Latest Odisha News

BREAKING NEWS

ସୃଜନଶୀଳତା ନଥିଲେ ଅନୁସୃଜନ ସମ୍ଭବ ନୁହେଁ : ନୀହାରିକା ମଲ୍ଲିକ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ । ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ , ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ । କିନ୍ତୁ ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ କଷ୍ଟସାଧ୍ୟ । ସେଥିପାଇଁ ଅନୁବାଦକଙ୍କ ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ସେହି ଗୁରୁତ୍ୱ ପୂର୍ଣ୍ଣ ଭୂମିକାକୁ ଖୁବ ସୁନ୍ଦର ଭାବରେ ନିର୍ବାହ କରୁଛନ୍ତି ଅନୁବାଦିକା ନୀହାରିକା ମଲ୍ଲିକ । ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସେ ଖୁବ ଚେଷ୍ଟିତ । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସାମ୍ମନିତା ଏବଂ ସମ୍ବର୍ଦ୍ଧିତା ।

ଲେଖିକା ନୀହାରିକା ମଲ୍ଲିକଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

 

ଅନୁବାଦ କରିବା ପଛରେ ଆପଣଙ୍କର କେଉଁ ଆଭିମୁଖ୍ୟ ଥାଏ ?

ଗୋଟିଏ ଭାଷାର ସାହିତ୍ୟକୁ ଅନ୍ୟ ଭାଷାର ପାଠକଙ୍କ ପାଖରେ ପହଞ୍ଚାଇବା ମୋ ଅନୁବାଦର ଉଦ୍ଦେଶ୍ୟ । ଅନେକ ସମୟରେ ପାଠକଟିଏ ଇଚ୍ଛା ଥାଇ ମଧ୍ୟ ମାତୃଭାଷା ଭିନ୍ନ ଅନ୍ୟ ଭାଷାକୁ ପଢିବା ବା ବୁଝିବା ପାଇଁ ଅସମର୍ଥ ହୋଇଥାଏ । ଅନୁବାଦ ଏ କ୍ଷେତ୍ରରେ ଏକ ସେତୁ ଭାବରେ କାର୍ଯ୍ୟ କରିଥାଏ । ଏହା ଯେ କେବଳ ଗଳ୍ପ ଓ କବିତାକୁ ପଢ଼ିବା ପାଇଁ ପାଠକମାନଙ୍କୁ ସୁଯୋଗ ଦେଇଥାଏ ତା ନୁହଁ ବରଂ ଏହା ଦ୍ବାରା ଅନ୍ୟ ଭାଷାର ସାମାଜିକ ଚଳଣୀ, ପରମ୍ପରା ଓ ଲୋକକଳା ବିଷୟରେ ମଧ୍ୟ ଧାରଣା ଦେଇଥାଏ । ଯେତେବେଳେ ମୁଁ କୌଣସି ସୁନ୍ଦର କବିତା କିମ୍ବା ଗଳ୍ପଟିଏ ପଢିଥାଏ , ତାହାର ବିଷୟବସ୍ତୁ ରଚନା ଶୈଳୀ ଯଦି ମୋତେ ସ୍ପର୍ଶ କରେ ଓ ମୁଁ ଇଚ୍ଛା କରେ ଯେ ଏଇଟି ନିଶ୍ଚୟ ଆମ ଓଡ଼ିଆ ପାଠକେ ପଢନ୍ତୁ, ତାହେଲେ ତାର ଅନୁବାଦ ଆରମ୍ଭ କରିଥାଏ ।

କେଉଁ ଲେଖକଙ୍କ ସୃଷ୍ଟିକୁ ଅନୁବାଦ କରି ଆପଣ ଅଧିକ ଆତ୍ମତୃପ୍ତି ପାଇଛନ୍ତି ଓ କାହିଁକି ?

ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଲେଖିକା ଚିତ୍ରା ମୁଦଗଲଙ୍କ ଗଳ୍ପ ସଂକଳନକୁ ଅନୁବାଦ କରିବାର ଅବଧି ମୋ ପାଇଁ ଏକ ଶିକ୍ଷଣୀୟ ତଥା ସ୍ମରଣୀୟ ସମୟ ଥିଲା । ଏଥିରେ ଥିବା ନଅଟି ଯାକ ଗପ ପାଠକମାନଙ୍କୁ ଏକ ଭିନ୍ନ ଅନୁଭୂତି ଦେଇଥାଏ । ତାଙ୍କ ଲେଖାରେ ଥିବା ମାନବୀୟ ମୂଲ୍ୟବୋଧ, ସମ୍ବେଦନଶୀଳତା ଓ ବାସ୍ତବ ଜୀବନର ଚିତ୍ର ଖୁବ୍ ଜୀବନ୍ତ । ତେବେ ଆତ୍ମତୃପ୍ତି ପାଇଛି ବୋଲି ମୁଁ ଭାବିନି । କାରଣ ଅତୃପ୍ତି ଭିତରେ ଘାଣ୍ଟି ହେବାକୁ ଭଲପାଉଥିବା ମଣିଷଟିଏ ମୁଁ। ଏହା ମୋତେ ମୋ ସୃଜନଶୀଳତାକୁ ଆହୁରି ମାର୍ଜିତ ଓ ସୁନ୍ଦର କରି ଗଢିତୋଳିବାକୁ ପ୍ରେରଣା ଦିଏ। ସନ୍ତୁଷ୍ଟି ଆସିଗଲେ ଆଗକୁ ବଢିବାର ଗତି ଧିମେଇଯାଏ ବୋଲି ମୋର ବ୍ୟକ୍ତିଗତ ମତ । ହଁ… ଏପରି ଏକ ସୁନ୍ଦର ବହିଟିକୁ ଓଡ଼ିଆ ପାଠକମାନଙ୍କୁ ଭେଟି ଦେଇପାରିଥିବାରୁ ମୁଁ ଆନନ୍ଦିତ ।

ସୃଜନ ଓ ଅନୁସୃଜନ ଭିତରେ କି ପାର୍ଥକ୍ୟ ଅଛି ବୋଲି ଆପଣ ଅନୁଭବ କରନ୍ତି ?

ବିଶେଷ କିଛି ପାର୍ଥକ୍ୟ ଅଛି ବୋଲି ମୁଁ ମନେ କରେନି। କାରଣ ସୃଜନଶୀଳତା ନଥିଲେ ଅନୁସୃଜନ ସମ୍ଭବ ନୁହେଁ । ମୂଳଲେଖାର ଭାବକୁ ନିଜ ଭିତରେ ଅନୁଭବ କରି, ସେ ଚରିତ୍ରକୁ ନିଜେ ଜୀଇଁ ସେସବୁ ଧାଡିଗୁଡିକ ଅନୁବାଦ କରିବାବେଳେ ସମାନ ପ୍ରକାର ଗର୍ଭକଷ୍ଟ ହୋଇଥାଏ । ଉପଯୁକ୍ତ ଶବ୍ଦ ଚୟନ, ମୂଳଲେଖାର ଭାବ ଲାଳିତ୍ୟକୁ ଅକ୍ଷୂର୍ଣ୍ଣ ରଖି ଏକ ନୂତନ ଭାଷାରେ ସୃଷ୍ଟିଟିକୁ ରୂପ ଦେବା ସୃଜନ ନୁହେଁ ତ ଆଉ କ’ଣ !

ସଫଳ ଅନୁବାଦକ ହେବାର ସୂତ୍ର କ’ଣ ?

ଯେକୌଣସି କ୍ଷେତ୍ରରେ ସଫଳ ହେବା ପାଇଁ ନିରନ୍ତର ସାଧନା ହିଁ ଏକମାତ୍ର ସୂତ୍ର । ଅନୁବାଦ ପାଇଁ ଏଥିରେ ଆଉ ଗୋଟେ କଥା କହିବାକୁ ଚାହେଁ ଯେ- ମୂଳଭାଷା ଓ ଅନୁବାଦ କରୁଥିବା ଭାଷା, ଉଭୟରେ ଅନେକ ଅଧ୍ୟୟନ କରିବା ଜରୁରୀ । ବ୍ଯାକରଣଗତ ଶୁଦ୍ଧି, ଉପଯୁକ୍ତ ଶବ୍ଦଚୟନ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୂଳଲେଖାର ମୌଳିକ ଭାବଧାରାରେ କୌଣସି ପରିବର୍ତ୍ତନ ନ ଆଣି ଯଦି ଅନୁବାଦକଟି ପାଠକମାନଙ୍କୁ ମୌଳିକ ଲେଖା ପଢିବାର ପାଠକୀୟ ଆନନ୍ଦ ଦେଇପାରିଲା ତାହା ହେବ ଏକ ସଫଳ ଅନୁବାଦ ।

ଅନୁବାଦ ସାହିତ୍ୟ ଓଡ଼ିଶାର ପାଠକମାନଙ୍କ ଦ୍ବାରା କେତେ ମାତ୍ରାରେ ଆଦୃତ ବୋଲି ଆପଣ ମନେକରନ୍ତି?

ବହୁଳ ମାତ୍ରାରେ ଆଦୃତ ନହେଲେ ବି ନୈରାଶ୍ୟଜନକ ନୁହେଁ । ଏବେ ଧିରେଧିରେ ପାଠକମାନେ ଅନୁବାଦ ସାହିତ୍ୟ ପ୍ରତି ଆଗ୍ରହ ପ୍ରକାଶ କଲେଣି, ପ୍ରାୟ ସମସ୍ତ ସମ୍ଵାଦପତ୍ର ଓ ପତ୍ରପତ୍ରିକାରେ ଅନୁବାଦ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ରହିବା ଅନୁବାଦ ସାହିତ୍ୟ ପାଇଁ ଏକ ଶୁଭ ସଙ୍କେତ ।

 ବ୍ୟକ୍ତିଗତ ଜୀବନ ସାହିତ୍ୟ ସାଧନା କ୍ଷେତ୍ରରେ କେବେ ବାଧକ ସାଜିଛି କି?

ଆଦୌ ନୁହେଁ, ବ୍ୟକ୍ତିଗତ ଜୀବନ କଦାପି ବାଧକ ସାଜି ନ ଥାଏ । ହଁ, ସାହିତ୍ୟ ଓ ଜୀବନ ଭିତରେ ଭାରସାମ୍ୟ ରକ୍ଷା କରୁକରୁ ପାଦ ସାମୟିକ ଭାବରେ ଟଳମଳ ଅବଶ୍ୟ ହୋଇଛି । କିନ୍ତୁ ପରେ ନିଜକୁ ଆହୁରି ଦୃଢ଼ ଭାବରେ ଠିଆକରିପାରିଛି ।

 ଆପଣ ଅନୁବାଦ କରିଥିବା ପୁସ୍ତକଗୁଡ଼ିକ ବିଷୟରେ ସମ୍ୟକ ସୂଚନା ଦେବେ କି ?

ବର୍ତ୍ତମାନ ସୁଦ୍ଧା ମୋର ଚାରୋଟି ଅନୁବାଦ ପୁସ୍ତକ ପ୍ରକାଶିତ । ପ୍ରଥମ ପୁସ୍ତକଟି “ଆଧୁନିକ ହିନ୍ଦୀ ଗଳ୍ପମାଳା” ଯାହାକି ୨୦୧୯ ମସିହାରେ ବ୍ଲାକ ଇଗଲ ପ୍ରକାଶନ, ଆମେରିକା ଦ୍ଵାରା ପ୍ରକାଶିତ ଏବଂ “ବ୍ଲାକ୍ ଇଗଲ୍ ଫାର୍ଷ୍ଟ ବୁକ୍ ଆୱର୍ଡ” ରେ ସମ୍ମାନିତ ହୋଇଥିଲା । ତାପରେ ମୋ ପ୍ରିୟ କାହାଣୀ:ଚିତ୍ରା ମୁଦଗଲ,(ଗଳ୍ପ ସଙ୍କଳନ) , ମୃଦୁଳା ଗର୍ଗଙ୍କ ଉପନ୍ୟାସ ମୁଁ ଓ ମୁଁ ଏବଂ ଏଇ ଅପ୍ରେଲ ମାସରେ ପ୍ରକାଶିତ ହୋଇଛି “ମହାଦେବୀ ବର୍ମାଙ୍କ ନିର୍ବାଚିତ କବିତା”।

 

ସାହିତ୍ୟ କ୍ଷେତ୍ରରେ ସ୍ରଷ୍ଟାଟିଏ ସମ୍ମାନ ଓ ସ୍ଵୀକୃତି ଦ୍ଵାରା କେତେ ପରିମାଣରେ ଅନୁପ୍ରେରିତ ହୋଇଥାଏ?

ସାହିତ୍ୟ କ୍ଷେତ୍ରରେ ସ୍ରଷ୍ଟାଟିଏ ସବୁବେଳେ ନିଜ ପାଠକମାନଙ୍କ ଗ୍ରହଣୀୟତା ଦ୍ଵାରା ଅନୁପ୍ରେରିତ ହୋଇଥାଏ । ସମ୍ମାନ ଓ ସ୍ବୀକୃତିର ଭୂମିକାକୁ ଏ କ୍ଷେତ୍ରରେ ଗୌଣ ବୋଲି ମୁଁ ମନେକରେ ।

ଭାରତୀୟ ଭାଷା ସାହିତ୍ୟରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଭାବ କିପରି ?

ଭାରତୀୟ ଭାଷା ସାହିତ୍ୟରେ ଓଡ଼ିଆ ଭାଷା ନିଜର ଏତେ ପ୍ରଭାବ ପକାଇପାରିନି।ଆମର ଅନନ୍ୟ କଳା ସଂସ୍କୃତି ସାହିତ୍ୟ ବିଷୟରେ ଜାଣିବାର ଆଗ୍ରହ ଥାଇ ବି ଅନ୍ୟ ପ୍ରଦେଶର ଲୋକେ ସେସବୁ ଜାଣିବାରୁ ବଞ୍ଚିତ ହେଉଛନ୍ତି। ସେଥିପାଇଁ ଆମକୁ ଆମର କାଳଜୟୀ କୃତିଗୁଡିକୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରାଇବାକୁ ହେବ । ଓଡ଼ିଆ ସାହିତ୍ୟ ଇଂରାଜୀ ପରି ବିଦେଶୀ ଭାଷାକୁ ଯେତେ ପରିମାଣରେ ଅନୁବାଦ ହେଉଛି ଆଞ୍ଚଳିକ ଭାଷାରେ ଅନୁବାଦ ତା ତୁଳନାରେ ନଗଣ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ଏହାର ଏକମାତ୍ର କାରଣ ହେଲା ଆମ ସାହିତ୍ୟର ପ୍ରଚାର ପ୍ରସାରର ଅଭାବ। ଆମକୁ ଆମ ଭାଷାକୁ ଭାରତୀୟ ଭାଷା ସାହିତ୍ୟରେ ସୁଦୃଢ ଭାବେ ଛିଡ଼ା କରାଇବାକୁ ହେଲେ ପ୍ରଥମେ ଏହି ଅନନ୍ୟ କୃତିଗୁଡିକୁ ବିଭିନ୍ନ ପ୍ରାଦେଶିକ ଭାଷାରେ ଅନୁବାଦ କରାଇବାକୁ ହେବ ଏବଂ କେବଳ ଅନୁବାଦ କରିବା ହିଁ ଯଥେଷ୍ଟ ନୁହେଁ , ଅନୁବାଦ ସାହିତ୍ୟ ପ୍ରତି ଲୋକମାନଙ୍କ ମନେ ଆଗ୍ରହ ସୃଷ୍ଟି କରିବା ଦିଗରେ ମଧ୍ୟ ପ୍ରୟାସ ହେବା ଉଚିତ । ଅନୁବାଦ ସାହିତ୍ୟ ପ୍ରତି ପାଠକମାନଙ୍କୁ ଆକୃଷ୍ଟ କରିବା ପାଇଁ ଓ ଅନୁବାଦ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସରକାରୀ ସ୍ତରରେ ବିକଳ୍ପ ଯୋଜନାମାନ ପ୍ରସ୍ତୁତ କରାଯିବା ଆବଶ୍ୟକ । ଏଥିପାଇଁ ଲେଖକ,ଅନୁବାଦକ ଏବଂ ଆମର ଭାଷା ସଂସ୍କୃତି ବିଭାଗ ମିଳିତ ଭାବରେ ଆଗେଇଆସିବା ଦରକାର ।

 ଓଡ଼ିଆ ସାହିତ୍ୟରେ ଅନୁବାଦକଙ୍କ ସଂଖ୍ୟା କମିଯାଉଛି ବୋଲି ଆପଣ ଭାବୁଛନ୍ତି କି ? ଯଦି ହଁ , ତେବେସେ କ୍ଷେତ୍ରଟି କିପରି ବିକଶିତ ହୋଇପାରିବ ଓ ସେଥିପାଇଁ କି ପଦକ୍ଷେପ ନେବା ଆବଶ୍ୟକ ?

ଅନୁବାଦକଙ୍କ ସଂଖ୍ୟା କମିଯାଉନି ବରଂ ସେମାନେ ଲୋକଲୋଚନକୁ ଆସିପାରୁ ନାହାଁନ୍ତି । ଏଥିପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମର ଅଭାବ ରହୁଛି । ଅନୁବାଦ ସାହିତ୍ୟକୁ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଶ୍ଵବିଦ୍ୟାଳୟରେ ସ୍ବତନ୍ତ୍ର ଭାବରେ କାର୍ଯ୍ୟକ୍ରମ କର୍ମଶାଳା ଆଦିର ଆୟୋଜନ କରାଯାଇପାରିଲେ ଏହା ଅନୁବାଦକ ମାନଙ୍କୁ ଉତ୍ସାହିତ କରିବ । ଏହାଦ୍ବାରା ଭାଷାସାହିତ୍ୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଅନୁବାଦ ପ୍ରତି ଆଗ୍ରହୀ ହେବେ ।

Leave A Reply

Your email address will not be published.