Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୨

ହାତ ହଲେଇଲା ଅମୃତା ତିଥି ଉଦ୍ଦେଶ୍ୟରେ। ଏ ଘରେ ଆଜି ରାତି କଟିବ, ସବୁଦିନ ଭଳି। ଚାବିକାଢି ପଶିଗଲା ପରେ ମହମହ ବାସ୍ନାରେ ମହକିତ ହୋଇଗଲା ସେ । ଆଜି ତିଥି କ’ଣ ମହକେଇ ଦେଇଯାଇଚି ହଲଟିକୁ। ଅଜଣା ସୁଗନ୍ଧ। ଭାରି ଭଲ ଲାଗିଲା।

ଯାହା ଯେମିତି କରିବାକୁ ପଡେ ସେମିତି ସାରିନେଲା , ଖୁବ୍ କମ୍ ସମୟରେ ଓ କମ୍ ଶବ୍ଦରେ। ନାଇଟଡ୍ରେସ ଗଳେଇନେଇ ଆଣ୍ଟି ପାଖକୁ ଯାଇଦେଖିଆସିଲା। ସବୁଠିକ ଅଛି। ଖାଇନେଲା ଯଥାଶିଘ୍ର। ପ୍ରକୃତରେ ସେ ହଷ୍ଟେଲରେ ଖାଇପାରନ୍ତା, କିନ୍ତୁ କୁହାଯାଇଚି ଏଇଠି ଖାଇବାକୁ। ବୋଧହୁଏ ତିଥିକୁ ତଦାରଖ କରିବାକୁ। ସେ ଯା’ ହଉ ତିଥି ହାତରେ ଅମୃତ ଅଛି ।କେବେ କେବେ ତେଲ ଅଧିକ ପକାଏ।ନହଲେ ତା’ ରନ୍ଧା ଖୁଣିହବନି ଜମାରୁ। ଅମୃତା ସତରେ ଆତ୍ମହରା ହୁଏ ଏ ଖାଦ୍ୟଖାଇ ।

ହର୍ଲିକ୍ସ କି କଫି ପିଇଲେ ହୁଅନ୍ତା। ନିଦ କମ୍ ଲାଗନ୍ତା। ଆଜି ଦେହ ଅବଶ ଲାଗୁଚି। ଅଫିସ୍ ଗଲାଠାରୁ ବିଶ୍ରାମ ନାହିଁ ଆଜି। ସବୁକାମ ଏକାଦିନେ ପଡିଗଲା। କରିବ କ’ଣ ମଣିଷ। ଆଜି ନା ପଢିବ ,ନା ଲେଖିବ।ଶୋଇବ କିଛି ସମୟ। ତାପରେ ଯାହା। ତିଥିର ଲେଖାରୁ ଜଣାଯାଉଚି ଔଷଧ ସବୁ ଯେମିତି ଚାଲୁଥିଲା ଚାଲିବ। ଆହୁରି ଯତ୍ନ , ଆହୁରି ସେବା,ଆହୁରି ସତର୍କ ହେବାକୁ ପଡିବ। ଭଲ ହୋଇଯାଆନ୍ତୁ ଶିଘ୍ର।

ବାଲକୋନି ପାଖରେ ଫଡଫଡ ଶବ୍ଦ। ପାରାଟିଏ ଆସିବାକୁ ଚାହୁଁଚିକି ଆଉ। ସବୁତ ବନ୍ଦ ଏ ଘରେ। କେବେ କେମିତି ବାଲକୋନି କାଚ ପୋଛିବା ବାହାନାରେ ଖୋଲେ ଓ ଦେଖିଦିଏ ବାହାର ଜଗତକୁ ଟିକିଏ, ଅମୃତା। ଗାଁରେ ଢିଙ୍କିଶାଳ ପାଖରେ ପାରା ରହୁଥିଲେ ଧାଡିଧାଡି ଅଣେଇହୋଇ ଟଙ୍ଗାହୋଇଥିବା ହାଣ୍ଡି ଭିତରେ। ଧଳାପାରାଟିଏ ମଥାରେ ଚୂଳଥାଇ ଆସି ରହିଲା। ସମସ୍ତେ କହିଲେ ବହୁତ ଶୁଭ ହବ। ବଡ ସୁନ୍ଦର ଥିଲା ସେ। ଢଳି ଢଳି ଚାଲେ। ‘ ଗୋଟି ଗୋଟି ବିଞ୍ଚିଦେଲେ ସୋରିଷ ‘ କିଏ ଗାଏ ଏ ଗୀତ। କାହିଁକି ପାରା ଦେଖିଲେ ସେ ଛଟପଟ ହୁଏ। ଯେତେଯାହା ହଉ ରୋଗ କି ଅନ୍ଧବିଶ୍ବାସ, ପାରାମାଂସ ଖାଇବେ ବୋଲି ଚୂଳିଆ ପାରାକୁ ମାରିଦେଲେ ଦିନେ। ସ୍କଲରୁ ଫେରି ଜାଣିବା ପରେ ଭୀଷଣ କାନ୍ଦିଥିଲା। ଆଜିକାଲି ଆଉ ଲୁହ ଗଡେନି ,କୋହ ଉଠେ। ଗୋଡକଚାଡି ରାଗ ଦେଖେଇଥିଲା ସେଦିନ ।ଏବେ କାହାକୁ ଦେଖେଇବ ରାଗ। କିଏ ଶୁଣିଲା ଯେ ସେଦିନ। ଆଉ ଆଜି ବି କିଏ ଅଛି। ଯାଃ ସେ ମୁକୁଳି ପାରେନା ଏସବୁ ମୋହରୁ।କିଏ କାହାର ଏଠାରେ ନିଜେ ହିଁ ନିଜର।ଖାଲିଯାହା ମିଛରେ ବାନ୍ଧି ହୋଇଚୁ ।ଖିଅଟିଏ ସମ୍ପର୍କର ଡୋରି ଛିଡିପଡିବ କେତେବେଳେ ଟିକିଏ ଆଘାତ ପାଇଲେ। ଦର୍ଶନ ଛାଡି କାମରେ ମନ ଦେ ,ଅମୃତା। ଛାଟ ବସିଲା। ନା, ଆଉ ନୁହେଁ।

ଆସ୍ତେକିନା ପଶିଗଲା କବାଟ ଖୋଲି। ଆଣ୍ଟି ଶୋଇଚନ୍ତି। ନିଜ ଜାଗାରେ ବସିଲା। ତିଥି କାଗଜ ପଢିନେଇଚି।ଏବେ କିଛି କରିବାର ନାହିଁ। ଯାଉ ଆଉ କିଛି ସମୟ।

ହଷ୍ଟେଲ ରୁମ ଯେତିକି ଉପଭୋଗ୍ୟ ଏଇଟା ବି ସେତିକି ଆନନ୍ଦଦାୟକ ।ଫରକ , ସେଇଠି ସେ ଏକଲା, ଆଉ ଏଇଠି ଆଣ୍ଟି। ମାଆ ଟିଏ, କିନ୍ତୁ ପଥର, ଫୁଲ ଯାହା କହିଲେ ଚଳିବ।

ନୀଳରଙ୍ଗର ଘଣ୍ଟା, ପାଖୁଡା ପାଖୁଡା ଫୁଟିଯାଉଥିବା ସୁନ୍ଦର ଫୁଲ, ସମୁଦ୍ର ଢେଉ କି ଆକାଶ କୋଳରେ ପକ୍ଷୀ କିଛି ସ୍ବପ୍ନରେ ନ ଆସନ୍ତୁ ଆଜି। ଅଳ୍ପ ଶୋଇବ, କିନ୍ତୁ, ନିଘୋଡ ନିଦରେ ।

କେତେ ଗରଗର ଆଜି ମାଷ୍ଟରଙ୍କର ।ସବୁ ସେଇ ଅଙ୍କିତ ପାଇଁ। ମନେ ରଖିବନି, ଗାଳି ଖାଇବ ଆଉ ଶାନ୍ତ ପରିବେଶକୁ ନଷ୍ଟ କରିଦବ। ହଜାରେ ସରି କହିବ ତାପରେ। ଛଉନାଚ କି କଷ୍ଟ। ସମର ଅଭ୍ୟାସ ସତରେ।ଆଗେ ସମର ପାଇଁ ଛାଉଣି ରେ ପୁରୁଷ ନାଚୁଥିଲେ, କଷ୍ଟସହି। ଏବେ ଏବେ ନାରୀ ନାଚିପାରୁଚି। ତାକତ ଦରକାର। ହିମ୍ମତ ଦରକାର ।ନହଲେ ଜମା ହବନି।ପୁଣି ସେ ବଦରାଗୀ ବୁଢା ମାଷ୍ଟ୍ରେ। ଓସ୍ତାଦ୍ ଡାକୁଥିଲେ, ଏବେ ସାର୍ କହିଲେ ଚଳୁଚି। ଭାରି କଷ୍ଟକର । କିନ୍ତୁ ମଜାଲାଗେ। କୋଉ ଦିନ ସେ ଚୈତ୍ର ପର୍ବରେ ନାଚିବାକୁ,ଷ୍ଟେଜ ଉପରକୁ ଯିବ ସେଇ କଥା ଭାବି ମନ ଖୁସି ହୋଇଯାଏ।

ସତରେ ସେ ନାଚିବ ମଞ୍ଚରେ। ଆଉ ଜୀବନ ତା’କୁ ଯୋଉ ନଚଉଚି। ଅଙ୍କିତ ସହ ଡୁଏଟ ନାଚିବା, ବିଜନ ସହ ଅଫିସରେ ଫାଇଲର ଖେଳ ପିଲାବେଳେ ପଡିଆରେ ସମର ସହ ସେ ହାରେକି କୋଉଠି । ଝାନସୀ ରାଣୀ ଏଇ ଶବ୍ଦରେ ବୈକୁଣ୍ଠ ସାର ଡାକୁଥିଲେ ନା ହସ ଚହଟିଗଲା ମୁହଁରେ । ବୈକୁଣ୍ଠ ସାର୍ ଗୀତ ଶିଖଉଥିଲେ। ଜାତୀୟ ସଂଗୀତ। ଗଣିତ ପଢଉଥିଲେ। ସବୁଦିନ ଗପ କହୁଥିଲେ। ତୃତୀୟ ଶ୍ରେଣୀରୁ ସେ ବଦଳି ହୋଇଗଲେ। ଆଜିଯାଏଁ ଭୁଲିତ ହେଉନି ତାଙ୍କୁ। ଲାଲବାହାଦୁର ଶାସ୍ତ୍ରୀ କେମିତି ନଈ ପାରେଇ ପଢିବାକୁ ଯାଉଥିଲେ, ପାଠକୁ ଭଲପାଇ। ଦୃଢମନୋବଳ ଦରକାର ଏ ସଂସାର ନଈକୁ ପହଁରି କୂଳରେ ଲାଗିବା ପାଇଁ। ହାରିବା ଜାତକରେ ନାହିଁ। ଆଉ ସେଇଥିପାଇଁ ଫେନସିଡ୍ରେସ ପ୍ରତିଯୋଗିତାରେ ସାର୍ ତାକୁ ଝାନସୀ ରାଣୀ କରିଥିଲେ। ସେ ଦିନରୁ ନିଜକୁ ସେଇଭଳି ଭାବି ଆସୁଚି। ହାରିବ ଆଉ କେମିତି । ହେତ୍ କେହି ନାହିଁ ନିଜର କଥା ଟିକିଏ ଶୁଣେଇବା ପାଇଁ ଏଠାରେ।

ଶୋଇବା ଜରୁରୀ, ନହଲେ ଯିବ ସବୁ। କାଲି କ’ଣ କମ କାମ ଅଛିକି ? ଦେଖିନେଲା ସବୁ ଠିକ୍ ଅଛି, ଉଦ୍ଦିଷ୍ଟ ବିଛଣାରେ ଗୋଟେଇନେଲା ନିଜକୁ ଅମୃତା।

Leave A Reply

Your email address will not be published.