କବିତା ନିଜେ ହିଁ ନିଜକୁ ବଖାଣେ : ସୁରେଶ ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ସୁରେଶ ନାୟକ । ଗତ ତିନି ଦଶନ୍ଧି ଧରି ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ କବିତା ଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ।

ଅନୁଚ୍ଚାରିତ , ବିଭକ୍ତ ସୂର୍ଯ୍ୟୋଦୟ , ଛାୟାସୁଖ , ନିଜସହ କିଛିକାଳ , ମିଳିତ ମୃତ୍ୟୁ ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା। ଏହାଛଡ଼ା ‘ସମୟର ଆକାଂକ୍ଷା’ ପରି ଏକ ସମ୍ଭ୍ରାନ୍ତ ପତ୍ରିକାର ସେ ସମ୍ପାଦକ । ତାଙ୍କର ଅନବଦ୍ୟ ସାରସ୍ୱତ ସେବା ପାଇଁ ବହୁ ଅନୁଷ୍ଠାନ ଓ ସାହିତ୍ୟ ସଂସଦ ତରଫରୁ ସେ ସମ୍ମାନିତ।

କବି ସୁରେଶ ନାୟକଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

୧. କବିତା ରଚନାର ସୂତ୍ର କ’ଣ ହୋଇପାରେ ?

ଉତ୍ତର : କବିତା କେବେ କେଉଁ ସରଳ ସୂତ୍ରରେ ଆବଦ୍ଧ ହୋଇପାରିବ, ଏମିତି ବିଶ୍ୱାସ ମୋର ନାହିଁ । କବିତାର ଭାଗ୍ୟ ପୂର୍ବ ନିର୍ଦ୍ଧାରିତ । କବିତା ନିଜେ ହିଁ ନିଜକୁ ବଖାଣେ । କବିଟିଏ ମାଧ୍ୟମ କେବଳ ଯାହା ।

୨.ଆପଣଙ୍କ କବିତାରେ ମଧ୍ୟବର୍ଗିୟ ଜୀବନର ଗ୍ଲାନି କଳାତ୍ମକ ଭାବେ ଫୁଟେ । ସେ କଳାତ୍ମକତାର ଭାବ କଣ ?

ଉତ୍ତର : ସେମିତି କିଛି ସାଙ୍ଘାତିକ ସମୟ ମୁଁ କାଟିଛି, ଭେଟିଛି ଖୁବ୍ ପାଖରୁ ଗୋଟେ ନିମ୍ନମଧ୍ୟବିତ୍ତର ଅସହାୟ ପଣକୁ । ନିଜକୁ ଭାଙ୍ଗି ଭାଙ୍ଗି ସଳଖି ହେବାର କଳା ଶିଖିନେଇଛି ଆପେ । ଅଭାବବୋଧ କେବେ କେବେ ଆହୁରି କଠୋର ହେବାକୁ ଶିଖାଇଛି । ଏବେ ଯାହାକୁ ଆପଣ ଭେଟିବେ, ହୁଏତ ଗୋଟେ ମଧ୍ୟବର୍ଗୀୟ ଅହଂକାର ଭିତରେ ସନ୍ତୁଳି ହେଉଥିବା ଲୋକ । ଯିଏ କେବଳ ଦେଇ ପାରିବାକୁ ପରମ ପ୍ରାପ୍ତି ମାନିନେଇଛି । ଅନ୍ୟକୁ ଦୟା କରୁଛି ଅଥଚ ଗଭୀର ପ୍ରେମରେ, ଭଲପାଇବାରେ । ଅଜାଡି ପକାଇବାର କୁନି ଇଚ୍ଛାଟିଏ ତା’ ସହ ଆତଯାତ । ଏ ପ୍ରକ୍ରିୟାରେ ପୁରସ୍କାର ମିଳୁ କି ତିରସ୍କାର ଯାଏ ଆସେନା । ଗୋଟେ ସୁଖଦ ଅନୁଭବରେ ଆତଯାତ ସମୟ ତା’ ହାତମୁଠାରେ । ସେଇ କଥାକୁ କିଛି ସାଧାରଣ ଭାଷାରେ କହିବା ପ୍ରୟାସ କରିଆସିଛି ଯାହା ।

୩) କିଛି ବର୍ଷ ଆପଣ କବିତାଠାରୁ ଦୂରେଇ ରହିଥିଲେ କାହିଁକି ?

ଉତ୍ତର : ଦୂରେଇ ରହିପାରିଲି କେଉଁଠି ଆଉ । ହୁଏତ ତପସ୍ୟାର ସମୟ ଥିଲା ବାରବର୍ଷ । ହଠାତ୍ ଦିନେ ଲାଗିଥିଲା ହୁଏତ ଆଉ ମୋ ଦେଇ କବିତା ଲେଖିହେବନି, ତ ଲେଖିବା ଛାଡିଦେଲି । ନିଜଠୁ ନିଜେ ପଳାୟନ କରିବା କଣ ଏଡ଼େ ସହଜ?

୪.ବ୍ୟବସାୟର ବ୍ୟସ୍ତତା ଭିତରେ କବିତାକୁ କେମିତି ଧରି ରଖନ୍ତି ?

ଉତ୍ତର : ଉଭୟଙ୍କୁ ନିଜ ନିଜ ଜାଗାରେ ସ୍ୱତନ୍ତ୍ର କରି ଠିଆ କରେଇ ପାରିଲେ ସବୁ ସମ୍ଭବ ଓ ସୁନ୍ଦର ।

୫.ଆପଣଙ୍କ କବିତାର ଆଙ୍ଗିକ ସମସାମୟିକ ମାନଙ୍କଠାରୁ ଅଲଗା । ସେ ଭିନ୍ନତା କେମିତି ପାଇଲେ ?

ଉତ୍ତର : ଆପଣ ଏମିତି କିଛି ଲକ୍ଷ୍ୟ କରୁଛନ୍ତି କି? ଏ କ୍ରମଟି ସ୍ୱତଃ ହୁଏତ । ମୁଁ ଜାଣି ଜାଣି କେବେ ଅଲଗା ହେବାର ପ୍ରଚେଷ୍ଟା କରିନି । ଯାହା ଯେମିତି ଭୋଗିଛି ଅବିକଳ ବଖାଣି ବସିଛି । ମୁଁ ମୋ କବିତାର ଚରିତ୍ରମାନଙ୍କୁ ପ୍ରଚୁର ଭଲ ପାଇଛି । ସେମାନଙ୍କ ମୁହଁର ଭାଷାକୁ ସାଧାରଣ ଶବ୍ଦରେ ଫୁଟାଇବାର ଚେଷ୍ଟା ହିଁ କରିଆସିଛି ଯାହା । ମୋ କାବ୍ୟନାୟକ ଖୁବ ଲାଜକୁଳା । ନିଜ ସହ ସେ ନିଜେ ହିଁ ଥାଏ, ଖୁବ ଏକଲା । ସେ ପସନ୍ଦ କରେ ଗହଳିରୁ ଦୂରରେ ଓ ଦେଖାଣିଆ ପଣରୁ ଦୂରରେ । ଅଥଚ ସେ ସମ୍ରାଟ ନିଜ ପୃଥିବୀର । ଯେଉଁଠି ସେ ବେଖାତିର କରେ, ଉପହାସ କରେ ଅନିଶ୍ଚିତତା ଓ କ୍ଷଣଭଙ୍ଗୁର ପୃଥିବୀକୁ । କେବେ କେଉଁ ଖୋଲା ଆକାଶ ତଳେ, ପଡିଆ ମଝିରେ, ଏକଲା ପୋଖରୀ ତୁଠରେ ଅଛିଣ୍ଡା ଗୀତର ଧୁନ ଗୁଣୁଗୁଣାଉ ଥାଏ । ଶ୍ରୋତା ନଥାନ୍ତୁ, ଗ୍ରାହକ ନଥାନ୍ତୁ ଯାଏ ଆସେନା ।

୬.ଆପଣଙ୍କର କେଉଁ ବହିଟି ଆପଣଙ୍କ ସବୁଠୁ ପ୍ରିୟ ଓ କାହିଁକି ?

ଉତ୍ତର : ପ୍ରଥମ ବହି “ବିଭକ୍ତ ସୂର୍ଯ୍ୟୋଦୟ’ । ପ୍ରିୟ ଏଇଥି ପାଇଁ ଯେ ପ୍ରଥମ ପିତୃତ୍ୱର ପରିଚୟ କ୍ଷଣକ ଲାଗି ବିଭୋର କରିଥିଲା । କିଛି ନିରୀହ ସ୍ୱପ୍ନ ଅନେକ ବାର ଭାଙ୍ଗିଛନ୍ତି , ଭାଙ୍ଗି ଭାଙ୍ଗି ପୁଣି ଗଢି ହୋଇ ପାରିବାର ପ୍ରତିଶୃତି ହୋଇ ଠିଆ ହୋଇଛନ୍ତି ମୋ ସହ ଓ ହାତ ଧରି ବାଟ କଢ଼ାଇ ଆଣି ସଳଖ କରି ଠିଆ କରାଇଛନ୍ତି ରାସ୍ତାରେ । ଅନେକ ହସକାନ୍ଦର ସମୟ, ଅନେକ ଅସହାୟତା ମୋ ଆଦ୍ୟ ଜୀବନର ସଂଘର୍ଷମୟ ସମୟକୁ ଧରି ରଖିଥିବା ଏ ପୁସ୍ତକ ମୋର ପ୍ରିୟ ।

୭.ଆପଣଙ୍କ ସମ୍ପାଦିତ ‘ସମୟର ଆକାଂକ୍ଷା’ ଏକ ସମ୍ଭ୍ରାନ୍ତ ପତ୍ରିକା । ଏହାର ସମ୍ପାଦନା ବିଷୟରେ କିଛି କୁହନ୍ତୁ ?

ଉତ୍ତର : ଭଲ କାଗଜ, ଭଲ ଲେଆଉଟ୍ ଓ ଭଲ ଛପାର ସାହିତ୍ୟ ପତ୍ରିକାଟିଏ ପାଠକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ ନେଇ ପତ୍ରିକା ଆରମ୍ଭ କରିଥିଲୁ । ପାଠକ ଉଣାଅଧିକ ପସନ୍ଦ ବି କରିଛନ୍ତି । ଲେଖା ଚୟନରେ ନିରପେକ୍ଷ ରହିଆସିଛି । ଗାଳି ବି ଶୁଣିଛି । ଲକ୍ଷ୍ୟପଥରୁ ବିଚ୍ୟୁତ ନ ହୁଏ, ପ୍ରାର୍ଥନା ଜାରି ରଖିଛି ।

 

 

୮.ସମକାଳର କବିତା ଉପରେ ଆପଣଙ୍କ ମତ କଣ?

ଉତ୍ତର : ମୁଁ ଅନେକାଂଶରେ ଆଶାବାଦୀ । ଭବିଷ୍ୟତ ଉଜ୍ଜ୍ୱଳ ନିଶ୍ଚୟ ।

୯.’ଛାୟାସୁଖ’ ଆପଣଙ୍କର ଏକ କବିତା ସଙ୍କଳନ । ଏପରି ନାମକରଣର ରହସ୍ୟ କଣ ?

ଉତ୍ତର : ମୋତେ ଲାଗେ ସୁଖ ଯେମିତି ଏକ ଆପେକ୍ଷିକ ଶବ୍ଦ । ସୁଖ ଭୋଗ ଲାଗି ଆମେ ଦୌଡ ପ୍ରତିଯୋଗିତାରେ ଲହୁଲୁହାଣ  ହେଉ । ସୁଖ ଏମିତି ଏକ ପଦାର୍ଥ କିଛି ସମୟ ଦେହ ଆଖପାଖରେ ବାଜି ଚାଲିଯାଏ ମଧୁର ବାସ୍ନା ଭଳି । ଯିଏ ଆମ ସହ ଛାଇ ହୋଇ ରହିବାର ପ୍ରତିଶ୍ରୁତି ତ ଦେଇଥାଏ ଅଥଚ ଧୋକା ହିଁ ଦେଇଥାଏ । ଆପଣ ବିଭୋର ହୋଇ ଆଖି ବନ୍ଦ କରି ବସିଥିବେ, ଆଖି ଖୋଲିଲା ବେଳକୁ ସେ ଗାଏବ । ମିଛ ଲାଗିବ ସ୍ୱପ୍ନ । ସେମିତି କିଛି ଦ୍ୱନ୍ଦ୍ୱ ଭିତରୁ ଏ ନାଁ ଆସିଥିଲା ।

୧୦. ନୂଆ କବିମାନଙ୍କ ସମ୍ପର୍କରେ କଣ କହିବେ ।

ଉତ୍ତର : ନିଜକୁ ପ୍ରଚୁର ଭଲ ପାଆନ୍ତୁ, ନିଜ ପାଦ ତଳ ମାଟିର ସାମର୍ଥ୍ୟକୁ ପରଖନ୍ତୁ । ବାକି ସବୁ ଅବାନ୍ତର ।