Latest Odisha News

BREAKING NEWS

ବ୍ୟଙ୍ଗ : ଯଃ ଜାନାତି ସଃ ଜାନାତି

ଥରେ ସ୍ୱପ୍ନରେ ମେଟାଫର ଆସି ମୋ ସାମ୍ନାରେ ଉଭା ହେଲେ । ବଡ଼ ମନ ଦୁଃଖରେ କହିଲେ, ଧନ ଏ ସବୁ କଣ ଚାଲିଛି ମୁଁ କିଛି ବୁଝିପାରୁନି । ଡରରେ ମୁଁ ସାଙ୍କୁଡ଼ି ଗଲି । ପଚାରିଲି “ମହାନୁଭବ ଏପରି କ’ଣ ହେଲା ଯାହା ଆପଣଙ୍କ ମନରେ କଷ୍ଟ ଆଣିଲା ?”

ମେଟାଫର କହିଲେ “ସେକ୍ସପିଅରଙ୍କ ଠାରୁ ନିତ୍ ସେଙ୍କ ପର୍ଯ୍ୟନ୍ତ ମୋତେ ନେଇ ଯାହା ତ ପରୀକ୍ଷା ନିରୀକ୍ଷା କଲେ କଲେ ଶେଷକୁ ତୁମ ଫେସବୁକରେ ମୋର ମୋକ୍ଷ ପ୍ରାପ୍ତି ହେଲା ଜାଣ । ଏବେ ମୁଁ ନିଜେ ଦ୍ଵନ୍ଦରେ । ସତରେ ମୁଁ ତାହା ହେଲେ କ’ଣ ? ଫେସବୁକରେ ଏବେ ମୋତେ ନେଇ ଶହ ଶହ ଲୋକ ନିଜ ନିଜ ବାଟରେ ବ୍ୟାଖ୍ୟା କରୁଛନ୍ତି । ଯିଏ ଯାହା ପାରିଲା ନିଜର ସୁଚିନ୍ତିତ ମତ ରଖି ମୋ ବିଷୟରେ ଥାକେ ଲେଖିଲାଣି । ସେ ସବୁକୁ ପଢିଲା ପରେ ମୁଁ ନିଜେ ନିଜର ସ୍ୱରୂପକୁ ନେଇ ସନ୍ଦିହାନ ହୋଇପଡିଛି ।”

ମୁଁ ତାଙ୍କୁ କହିଲି “ଆଜ୍ଞା ଆପଣ ଠିକ କହୁଛନ୍ତି । ପୃଥିବୀ ପୃଷ୍ଠରେ ଯେତେ ଜ୍ଞାନୀ ଗୁଣୀ ଗବେଷକ ଥିଲେ ଏବେ ସେମାନେ ଏଇଠି ଗବେଷଣା କରୁଛନ୍ତି । ସାହିତ୍ୟଠାରୁ ସମାଜତତ୍ତ୍ୱ, ବିଜ୍ଞାନ ଠାରୁ ବିଜ୍ଞାପନ ପର୍ଯ୍ୟନ୍ତ ସବୁଥିରେ ଏମାନେ ଜଣେ ଜଣେ ମହାଜ୍ଞାନୀ । ଏହି ମହାଜ୍ଞାନୀମାନଙ୍କୁ କେହି କେହି ଗୁଗୁଲ ଜ୍ଞାନୀ ବୋଲି ମଧ୍ୟ କହନ୍ତି। କୌଣସି ବିଷୟରେ ଚଟପଟ ଗବେଷଣା ଧର୍ମି ନିବନ୍ଧ ଲେଖି ନିଜର ମତ ରଖିବାରେ ଏମାନେ ସିଦ୍ଧହସ୍ତ । ସମସ୍ତେ ନିଜ ହାତରେ ନିଜେ ଚଉଦପା । ଆପଣଙ୍କ ଭାଗ୍ୟ ଭଲ ଆପଣଙ୍କୁ ନେଇ ଝଡ଼ ଯେତେ ଶୀଘ୍ର ଉଠିଥିଲା ସେତେ ଶୀଘ୍ର ପ୍ରଶମିତ ହେଇଗଲା । ସମସ୍ତେ ନିଜ ନିଜ ଯୁକ୍ତି ଉପସ୍ଥାପନ କରି ମେଟାଫରର ବିଶାରଦ ଶିରୋମଣି ମୁକୁଟ ନିଜ ହାତରେ ନିଜେ ପିନ୍ଧି ଖୁସି ହେଲେ । ଆପଣ ଜାଣି ଖୁସି ହେବେ ଆପଣଙ୍କ ଅବସ୍ଥା ସେତେ ଖରାପ ନାହିଁ ଯାହା ସରିଆଲିଜିମ ଓ ଆବଷ୍ଟ୍ରାକ୍ଟର ଅବସ୍ଥା ।

କିଛିଦିନ ତଳେ ସ୍ୱପ୍ନରେ ବୁଲୁ ବୁଲୁ ଦେଖିଲି ଗୋଟେ ଗଛମୂଳରେ ଆଣ୍ଡ୍ରେ ବ୍ରେଟନ୍ , ସାଲଭଡାର ଡାଲି , ଭ୍ୟାଙ୍ଗଗ୍ , ଜନ କାଫ୍କା , ଜେମ୍ସ ଜଏସ୍ ପମୁଖ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପାଖରେ ଥାକ ଥାକ ଅଭିଧାନ, ଏନସାଇକ୍ଲୋପିଡ଼ିଆ ଥୁଆ ହୋଇଛି । କାଫକା ମୋବାଇଲରେ ଫେସବୁକରୁ କଣ ଗୋଟେ ପଢୁଛନ୍ତି ଓ ମଝିରେ ମଝିରେ ଶୂନ୍ୟକୁ ଚାହିଁ ଭାବୁଛନ୍ତି । ମୋତେ ଦେଖି ଭାରି ଖୁସିରେ ଡାକି ପାଖରେ ବସେଇଲେ କିନ୍ତୁ ଚୁପ୍ ରହିଲେ ।

ସାଲଭଡାର ଡାଲି ଆରମ୍ଭ କଲେ , “ପିନୁ ବାବୁ ଆପଣଙ୍କ ଫେସବୁକ୍ ବିଚରଣର ବହୁ ଅଭିଜ୍ଞତା ଅଛି । ଆମକୁ ଟିକେ କହିଲେ ଏବେ ଫେସବୁକ୍ ସାହିତ୍ୟରେ ଯେଉଁ ଅତି ବାସ୍ତବବାଦୀ ତଥା ବିସ୍ତୃତ ଅଭିବ୍ୟକ୍ତିର ନୂତନ ଧାରା ଆରମ୍ଭ ହୋଇଛି ତାହା ଆପଣଙ୍କୁ ସବୁ ବୁଝା ପଡୁଛି ତ ?

ଏପରି ଏକ ମଞ୍ଜ ପ୍ରଶ୍ନ ପାଇଁ ମୁଁ ପ୍ରସ୍ତୁତ ନଥିଲି । ମୋତେ ହଡ଼ବଡେଇ ଯିବା ଦେଖି ଜେମ୍ସ ଜୋଏସ କହିଲେ , “ମୁଁ ଦେଖୁଛି ଆପଣ ଏହିପରି ଅନେକ ଦୁର୍ଭେଦ୍ୟ ଗପ କବିତାରେ ଭଲ ମନ୍ତବ୍ୟ ସବୁ ଦେଉଛନ୍ତି । କେଉଁଠି ଲେଖୁଛନ୍ତି ଚମତ୍କାର ତ କେଉଁଠି ଆଖିରେ ଲୁହ ଆସିଗଲା ।

ସତକଥା କହିବାକୁ ଗଲେ ଆମ ବାପ ଅଜା ଚଉଦ ପୁରୁଷରେ ଆମେ ଏମିତିକା ଏକ୍ସପ୍ରେସିନିଜିମ ମାନେ ଅନ୍ତଃ ଅଭିବ୍ୟକ୍ତି କେବେ ନା ପଢିଥିଲୁ ନା ଶୁଣିଥିଲୁ । ସାହିତ୍ୟରେ ଥିବା ବିଭିନ୍ନ ଶୈଳୀ ଉପରେ ପରୀକ୍ଷା ନିରୀକ୍ଷା କରିବା ଭଲ । ତା ବୋଲି କଣ ଏତେ ଦୁର୍ଭେଦ୍ୟ ? ଫେସବୁକରେ ପୋଷ୍ଟ ହୋଇଥିବା ଗୋଟେ କବିତାକୁ ଆମେ ଦୁଇ ଦିନ ହେଲାଣି ତଳୁ ଉପରୁ ଆଗରୁ ପଛରୁ ତର୍ଜମା କରୁଚୁ ଏଯାଏଁ ଆମ ମୁଣ୍ଡରେ କିଛି ପଶୁନି । କିନ୍ତୁ ଦୁଇ ଦିନ ଭିତରେ ପ୍ରାୟ ଦୁଇ ଶହ ଲୋକ ସେ କବିତାକୁ ବୁଝି କମେଣ୍ଟ ଦେଇସାରିଲେଣି । ଏହି ଗୋଟିଏ କବିତାରେ ସେ ସରିଆଲିଜିମ, ଆବଷ୍ଟ୍ରାକ୍ଟକୁ ଫେଣ୍ଟାଫେଣ୍ଟି କରି ପ୍ରତି ଧାଡିରେ ସେ ଏମିତି ଇମେଜାରି ସବୁ ଦେଇଛନ୍ତି ଯେ ଆମ ସମସ୍ତଙ୍କ ମୁଣ୍ଡ ଟିଣ । ସ୍ୱର୍ଗରେ ବି ଆମକୁ ଶାନ୍ତି ନାହିଁ । ଏମାନଙ୍କ ଲେଖା ପଢି ଆମକୁ ନିଜ ଲେଖାକୁ ନେଇ ଯାହା କୁହ ଭାଇ ସନ୍ଦେହ ଉପୁଜିଲାଣି ।”

ମୁଁ ମୋ କଥା ସାରି ମେଟାଫରକୁ ଚାହିଁ ଦେଖେତ ସେ ଧୂଆଁ ଭଳି ମୋ ଚାରିପଟେ ଘେରାଟେ ମାରି ଶୂନ୍ୟରେ ମିଳେଇଗଲେ । ମେଟାଫର ମାନେ ଧୂଆଁଧାର । ଯେମିତି ଚାହଁ ସେମିତି କଥାରେ ବୁଲେଇପାର । ମୁଁ ମୋ ନିଜକୁ କହିହେଉଥିଲି ତ ପୁଅ ଆସି ହଲେଇ ଉଠେଇଲା , “ବାବା ଉଠ । ତୁମଠୁ ପୋଏଟ୍ରି ବୁଝିବାର ଅଛି….।”

ବନମାଳୀ ଭବନ ,
ଖାନ ନଗର , କଟକ

Leave A Reply

Your email address will not be published.