ରୁଚି ରହିଥାଏ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ସାହିତ୍ୟ ସୃଷ୍ଟିକରେ ମାନବ ହୃଦୟରେ ଆଶାର କୋଣାର୍କ । ଭାବୁକର ଭାବନା ଓ ମୁହଁରୁ ଝରି ଆସୁଥ‌ିବା ପ୍ରତିଟି ଶବ୍ଦ ପରିଚୟ ଦିଏ ସାହିତ୍ୟ ।ଓଡ଼ିଆ ସାହିତ୍ୟ ବିନା ଜୀବନଟା ଯେମିତି ରଙ୍ଗହୀନ ଲାଗେ।ସାହିତ୍ୟ ହେଉଛି ସତତ ମାନବୀୟ କଲ୍ୟାଣ ଓ ଲାଲିତବୋଧ ର ଚରମ ଅଭିବ୍ୟକ୍ତି । ଓଡ଼ିଆ ଭାଷା ସାହିତ୍ୟ ର ମାଧୁର୍ଯ୍ୟକୁ ଅନୁଭବ କରିବା ପରଠାରୁ ସାହିତ୍ୟ ସହ ମୁଁ ଓତଃପ୍ରୋତ ଭାବେ ଜଡ଼ିତ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ମୋର ପ୍ରଥମ ପ୍ରକାଶିତ ଲେଖାଟି ଥିଲା “କର୍ମଫଳ” । ଏହି କବିତାଟି “କେଦାରଭାରତୀ”ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ସାହିତ୍ୟ ସମାଜକୁ କେବଳ ଗଳ୍ପ, କବିତା କି ପ୍ରବନ୍ଧ ଦେଇ ନଥାଏ ; ଏହା ଦେଇଥାଏ ବଞ୍ଚିବାର ଏକ ନୂତନ ଆଶା । ସରସ ସୁନ୍ଦର ମୋ ଓଡ଼ିଆ ଭାଷା ସବୁଠୁ ମହାନ ଅଟେ । ଏହାର ଗୈରବୋଜ୍ଜ୍ୱଳ ଐତିହ୍ୟ ପରମ୍ପରାକୁ କାୟମନୋବାକ୍ୟରେ ବଜାୟ ରଖିବାରେ ମୁଁ ସଦା ସର୍ବଦା ଚେଷ୍ଟା ଜାରି ରଖିଥାଏ ।

ତାଙ୍କ ରଚନାରୁ ଗଳ୍ପ : ଆତ୍ମବିଶ୍ବାସ

ସମାଜ ଆଖିରେ ଅନ୍ୟ ମାନଙ୍କ ଠାରୁ ଅଲଗା ଭିନ୍ନ ଏକ ମଣିଷ ଅଟନ୍ତି “ଭିନ୍ନକ୍ଷମ”। କାହିଁକି ସେମାନଙ୍କୁ ଏଭଳି ଆଖ୍ୟା ଦିଆଯାଏ।ପ୍ରକୃତରେ ଏହା ପାପର ଫଳ କି ପୁଣ୍ୟର ଫଳ।ଏକ ଭିନ୍ନକ୍ଷମ ବ୍ୟକ୍ତି ହୋଇ ଜନ୍ମଲାଭ କରିବା କିଛି ଖରାପ କଥା ନୁହଁ।ସିଏ କଣ ଜାଣିଥାଏ ଜଣେ ଭିନ୍ନକ୍ଷମ ହେବ ବୋଲି। କିନ୍ତୁ ଏହି ଦୋଷଟି କାହିଁକି ତାକୁ ଦିଆଯାଏ।ହାତ ଗୋଡ ନଥାଇ ମଧ୍ୟ ସେମାନେ ଯେତିକି କରନ୍ତି ଜଣେ ସୁସ୍ଥ ବ୍ୟକ୍ତି ମଧ୍ୟ ତା ଜୀବନରେ ସେତିକି କରିପାରେ ନାହିଁ।

ଏ ଛୋଟାଟା,ଗ୍ରହଣଖଣ୍ଡିଆଟା,ଅନ୍ଧଟା,ଖଣ୍ଡିଆ ହାତଟା କାହିଁକି ଏମାନଙ୍କୁ ଆଖ୍ୟା ଦିଆଯାଏ।କୌଣସି ଅଘଟଣ ଘଟି ମଧ୍ୟ ଏକ ସୁସ୍ଥ ମଣିଷ ଦିବ୍ୟାଙ୍ଗ ଏବଂ ଭିନ୍ନକ୍ଷମ ପାଲଟିଯାଏ।ସେହିଦିନଠୁ ହିଁ ତାକୁ ଭିନ୍ନକ୍ଷମର ଆଖ୍ୟା ଦିଆଯାଏ।କେହି କେହି ଜନ୍ମରୁ ଭିନ୍ନକ୍ଷମ ଥାଆନ୍ତି ଆଉ କେତେଜଣ ଦୁର୍ଘଟଣାର ସମ୍ମୁଖୀନ ହୋଇ ଦିବ୍ୟାଙ୍ଗ ହୋଇଯାନ୍ତି।ଜନ୍ମରୁ ସେମାନେ ଭିନ୍ନକ୍ଷମ ହେଲେ ସୁଦ୍ଧା ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ଥାଏ ସେମାନଙ୍କର ନିକଟରେ ।

ସମାଜ ପାଇଁ କାହିଁକି ସେମାନେ ଏକ ଉଦାହରଣ ପାଲଟି ଯାଇଥାନ୍ତି। ସେମାନେ କଣ ମଣିଷ ନୁହଁନ୍ତି !ଖେଳ-କୁଦ, ପାଠ-ସାଠ, କଳା-କୌଶଳ ସବୁଥିରେ ସମାନ ହୋଇ ମଧ୍ୟ ନିଜକୁ ସମାଜ ରେ ଏକ ଭିନ୍ନ ମଣିଷ ବୋଲି ପ୍ରତିପାଦନ କରିବାକୁ ପଡେ। ଯେଉଁଦିନ ପ୍ରମାଣ କରି ସେମାନେ ଦେଖେଇ ଦିଅନ୍ତି ଦୁନିଆ ଆଖିକୁ ଯେ ପ୍ରକୃତ ନିଷ୍ଠା ଏବଂ ଅଧ୍ୟବସାୟର ଫଳ କେତେ ଏ ସମାଜ ସେମାନଙ୍କୁ ଦେଖି ଅବାକ୍ ହୋଇ ରହିଯାଏ।

ଏମିତି ଏକ ଦୁଃଖଭରା କାହାଣୀ ହେଉଛି ଦିବ୍ୟାଙ୍ଗ ବାବୁଲାର।ଜନ୍ମରୁ ହିଁ ସେ ଦିବ୍ୟାଙ୍ଗ ।ବହୁତ ଗରିବ ଘରର ପିଲାଟିଏ।ଜନ୍ମବେଳେ ତାର ଗୋଡ ଦୁଇଟି ଆଧାରୁ ନଥିଲା।କିନ୍ତୁ ସେ ନିଜକୁ ନିଜେ କେବେ ଦିବ୍ୟାଙ୍ଗ ବୋଲି ଭାବେ ନାହିଁ।ବିଚକ୍ଷଣ ବୁଦ୍ଧି ତା ପାଖରେ ଥାଏ। ଅଧା ଖଣ୍ଡିଆ ଗୋଡରେ ଘୋଷାଡି ଘୋଷାଡି ସେ ସ୍କୁଲକୁ ଯାଏ।ପିନ୍ଧିବା ପାଇଁ ଡ୍ରେସ ଖଣ୍ଡିଏରୁ ଦୁଇଖଣ୍ଡ ନଥାଏ।ଆସ୍ତେ ଆସ୍ତେ ବାବୁଲା ବଡ ହେଲା ।
ବାବୁଲା ଦିନେ ସ୍କୁଲ ଯାଇଥାଏ।ଏତିକି ବେଳକୁ କଳା ହାଣ୍ଡିଆ ମେଘଟା କେଉଁଠି ଥିଲା ଅନ୍ଧାର କରି ଘୋଟି ଆସିଲା।ସ୍କୁଲ ବି ଖୁବ୍ ଶୀଘ୍ର ଛୁଟି ହୋଇଗଲା । ପିଲାମାନେ ତରବରରେ ଯେ ଯାହାର ଘରକୁ ଦୌଡାଦୌଡି ହୋଇ ଚାଲିଲେ।ବାବୁଲା କିଛିବାଟ ଯାଇଛି କି ନାହିଁ ବର୍ଷା ଜୋରରେ ଆରମ୍ଭ ହୋଇଗଲା।ଅନନ୍ୟୋପାୟ ହୋଇ ସେ ଗୋଟିଏ ଗଛ ମୂଳେ ଛିଡା ହୋଇଗଲା।ତୁହାକୁ ତୁହା ବର୍ଷା ସାଙ୍ଗକୁ ଘଡଘଡିର କାନଫଟା ଶବ୍ଦ ତାର ଆତଙ୍କକୁ ବହୁଗୁଣରେ ବଢାଇ ଦେଉଥାଏ।ଏହିସମୟରେ ଏକ ଗାଈଟି ଗଛ ମୂଳେ ଆଶ୍ରୟ ନେବାପାଇଁ ଆସୁଥିଲା।ବାବୁଲା ଲକ୍ଷ୍ୟ କଲା ସେ ଗଛର ଏକ ବିରାଟ ଡାଳ ଭାଙ୍ଗି ଗାଈ ଉପରେ ପଡିବାକୁ ଯାଉଛି ଏହାଦେଖି ଗାଈଟିକୁ ସେ ରକ୍ଷାକରି ଦେଇଥିଲା କିନ୍ତୁ ତାର ନିଜର ହାତ ଉପରେ ଗଛର ବଡ ଡାଳଖଣ୍ଡ ପଡି ଯାଇଥିଲା।

ତଥାପି ଅନ୍ଧାର,ବର୍ଷା,ବିଜୁଳି ଆଉ ପବନର ଶିକାର ହୋଇ ନିଜେ ଘୋଷାଡି ମାଟି କାଦୁଅରେ ନିଜକୁ ନିୟନ୍ତ୍ରଣ କରି ଆଗକୁ ଆଗକୁ ଘୋଷାଡ଼ି ହୋଇ ଗଲା। ବହୁଦୂର ଆଗକୁ ଆଗକୁ ଏମିତି ଗଲାବେଳେ ହଠାତ୍ ଗୋଟିଏ ଘଡଘଡି ଶବ୍ଦରେ ଚମକି ପଡି ସେ ଖସି ପଡି ଲଥ କରି ଛିଟିକି ତଳେ ଥିବା ପାଣିରେ ପଡିଗଲା।ଦେହ ଯାକ କାଦୁଅରେ ଲଟପଟ। ପିନ୍ଧିଥିବା ଡ୍ରେସବି ଫାଟି ଯାଇଥାଏ।କେହିବି ଜଣେ ପାଖରେ ନ ଥାଆନ୍ତି ତାକୁ ସାହାର୍ଯ୍ୟ କରିବାପାଇଁ।ଚିତ୍କାର ଛାଡୁଥାଏ ବାବୁଲା ତଥାପି ଶୁଣିବାକୁ ପାଖରେ କେହି ନଥାନ୍ତି।ବର୍ଷାର ସେହି ମୂହୁର୍ତ୍ତରେ ତାର ଦୁଃଖ ଶୁଣିବ କିଏ? ତା ମାଆ ଖାଲି ଦାଣ୍ଡକୁ ବାରିକୁ ହେଉଥାଏ କେତେବେଳେ ବାବୁଲା ଆସିବ।

ପୁଣି ସେ ମନୋବଳ ଦୃଢକରି ଅସହାୟ ହୋଇ ସାହାର୍ଯ୍ୟ ପାଇଁ ଡାକ ଛାଡିଥିଲା।ତାର ସମସ୍ତ ଶକ୍ତି ଖଟାଇ ସେ ଆଗକୁ ଆଗକୁ ଚାଲିଥାଏ। ଦୃଢତାର ସହ ସେ ଘର ଆଗରେ ପହଞ୍ଚି ମାଆ ମାଆ ବୋଲି ଡାକଛାଡିଲା ।ଆଖି ସାମନାରେ ଏମିତି ଅବସ୍ଥାରେ ତା ମାଆ ତାକୁ ଦେଖି କୁଣ୍ଡାଇ ପକାଇ ଭେଁ ଭେଁ କରି କାନ୍ଦି ଉଠିଲେ। ସଙ୍ଗେ ସଙ୍ଗେ ବାବୁଲାକୁ ଡାକ୍ତରଖାନା ନେଇ ଥିଲେ ତା ମାଆ। ବାବୁଲା ତା ହାତଟି ହରାଇ ଚିରଦିନ ପାଇଁ ପଙ୍ଗୁ ହୋଇରହିଗଲା।ସେହିଦିନଠୁ ସେ ତାର ଗୋଟିଏ ହାତ ହରାଇ ବସିଥିଲା।ଏତେ କଷ୍ଟ ସହି ମଧ୍ୟ ସେ ହାରିନି କେବେ ତା ଜୀବନରେ।

ବାବୁଲାକୁ ୮ ବର୍ଷ ହୋଇଥିବା ବେଳେ ତା ବାପାଙ୍କ ନିଧନ ହୋଇଥିଲା।ଯେପରି ବେଡି ଉପରେ କୁରାଢି ସଦୃଶ…..ଦୁଃଖ ଉପରେ ପୁଣି ଆହୁରି ଦୁଃଖ।କିନ୍ତୁ ବାବୁଲା ଛୋଟିଆ ପିଲାଟିଏ ହୋଇ ନିଜ ମନ ବଳକୁ ନିଜେ ଦୃଢ଼ୀଭୂତ କଲା।ଦୁନିଆକୁ କିଛି କରି ଦେଖାଇବାକୁ ଚାହିଁଲା।ନିଜକୁ ପଙ୍ଗୁ ବୋଲି ଭାବିଲା ନାହିଁ।ନିଜ ମାଆ ଉପରେ ଆଉ ବୋଝ ହୋଇରହିବା ପାଇଁ ଚାହିଁଲା ନାହିଁ।

ସାଙ୍ଗସାଥିଠୁ ଆରମ୍ଭ କରି ସମସ୍ତେ ତାକୁ ଇଆଡୁ ସିଆଡୁ କହନ୍ତି।ଖେଳକୁଦ ଏବଂ ନାଚକୁଦ କରିବାକୁ ଭାରି ଭଲଲାଗେ ବାବୁଲାକୁ।ସମସ୍ତେ ତାକୁ ଟାହିଟାପରା କରି କହନ୍ତି ଏ ଛୋଟା ସବୁଥିରେ ଭାଗନେବ।ଛୋଟା ବୋଲି କହିଲେ ସମସ୍ତେ ବୁଝିଦିଅନ୍ତି।ବାବୁଲାକୁ ମଧ୍ୟ ଖରାପ ଲାଗେ ନାହିଁ।ତା ନାଆଁ କଣ ପଚାରିଲେ ସେ କହେ “ଛୋଟା ବାବୁଲା”।ତାର ଗୋଟିଏ ହାତ ଦୁଇ ପାଦ ଭଳି କାମ କରେ।ସେ ସେହି ଗୋଟିଏ ହାତରେ କେତେ ସିମେଣ୍ଟ ବସ୍ତା ମଧ୍ୟ ଉଠାଇଦିଏ।ସେଥିରୁ କିଛି ପଇସା ମିଳେ।ସେହି ପଇସାରେ ତା ପାଠପଢା ଖର୍ଚ୍ଚ କରେ।

ଦିନେ ଦୌଡିବା ପ୍ରତିଯୋଗିତା ସ୍କୁଲରେ ଅନୁଷ୍ଠିତ ହୋଇଥାଏ।ଦିନେ ବାବୁଲା ନିଜ ମାଆ ପାଖକୁ ଯାଇ କହିଲା ଦୌଡ ପ୍ରତିଯୋଗିତାରେ ଭାଗନେବି ଏବଂ ପୁରସ୍କୃତ ହେବି ।ପୁଅର ମୁହଁରୁ ଏପରି କଥାଶୁଣି ତା ମାଆ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।କ’ଣ ତୁ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଦୌଡିପାରିବୁ ?ତା ମାଆଙ୍କ ଠାରୁ ଏତିକି ଆଶୀର୍ବାଦ ପାଇ ମନୋବଳ ଦୃଢ କରି ସେ ସ୍କୁଲରେ ଦୌଡ ପ୍ରତିଯୋଗିତାରେ ଭାଗ ନେଇଥିଲା।ସମସ୍ତେ ତାକୁ ଟାହି ଟାପରା କରି କହିଲେ ଏ ଛୋଟା ପୁଣି ଆମ ସହ ଦୌଡିବ କିନ୍ତୁ ବାବୁଲା ମନ ଦୃଢକରି ଦୌଡ ପ୍ରତିଯୋଗିତାରେ ଭାଗ ନେଇ ଥିଲା।କିନ୍ତୁ ସେ ଦୌଡିବା ସମୟରେ ତାର ଆଣ୍ଠୁନଥିବା ଯାଗା ତଳେ ଘସି ହୋଇ ପ୍ରବଳ ରକ୍ତ ବାହାରିଥିଲା।ଫଳରେ ତାକୁ ଆଘାତ ଲାଗିଥିଲା କିନ୍ତୁ ତାର ନିଜ ଉପରେ ବହୁତ ବିଶ୍ବାସ ଥିଲା। ସେ ଅନବରତ ଦୌଡି ଚାଲିଥିଲା।ଅଜସ୍ର ତାଳି ବାଜିଲା ସମସ୍ତେ କଥାହେଲେ ଏ ବାବୁଲାର ସାହାସ ଏବଂ ଧର୍ଯ୍ୟ ବିଷୟରେ।

ତାର ସାହାସ ମନୋବଳ ଧର୍ଯ୍ୟ ଦେଖି ସମସ୍ତେ ହତବାକ ହୋଇ ରହି ଯାଇଥିଲେ।ଖଣ୍ଡିଆ ଗୋଡରେ ରକ୍ତ ଝରି ମଧ୍ୟ ସେ ଦୌଡୁଥିଲା।ଦିବ୍ୟାଙ୍ଗ ହୋଇ ବି ମନରେ ଅବଶୋଷ ନ ଥିଲା । ବାବୁଲା ର ଥିଲା ଆତ୍ମନିର୍ଭରଶୀଳତାର କ୍ଷମତା। ବାବୁଲା ହିଁ ନିଜେ ସମସ୍ତଙ୍କ ଭିତରୁ ପ୍ରଥମ ହୋଇଥିଲା।ରାଜ୍ୟସ୍ତରୀୟକୁ ଯିବାକୁ ସେ ବିବେଚିତ ହୋଇଥିଲା।

ଯେତେ ବାଧାବିଘ୍ନ କଷ୍ଟ ଆସିଲେ ବି ବାରଦୁଆରେ ହାତ ପତେଇନି ବାବୁଲା କେବେ। କିନ୍ତୁ ତାକୁ ବହୁତ କଷ୍ଟ ହେଉଥିଲା ଗୋଡ ନଥିବା ଲାଗି।ଘର ଖଣ୍ଡିଏବି ନଥିଲା ରହିବାକୁ।ଖରା,ବର୍ଷା ଓ ଶୀତ ତିନଟି ଯାକ ଋତୁରେ ନାହିଁ ନ ଥିବାର ସମ୍ମୁଖୀନ ହେବାକୁ ପଡୁଥିଲା ବାବୁଲାକୁ।ପାଖରେ ଟଙ୍କାଟିଏ ନଥିବା ଲାଗି ଅସୁବିଧାର ସମ୍ମୁଖୀନ ହେଉଥିଲା ବାବୁଲା।ଧୀରେ ଧୀରେ ତା ମନ ରେ ଖେଳକୁଦ ପ୍ରତି ଦୁର୍ବଳତା ବଢିବା ରେ ଲାଗିଲା ।ସେ ଦୁନିଆ ପାଇଁ କିଛି କରିବାକୁ ଚାହୁଁଥିଲା।

ମନେ ମନେ ଭାବୁଥାଏ ମନରେ ଦୃଢ ଇଛା ଶକ୍ତି ଥିଲେ ସବୁକିଛି ସମ୍ଭବ ହୋଇପାରେ।ଏଥିପାଇଁ ତା ମାଆ ତାକୁ ପ୍ରେରଣା ଦେଉଥିଲେ।ବାବୁଲାର ଭବିଷ୍ୟତ ତାର ଇଛା ଆଉ ଅନିଚ୍ଛା ପ୍ରଶ୍ନ ଜାଲରେ ଛନ୍ଦି ହୋଇ ଯାଉଥିଲା ।କଥାରେ ଅଛି ପରା “ପଙ୍ଗୁ ଲଙ୍ଘେ ଗିରି”।ଯାହା ଅନ୍ୟମାନଙ୍କୁ କଷ୍ଟକର ହୋଇଥାଏ ତାହା ଜଣେ ଉଦ୍ୟମୀ ଓ ସଂଘର୍ଷରତ ବ୍ୟକ୍ତି ପାଇଁ ଖୁବ୍ ସରଳ ମନ ହୋଇଥାଏ।

ରାଜ୍ୟସ୍ତରୀୟ ଦୌଡ ପତିଯୋଗିତାରେ ଭାଗ ନେବା ପାଇଁ ବହୁତ ଇଚ୍ଛା ହେଉଥିଲା ବାବୁଲାକୁ। ଏଥିପାଇଁ ପ୍ରଶିକ୍ଷକଙ୍କ ଠାରୁ ପ୍ରଶିକ୍ଷଣ ଦରକାର ଥିଲା। କିନ୍ତୁ ଗରିବ ଘରେ ଜନ୍ମ ହେବା ଲାଗି ଟଙ୍କା ପଇସାର ଅଭାବ ହେତୁ ଭଲ ପ୍ରଶିକ୍ଷଣ ପାଇ ପାରୁନଥିଲା।ସେ ସ୍କୁଲର ଛୁଟି ସମୟରେ ନିଜେ ଦୌଡିବାର ଅଭ୍ୟାସ କରୁଥିଲା।ଏପଟେ ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ କଲେଜରେ ମଧ୍ୟ ନାମ ଲେଖାଇଥିଲା ।କିନ୍ତୁ ସେ ଦୌଡିବାର ଅଭ୍ୟାସକୁ କେବେ ହାତଛଡା କରି ନଥିଲା।ତା ପାଖରେ ସର୍ବଗୁଣ ଥିବା ଲାଗି ସମସ୍ତେ ତାକୁ ଭଲ ପାଉଥିଲେ।

ଦିନେ ସେ କଲେଜର ପଡିଆରେ ଏକାକୀ ଦୌଡିବା ସମୟରେ କଲେଜର କୁଳପତିଙ୍କ ନଜରକୁ ବାବୁଲା ଆସିଥିଲା।ତାର ଖେଳକୁଦର ଆଗ୍ରହ ଦେଖି କୁଳପତି ଏକ ଦୌଡ କୋଚ ସହିତ ତାର ପରିଚୟ କରାଇଥିଲେ।ପ୍ରଶିକ୍ଷକ ବାବୁଲାର ଦୌଡିବାର ଆଗ୍ରହ ଦେଖି ତାକୁ ପ୍ରଶିକ୍ଷଣ ଦେଇ ଦୌଡିବାର ଅଭ୍ୟାସ କରାଇଲେ।ବାବୁଲାକୁ ନିଜ ହୋଷ୍ଟେଲକୁ ନେଇ ତାକୁ ଟ୍ରେନିଙ୍ଗ୍ ଦେଇ ରାଜ୍ୟସ୍ତରୀୟ ଦୌଡ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ।ବାବୁଲା ଦିବ୍ୟାଙ୍ଗ ହୋଇଥିବା ଲାଗି ଉଚ୍ଚଶିକ୍ଷା ବୈଷୟିକ ଶିକ୍ଷାନୁଷ୍ଠାନର ସହାୟତା ଦ୍ବାରା ବିନା ମୂଲ୍ୟରେ ସେ ଦୌଡିବାର ଶିକ୍ଷା ପାଇପାରିଥିଲା।

ସେବେଠାରୁ ପଛକୁ ଫେରିନାହିଁ ବାବୁଲା।ପ୍ରଶିକ୍ଷଣ ବାବୁଲାକୁ ନିଜ ଘରେ ରଖି ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ।ବାବୁଲାର କୋଚ୍ ବାବୁଲାକୁ ଭଲ ଡାକ୍ତରଙ୍କୁ ଦେଖାଇ କୃତିମ ଗୋଡ ଦୁଇଟି ଲଗାଇ ଦେଇଥିଲେ।ସେ ଭଲ ଦୌଡିପାରିଥିଲା।କୋଚଙ୍କଠାରୁ ପ୍ରଶିକ୍ଷଣ ନେବା ମାତ୍ରେ ବାବୁଲା ରାଜ୍ୟ ସ୍ତରରେ ଯଶସ୍ବୀ ଲାଭ କରିଥିଲା।ସେ ଜାତୀୟସ୍ତରକୁ ଯିବାକୁ ଯୋଗ୍ୟ ବିବେଚିତ ହୋଇଥିଲା।

ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ +୩ କଳା ବିଭାଗରେ ନାମ ଲେଖାଇ ଅର୍ଥନୀତିରେ ସ୍ନାତକୋତ୍ତର କରିଥିଲା।କଲେଜ ତରଫରୁ ତାକୁ ସ୍ବର୍ଣ୍ଣ ପଦକ ମଧ୍ୟ ମିଳିଥିଲା।ଏହାପରେ ସେ IAS ପାଇଁ ପଢାପଢି ଆରମ୍ଭ କଲା ଏବଂ ଦୌଡିବା ପକ୍ରିୟାକୁ ମଧ୍ୟ ଆପଣାଇଥିଲା।

ସେ ଜାତୀୟସ୍ତରୀୟ ଦୌଡ ପ୍ରତିଯୋଗିତାରେ ସମ୍ମାନସ୍ପଦ ସହ ଭାଗ ନେଇ ସ୍ବର୍ଣ୍ଣ ପଦକ ପାଇଥିଲା।ସେଠୁ ସେ ଆନ୍ତର୍ଜାତୀୟ ସ୍ତରକୁ ଯିବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲା।

ଦେଶ ଏବଂ ଦେଶ ବାହାରେ ସମସ୍ତେ ତାକୁ ପ୍ରଶଂସା କରିବାକୁ ଲାଗିଲେ।ସବୁ ଟିଭି ଚ୍ୟାନେଲରେ ତାର ସଂଘର୍ଷମୟ କାହାଣୀ ପ୍ରସାରିତ ହେଲା।ବହୁ ବଡ ବଡ ଜଣାଶୁଣା ଖେଳାଳୀମାନେ ବାବୁଲା ପାଖକୁ ଆସି ତାହା ସହ ବନ୍ଧୁତ୍ବ ସ୍ଥାପନ କଲେ। ବିଭିନ୍ନ ଟିଭି ଚ୍ୟାନେଲ୍ ତାର ବିଷୟରେ ଜାଣି ବାବୁଲାକୁ ନିମନ୍ତ୍ରିତ କରିଥିଲେ ତାର ଜୀବନର ଅନୁଭୂତି ସଂପର୍କରେ ବିସ୍ତୃତ ବିବରଣୀ ଦେବାପାଇଁ।ଖେଳପ୍ରତି ତାଙ୍କର ଆଗ୍ରହ କେବେଠୁ ହେଲା ସେ ପ୍ରେରଣା କାହା କାହାଠୁ ପାଇଛି ଏମିତି ବହୁ କିଛି ପ୍ରଶ୍ନର ଉତ୍ତର ଦେଇଥିଲା।

ଏଥିପାଇଁ ସେ ନିଜ ମାଆଙ୍କୁ ବହୁ ପ୍ରଶଂସା କରିଥିଲା।ବାବୁଲା ଠିକ୍ ଏତିକି କହିବା ସମୟରେ ତା ଆଖିରୁ ଧାର ଧାର ଲୁହ ଝରିପଡୁଥିଲା।ଜଣେ ଦିବ୍ୟାଙ୍ଗ ହୋଇ ସମାଜରେ କେତେ ଟାହିଟାପରା ଶିକାର ହୋଇ ମଧ୍ୟ ନିଜ ବାପା ଏବଂ ମାଆଙ୍କ ଆଶୀର୍ବାଦରେ ଭଗବାନଙ୍କ କରୁଣାରୁ ଆଜି ଏହି ସ୍ଥାନରେ ସେ ପହଞ୍ଚିପାରିଛି ସେ କହିଚାଲୁଥିଲା ତା ଜୀବନରେ ଘଟିଥିବା ସଂଘର୍ଷମୟ କାହାଣୀମାନ…. ଅନ୍ୟ ଦିବ୍ୟାଙ୍ଗମାନେ ତାଠାରୁ ଦେଖି ବହୁକିଛି ଶିଖିବାକୁ ପାଇଥିଲେ।

ମନରେ ଯଦି ସାହାସ ରଖି ଲକ୍ଷ୍ୟପଥରେ ଅଗ୍ରସର ହେଲେ ସବୁକିଛି ସମ୍ଭବ ହୋଇପାରେ ସେ ଦୃଢ଼ତା ପ୍ରକାଶ କରିଥିଲା ।

ଆନ୍ତର୍ଜାତୀୟ ସ୍ତରରେ ଦୌଡପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଦେଶ ଏବଂ ଜାତି ପାଇଁ ଗର୍ବଗୌରବ ଆଣିଦେଲା ବାବୁଲା। ଶେଷରେ ଏକ ଅଦ୍ଭୁତ ଓ ଅନନ୍ୟ ଅନୁଭୂତି ନେଇ ନିଜ ଘରକୁ ଫେରିଥିଲା ବାବୁଲା। ଯାହାକୁ ସେ ନିଜ ଭାଷାରେ ବି ବର୍ଣ୍ଣନା କରିପାରୁନାହିଁ । ଆଉ ଏସବୁ ସମ୍ଭବ ହୋଇପାରିଛି ନିଜ ଚେଷ୍ଟା ଏବଂ ଦୃଢ଼ ମନୋବଳ ପାଇଁ ।

ବାହାରେ ସିଏ ଯିବା ସମୟରେ ତାକୁ ଯେଉଁମାନେ ଛୋଟାବାବୁଲା ଡାକୁଥିଲେ ଆଜି ସମସ୍ତଙ୍କ ମୁହଁରେ ଖାଲି ସାର୍ ସାର୍ ସମ୍ବୋଧନ। ଯିବା ଆସିବା କରିବା ପାଇଁ ଗାଡି ଦିଆଗଲା।ଫ୍ଲାଇଟ୍ ଖର୍ଚ୍ଚ ସବୁ ସରକାର ବହନ କଲା।

ବାବୁଲା ଇତିମଧ୍ୟରେ  ଦିବ୍ୟାଙ୍ଗ ପିଲାମାନଙ୍କୁ ଫ୍ରି ଟ୍ରେନିଙ୍ଗ୍ ଦେଇ ଲୋକଲୋଚନକୁ ଆସିଯାଇଥିଲା।ସେହି ଦିବ୍ୟାଙ୍ଗ ଭିତରୁ ବହୁପିଲା ନା ରଖିଥିଲେ କିଏ ରାଜ୍ୟସ୍ତରରେ ଆଉ କେହି ଜାତୀୟସ୍ତରରେ।

ଦୃଢ ଆତ୍ମବିଶ୍ବାସ ଏବଂ କଠିନ ପରିଶ୍ରମ ଦ୍ବାରା ଯେ କୌଣସି କାର୍ଯ୍ୟ ହାସଲ କରାଯାଇପାରିବ।ଏଥିପାଇଁ ଦୃଢ ମନୋବଳ ଦରକାର।ନିଜକୁ ଛୋଟ ଭାବିବା ଆଦୌ ଉଚିତ୍ ନୁହଁ।‘ମୁଁ ଯମା କରି ପାରବିନି’; ‘ମୋ ଦେଇ ଏହା ହେବନି’ ଏପରି ଭାବିବା ଭୁଲ ଅଟେ।

ମନରେ ଯାହା ଇଚ୍ଛା ଥିଲେ ବି ଆଗରେ ଯଦି ପ୍ରତିବନ୍ଧକ ଲାଗିଗଲା ତାହା ଅବଶୋଷ ହୋଇ ରହିଯାଏ।ମଣିଷ ଜୀବନରେ ସବୁ ଲକ୍ଷ୍ୟ ପୂର୍ଣ୍ଣ ହେବ ବୋଲି କିଛି ମାନେ ନଥାଏ।ବେଳେ ବେଳେ କିଛି ପ୍ରତିବନ୍ଧକ ବାଧା ଉପୁଜୁଥାଏ।ସବୁ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ଜୀବନରେ। ହାର ଜିତ ସବୁବେଳେ ଲାଗିଥାଏ ।ମଣିଷ ଜୀବନରେ ନିଜକୁ ଦୁର୍ବଳ ଅକର୍ମଣ୍ୟ ବୋଲି ଭାବିବା ଆଦୌ ଠିକ୍ ନୁହଁ।ସବୁପ୍ରକାର ପରିସ୍ଥିତିର ସାମ୍ନା କରି ଦୃଢ ମନୋବଳରେ ନିଜକୁ ଅକର୍ମଣ୍ୟ ନ ଭାବି ସଠିକ୍ କାର୍ଯ୍ୟକରି ଦକ୍ଷତା ଦେଖାଇ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବ ଯେ କେହିବି…. ଏଥିରେ କୌଣସି ସନ୍ଦେହ ନାହିଁ!!

ଯେ କୌଣସି ବିଦ୍ୟାର ଶିକ୍ଷା ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ନଥାଏ। ଏଥିପାଇଁ ଦୃଢ ଆତ୍ମବିଶ୍ବାସ, ମନୋବଳ, ଧୈର୍ଯ୍ୟ ଏବଂ ଚେଷ୍ଟା ନିହାତି ଜରୁରୀ।ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ ଦରକାର ଯେକୌଣସି ଅବା କ୍ଷେତ୍ରରେ ହେଉ ନିଜକୁ ଅସମର୍ଥ ଏବଂ ଅକର୍ମଣ୍ୟ ଭାବିବା ଆଦୌ ଠିକ୍ ନୁହଁ।

Leave A Reply

Your email address will not be published.