Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଅବାକ୍ ହେଲା ମୀନକ୍ଷି । ଜୀବନରେ କୌଣସି ଇତର ପୁରୁଷର ଛାଇକୁ ବି ଯିଏ ସ୍ପର୍ଶ କରିନି, ଆଜି ହଠାତ୍ ସେ ଏତେ ପ୍ରଗଲ୍‌ଭ କିପରି, ଏବେ ଯାଇ ସେ ପ୍ରହେଳିକାର ପ୍ରକୃତ ମଞ୍ଜକୁ ଧରି ପାରିଲା । ନାରୀ ପୁରୁଷ ନିର୍ବିଶେଷରେ ଶାରୀରିକ ସୌନ୍ଦର୍ଯ୍ୟର ଆକର୍ଷଣ ଯେ ନିଶ୍ଚିତ ଭାବରେ ପ୍ରଭାବଶାଳୀ, ଏ କଥା ସେ ଆଜି ଠିକ୍‌ ଭାବେ ବୁଝିପାରିଲା ।

– ତାଙ୍କ ପରିବାର ବିଷୟରେ କିଛି କହିଲୁନି…

– ଯାହା ଶୁଣିଛି, ପଲ୍ଲୀର ଗୋଟେ ଛୋଟିଆ ଘରେ ତାଙ୍କ ପରିବାର ରହନ୍ତି । ଇଏ ଅଧ୍ୟାପକ ଅଛନ୍ତି । ଆଉ ଅଧିକା କିଛି ମୁଁ ଜାଣେନି । ଘରେ କାହାକୁ ପଚାରିବି ଯେ, ଲାଜ କଥା !

– ହଁ ସତକଥା । ତଥାପି ବାହାଘର ଠିକ୍ କରିବା ପୂର୍ବରୁ ଘରେ ତତେ କେହି କିଛି ପଚାରିନାହାନ୍ତି ? ଯେମିତିକି ବରପାତ୍ରର ଗୁଣ… ଚରିତ୍ର… ଘର ପରିବାରର ଚାଲି ଚଳନି । ମାନେ… ଘରେ କଥା ହୁଅନ୍ତି ନି… ବର… ଘର ଇତ୍ୟାଦି…ଇତ୍ୟାଦି ।

ପଦ୍ମିନୀ କେବଳ ‘ଆଁ’ କରି ତାକୁ ଚାହିଁ ରହିଲା । ଚନ୍ଦ୍ରଭାନୁଙ୍କୁ ଦେଖିବା ଦିନରୁ ସେ ତାଙ୍କ ଭିତରେ ଏତେ ଦୂର ତଲ୍ଲୀନ ହୋଇଯାଇଛି ଯେ, ବିବାହ ଭଳି ଜୀବନର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ମୋଡ଼କୁ ସେ ଗୋଟେ ଖିଆଲରେ ପାରହେବାକୁ ମନସ୍ତ କରିସାରିଛି । ଯେଉଁଥିପାଇଁ ଏ ବିଷୟରେ ଘରେ କାହା ସହ ଆଲୋଚନା କରିବା ବି ସେ ଆବଶ୍ୟକ ମଣି ନାହିଁ । ଚନ୍ଦ୍ରଭାନୁଙ୍କୁ ଦେଖିବା ପୂର୍ବରୁ ‘ହାତେ ମାପି ଚାଖଣ୍ଡେ ଚାଲୁଥିବା’ ପଦ୍ମିନୀ, କିଛି ଗୋଟେ କରିବା ପୂର୍ବରୁ ତା’ ବିଷୟରେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବା ପଦ୍ମିନୀର ଏ ପରିର୍ବନ କେମିତି ସମ୍ଭବ ହେଲା? ରୂପ ନଗରୀର ରାଜନନ୍ଦନ ଚନ୍ଦ୍ରଭାନୁଙ୍କର ଆଭା-ଅର୍ଣ୍ଣବ ମଧ୍ୟରେ ସେ ଯେଉଁ ମୋହାଚ୍ଛନ୍ନ ଅବସ୍ଥାରେ ଲମ୍ଫ ଦେଇଥିଲା; ମୀନାକ୍ଷିର ଏଇ ସାଧାରଣ ପ୍ରଶ୍ନ ଶୁଣି ସେ ଆବେଶ ଭିତରୁ ବାହାରକୁ ଆସି ବଡ଼ କରୁଣଭାବେ ତାକୁ ଚାହିଁ ରହିଲା ।

Leave A Reply

Your email address will not be published.