Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୯

ଗପୁଡା  ପ୍ରତୀକ ପହଞ୍ଚିବା କ୍ଷଣି  ପଚାରିଲା, ‘କ’ଣ ହେଲା ହୋ ‘ ତା’ ନିଜ ଜାଗାରେ, ନିଜ କଥିତ ଭାଷାରେ ପରମ ଉତ୍ସାହର ସହିତ । ‘ମୋତେ ଏ ରାଜପ୍ରାସାଦ ବୁଲେଇ ଦେଖେଇବ, କହିବ କି ରାଜା ଓ ରାଣୀଙ୍କ ବାବଦରେ କିଛି’ , ଅନୁରୋଧ ଥିଲା ମୋ’ର।  ‘ ଓଃ ‘ , କହି ବୁଝି ଗଲା ସବୁ ସେ। ଦେଖେଇଲା, “ଏଇଟା ବାହାରକୁ ଓ ଭିତରକୁ ଯିବା ରାସ୍ତା।” “ହୁଁ  ,ଜାଣି ପାରୁଚି।” ହସ ଲାଗେ ତା’ର ସରଳ କଥା ପାଇଁ।

ଏଥର କହିଲା, ‘ଦେଖ ଏଇ ଯୋଉ ଛୋଟ ଛୋଟ ବଖରା ଆଉ  ଅଣଓସାରିଆ ବାରଣ୍ଡା, ବଡବଡ ପିଲର, ଫର୍ମ ଫିଲପ ସମୟରେ  ଏଇଠି ଆମେ ଜମା ହେଉ। ହସିବି ନା କାନ୍ଦିବି ତା’ କଥାରେ, ରାଜ ପରିବାର କଥା କାହିଁ, କହିଲା କ’ଣ ନା ଫର୍ମ ଫିଲପ। ମନେ ମନେ ଏତକ କହିଲି। ‘ରାଜାଙ୍କର କୋଉ କାମରେ ଏସବୁ  ଲାଗେ’, ହସଚାପି ପଚାରିଲି।

ଟିକିଏ ଭାବିଲାଭଳି ଉତ୍ତର ଦେଲା, ‘ସୈନିକ ରହୁଥିବେ, ଅତିଥି  ରହୁଥିବେ, ରାଜକର୍ମଚାରୀ ରହୁଥିବେ ଅସ୍ତ୍ରଶସ୍ତ୍ର  ରଖାଯାଉଥିବ।ଏବେ ପାରା,ଆଉ ଖାଲି ଖାଲି ଥାକସବୁ ପଡିଚି  ସେମିତି। ‘ଏଇ ଗଳିଦେଇ ଆସ ‘ କହି ହାତଧରି ଟାଣି ନେଲା।ଅନ୍ଧାର ପ୍ରାୟ, ଯାଉ ଯାଉ କହୁଥାଏ ‘ ଦେଖ, ଲକ୍ଷ୍ମଣ କବାଟ ଯିଏକି ଜଣେ କ୍ଲର୍କ ଥିଲେ, ଆଉ ମୋତେ ପଣିକିଆ ସହିତ ଗଣିତ , ସାହିତ୍ୟ ଶିଖେଇଥିଲେ, ନୃତ୍ୟ ସହିତ ମଞ୍ଚ ଅଭିନୟ ଶିଖେଇଥିଲେ , ନିଜେ ନାରୀ ଚରିତ୍ରରେ ବୃନ୍ଦାବନ ଚନ୍ଦ୍ର ମନ୍ଦିର ପ୍ରାଙ୍ଗଣରେ କେତେ ନାଟକରେ ଅଭିନୟ କରୁଥିଲେ ସେଇ ମୋ’ ପ୍ରିୟ ମଣିଷ ଏଇଠି ବସୁଥିଲେ।’ ପୁଣି, ସ୍ବଳ୍ପ ଆଲୋକରେ କିଛି ବାଟ ଗଲାପରେ କହିଲା, ‘ଏଇଟା ସୁଇମିଂପୁଲ୍ ଥିଲା। ତା’ ଉପରେ ମଞ୍ଜଶାଳ କାଠପଟା ପକେଇ ଏବେ ଲାଇବ୍ରେରୀ ହୋଇଚି।

ଖୁଣ୍ଟିଆବାବୁ ଏଇଠି ବସୁଥିଲେ, ଭିତରକୁ ଯାଇ ବହିଖଣ୍ଡେ ଧରିବାକୁ ସାହସ ଦରକାର, ନହଲେ ସୁପାରିଶ ଦରକାର।’ ମୁଣ୍ଡରେ ପଶୁନଥିଲା ତା’ କଥା।ମହଲ ଭିତରେ  ସୁଇମିଂ ପୁଲ୍। ଅଳ୍ପ ଆଲୋକ…ନୀଳଜଳ, ନିଆରା ମଜା ଭାସିଗଲି ଭାବନାର ନଈରେ। ‘ଶୁଣ ଅମୃତା, ଏପଟେ ଉପରକୁ ଗଲେ ଆମ ଷ୍ଟାଫ୍ କମନରୁମ୍। ‘   ‘କି ସୁନ୍ଦର ମ’, ପାଟିରୁ ବାହାରିଗଲା ଏତକ। ‘ଏଇଠି ରାଜାଙ୍କ ଦରବାର ବସୁଥିଲା। ମନ୍ତ୍ରୀ ପାରିଷଦଗଣ…  ପ୍ରଜାତନ୍ତ୍ର  ଚାଲୁଥିଲା ଆମର , ରାଜତନ୍ତ୍ର  ନୁହେଁ।’  ‘ସତରେ’, କହିଲି ମୁଁ।  ‘ଉପରକୁ ଦେଖ କି ସୁନ୍ଦର  କାମ ହୋଇଛି ଛାତରେ। ଅଧାଅଧି ନଷ୍ଟ ହୋଇ ଗଲାଣି ଏଇ ଆମର ପ୍ରିୟ ଛପନ ନମ୍ବର ରୁମ୍।

ସେପଟେ ଦେଖ ସତାବନ। ଆରପଟରେ ଟେରସ। ପାଠରେ ମନ ନ ଲାଗିଲେ ଡେଇଁ ପଡି ବାହାରକୁ ଯାଅ। ଗାଳି ଖାଅ। ହସ ଜମିଲା ଆମର ।

ଗମ୍ବୁଜ ଦେଖ। କେତେ ପ୍ରକାର, କେତେ ରଙ୍ଗର ପଥର, ସିରାମିକ ଖଣ୍ଡ ।ଖରାରେ ଝଲସେ ଏସବୁ। ବର୍ଷା ଆହୁରି ମନୋଜ୍ଞ।’ ‘ନୈଶ୍ୟ ବିହାର ପାଇଁ  ପ୍ରକୃଷ୍ଟ  ବୋଧହୁଏ’ କହିଲି, ତା’କୁ। ମନକୁମନ କହିଲି ,ଟିପିଟିପି ତାରାଫୁଲ ମେଳରେ କି ଜହ୍ନରାତିର ଧୂଆଁଳିଆ ଆଲୋକରେ ପଦଚାରଣ କରୁଥିବେ ଚିନ୍ତିତ ରାଜା …. କେବେ ପୁଣି ସାଧାରଣ ମଣିଷ ଭଳି ଉପଭୋଗୁଥିବେ ପ୍ରକୃତିକୁ,

ଆଃ କି ସୁନ୍ଦର! ‘କରିଡୋର କଡେ କଡେ ଥିବା ରୁମର ବେଶି ଭାଗ ଝରକା ବାହାରକୁ , ଅବଶ୍ୟ ପବନ ଯାତାୟାତ ପାଇଁ ବିପରୀତ ଦିଗରେ ବି ଅଛି ଅନେକ ଝରକା । ମଞ୍ଜ ଶାଳ କି ପିଆଶାଳ କାଠର ସେସବୁ। ଓସାରିଆ  ବାରଣ୍ଡା। ରଥସମୟରେ ଢେର ଦର୍ଶକ ଜମା ହୁଅନ୍ତି, ବଢିଆ ଦୃଶ୍ୟ ଦେଖିବାକୁ ମିଳେ ଏଇ ଉପରୁ ।  ନହେଲେ ତ କୃଷ୍ଣଚୁଡା ଗଛ, ଫୁଲ, ହଳଦୀ ବସନ୍ତ  ଅନ୍ୟମନସ୍କ ମନ ।ଖୋଲାମେଲା ପବନ। ଆଜିକାଲି ଯୁଗର ବ୍ଲାଇଣ୍ଡ ଭଳି ଝରକା , ଛୁଇଁଲେ କାଠପଟା କେଡେ ସୁନ୍ଦର ଖୋଲେ ଓ ବୁଜେ।ଦୁଇମହଲା ହେଲେ କ’ଣ ହେବ, ଉଚ୍ଚତା ଢେର ଅଧିକା। ସେଇଥିପାଇଁ ଗରମ କମ ଲାଗେ।’ଏକା ନିଃଶ୍ବାସକେ ଏତକ କହିଗଲା ପ୍ରତୀକ। ‘ହୁଁ’ କହିଲି କେବଳ।

ଆରପାଖ ଅଗଣାକୁ ଗଲାପରେ ଠିକ୍ ସେମିତି ତଳେ ଛୋଟଛୋଟ ବଖରା ଆଉ ଉପରେ ବଡବଡ। ‘ଏଇଟା ବିଜ୍ଞାନ ପିଲାଙ୍କ ପାଇଁ। ଗ୍ୟାଲେରୀ ଦେଖ ମ, ଦେଖ ଆମ ଆକର୍ଷଣୀୟ ଷ୍ଟେଜ।’ ଏଇଠି ଉତ୍ତମ ମହାନ୍ତି, ଜ୍ଞାନରଞ୍ଜନ ଦାଶ ,ଚିନ୍ମୟ ଦାସପଟ୍ଟନାୟକ ଇତ୍ୟାଦି କେତେ କେତେ କଳାକାର ନବନାଟ୍ୟ ଧାରାର ନାଟକ କରି ସଫଳତା ମୁଠେଇଛନ୍ତି ତା’ର ଇୟତ୍ତା ନାହିଁ। ମୁଣ୍ଡରେ ମାରିଲି ସେ ଧୂଳିକୁ।

କଳାକାରଙ୍କୁ ଗଢେ ଏ ମାଟି। ପୃଷ୍ଠପୋଷକତା ଦିଏ କଳାକାରଙ୍କୁ। କଳା ଓ ସଂସ୍କୃତି ଚିରଜାଜ୍ଜୁଲ୍ୟମାନ ରହୁ ଏ ମାଟିରେ। ଏଇଠି ରାଧାମୋହନ ଗଡନାୟକ, ଜୟକୃଷ୍ଣ ସାମଲ, ପରମାନନ୍ଦ ଆଚାର୍ଯ୍ୟ , ଚନ୍ଦ୍ରଶେଖର ରଥ, ମହାପାତ୍ର ନୀଳମଣି ସାହୁ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ,ରଜତ କର, ଧନେଶ୍ବର ମହାପାତ୍ର ଆହୁରି କେତେ କେତେ ସୁବକ୍ତା ନିମନ୍ତ୍ରିତ ହୋଇ ଆସନ୍ତି ବାର୍ଷିକତ୍ସୋବରେ। ସତରେ  କି ବଢିଆ  କଲେଜ, କି ସୁନ୍ଦର ପ୍ରାସାଦ! ମୋତେ ତ ଆଶ୍ଚର୍ଯ୍ୟ ଲାଗୁଥାଏ ଏସବୁ।

ଅଳ୍ପ ଈର୍ଷା ଆସୁଥାଏ ପ୍ରତୀକ ପାଇଁ।   ‘ସେଇଟା ପ୍ରିନସପାଲଙ୍କ ଅଫିସ। ତା’ ପାଖରେ ଆଡମିନିଷ୍ଟ୍ରେଟିଭ ପ୍ରଶାସନିକ ବ୍ଲକ। ତା’ ପାଖକୁ ଗାର୍ଲସ କମନରୁମ। ପାହାଚ ଦେଇ ତଳକୁ ଗଲେ  ସେପଟେ ନିମ୍ବ ଗଛ। ବାଣିଜ୍ୟ ପିଲାଙ୍କର ସାମ୍ରାଜ୍ୟ। ବର୍ଷା ଧମକେଇ ପାରେନି ଆଦୌ । ପାହାଚ ପରେ ପାହାଚ, ଭିତରେ ଭିତରେ ରାସ୍ତା ରହିଚି ଲାବୋରେଟରୀକୁ, ରାଜବାଟି ପରା ! ସୁନ୍ଦର ଘାସର ଲନ୍ ଦେଖ। ଧାରଧାରେ ଛୋଟଛୋଟ ଫୁଲ ଗଛ। ଦେଖ ଏ କଦମ୍ବ ଗଛକୁ।’ ହୁଁ, ସତରେ ଯେମିତି ଯମୁନା ଏଇଠି ଆଉ ସେ କଳାକାହ୍ନୁ ମନକୁ ମନ କହିଲି ହସଚାପି। ପାଚେରୀର ସେଇ ରାସ୍ତା ସେପଟେ ଗଡି ଦୋକାନ।

ମୋତେ ସେ କୁଟିକମକରା କବାଟ ଦିଶିଲା। କି ସୁନ୍ଦର ସତରେ । ପ୍ରତୀକ କଥା ଲମ୍ବେଇଲା , ପତ୍ରଠୋଲାରେ ଗରମ ଗରମ ସିଙ୍ଗଡା, ଆଳୁଚପ , ଆଳୁଦମ ସହ ମୁଢି। ‘ ହସି ହସି କହୁଥିଲା ଆନ୍ତରିକତାର ସହ। ମନଟା ଉଡୁଥିଲା ମୋ’ର, ଆଜିଯାହା ସରକାରୀ ସମ୍ପତ୍ତି, ଦିନେ ସେସବୁ ରାଜାରାଣୀଙ୍କର ଥିବ।କେତେ ବିଚାର,କେତେ ଷଡଯନ୍ତ୍ର,  କେତେ ଯୋଜନା ,କେତେ ଆଦବ କାଇଦା …ଥାଉ, ଲମ୍ବା ହେଇଯିବ ତାଲିକା। ସେସମୟର ଶାସନ ବ୍ୟବସ୍ଥା କେତେ ଅଲଗା ଥିବ ନା, ମନେମନେ ଗୁଣି ହେଉଥିଲି।

ଅଗଣାପରେ ସେପଟକୁ ରାଣୀହଂସପୁର । ଚମ୍ପା ଗଛ…ମହକିତ  ପ୍ରାଣ। ସେପଟକୁ ଗଡଚଣ୍ଡୀ, ବୁଢୀମଙ୍ଗଳା। ଇଷ୍ଟଦେବୀ ସେ। ରକ୍ଷା କବଚ ଆମର। ଢଂଢଂ ବାଜେ ଘଣ୍ଟା  ପରୀକ୍ଷାକୁ ଖାତିର ନକରି। ପିଲାଙ୍କର ଦେହସୁହା ଏସବୁ।’ କେତେକଥା ଏକାସହିତ କହିପାରୁଚି ସେ ହସି ହସି।ମୋ’ ପାଟି ବଥା ହୋଇଯାଆନ୍ତା ଏତେ ଗପିଲେ।  ‘ ଜାଣିଚ ଅମୃତା , ‘ ଆମେ ପଢିଲା ବେଳେ ଏଇ ଅନ୍ତଃପୁର ଥିଲା କଲେଜର ଭଲପିଲାଙ୍କ ହଷ୍ଟେଲ। ଜିନିୟସମାନଙ୍କର  ଆବାସସ୍ଥଳ। ଦେଖ ଦେଖ ସୁକୁମାରୀ ନଈ ବହୁଚି କେମିତି। ଏଇଯେ ପଥର ପାହାଚ ଲମ୍ବିଚି ଏଇଠି, ରାଣୀ,ଜେମା,ସଖୀ ଓ ସହଚରୀଙ୍କ ମେଳରେ ଗାଧୋଇବାକୁ ଆସୁଥିବେ ନା  ସୁଇମିଂ ପୁଲ୍’….’ହେତ୍, ପ୍ରତୀକ  ଏଇଠି  ଗାଧୋଉଥିବେ। ପ୍ରକୃତିକୋଳରେ ଯେଉଁ ମହକ ଅଛି, ତା’କୁ କ’ଣ କୃତ୍ରିମ ରୂପରେ ଉପଭୋଗ କରିହୁଏ ! କେତେ ବଡ ଏ ଜାଗା! ଖୋଲାମେଲା, ଅଥଚ , ପଥରରେ କି ସୁନ୍ଦର ପାଚେରୀ ଦେଇ ସୁରକ୍ଷିତ କରାଯାଇଛି।

“ସେପଟେ  ରକ୍ଷିତାଙ୍କ ବସ୍ତି। ମୋ ଆଖି ବଡବଡ ହୋଇଗଲା ତା’ କଥାରେ। ” କୁହତ ଅମୃତା , ରାଣୀ ତ ସୁନ୍ଦରୀ ଥିବେ,ପୁଣି …ଅଧାରୁ ଛଡେଇନେଲି, ‘ସୌନ୍ଦର୍ଯ୍ୟପିପାସୁ ମନଟିଏ ଥିବ’ କହି , ସାରିଲି କଥା। ମନେମନେ ଭାବୁଥିଲି, ପ୍ରତୀକରେ, ବୁଝିବ କିପରି ତୁମ ଦିଆ ଅପବାଦକୁ  ଜୟଟୀକା ଭାବରେ ଗ୍ରହଣ କରିନେଇଥିବା ଝିଅଟି  ଆଜୀବନ ମୁକୁଳିପାରେନି କେମିତି ସମ୍ପର୍କରୁ,ସ୍ମୃତିରୁ, ବନ୍ଧନରୁ ।
‘ଆଜି ଏ ବୁଲାବୁଲି ଏତିକି ଥାଉ।ଯାହାସବୁ ରହିଲା ଆଉଦିନେ ଆଉଟିକେ ସମୟ କରି ବୁଲିବା। ଢେରକଥା ଦେଖିଲି। ଲେଖିବାକୁ ମିଳିଗଲା ମୋତେ ବହୁତ କିଛି । ସମୟ କରି ଲେଖିବି ବ୍ଲଗରେ।’

ପ୍ରତୀକ ଭାବୁଥିଲା ଆହୁରି ଲମ୍ବା ହୋଇଥାଆନ୍ତା ଏସବୁ ଧାରାବିବରଣୀ । କିନ୍ତୁ, କାମ ପଞ୍ଝା ମେଲାଇ ବସିଥିଲା। ସଠିକ ସମୟରେ ଠିକଣା କାମ, ନକଲେ ନିଜର ହାନୀ। ମଣିଷ ଜୀବନଟା ଚାପ ଓ ସମସ୍ୟାର ସମାହାର। ତାପ ଓ ଚାପରେ କୋଇଲା ହୀରାରେ ରୂପାନ୍ତରିତ ହୁଏ। ଭିତରେ ଯାହାଥାଉ ଉପରେ ତ ଆଉ ଗୋଟିଏ ସମସ୍ତେ। ନିଜକୁ ସଂଯତ କରିନେବାକୁ ପଡେ। ନହେଲେ ହଜିଯିବ ଯେ ଏ ସମୁଦ୍ର ଭିତରେ। ନିଜକୁ  ନିଜେ ଚିହ୍ନି ମୋତି କି ରତ୍ନରେ ରୂପାନ୍ତରିତ କରିବାକୁ ହବ। କିଏ ଅଛିଯେ ନହେଲେ …ନିଜେ ନିଜକୁ ହିଁ ଦେଖିବାକୁ ପଡିବ । ଲକ୍ଷ୍ୟ ସ୍ଥଳ ଢେର ଦୂରରେ। ପହଞ୍ଚିବାକୁ ପଡିବ ଯେମିତି ହେଉ ସେଠାରେ ।

ଛଉରୁ ଯାଇ ରାଜରାଣୀ, ରାଜପ୍ରାସାଦ କୋଉଠି ପହଞ୍ଚିଲା ମଣିଷ।  ସବୁଠି  ସେଇ ଗୋଟିଏ କଥା, ସନ୍ତୁଳନ ରଖି ନିଜ ସହ ନିଜକୁ ଆକଟ କରି, ଧିରେ ପାଦ ପକାଇ ଦୃଢତାର ସହ  ଆଗେଇବା କଥା । ସବୁଠି ଗୁନ୍ଥି ଯାଇଚି ଜୀବନ ଆଉ ତା’ର ଗାଥା।

Leave A Reply

Your email address will not be published.