କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ବର୍ତ୍ତମାନ କିନ୍ତୁ ତାଙ୍କର ଭାରାକ୍ରାନ୍ତ ମସ୍ତିଷ୍କ ଆଉ ବେଶୀ ସହ୍ୟ କରିପାରୁନାହିଁ । ଓଃ…, ଏ କାନ୍ଥ, ପ୍ରାଚୀର, ଘରର ଆସବାବପତ୍ର ସବୁ ଯଦି ମଣିଷର ଯବଣାକୁ ଶୁଣି ସମବେଦନା ଜଣାଇ ପାରନ୍ତେ, ତେବେ ସେ ଏଇ ମୁର୍ହୂରେ କଣ୍ଠରେ ଶତଧୈର୍ଯ୍ୟ ସଂଗ୍ରହ କରି ସବୁ କିଛି କହିଯାଆନ୍ତେ ।
ଭାବପ୍ରବଣ ସରୋଜ କୋଠରୀର ପ୍ରତ୍ୟେକ ବସ୍ତୁ ଉପରେ ନିଜର ଅସହାୟ ଡୋଳା ଘୂରାଇ ଆଣିଲେ । କେତେବେଳୁ କି ସେ ବୁକ୍ ସେଲ୍ଫ ପାଖରେ ଛିଡ଼ା ହୋଇଛନ୍ତି । ପଦ୍ମିନୀର ଶୋଇବା ଘରକୁ ୟା ପୂର୍ବରୁ ସେ କେତେଥର ଆସିଛନ୍ତି । ବିଶ୍ୱାସ ତାଙ୍କ ହାତଧରି ନେଇଆସିଛି । କିନ୍ତୁ ସେ କୋଠରୀରେ ଥିବା ସେଲ୍ଫ ଦିଗକୁ ତାଙ୍କର ଦୃଷ୍ଟି କେବେ ଯାଇନି । କିଛି ଗୋଟେ ଜିନିଷ ପାଇଁ ଭିତରକୁ ଟଣା ହୋଇଯାଇ, ପୁଣି ଲେଉଟି
ଆସିବା ଭିତରେ, ସେ ସେଲ୍ଫ ଦିଗକୁ ନଜର ଦେଇପାରିନାହାନ୍ତି । ଏବେ ଅନେକ ସମୟ ଧରି ସେଇଠି ଛିଡ଼ା ହେବା ଭିତରେ ତାଙ୍କର ମନେପଡ଼ିଗଲା ଦାର୍ଶନିକ ‘ସିସେରୋ’ ଙ୍କ ଉକ୍ତି- ଶରୀରକୁ ସୁସ୍ଥ ରଖିବାପାଇଁ ଖାଦ୍ୟ ଯେତିକି ଲୋଡ଼ା; ମନକୁ ସୁସ୍ଥ ରଖିବାପାଇଁ ଅଧ୍ୟୟନ ସେତିକି ଲୋଡ଼ା ।’
ଆଖି ବୁଜି ସେ ସେଲ୍ଫ ଉପରୁ ଖଣ୍ଡେ ବହି ଓଟାରି ଆଣିଲେ । ନାମ କ’ଣ ଦେଖିବାପାଇଁ ଆଖି ଖୋଲିବା ମାତ୍ରେ ସେ ସାମାନ୍ୟ ବିବ୍ରତ ହୋଇଉଠିଲେ । ତାହା ବହି ନୁହେଁ, ଗୋଟିଏ ଡାଏରୀ । ସେଥିରେ ଗୁଡ଼ାଯାଇଥିବା ମଲାଟ ଉପରେ ସୁନ୍ଦର ଭାବେ ଲେଖାଯାଇଛି- ‘ପଦ୍ମିନୀ ପ…ନାୟକ’ ଡାଏରୀଟିର ପୃଷ୍ଠାପରେ ପୃଷ୍ଠା ଉନ୍ମୋଚନ କରି ସେ ପଢ଼ିଗଲେ । ଜୀବନର ବିଭିନ୍ନ ଅବସ୍ଥା, ଅନୁଭବ, ଘଟଣା ଓ ଚିନ୍ତାଧାରାକୁ ନେଇ ହୃଦୟସ୍ପର୍ଶୀ କବିତାମାନ ଲେଖାଯାଇଛି । ସେଗୁଡ଼ିକୁ ପଢ଼ୁଥିବା ସମୟରେ ତାଙ୍କ ଭିତରେ ଥିବା ସୁପ୍ତ କାବ୍ୟିକ ପ୍ରତିଭା ପୁନଃ ଜୀବନ୍ୟାସ ପାଉଥିଲା ।
ଏ ଭିତରେ ପଦ୍ମିନୀ କେତେବେଳୁ ଅଫିସ୍ରୁ ଫେରିଆସିଲାଣି । ସରୋଜଙ୍କ ହାତରେ ତା’ର କବିତା ଖାତା ଦେଖି ପ୍ରଥମେ ସେ ଚମକି ପଡ଼ି ଥିଲା । ହୃଦୟ ଭିତରେ ଏକ ଆଲୋଡ଼ନ ସୃଷ୍ଟି ହେଲାବେଳେ, ହଠାତ୍ ତା’ର ମନେହେଲା, କେବେ ଦିନେ ତା’ ଭିତରେ ସୃଜନଶୀଳତା ଥିଲା ।
କ୍ରମଶଃ