Latest Odisha News

BREAKING NEWS

ବ୍ୟଙ୍ଗ : ଗପି ଗପି ଗାଳ୍ପିକ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ… 

ମୋର ବହୁ ଗୁଡିଏ ଭଲ ଅଭ୍ୟାସ ଭିତରୁ ଗୋଟିଏ ହେଲା ମୁଁ ଯେତେବେଳେ କହିବା ଆରମ୍ଭ କରେ ମୋତେ ଲାଗେ ଏକ ବିଶାଳ ଜନସମୁଦ୍ରକୁ ଏଇଟା ମୋ ଜୀବନର ଶେଷ ଭାଷଣ । ବାସ୍ କହି ଚାଲିଥାଏ । କିଛି ଜ୍ଞାନୀ ଲୋକଙ୍କ ମତ ହେଲା , ମୁଁ କହିଲାବେଳେ କାଳେ କମା ଫୁଲଷ୍ଟପ୍ କିଛି ମାନେନି । ଏକଆଖିଆ ବଳଦ ଭଳି ଯେଉଁ ବିଷୟରେ କହୁଥାଏ ସେଇ ବିଷୟର ଚଉଦ ପୁରୁଷ ଇତିହାସ ବର୍ଣ୍ଣନା ନ ସରିବା ଯାଏଁ ବାସ୍ ସେଇ ଦିଗରେ ମାଡି ଚାଲିଥାଏ । ଖାଲ ଢ଼ିପ କିଛି ମାନେନା । ଏହି ଭଲ ଅଭ୍ୟାସଟା ଯେ ମୋର ଜନ୍ମଗତ ତାହା ନୁହେଁ । କିନ୍ତୁ ଜୀବନ ପରିବର୍ତ୍ତିତ ପରିସ୍ଥିତି ଦେଇ ଗତି କଲା ବେଳେ ଏ ଭଲ ଗୁଣଟି ମୋ ଭିତରେ ବିକଶିତ ହୋଇଛି । ସ୍କୁଲରେ ବି ସେଇ ଅଭ୍ୟାସ ଥିଲା । ପରୀକ୍ଷା ପ୍ରଶ୍ନ ପତ୍ରରେ ପଚାଶ ଶବ୍ଦରେ ଉତ୍ତର ଲେଖ ପ୍ରଶ୍ନର ଉତ୍ତରରେ ମୁଁ ଅତି କମରେ ପଚାଶ ଧାଡି ଲେଖେ କାରଣ ମୋ ଭିତରେ ଏକତରଫା ବିଶ୍ୱାସ ଥିଲା ଯେ ବୁଝେଇ ନ ଲେଖିଲେ ହୁଏତ ମୋ କଥା ପରୀକ୍ଷକ ବୁଝିପାରିବେ ନାହିଁ । ଫଳ କିନ୍ତୁ ହୁଏ ଓଲଟା । ଶିକ୍ଷକ ଅଧିକ ବୁଝନ୍ତି ହେଲେ ଫଳ ଦିଅନ୍ତି କମ । ସେଇଟା ଶିକ୍ଷକଙ୍କ ସ୍ୱଳ୍ପ ବୁଦ୍ଧିର ଦୋଷ ଭାବି ମୁଁ ନିଜକୁ ସାନ୍ତ୍ୱନା ଦିଏ ।

ମାନସିକ ବିଶେଷଜ୍ଞଙ୍କ କହିବା କଥା , ଯେତେବେଳେ ଜଣଙ୍କୁ ପିଲାଟି ଦିନରୁ ପ୍ରଚୁର ବକ ବକ ହେବାର ସୁଯୋଗ ମିଳେନି ସେମାନେ ଥରେ ସୁଯୋଗ ପାଇଲେ ନିଜ ଭିତରେ ବହୁ ଦିନରୁ ଜମି ରହିଥିବା କଥା ସବୁ ଗପି ଚାଲନ୍ତି । ତେଣିକି ପ୍ରସଙ୍ଗ କିଛି ବି ଥାଉ । ଯଦି ତାଙ୍କୁ ମଝିରୁ ଅଟେଇବ ତେବେ ଉତକ୍ଷିପ୍ତ ହୋଇ କହିବେ ପୁଣି ମଝିରୁ କହିଲେ ପ୍ରଥମେ ମୋତେ ଶୁଣନ୍ତୁ । ଆଉ ଯଦି ଶୁଣିଲ ତେବେ ରାତି ପାହିଯିବ ପଛେ କଥା ସରିବନି । ଏମାନଙ୍କୁ ଗପୁଡି କୁହାଯିବ ନାହିଁ । ପିଲାଟି ଦିନରୁ ନିଜକୁ ବ୍ୟକ୍ତ କରିବାର ମୁକ୍ତ ପରିବେଶ ଅଭାବରୁ ଦୁଃଖୀ ବୋଲି କୁହାଯାଇପାରେ । ମୋର ଏହି ଭଲ ଗୁଣଟି ଯୋଗୁଁ ବହୁ ବନ୍ଧୁଙ୍କ ସହ ମୋ ସମ୍ପର୍କ ଅନ୍ ଅଫ୍ ରେ ଚାଲିଛି । ଏହି ଗୁଣ ଯୋଗୁଁ ଆଉ ଗୋଟେ ସମସ୍ୟା ବି ହେଉଛି ।

ଥରେ ମୋର ଏକ ଗପରେ ମୋ ନାୟକ କଟକରୁ ବସରେ ବ୍ରହ୍ମପୁର ଯାଉଥିଲା । ବ୍ରହ୍ମପୁରରୁ ଗପ ଆଗକୁ ବଢ଼ିବା ପୂର୍ବରୁ ମୋ ନାୟକ ବସ୍ ଷ୍ଟାଣ୍ଡରେ ଓହ୍ଲେଇ ପାଖ ପଡିଆକୁ ଡାକପାଣି ପାଇଁ ଗଲା । ଗପଟିକୁ ଏକ ପତ୍ରିକାକୁ ପଠେଇଲି । ସେପଟୁ ସମ୍ପାଦକ କହିଲେ, “ପତ୍ରିକା ପାଇଁ ଅନୁନ୍ୟ ତିନି ଚାରି ପୃଷ୍ଠାର ଗପ ହେଇଥିବା ଦରକାର । ଏହାକୁ ଆଉ ଟିକେ ଫେଣାନ୍ତୁ ଯେମିତି କଟକରୁ ବସରେ ବ୍ରହ୍ମପୁର ପହଁଞ୍ଚିବା ଭିତରେ ବସ୍ ଭିତର ଦୃଶ୍ୟ , ପାଖ ସହଯାତ୍ରୀ ସହ ଏକତରଫା ପ୍ରେମ ,କିଛି ବିରକ୍ତିକର ଅନୁଭୂତି , କିଛି ରାଗ କିଛି ସମ୍ବେଦନା ଇତ୍ୟାଦି ଅନୁଭୂତି ନେଇ ନାୟକ ବ୍ରହ୍ମପୁରରେ ପହଞ୍ଚୁ ।”

ବହୁ ଟାଣି ଓଟାରି ତାକୁ ତିନି ଚାରି ଫର୍ଦ୍ଦ ଲମ୍ବା କରୁ କରୁ ପତ୍ରିକା ପାଇଁ ସମୟ ସରିଗଲା । ତାକୁ ଗୋଟେ ସମ୍ବାଦପତ୍ରକୁ ପଠେଇଲି । ତାକୁ ପଢି ସମ୍ବାଦପତ୍ର ସମ୍ପାଦକ କହିଲେ ,”ଆପଣ କଣ ଭାବିପାରିନାହାନ୍ତି ଯେ ଡାକ ପାଣି ପାଇଁ ନାୟକ ଏତେ ଲମ୍ବା ଯାତ୍ରା କରିବା ଠିକ ହେବ ! ଆପଣ ଯେତିକି ଲମ୍ବା କରିଛନ୍ତି ମୋର ମନେହୁଏ ନାୟକର ବସ୍ ଭିତରେ ଦୁଇ ହେଇଯାଇଥିବ । ଶୁଣନ୍ତୁ ଆପଣଙ୍କ ନାୟକକୁ ଖୋର୍ଦ୍ଧା କି ପାଖ କେଉଁ ବସ୍ ଷ୍ଟାଣ୍ଡରେ ଓହ୍ଲାଇ ଦିଅନ୍ତୁ । ସବୁ ବସ୍ ଷ୍ଟାଣ୍ଡ ପାଖରେ ଉନ୍ମୁକ୍ତ ଡାକପାଣିର ବ୍ୟବସ୍ଥା ଅଛି । ନାୟକକୁ ସେଇଠି କାମ ସରେଇ ଆଗକୁ ନିଅନ୍ତୁ । ଏମିତିରେ ଆଜିକାଲି କେତେଟା ଲୋକ ଚାଳିଶ ପଚାଶ ବର୍ଷରୁ ଅଧିକ ବଞ୍ଚୁଛନ୍ତି ? ଛୋଟ ଜୀବନ ଛୋଟ ଜୀବନୀ । ଏହି ଗପକୁ କାଟିକୁଟି ଛୋଟ କରନ୍ତୁ ।”

ତେଣୁ କେଉଁଠି ଅଧିକ ଗପିବି କେଉଁଠି କମ ଏହି କଟା ଯୋଡ଼ା ବ୍ୟାପାର ଯୋଗୁଁ ମୋର ଅନେକ ଲେଖା ଆଜିଯାଏଁ ଅପ୍ରକାଶିତ ହେଇ ପଡିଛି ।

ମୋର ଏହି ଗୁଣରେ ଅତିଷ୍ଠ ମୋର ସ୍ୱଜନ ଥରେ ମୋତେ ଜଣେ ବିଖ୍ୟାତ ଡାକ୍ତରଙ୍କ ପାଖକୁ ନେଇଥିଲେ । ଡାକ୍ତର ଜଣଙ୍କର ଖ୍ୟାତି ବହୁତ । ରୋଗୀକୁ ଗୁଡେଇ ତୁଡେଇ ଅନେକ ସମୟ ପର୍ଯ୍ୟନ୍ତ ପଚାରିବା ପରେ ସେ ଔଷଧ ଲେଖନ୍ତି । ଜଣେ ସାଧାରଣ ଝାଡା ପାଇଁ ଔଷଧ ଆଣିବାକୁ ଯାଇଥିବା ରୋଗୀ ଶେଷରେ ଏନ୍ଜିଓସ୍କୋପି କରି ଫେରେ । ସେ ଯାହାହେଉ ବଡ଼ ଡାକ୍ତର କାଳେ ମୋର ଏହି ବଡ଼ ରୋଗଟିକୁ ଭଲ କରିପାରିବେ ସେଥିପାଇଁ ମୋତେ ସେଠିକି ନିଆଯାଇଥାଏ । ମୋ ଅସୁବିଧା ବିଷୟରେ ଶୁଣି ସେ ଢେର ସମୟ ଚୁପ୍ ବସିଲେ । ଏପଟ ସେପଟ ଅନେଇ ନମ୍ର ସ୍ୱରରେ କହିଲେ , ” ସତକଥା ହେଲା ମୋର ମଧ୍ୟ ସେଇ ବେମାରି ଅଛି । ପିଲାଟି ଦିନରୁ ବାପାଙ୍କ ଭୟ, ସ୍କୁଲରେ ଟିଙ୍ଗା ସାରଙ୍କ ଭୟ ଓ ବାହାଘର ପରେ ସ୍ତ୍ରୀଙ୍କ ଆକଟ , ଉଲୁଗୁଣାର ଭୟରେ କିଛି କହିପାରିଲିନି । ତେଣୁ ଯେତେବେଳେ ବାହାରକୁ ଆସି କ୍ଲିନିକରେ ରୋଗୀ ଦେଖେ ମୋତେ ଲାଗେ ରୋଗୀ ହିଁ ସବୁଠୁ ସହଜ ମାଧ୍ୟମ ଯାହାଙ୍କ ସାମ୍ନାରେ ମୁଁ ଅନବରତ ବକର ବକର ହେଇପାରିବି । ତେଣୁ ଝୁଣ୍ଟି ପଡି ଖଣ୍ଡିଆ ହେଇଥିବା ଲୋକକୁ ନିଓସ୍ପ୍ରିଂ ମଲମ ଲେଖିବା ପୂର୍ବରୁ ତାର ସମ୍ପୂର୍ଣ୍ଣ ପରିବାରର ରୋଗ ଇତିହାସ ପଚାରେ । ବାସ୍ ଏଇଥିରେ ମୋର କିଛି ସମୟ ଆରାମରେ କଟିଯାଏ । ରୋଗୀ ବି ଭାବେ ସାର୍ ଏତେକଥା ପଚାରୁଛନ୍ତି ମାନେ ବହୁତ ଜ୍ଞାନୀ ଡାକ୍ତର ହେଇଥିବେ । ସେ ନିଓସ୍ପ୍ରିଂଗ ମଲମ କିଣିଲା ବେଳେ ତାକୁ ଏମିତି ଅନୁଭବ ହୁଏ ଯେମିତି ବ୍ରେନ ଟ୍ୟୁମର ପାଇଁ ଔଷଧ କିଣୁଛି । ତେଣୁ ମୋ କଥା ମାନନ୍ତୁ ଏହାଙ୍କୁ କେବଳ ପ୍ରଚୁର କହିବାର ସୁଯୋଗ ଦିଅନ୍ତୁ । ଯଦି ପାରୁଛ ଜଣେ କାଲା ଲୋକକୁ ୟାଙ୍କ ପାଖରେ ଏକଲା ଛାଡିଦିଅ । ସେ କାଲା ଲୋକକୁ ବେଶି କିଛି କରିବାର ନାହିଁ ଖାଲି ନିୟମିତ ବ୍ୟବଧାନ ରେ ମୁଣ୍ଡ ଟୁଙ୍ଗରିବା ସହ କେବଳ ହୁଁ ଟିଏ କରୁଥିବ । କିଛି ଦିନ ପରେ ଏ ବେମାର ଆପେ ଭଲ ହେଇଯିବ ।

ଡାକ୍ତର ବାବୁଙ୍କ ପାଖରୁ ଫେରିବା ବାଟରେ ମୋ ପତ୍ନୀ ଖୁବ ବିଷର୍ଣ୍ଣ ଦେଖାଯାଉଥାନ୍ତି । କାରଣ ପଚାରିବାରୁ କହିଲେ,” ଛାଡ଼ ସେ ସବୁ ଏବେ ଭାବିଲେ କଣ ଲାଭ ! ନିଜ ଗୋଡ଼ରେ ତ ନିଜେ କୁରାଢ଼ୀ ମାରିଛି କାହାକୁ କହିବି ? ବାହା ପୂର୍ବରୁ ମୋ’ ଭାଉଜ ମୋତେ କେତେ ବୁଝେଇଛନ୍ତି । ଏ ଲେଖକଗୁଡାଙ୍କୁ ଜମାରୁ ବିଶ୍ୱାସ ନାହିଁ । କାମ ହାସଲ କରିବା ପାଇଁ ଏମାନେ ଶୂନ୍ୟରୁ ତାରା ତୋଳି ଏମିତି ଅଳଙ୍କାର ଶବ୍ଦ ଲଗେଇ ତୋତେ ଭାବସିକ୍ତ କରିଦେବେ ଯେ ତୁ ବି ବସି ଭାବୁଥିବୁ ଆହା କେତେ ନିର୍ମାୟା ନିରୀହ ଲୋକଟିକୁ ମୁଁ ବିରକ୍ତ ହେଉଥିଲି । ଏମାନେ ହେଲେ ସବୁ ଗପି ଗପି ଗାଳ୍ପିକ । ଏମାନଙ୍କ କଥାରେ କେତେ ସତ କେତେ ମିଛ ଖୋଦ ବ୍ରହ୍ମାଙ୍କୁ ଅଜଣା । ଏମାନଙ୍କୁ ଯେତିକି ଗୋଡେ ଗୋଡେ ଜଗିଥିବୁ ଓ ବେଶି କଥା କୁହାଇ ଦେଉନଥିବୁ ତ ଜାଣିବୁ ତୋ ସଂସାର ଠିକ ଚାଲିଛି । ଏବେ ଭାବୁଛି କେଉଁଠି କେମିତି ମୋର ଭୁଲ ରହିଗଲା ଯେ ତୁମେ ଏତେ ଗପିବାକୁ ସୁଯୋଗ ପାଇଲ !!

Comments are closed, but trackbacks and pingbacks are open.