କୁଳାଙ୍ଗାର ଉବାଚ : ବର୍ଷାକୁ କରନ୍ତି ଈର୍ଷା

ବର୍ଷା ମୋର ପରା ପୁରୁଣା ପ୍ରେମିକା   
ଏବେ ବି ମୁଁ ଭଲପାଏ ;
ଘରଣୀ ନାଁ ମୋ ସୂର୍ଯ୍ୟା ତେଣୁ ମୋତେ
ବର୍ଷାଋତୁ ହିଁ ଜଳାଏ !

ଭାରି ଭଲ ଲାଗେ ମୋତେ ବର୍ଷାରେ
ଭିଜି ଗାଇବାକୁ ଗୀତ ;
ଏ ବର୍ଷ ବନ୍ଦ ଯେଣୁ କରୋନା ସହିତ
ସିଏ ମିଳାଇଛି ହାତ ।

ନିଶାପାଣି ଅବା ବର୍ଷାର ପାଣିରେ
ବିଶେଷ ଫରକ ନାହିଁ ;
ଦିହେଁ ନାରଖାର କରନ୍ତି ଭସେଇ
ଅବା କଚଡ଼ା ଖୁଆଇ !

ବର୍ଷା ହେଉଛି ଏ ଧରାର ପ୍ରଥମ
ସୂଚନା ଦେବାର କର୍ମୀ ;
ଭିଜେଇ ଦିଏ ସେ ଭସେଇବି ଦିଏ
ପିନ୍ଧିଥାଅ ଯେତେ ଦାମୀ !

ବର୍ଷାଦିନର ଶୁଭେଛା ମୋତେ
କେହି ପଠାଇବ ନାହିଁ;
ଓଦା ହେବ ଯଦି ମୋବାଇଲି ଫୋନ୍
ମୁଁ ଭାସିଯିବିରେ ଭାଇ!!

ରେନ୍-କୋଟ୍ ଭିତରେ ଯେବେ ମୋର
ପିଠିଟି କୁଣ୍ଡେଇ ହୁଏ;
ଲାଗେ ମୋତେ ଗୁଣି ଗାରେଡି କରିଛି
ପୁଣି ଶତ୍ରୁ ଗୋଟେ କିଏ ?

ଏଇ ବର୍ଷାଋତୁରେ ଆମ ସଭିଙ୍କୁ
ସ୍ବାଧିନତା ମିଳିଥିଲା ;
ଆମରି ଦେଶକୁ ପାଣି ଢାଳି ଢାଳି
ଇନ୍ଦ୍ରରାଜା ଧୋଇ ଥିଲା !

ଜାତି, ଧର୍ମ, ବର୍ଣ, ନିର୍ବିଶେଷେ
ଏକାକାର କରେ ବର୍ଷା ;
ଅଧିକ ମଣିଷ ଏଇ କାରଣରୁ
ବର୍ଷାକୁ କରନ୍ତି ଇର୍ଷା !