ପୋଖରୀ ମାଛ ପୋଖରୀ କି ଯା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …..

ତେଲଲୁଣର ସଂସାରରେ ସଂଘର୍ଷରତ ସାଧାରଣ ମଣିଷଟିଏ ବି ନିଜର ବ୍ୟକ୍ତିଗତ ସଂକଳ୍ପ , ବିଚାର ଶକ୍ତି ଓ କାର୍ଯ୍ୟ କରିବାର ନିଆରା ଢଙ୍ଗଦ୍ୱାର ପରବର୍ତ୍ତୀ ପିଢ଼ି ପାଇଁ ଆଦର୍ଶ ବନି ଯାଇପାରେ। ଇତିହାସ ସେମାନଙ୍କ କଥା ଲିପିବଦ୍ଧ କରୁ କି ନକରୁ ସେମାନଙ୍କୁ ନିକଟରୁ ଜାଣିଥିବା ବ୍ୟକ୍ତିମାନଙ୍କ ପାଇଁ , ତାଙ୍କ ଜୀବନ ଏକ ଆଦର୍ଶ , ଅନୁପ୍ରେରଣାର ସ୍ରୋତ ହୋଇଯାଏ ।

ସେଇପରି ବାପା , ତାଙ୍କର ସଂଘର୍ଷପୂର୍ଣ୍ଣ ଜୀବନ ,ଭାଗବତ ବିଶ୍ୱାସ ଓ ଚେତନାର ଉତ୍ତରଣ ନେଇ ସେ ଆମ ପାଇଁ ଏକ ମୂର୍ତ୍ତିମନ୍ତ ପ୍ରେରଣାର ସ୍ରୋତ ହେଇ ରହିଛନ୍ତି। ସେହିପରି ଏକ ଘଟଣାର ଅବତାରଣା ଆଜି ଏଇଠି କରିବି।

ଘଟଣା କେଉଁ ମସିହାର କଥା ମନେ ନାହିଁ କି ମୋତେ କେତେ ବର୍ଷ ହେଇ ଥିଲା ଠିକ ମନେନାହିଁ, କେବଳ ଏତିକି ମନେ ଅଛି ଯେ ଆମେ ବାଲେଶ୍ଵରର ଅଜୁଆଁବାଦରେ ଥାଉ। ଘରର ନାମ ନିତ୍ୟାନନ୍ଦ ନିବାସ। ମୋର ନାମ ସେଠାକାର ପ୍ରାଇମେରୀ ସ୍କୁଲରେ ଲେଖା ହେଇ ସାରିଥାଏ, ଆଉ ମୋ ତଳ ଭଉଣୀ ସ୍କୁଲ ଯାଇ ନଥାଏ , ମୋ ଭଉଣୀ କି ଟାଇଫଏଡ଼ ହେଲା।

ମତେ ଅଢେଇ ବର୍ଷ ବେଳକୁ ମୋ ତଳ ଭଉଣୀର ଜନ୍ମ। ସେ ଅନୁସାରେ ମୋତେ ଛଅ ହେଲେ ତାକୁ ସାଢ଼େ ତିନି ହେଇଥିବ । ଅତି ଶରଧାରେ ମୋ ନାମ ସଙ୍ଗେ ମିଶେଇ ତା ନା ଦିଆ ଯାଇଥିଲା ଲଷ୍ମୀପ୍ରିୟା। ଆମ ଦୁଇଜଣଙ୍କ ଏପରି ନାମକରଣର ଆଉ ଏକ ଇତିହାସ ବି ଅଛି, ସେକଥା ବାପାଙ୍କ ବୈଷ୍ଣବ ଦୀକ୍ଷା ଓ ଶ୍ରୀଚୈତନ୍ୟ ଦେବଙ୍କ ସହିତ ସମ୍ପର୍କିତ।

ଗୋରା ତକତକ ଗୁଲୁଗୁଲିଆ କୁନି ଭଉଣୀ ଲଷ୍ମୀ, ଏକାଠି ଖାଉ, ଏକାଠି ଖେଳୁ , ମୋ ପଛେ ପଛେ ବୁଲୁଥିବ , ଅତ୍ୟଧିକ ଜ୍ୱର ହେତୁ ଖଟରେ ପଡି ରହିଲା । ରକ୍ତ ପରୀକ୍ଷା ପରେ ଟାଇଫଏଡ଼ ବୋଲି ଜଣା ପଡିଲା। ବାଲେଶ୍ବରରେ ସେତେବେଳେ ରୋହିଣୀ ଓ ବିଜୟ ଗିରି, ଏ ଦୁଇଜଣ ପ୍ରାଇଭେଟ ଡାକ୍ତରଙ୍କ ବେଶ ନାଆ ଡାକ ଥାଏ । ସେ ଭିତରୁ ରୋହିଣୀ ଡାକ୍ତର ଭଉଣୀର ଚିକିତ୍ସା କରୁଥିଲେ। ତାଙ୍କ ଚିକିତ୍ସାରେ ପ୍ରାୟ ଦଶ ଦିନ ପରେ ଭଉଣୀର ଜ୍ୱର ପୁରା ଛାଡ଼ିଗଲା । ତାତି ଆଉ ଆସୁ ନଥାଏ କିନ୍ତୁ ବହୁତ ଦୁର୍ବଳ ହେଇଯାଇଥାଏ। ଲାଗ ଲାଗ ଦୁଇଦିନ ଜ୍ୱର ଆଉ ନଆସିବାରୁ ମା ଦୁଇଟା ବଡ ବଡ ବାଲଟିରେ ଉଷୁମ ପାଣି କରି ତାକୁ ରଗଡ଼ି ରଗଡି ଗାଧେଇଦେଲେ। ସେହି ସନ୍ଧ୍ୟାରେ ଜର ପୁଣି ଲେଉଟିଲା ଯେ ପୁରା ଏକୋଇଶ ଦିନ ରହିଲା । ସେ ଭିତରେ ମା ବାପା ବହୁତ ବ୍ୟସ୍ତ ହୋଇ ପଡିଲେ। ବାପା ଅଫିସ ଗଲା ପରେ ମା ତାଆରି ପାଖରେ ବସିଥିବେ ,ମୁଣ୍ଡରେ ପଟି ଦେଉଥିବେ , ଗୋଡହାତ ଆଉଁସି ଦେଉଥିବେ। ଖାଇଛୁଟିରେ ମୁଁ ଆସି ଆମ ଦାଣ୍ଡଘର ପଟ ଝରକାରୁ ଅନେକ ଥର ଦେଖିଲା ବେଳକୁ ମା ଭଉଣୀର ଗୋଡ଼ ଆଡେ ବସି କାନ୍ଦୁଥିବେ।

ମୁଁ ଆସି ପଚାରିବି,”ମା ବନି ଆଉ ଭଲ ହେବନି କି ?’ ମା ମୋତେ କେବେ କୁଣ୍ଡେଇ ଧରି କାନ୍ଦି କହନ୍ତି,” ମୋ ଲାଗି ତ ଏମିତି ହେଲା, ଗାଧେଇ ଜ୍ୱର ହୋଇନଥାନ୍ତା । ପୁଣି କହିବେ, ଭଲ ହେଇଯିବ ଦୁହେଁ ଖେଳିବ ।”

ଜ୍ବରରେ ପଡି ପଡି ଭଉଣୀ କଳାକାଠ ପଡି ଯାଇଥାଏ ଓ ବହୁତ ଶୁଖି ଯାଇଥାଏ, ମାଙ୍କ ଭାଷାରେ ,’ ପର ଛଡା ପରୁଆ’ (ପାରା) ପରି ଦିଶୁଥାଏ।’ କିଛି ଖାଉ ନଥାଏ, ଜୁସ, ହରଲିକସ ଆଦି ତାକୁ ଅତି ବାଧ୍ୟରେ ପିଆଉଥାନ୍ତି। ସେଇ ଦ୍ଵିତୀୟ ପାଳି ଜର ଛାଡି ଆସିଲା ବେଳକୁ ଦିନେ ସେ ଜିଦି କଲା ମାଛ ଖାଇବ।

ବାପା ଆମର ପରମ ବୈଷ୍ଣବ। ମୋ ଜନ୍ମ ଆଗରୁ ହିଁ ବାପା ମା ବରଗଡ଼ ଜୀରା ନଦୀ କୂଳରେ ଥିବା ରାଧାମଧବ ମନ୍ଦିରର ବାବାଜୀ ମହାରାଜଙ୍କଠାରୁ ଗୌଡିୟ ବୈଷ୍ଣବ ଦୀକ୍ଷା ନେଇଥିଲେ। ଘରେ ମାଛ ମାଂସ ତ ଦୂରର କଥା ପିଆଜ ରସୁଣ ପଶେନାହିଁ। ଠାକୁର ଘରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି, ଆଣ୍ଠୁଆ ଗୋପାଳ ନିତ୍ୟ ପୂଜା ପାଉଥାଆନ୍ତି। ସବୁଦିନ ସକାଳେ ଅନ୍ନଭୋଗ ହୁଏ, ଯାହା ଭୋଗ ଦିଆ ଯାଏ ନାହିଁ, ତାହା ବାପା ଖାଇବେ ନାହିଁ। ସେ ଘରେ ପୁଣି ମାଛ । ଅସମ୍ଭବ କଥା। ଏପଟେ ରୋଗୀଣା ପିଲାଟା ଜିଦି ଧରିଛି ମାଛ ଖାଇବ, ମା କରିବେ କ’ଣ?

ମା ମନ ତ । ଦନା ବୋଲି ଅର୍ଡଲି ପିଅନଟିଏ ଥାଏ, ପରିବା ପତ୍ର ଆଣିଦିଏ , ବାପା ଅଫିସ ଗଲେ ତାଙ୍କ ସାଙ୍ଗରେ ଯାଏ। ବାପା ଦଶଟା ବେଳକୁ ଭାତ ଖାଇଦେଇ ଅଫିସ ଯାଆନ୍ତି ଯେ ସନ୍ଧ୍ୟାରେ ଫେରନ୍ତି। ସେଦିନ ଦନାକୁ ରୋଷେଇ ଘରକୁ ଡାକି ମା ଚୁପ ଚୁପ କରି କହିଲେ, ବାପା ଅଫିସ ପହଁଚିଲା ପରେ ,କୌଣସି ନା କୌଣସି କାମ ବାହାନାରେ ଯାଇ ବଜାରରୁ ଗୋଟିଏ କି ଦୁଇଟା ଜୀଅନ୍ତା ମାଗୁର ମାଛ କିଣି ଘରେ ପହଞ୍ଚେଇ ଦେବ।। ଦିପହରିଆ ଖାଇଛୁଟି ବେଳକୁ ଦନା ତିନିଟା ଜୀଅନ୍ତା ମାଗୁର ମାଛ ନେଇ ହଜାର। ଦି ଭଉଣୀ ମାଛର ଲାଞ୍ଜ ହଲା ଦେଖି ମହା ଖୁସ। ତାକୁ ପାଣିରେ ପକେଇ ତା ସାଙ୍ଗେ ମଜା ନେବାରେ ଲାଗିଲୁ । ହେଲେ କାଟିବ କିଏ, ଘର ତ ରନ୍ଧା ହୋଇ ପାରିବ ନାହିଁ , ରନ୍ଧା ହେବ କଉଠି?

ମା ଭାବିଥିଲେ କ୍ଷେତ୍ରାମା ବୋଲି ଯେଉଁ କାମବାଲୀ ଆସେ ତାକୁ କହିବେ ତାଙ୍କ ଘରକୁ ନେଇ ରାନ୍ଧି ଆଣି ଦେବାପାଇଁ। ସେ ସକାଳେ ଆଉ ସନ୍ଧ୍ୟାରେ ଦି ବେଳା ଆସନ୍ତି । ଏଣୁ ମା ଦନାକୁ କହିଲେ ମାଛକୁ ବାଲ୍ଟିଏ ପାଣିରେ ରଖି ଘୋଡେ଼ଇ ଦେଇ ଶୌଚାଳୟ ନିକଟର କେହି ନ ଦେଖିଲା ପରି ଗୋଟେ ଜାଗାରେ ରଖିଦେବାପାଇଁ। ଆଗେ ତ ଏବେକା ପରି ବେଡ଼ରୁମକୁ ଲାଗି ଶୌଚାଳୟ ନଥିଲା। ଦନା ବି ସେମିତି କଲେ। ଭଉଣୀ ବହୁତ ଖୁସି ହେଇ ଯାଇଥାଏ। ମା ଆମକୁ ମନା କରଥାନ୍ତି ବାପାଙ୍କୁ କହିବାକୁ।

ସାଢ଼େ ପାଞ୍ଚଟା ବେଳକୁ ବାପା ଆସିଲେ, କ୍ଷେତ୍ରାମା ବାସନ ମାଜୁଥାନ୍ତି, କାମ ସରିଲେ ବାଡ଼ି ପଟୁ ମାଛନେଇ ଘରକୁ ଯିବେ, ତାପର ଦିନ ବାପା ଅଫିସ ଗଲା ପରେ ନିଜଘରୁ ରାନ୍ଧି ଆଣିଦେବେ। ଭଉଣୀ ବା ଏତେକଥା ଜାଣିବ କାହୁଁ ? ବାପା ଏପଟେ ଘରକୁ ପଶିଛନ୍ତି କି ନାହିଁ, ଭଉଣୀ ତାଙ୍କପାଖକୁ ଯାଇ ତା ଭାଷାରେ କହିଲା, “ବାପା,ବାପା ଆଜି ଘରକୁ ମାଛ ଆସିଛି, ବାପା ଆଜି ମାଛ ଆସିଛି , ମୁଁ ମାଛ ଖାଇବି।”

ବାପା ଆଉ ଜୋତା ଖୋଲିବେ କଣ,ସେଇଠି ଡ୍ରଇଂରୁମରେ ବସି ପଡ଼ିଲେ । ସାଙ୍ଗେ ସାଙ୍ଗେ ମାଙ୍କୁ ଡାକିଲେ, କଥାର ସତ୍ୟାସତ୍ୟ ଜାଣିବା ପାଇଁ । ମା ଆଉ କରିବେ କଣ, ସତକଥା କହିଦେଲେ। ବାପା ଯେତେବେଳେ ଜାଣିଲେ ମାଛ ଏବେବି ବଞ୍ଚିଛନ୍ତି, ସେ କହିଲେ ,” ଯାଅ, ଧରିକରି ଆଣ , ଗାଡ଼ିଆରେ ଛାଡି ଆସିବା ।”

ବାଲେଶ୍ବରରେ ପ୍ରାୟ ସବୁ ଘର ପଛ ଆଡେ ଗୋଟିଏ ପୋଖରୀ ନିଶ୍ଚୟ ଥିବ। ଆମ ଘର ପାଖରେ ବି ଗୋଟେ ଛୋଟ ପୋଖରୀ ଥାଏ। ବିଚରା ମାଆ, ମାଛକୁ ନେଇ ପାଖ ପୋଖରୀରେ ଛାଡି ଆସିଲେ। ବାପା ବି ଅବଶ୍ୟ ସାଙ୍ଗରେ ଯାଇଥିଲେ। ବାପା ଆମର ଏମିତି ଥିଲେ , ଯାହାବି ହେଇଯାଉ ଯେଉଁ କଥାକୁ ସେ ଠିକ ବୋଲି ଗ୍ରହଣ କରିଥିଲେ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଥିଲେ, କେବେବି ସାଲିସ କରୁ ନଥିଲେ। ସେଥିପାଇଁ ତାଙ୍କୁ ନିଜ ବ୍ୟକ୍ତିଗତ ଓ ଚାକିରୀ ଜୀବନରେ ଅନେକ କଷ୍ଟ ସହିବାକୁ ପଡ଼ିଛି, ତଥାପି ନିଜ ପଥରୁ ଓହରି ଯାଇ ନାହାନ୍ତି। ଶୁଣିଛି ଚାକିରୀ ଜୀବନରେ ବି ଏମିତି ସାଲିସ ବିହୀନ ଜୀବନ ଜୀଉଁଥିବାରୁ ବାଲେଶ୍ବରରେ ଥିଲା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସହିତ ବି ମୁହାଁ ମୁହିଁ ହୋଇଥିଲା।

ପଶ୍ଚାତବଲୋକନ କଲେ ଆଜି ମୁଁ ଦେଖେ ବାପାଙ୍କ ପରି ଚେତନାରେ ଉତ୍ତରିତ ହେଇ ନ ପାରିଲେ ବି ଯେଉଁ ନିଷ୍ଠାପର ,ଶୃଙ୍ଖଳିତ ଓ ସାଲିସ ବିହୀନ ଜୀବନ ଆଜି ପର୍ଯ୍ୟନ୍ତ ଜିଇଁ ଆସିଛି ତା ପଛରେ ବାପାଙ୍କ ଆଶୀର୍ବାଦ।