Latest Odisha News

BREAKING NEWS

ଚରିତ୍ର ଓ କାହାଣୀ ସହ ଏକାକାର ନହେଲେ ଭଲ ଗପଟିଏ ଲେଖି ହୁଏ ନାହିଁ : ଗାୟତ୍ରୀ ସରାଫ

ଗାୟତ୍ରୀ ସରାଫ ଜଣେ ଏମିତି ସ୍ରଷ୍ଟା ଯେ ନିଜକୁ କେଉଁଠି ବି ଜାହିର କରନ୍ତି ନାହିଁ । ତାଙ୍କ ଗଳ୍ପ କିନ୍ତୁ ଜାହିର କରେ ତାଙ୍କର ସ୍ୱତନ୍ତ୍ରତା । ଗଳ୍ପରୁ ତାଙ୍କୁ କଳ୍ପନା କଲେ ବାସ୍ତବରେ ସେ ଅକଳନୀୟ ମନେ ହୁଅନ୍ତି। ସମଗ୍ର ପୃଥିବୀ ତାଙ୍କର ଗଳ୍ପଭୂମି ଏବଂ ସମଗ୍ର ମାନବ ଜାତି ତାଙ୍କ ଗଳ୍ପର ଚରିତ୍ର । ଆବେଗକୁ ସମ୍ଭାଳି ଚରିତ୍ର ମାନଙ୍କ ପ୍ରତି ସେ ଯେପରି ଦରଦୀ ଅଥଚ ଯାବତୀୟ ଅସଙ୍ଗତି ଓ ଅମାନବିକତା ପ୍ରତି ଯେଉଁ ଭଳି ବିଦ୍ରୋହ ଘୋଷଣା କରନ୍ତି ତାହା ଅନ୍ୟ ସ୍ରଷ୍ଟାଙ୍କ ପାଖରେ ଖୁବ କମ ଦେଖିବାକୁ ମିଳେ।ଲେଖନୀ ଚାଳନା କରି ସେ ଫୁଟାଇ ପାରନ୍ତି ଜୀବନ୍ତ ଚରିତ୍ର ।

ତାଙ୍କ ଲେଖନୀ ନିଃସୃତ ଆଲୋକିତ ଅନ୍ଧାର , ଆଇନାର ଜହ୍ନ , ନିଜସ୍ୱ ବସନ୍ତ ,ପ୍ରେମିକା ପରି କେହି ଜଣେ , ବାପା ଭଲ ଅଛନ୍ତି , ନୀଳ ଜହ୍ନର ଜୁଇ , ସ୍ମୃତିର ଚିତ୍ର ନଦୀ , ଶେଷ ବିଦାୟର ଗୀତ , ଛାଇର ବମୁର ଗଛ , ବର୍ଷାର ଓଢଣା ତଳେ , ଅସିଦ୍ଧ ଅଧ୍ୟାୟ, ଇଟା ଭାଟିର ଶିଳ୍ପୀ , କେହିତ ଜଣେ ଇତ୍ୟାଦି ପୁସ୍ତକ ପାଠକଙ୍କ ଦ୍ୱାରା ବେଶ ଦ୍ୱାରା ଆଦୃତ । ଅନାହତ ପରମ୍ପରା ( କେନ୍ଦ୍ର ସହିତ୍ୟ ଏକାଡେମୀ ତରଫରୁ ପ୍ରକାଶିତ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଲେଖିକାଙ୍କ କ୍ଷୁଦ୍ରଗଳ୍ପ ) ପୁସ୍ତକଟି ତାଙ୍କ ଦ୍ୱାରା ସମ୍ପାଦିତ ଓ ସଂକଳିତ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର , ସୁଚରିତା ଶ୍ରେଷ୍ଟ ଗାଳ୍ପିକା ପୁରସ୍କାର , କାଦମ୍ବିନୀ ଗଳ୍ପ ସମ୍ମାନ , ଝଙ୍କାର ଗଳ୍ପ ପୁରସ୍କାର , କୋଣାର୍କ ସାହିତ୍ୟ ସମ୍ମାନ , ସାଗରିକା ସମ୍ମାନ , ଯୁଗଶ୍ରୀ ଯୁଗନାରୀ ଗଳ୍ପ ସମ୍ମାନ , ଧରିତ୍ରୀ ସମ୍ମାନ , ଗଙ୍ଗାଧର ସମ୍ମାନ , ସୁଧନ୍ୟା ସମ୍ମାନ , ଅଳକା ସମ୍ମାନ ଇତ୍ୟାଦି ଅନେକ ପୁରସ୍କାର ଓ ସମ୍ମାନରେ ସେ ସମ୍ମାନିତ ।

ଓଡ଼ିଆ ସାହିତ୍ୟର ସେଇ କାଳଜୟୀ ସ୍ରଷ୍ଟା ଗାୟତ୍ରୀ ସରାଫଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ।

୧. ସୃଜନଶୀଳତାର ମୌଳିକ ଅବଧାରଣାଟି କ’ଣ?

ଉତ୍ତର : ଜଣେ ସାଧାରଣ ମଣିଷଠୁ ଭିନ୍ନ ଜଣେ ସୃଜନଶୀଳ ମଣିଷ  ତାର ଚିନ୍ତା ଚେତନା ଭାବ, ଭାବନା ସାଧାରଣ ଚିନ୍ତା ,ଭାବନା ଠାରୁ ଉର୍ଦ୍ଧ୍ବରେ। ସେହି ଅନୁସାରେ ଚିତ୍ରିତ ହୋଇଥାଏ ତାର ସ୍ୱଭାବ ଓ ଚରିତ୍ର। ଅନ୍ଧାର ପଛର ବାସ୍ତବତା ଜାଣିବାକୁ ସେ ଚେଷ୍ଟା କରେ । ସ୍ଥୂଳ ରୁ ସୂକ୍ଷ୍ମ ଉପଲବ୍ଧି ଆଡ଼କୁ ତାର ଯାତ୍ରା  । ଜାତି ଧର୍ମ ନଥାଏ ତା’ର । ସେ ନିଜେ ହିଁ ନିଜର ପରିଚୟ | ସେ ଦୁଇଟି ଆଖିରେ ଦୁନିଆକୁ ଦେଖେ । ତା ‘ ଖୋଲା ଆଖିରେ ଦେଖେ ସେ ସୀମିତ ଦୁନିଆ ବନ୍ଦ ଆଖିରେ ଦେଖେ ଅନନ୍ତ ବ୍ରହ୍ମାଣ୍ଡ ।  ଭାବନାର ସମୁଦ୍ରରେ ବୁଡି ସେ ପୁଣି ମୋତି ସଂଗ୍ରହ କରେ।  ପଥର ଭିତରେ ଅନୁଭବ କରେ ସ୍ପନ୍ଦନ। ସେ ଅନ୍ୟ ମାନଙ୍କଠୁ ଅଲଗା , ଗୋଟେ ଭିନ୍ନ ପୃଥିବୀର ବାସିନ୍ଦା  । ଶବ୍ଦ ବ୍ରହ୍ମାଣ୍ଡକୁ ନେଇ ତାର ଜୀବନ ।

 

୨. ଲେଖା ଲେଖି କେବେ ଆରମ୍ଭ କଲେ ?

ଉତ୍ତର : ପିଲାବେଳୁ ପକ୍ଷୀ, ଫୁଲ ,ଗଛଲତା ଓ ଆକାଶବାଣୀ କଟକ ପ୍ରଥମେ ମତେ ଗୀତି କବୀ କରିଥିଲେ। ତାପରେ ଘରେ  ଥିବା ଛୋଟ ଲାଇବ୍ରେରୀରେ ଶୋଭାପାଉଥିବା କାହ୍ନୁ ଚରଣ , ଗୋପୀନାଥ , ପଣ୍ଡୁରୀ , ଚରଣ , ସୁରେନ୍ଦ୍ର ମହାନ୍ତି , ବିଭୁତି ପଟ୍ଟନାୟକ ମୋ ହାତରେ କଲମ ଧରେଇ ଗପ ଲେଖେଇ ନେଲେ। ଲେଖା ଲେଖି ମୋର ଶ୍ୱାସ ପ୍ରଶ୍ୱାସ ହୋଇଗଲା। ପରେ ପରେ ନ ଲେଖିଲେ ମତେ ରୁନ୍ଧି ହେଲା ପରି ଲାଗିଲା। ଗପ ଲେଖା ହେଲା ମୋର ଅମ୍ଳଜାନ , ପ୍ରାଣ ସ୍ପନ୍ଦନ । ସେ ହେଲା ମୋର ସାଥି ସହଚରୀ । ସେ ମୋ ପାଖରେ ଅଛି ବୋଲି ମୁଁ ମୁଣ୍ଡ ଟେକି ବାଟ ଚାଲେ। ମତେ ଆହୁରି ଲେଖିବାର ଅଛି। ଏବେ ଚାଲିବାର ଅଛି ଅନେକ ବାଟ। ସେଥିପାଇଁ ପାଠକଙ୍କ ଶୁଭେଛା ମୋର କାମ୍ୟ  ।

୩. ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ କି?

ଉତ୍ତର: ଜୀବନ ଓ ସୃଜନକୁ ନୂଆକରି ଦେଖିବା ପାଇଁ ସୁଯୋଗ ପାଇଲେ ଲେଖକ ମାନେ ଆଧୁନିକତା ମାଧ୍ୟମରେ । ଏଥିରେ କିନ୍ତୁ ବିଷ୍ଣୁ ଶର୍ମା କିମ୍ବା ଅବୋଲକରା କାହାଣୀର ଆଦର୍ଶ ସମ୍ପୃକ୍ତ ରହିବା ଆବଶ୍ୟକତା ରହିଛି । ସ୍ୱଚ୍ଛ ସାହିତ୍ୟ ହିଁ ମଣିଷକୁ ଠିକ ବାଟ ଦେଖାଏ । ମାନବିକତାର ମନ୍ତ୍ର ଶିଖାଏ। ଲେଖାରେ ମଦ୍ୟପାନ ,ଯୌନ ଉତ୍ତେଜନା , ଯାହା ମଣିଷକୁ ଦିଶାହୀନ କରିଦିଏ , ସେସବୁକୁ ପ୍ରଶୟ ଦିଆଗଲେ ସମାଜରେ ଛାଇଯିବ ଘନ ଅନ୍ଧକାର ।କିଛି ନୀତି କିଛି ଆଦର୍ଶ , କିଛି ସଂସ୍କୃତି ବାନ୍ଧି ରଖେ ସମାଜକୁ । ଜଣେ ଲେଖକ ଯେହେତୁ ସାହିତ୍ୟ ଓ ସମାଜ ପାଖରେ ୠଣୀ, ତା’ ଲେଖନୀରେ ରହିବା କଥା କିଛି ବାର୍ତ୍ତା ଓ ଆଦର୍ଶର ସ୍ୱର , ଯାହା ପଢି ପାଠକର ମନପ୍ରାଣ ଆଲୋକିତ ହେବ । ସାହିତ୍ୟ ଯେଉଁ ଦିଗକୁ ଯାଏ,ଆଲୋକ ହିଁ ନେଇଯାଏ । ଏହା କେବଳ ସତ୍ୟ ସୁନ୍ଦର ନୁହେଁ ,ମଙ୍ଗଳମୟ ବି।

୪.କୁହାଯାଉଛି ଗପ ଏବେ ଗଣ ଚେତନାରୁ ଦୂରେଇ ଯାଉଛି, ଆପଣ କିପରି ମତ ରଖିବେ?

ଉତ୍ତର: କିଛିଟା ଠିକ ।  ଦୂରେଇ ଯାଉଛି ଗାଆଁ ଏବେ ଗଣ ଚେତନାରୁ । ଗପରେ ଆଗରୁ ଗାଁ ଥିଲା , ପରିବାର ଥିଲା , ପର୍ବ ପର୍ବାଣୀ, ସଂସ୍କୃତି ପରମ୍ପରାର ଚିତ୍ର ଥିଲା । ଏବେ ସଭିଏଁ ସହର ମୁହାଁ । ଏବେ ଆଉ ପରିବାର ନାହିଁ , ସମ୍ପର୍କ ନାହିଁ। ସୁଖ, ଆନନ୍ଦ ଓ ଏକତା ଭାବ କାହିଁ ? ପଶ୍ଚିମ ଓଡ଼ିଶାର ନୂଆଖାଇ ପର୍ବ କଥା କୁହାଯାଉ। ଆନନ୍ଦ  ଉଲ୍ଲାସ  , ଏକତାର ପର୍ବ ନବାନ୍ନ ଭକ୍ଷଣ । ଯିଏ ଯେତେ ଦୂରରେ ଥିଲେ ବି ସେଦିନ ଘରକୁ ଫେରୁଥିଲେ । ଏକାଠି ନୂଆ ଖାଉଥିଲେ । କିନ୍ତୁ ଏବେ ସେ ଚମକ ଭାବାବେଗ କାହିଁ ? ସମୟ ବଦଳିଛି ବେଗ ଅଛି, ଆବେଗ ନାହିଁ । ସାହିତ୍ୟ ଗଣ ହୋଇ ଆଉ ରହିନାହିଁ । ପାରସ୍ପରିକତା ବି ଆଉ ନାହିଁ ।ତେବେ  ବିବ୍ରତ ହେବାର କିଛି ନାହିଁ । ସମୟ ଅନୁସାରେ  ଗପରେ ଆଧୁନିକ ଜୀବନର ଚିତ୍ରଗୀତି ରହିଛି । ଆଉ ସାହିତ୍ୟ ଏବେ ଅଧିକ ଗ୍ରହଣୀୟ ହୋଇ ସାରିଛି ,ଇଏବି ଆଶ୍ଵାସନା ।

୫. ନାରୀବାଦୀ ତତ୍ତ୍ବଟି ପୁରୁଷକୁ ଅତିକ୍ରମ କରିବା ନା ନିଜକୁ ଉନ୍ମୁକ୍ତ କରିବା ନା ପାରମ୍ପରିକତା ଭାଙ୍ଗି ସମାନ ପ୍ରତିଷ୍ଠା ପାଇବାରେ ଅପେକ୍ଷା ରଖେ?

ଉତ୍ତର : ପୁରୁଷ ତନ୍ତ୍ରର ମାନସିକତା ଯୋଗୁ ନାରୀକୁ କେବେ ସମାନ ଦୃଷ୍ଟିରେ ଦେଖାଯାଏ ନାହିଁ  । ସତେ ଯେମିତି ତାହା ଏକ ସୁସ୍ଥ ପରମ୍ପରା । ତେଣୁ ସେ ପାରମ୍ପରିକତା ଭାଙ୍ଗି ସମତା ପାଇଁ ହିଁ ନାରୀବାଦୀ ତତ୍ତ୍ୱ । ଲକ୍ଷ୍ମୀ ପୁରାଣରେ ଦେବୀ ଲକ୍ଷ୍ମୀ ସେ ସମତା ହିଁ ତ ଚାହିଁଥିଲେ । ପୁରୁଷକୁ ଅତିକ୍ରମ କରିଯିବାର ତତ୍ତ୍ୱ ସେ ନୁହେଁ । ନିଜକୁ ଉନ୍ମୁକ୍ତ କରିବା ପାଇଁ ବି ସେ ଲଢେଇ ନୁହେଁ । ପ୍ରଚଳିତ ଚିନ୍ତାଧାରା ଓ ଦୃଷ୍ଟି ଭଙ୍ଗୀରେ ନାରୀ ଟିକେ ନୂତନତା  ଚାହେଁ।ସାର୍ଟର ବୋତମଠୁ ପୁରୁଷର ଆତ୍ମବିଶ୍ୱାସ ଯୋଡ଼ିବାର ଦକ୍ଷତା ରଖେ ନାରୀ । ତା ଚାହିଁବା ବାଟକୁ ସେ ସହଜ ଓ ସରଳ କରିଦିଏ। ଅଥଚ ସେ ସଙ୍ଗିନୀ। ତା’ସହ ସମାନ, ସବୁ ପୁରୁଷ ଏ କଥାଟିକୁ  ସ୍ୱୀକାର କରି ପାରନ୍ତିନି କାହିଁକି ? ତେଣୁ ସମାଜ ଓ ସମୟ ଦୁହିଁଙ୍କର ଡେଣା ଆହତ । ତେଣୁ ଜାରି ରହିଛି ନାରୀର ଲଢ଼େଇ ସମତା ପାଇଁ । ତେବେ ସବୁ ଲଢ଼େଇ ଆମ ହାତରେ ନଥାଏ ।କିଛି ଥାଏ ଶକ୍ତିମାନ ସମୟ ହାତରେ । ସେ ସମୟକୁ ଅପେକ୍ଷା କରାଯାଇପାରେ ।

୬.ନାରୀଟି ମାନବୀ ହେବ ନା ଭୈରବୀ ବା ବୈଷ୍ଣବୀ ହେବ? ଯଦି ଆପଣଙ୍କ ଉତ୍ତର ମାନବୀ ହୁଏ, ତାର ସେହି ମାନବୀୟ ସ୍ୱରୂପଟି କ’ଣ ଓ ତାହା ସାମ୍ପ୍ରତିକତା ସହିତ କେତେ ସାମ୍ୟ ରଖେ?

ଉତ୍ତର: ନାରୀ ଶତ ପ୍ରତିଶତ ମାନବୀ ହିଁ  । ସେ ବୈଷ୍ଣବୀ ନୁହେଁ କି ଭୈରବୀ ନୁହେଁ । ହଁ , ଯେଉଁ ନାରୀ ନିଜ ଭିତରେ ସାହସ ସଞ୍ଚୟ କରେ ସେ ଦୁର୍ଗା , ଯେ ନିଜକୁ ବଦଳାଏ ସେ କାଳୀ , ଯେ ନିଜ ଭିତରେ ଭକ୍ତି ଜଗାଏ ସେ ପାର୍ବତୀ । ନାରୀର ମାନବୀୟ ସ୍ୱରୂପଟି ସାମ୍ପ୍ରତିକତା ସହ କେତେ ସାମଞ୍ଜସ୍ୟ ରଖେ ? ଏହାର ଉତ୍ତରରେ ଏହା କୁହାଯାଇପାରେ ଯେ ସମୟ ରଚନା ଭିତରୁ  ବାହରିକି ଜଣେ  କୁଆଡେ ଯାଇ ପାରିବ ? ସମୁଦ୍ରରେ ଭାସୁଥିବା ଗୋଟିଏ ଶୁଖିଲା ପଇଡ଼ ଲହଡ଼ିକୁ ଛାଡ଼ି ଯିବ କୁଆଡେ ? ତାର ଗତି କେବଳ ତଳ ଉପର ସେ ଲହଡ଼ି ଭିତରେ। ଲହଡ଼ି ଟି ହେଲା ସାମ୍ପ୍ରତିକତା ଏବଂ ପଇଡ଼ଟି ହେଲା ନାରୀ ।

୭. ଓଡ଼ିଆ ଭାଷାରେ ଲେଖିକା ମାନଙ୍କ ପ୍ରଭାବ କିପରି?

ଉତ୍ତର : ସାହିତ୍ୟରେ ଲିଙ୍ଗ ଭେଦର ପ୍ରଚଳନ ରହିଛି। ତେଣୁ ଏ ପ୍ରଶ୍ନଟି ଆପଣ ପଚାରିଛନ୍ତି । ତେଣୁ  ତାକୁ ନ ମଣିଲେ ବି କହିବି ଯେ ଖୁବ ପ୍ରଭାବଶାଳୀ ଏବେ ପ୍ରଗତିଶୀଳ ଲେଖିକାଙ୍କ ସୃଜନ ଯାତ୍ରା। ଉଲ୍ଲସିତ ଚେତନା ନେଇ ଏବେ ତାଙ୍କର ସ୍ୱର ସ୍ପଷ୍ଟ ଓ ଅଧିକ ଶାଣିତ । ଗପ କବିତାର କାନଭାସ ବେଶ ପ୍ରଶସ୍ତ। ଯେତେ ସବୁ ବଡ଼ ବଡ଼ ପୁରସ୍କାର ଓ ସମ୍ମାନ ଲେଖିକା ମାନେ ହିଁ ପାଉଛନ୍ତି । ନାରୀ ବୋଲି ଯେ ସେମାନଙ୍କୁ ଦିଆ ଯାଉଛି ତାହା ନୁହେଁ ।ସେମାନଙ୍କ ସେଭଳି ଦକ୍ଷତା ଓ ଯୋଗ୍ୟତା ରହିଛି ।ସ୍ୱାଭିମାନ ସହ କଲମ ଧରି ସେମାନେ ଆଜି ଅଗ୍ର ଭାବରେ । ନୂଆ ଦୃଷ୍ଟି ଓ ଦୃଷ୍ଟିଭଙ୍ଗୀ ନେଇ ସୃଜନ ଜଗତକୁ ଅଧିକ ସମୃଦ୍ଧ  କରୁଛନ୍ତି ସେମାନେ । ସେମାନଙ୍କ ଗପ କବିତା ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହେଉଛି ଏବଂ ତା’ରି ମାଧ୍ୟମରେ ସେମାନେ ପହଁଚି ଯାଉଛନ୍ତି ସର୍ବଭାରତୀୟ ସ୍ତରରେ। ମନ ଠାରୁ ଆକାଶ ପର୍ଯ୍ୟନ୍ତ ଏବେ ପରିବ୍ୟାପ୍ତ ତାଙ୍କର ଯାତ୍ରା , ଭୂମି ଠାରୁ ଭୂମା ଯାଏଁ ତାଙ୍କର ସାହିତ୍ୟ ସାମ୍ରାଜ୍ୟ।

୮ .କାହିଁକି ଲେଖିଲେ”ଇଟାଭାଟିର ଶିଳ୍ପୀ”? ସେଥିରେ ଆପଣ କେତେ ଆତ୍ମସ୍ଥ?

ଉତ୍ତର : ବଲାଙ୍ଗୀର ମୋ ଜନ୍ମ ମାଟି । ତାର ଗୋଟିଏ ବିରାଟ କ୍ଷତ ରହିଛି ଦାଦନ ସମସ୍ୟାର ଅଲିଭା କ୍ଷତ । ଥପ ଥପ ରକ୍ତ ନିଗିଡି ପଡୁଥାଏ । ନିଜ ଅଞ୍ଚଳରେ କାମଧନ୍ଦା ନପାଇ ପେଟ ପାଇଁ ପ୍ରତି ବର୍ଷ ବାହାରର ଇଟାଭାଟିକୁ ହଜାର ହଜାର ସଂଖ୍ୟାରେ ଲୋକ ଦଲାଲ ମାଧ୍ୟମରେ ଯାଆନ୍ତି । ସେଇଠି ମାଲିକର ଅକଥନୀୟ ଅତ୍ୟାଚାର , ନିର୍ଯ୍ୟାତନା ତାଙ୍କୁ ସହିବାକୁ ହୁଏ। କାହାର ହାତ କଟେ , କିଏ କୁଆଁରୀ ମା ହୋଇଯାଏ । କିଏ ଫେରେ , କିଏ ନିଖୋଜ ହୋଇଯାଏ । ନିଜ ମାଟିର ଏଇ ଦୁଃଖଟି ମତେ ଛୁଇଁ ଯାଏ । ଯାହାସବୁ ଛୁଏଁ , ଭେଦେ ତାକୁ ନେଇ ମୁଁ ଗପ ଲେଖେ । ଏଇ ବିଷୟକୁ ନେଇ ବି ଗପ ଲେଖିଲି । ସାରା ଦେଶକୁ ଜଣେଇଦେବାକୁ ଚାହିଁଲି ଏ ବିଷୟରେ।  ହୁଏତ ସମାଧାନ ଲାଗି କିଛି ପ୍ରୟାସ ହୋଇପାରେ । ଗପଟି ଲେଖିବା ଆଗରୁ କିଛି ଜଣ ଦାଦନ ଶ୍ରମିକଙ୍କୁ ମୁଁ ଭେଟିଛି । ତାଙ୍କ ସ୍ୱରରେ ନିର୍ଜନତାର କାହାଣୀ ଶୁଣିଛି । ତାଙ୍କ ସାଙ୍ଗରେ କାନ୍ଦିଛି । ତାପରେ ଯାଇ ଲେଖିଛି । ଦାଦନ ନାରୀ କଥା ଲେଖିଲା ବେଳେ ମୁଁ  ଦାଦିନୀର  ଦୁଃଖକୁ ବରିଛି। ଇଟାଭାଟିର ନିଆଁରେ ଜଳିଛି । ଚରିତ୍ର ଓ କାହାଣୀ ସହ ଏକାକାର ନହେଲେ ଭଲ ଗପଟିଏ ଲେଖି ହୁଏ ନାହିଁ । ପାଠକଙ୍କୁ ପାଛୋଟି ହୁଏ ନାହିଁ । ମୋ ଜିଲ୍ଲାରେ , ମୋ ରାଜ୍ୟରେ ଆହୁରି ଅନେକ ପ୍ରକାର ସମସ୍ୟା ରହିଛି । ମୁଁ ସେ ସବୁ ସମସ୍ୟାକୁ ନେଇ ଗପ ଲେଖିବାକୁ ଚାହେଁ।  ଆତ୍ମସ୍ଥ ହେବାକୁ ଚାହେଁ ଜନ ଜୀବନର ଦୁଃଖ ଓ ପୀଡ଼ା ସହ ।

୯. ଫକୀରମୋହନଙ୍କ ସମୟର ଗପ ଓ ଏବେର ଗପ ଭିତରେ କେଉଁ ସାମଞ୍ଜସ୍ୟ ରହିଛି?

ଉତ୍ତର : ଫକୀର ମୋହନଙ୍କ ସମୟରେ ଗପ ଯେଉଁ କଲମରେ ଲେଖା ଯାଉଥିଲା ସେଇ କଲମରେ ଏବେବି ଲେଖା ଚାଲିଛି । ସେ ସମୟର କଲମ ଯେମିତି ମୁହଁ ତଳକୁ କରି ବିନମ୍ରତା ସହ ଚାଲୁଥିଲା ଏବେ ବି ସେମିତି ଚାଲିଛି । ଗପରେ ସେତେବେଳେ କାହାଣୀ ଟିଏ ଥିଲା , ଶୈଳୀ ଟିଏ ଥିଲା ,ଏବେ ବି ଅଛି । ସାହିତ୍ୟରେ ସମାଜ, ଜନ ଜୀବନ, ପ୍ରକୃତି , ପରିବେଶ ସେତେବେଳେ ବି ଥିଲା ଏବେବି ଅଛି । ଅବଶ୍ୟ ସବୁରେ ଟିକେ ପରିବର୍ତ୍ତନ ଆସିଛି। ଯେହେତୁ ସମୟ , ସମାଜ ଓ ମଣିଷର ସ୍ୱଭାବର ରଙ୍ଗ ରୂପ ବଦଳୁଛି । ସାହିତ୍ୟ ତ ସବୁବେଳେ ସମୟର କଥା ହିଁ କୁହେ । ସମାଜର ଚିତ୍ର ଚରିତ୍ରକୁ ହିଁ ସାମ୍ନାକୁ ଆଣେ ।

୧୦. ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ ?

ଉତ୍ତର : ଜଣେ ଲେଖକର ଗପ ପାଠକଙ୍କ ପାଇଁ। ପାଠକ ପଢ଼ନ୍ତି , ମତାମତ ରଖିବାର ଅଧିକାର ରଖନ୍ତି । ସେ ମତ କାହାର ପ୍ରଶଂସାରେ ସୀମିତ ରହି ନପାରେ । ଯଦି କିଛି ନକାରାତ୍ମକ ମତ ବି ଆସେ ଲେଖକ ନିଜକୁ ନିଠେଇ ଦେଖିବା କଥା । ଅଧିକ ସଚେତ , ସତେଜ ଓ ସବୁଜ ହୋଇ ନିଷ୍ଠାର ସହ ଲେଖିବା କଥା । ସେ ପାଠକୀୟ ମତାମତରେ କିନ୍ତୁ କୌଣସି ବ୍ୟକ୍ତିଗତ ଆକ୍ରୋଶ ରହିବା କଥା ନୁହେଁ । ନିନ୍ଦା ନୁହେଁ ,ସତ ସମାଲୋଚନା ହିଁ ସ୍ୱାଗତଯୋଗ୍ୟ । ଯାହାର ସ୍ୱର ଏବେ କ୍ଷୀଣ ଓ ନିଷ୍ପ୍ରଭ । ବ୍ୟକ୍ତିଗତ ଭାବେ ମୁଁ ତାଳିକୁ ସ୍ୱାଗତ କରେ ଗାଳିକୁ ବି ସ୍ୱାଗତ କରେ ।

୧୧.ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ  ଆପଣ କିପରି ଭାବରେ ଦେଖନ୍ତି ?

ଉତ୍ତର : ମତେ ତ ସବୁ ଉଜ୍ଵଳ ଦିଶେ । ଏବେତ ଅନେକ ଲୋକ ସାହିତ୍ୟ ମନସ୍କ । ସାହିତ୍ୟର ପ୍ରାସଙ୍ଗିକତା ସବୁବେଳେ ରହିଛି, ରହିଥିବ ବି ।ଅଧିକ ଗ୍ରହଣୀୟ ହେଉଛି ସାହିତ୍ୟ ଏ ସମୟରେ । ଏହା ଏକ ଶୁଭ ସୂଚନା ।   ସମସ୍ତେ ବୁଝିବା ଆରମ୍ଭ କରିଛନ୍ତି ଯେ ସାହିତ୍ୟ ଜୀବନ ବଞ୍ଚିବା ପାଇଁ ରାହା ଦେଖାଏ । ଏକାକୀ ପଣ ଓ ଅବସାଦର ସହ ହୁଏ । ପ୍ରତି ବର୍ଷ ଖାଲି ଭବୁବନେଶ୍ବରେ ନୁହେଁ ପ୍ରତି ଜିଲ୍ଲାରେ ସବ୍ଡିଭିଜନ ସ୍ତରରେ ଏବେ ପୁସ୍ତକ ମେଳା ହେଉଛି । ବହୁ ସଂଖ୍ୟାରେ ପୁସ୍ତକ ବି ବିକ୍ରି ହେଉଛି। ନୂଆ ପିଢ଼ିର ଅନେକ ଯୁବ ପ୍ରତିଭା ସାହିତ୍ୟ ଜଗତରେ ଦୃପ୍ତ ପାଦ ଥାପୁଛନ୍ତି ।   ଅନଲାଇନରେ ଗପ କବିତା ଲୋକଙ୍କ ପ୍ରିୟ ହେଉଛି । ତେଣୁ ମୋ ବିଶ୍ୱାସ ଆମ ସାହିତ୍ୟର ସ୍ରୋତସ୍ୱତୀ ସୁନାବ୍ୟା ହୋଇ ରହିବ।

୧୨. ନୂଆ ଲେଖକଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ ହେବ  ?

ଉତ୍ତର : ବାର୍ତ୍ତା ନୁହେଁ ଦୁଇ ଧାଡ଼ି ମନକଥା କହିବି । ସୂର୍ଯ୍ୟ ହେବାକୁ ହେଲେ ଅଗ୍ନିର ଜ୍ୱାଳା ସହିବାକୁ ହୁଏ । ଆଉ ସଫଳତାକୁ ଭେଟିବା ପାଇଁ ପାହାଚ ଚଢି ଉପରକୁ ପହଁଚିବାକୁ ହୁଏ ।   ସେଠି କେଉଁଠି ଏଲିଭେଟର ନଥାଏ।

 

Leave A Reply

Your email address will not be published.