ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୨
ପିଲାବେଳୁ ମାଆ ଓ ବାପା ଗୁରୁଙ୍କ ପାଖରୁ ଦୀକ୍ଷିତ ହୋଇଥିଲେ। ସେଇଥି ପାଇଁ ରଞ୍ଜୁ ଧ୍ୟାନ ଶିଖିଥିଲା ଏକଦମ୍ କମ୍ ବୟସରୁ। ନାଭି ପାଖରେ ଦୁଇ ହାତ ପାପୁଲିକୁ ଗୋଟିକ ଉପରେ ଗୋଟିଏ ରଖି ମେରୁଦଣ୍ଡ ସିଧାକରି ଜିଭ ବା ଓଠ ନହଲେଇ ନିଃଶ୍ବାସର ତାଳେ ତାଳେ ମନ୍ତ୍ର ଜପିବାକୁ ହୁଏ ଏକାଗ୍ରତାର ସହ।
ପ୍ରଥମେ ପ୍ରଥମେ ଆଦୌ ହେଉ ନଥିଲା। ନାସାଗ୍ର ବା ଭ୍ରୁଲତା ମଝିରେ ଆଖି ରଖିଲେ କଣ୍ଢେଇ ଦିଶେ, ଦିଶେ ଖାଇବା ଜିନିଷ, ପୁଣି କେବେ କେବେ ସାଙ୍ଗସାଥି ମେଳରେ ପାର୍କରେ ଖେଳ। ମନଟା ଛୋଟ ବେଙ୍ଗଭଳି ଫକକିନା ଡେଇଁପଡି ଉଡିଯାଏ କେଉଁଆଡେ ନାଇ କେଉଁ ଆଡେ। କେବେ ପୁଣି ଦୌଡେ ବିଶ୍ରାମ ନନେଇ ଘରସାରା। ଜମା ବସି ହୁଏନି ଗୋଟିଏ ମୁଦ୍ରାରେ। ମାଆ ,ବାପା ସତେ ଯେମିତି ସ୍ଥାଣୁ ପଥର ସେ ବେଳରେ। ବୟସ ମୋଟେ ଚାରି କି ପାଞ୍ଚ। ବାରମ୍ବାର ସବୁ ଭୁଲି ସେ ଉଠିପଡେ। ଶବ୍ଦ କଲେ ଗାଳି ପଡିବ ବୋଲି ଡର ମାଡେ ତ ପୁଣି ବସିପଡେ। ପିମ୍ପୁଡି ଧାଡି ଲମ୍ବିଥାଏ କ୍ଷୀର ଡେକଚି ଆଡକୁ। ଠିକ୍ ଦିଶେ ଦଳେ ଲୋକ ଯାଉଛନ୍ତି କୋଉ ଗୋଟେ ଶୋଭାଯାତ୍ରାରେ କି ପ୍ରଭାତଫେରିରେ। ଚାଲେ ହାମୁଡେଇକି ବା ପେଟେଇକି ସେମାନଙ୍କ ସହିତ ସନ୍ତର୍ପଣରେ। ଉଭୟେ ଧ୍ୟାନ ସରିବା ପରେ କହନ୍ତି ଅଭ୍ୟାସ କଲେ ହବ। ଏସବୁ ପ୍ରକ୍ରିୟା ସବୁଦିନ ନିର୍ଦ୍ଦିଷ୍ଟ ସମୟରେ ହେଉଥିଲା । ଭୀଷଣ ବିରକ୍ତିକର ଥିଲା ସେସବୁ ରଞ୍ଜୁ ପାଇଁ ।
ଦିନେ ସ୍କୁଲରେ ଧରୁଧରୁ ସାରଙ୍କର କାଚଗ୍ଲାସଟେ ପଡି ଭାଙ୍ଗିଗଲା, ଡରରେ ଆଖି ବୁଜିଗଲା ,ମନ୍ତ୍ର ତ ନୁହେଁ ମନେମନେ ବିକଳରେ ‘ ଉଁ , ଏ ମା’ ଗୋ’ ବୋଲି ଆକୁଳରେ ଯୋଉ ଡାକିଲି , ସୋପାନଟିଏ ଅତିକ୍ରମ କରିଗଲି। ଏଥର ବସିଲେ କେମିତି ସେଇ ମହାଜାଗତିକ ଶକ୍ତି ପାଖରେ ପରିପୂର୍ଣ୍ଣ ଆତ୍ମସମର୍ପଣ ହୋଇଯାଉଥିଲା। କିଛି ନ ବୁଝି ଯେଉଁ ଆକୁଳତା ପ୍ରକାଶ ପାଇଥିଲା ତାହା ହିଁ ଥିଲା ସମର୍ପଣ। ତାହା ହିଁ କଲା ଏକାତ୍ମ।
ଏକବାରେ ଛୋଟ ବୟସରୁ ମନକୁ ଧିରସ୍ଥିର କରି ସଂଯତ କରିବା ଶିଖିଲି। ଡର କମୁଥିଲା। ସାରଙ୍କ କଥା ମନେ ପଡେ ଆଜି ବି। ‘ଅସତର୍କ ହେବାରୁ କ୍ଷଣଭଙ୍ଗୁର କାଚଗ୍ଲାସଟେ ଭାଙ୍ଗିଲା। ଅସାବଧନତା ସବୁବେଳେ ଭାଙ୍ଗି ଦେଇପାରେ, ଗଢିବା ପାଇଁ ଦରକାର ସ୍ଥିରତା।’ ଏଇ କଥା ଗାଳିମାଡ ନଦେଇ ସ୍ନେହ ସହକାରେ ଯେଉଁ ବୁଝେଇଦେଲେ ମୋ’ ଛୁଆ ମନକୁ ବେଶ୍ ପାଇଲା। ଭାଓଲିନ ବଜାଏ କି ପେଣ୍ଟିଙ୍ଗ କରେ, ପାଠ ପଢାଏ କି ନିଜେ ପଢେ ଅଥବା ଲେଖାଲେଖି କରେ, ଏମିତି କି ଯେକୌଣସି କାମ ସମୟରେ ନିଃଶ୍ବାସରେ ଚାଲେ ମନ୍ତ୍ର ଜପ।ଧ୍ୟାନ ସେଇଥିରେ ହୁଏ। କଥା ନକହି ବି ଅନେକେ କଥା ବୁଝି ହୋଇଯାଏ। ସବୁଠାରୁ ବଡ କଥା ହେଲା ଭିଜୁଆଲାଇଜ କରିପାରେ ବୋଲି ମହାଜାଗତିକ ଶକ୍ତିପାଖରେ ମନର ଉପଚାର କରେ। କରେ ରୋଗୀଙ୍କର ସେବା।ଅସୁବିଧା ସମୟରେ ଲଗେଇ ପାରେ ସେଇ ଶକ୍ତିକୁ କାମରେ। ପ୍ରଚଣ୍ଡ କ୍ଷମତାର ଉତ୍ସ ଏ ଶକ୍ତି। ଅନୁଭବରେ ଆଣିଲେ ଉପଲବ୍ଧି କରିହୁଏ ନହଲେ ଲାଗିବ ତୁଚ୍ଛା ମିଛ ଭାବନା ଗୁଡାଏ ,ଏସବୁ।