ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୩

ଡକ୍ଟର ସୁଲକ୍ଷଣା ବସା ଭାରି  ସୁନ୍ଦର ଢଙ୍ଗରେ ଉପସ୍ଥାପନା କରନ୍ତି ତାଙ୍କର ବକ୍ତବ୍ଯ।ବହୁତ ଭଲ ଲାଗେ ତାଙ୍କ କଥା। ସବୁବେଳେ ମନରେ ଆଶା ,ଭରସା ଜଗାଇ ଉଚ୍ଚତର ସୋପାନ ଆଡକୁ ଘେନି ଯିବାର ପ୍ରୟାସ ଜାରି ରଖନ୍ତି ସଦା। ମୁଁ  ସେଇ ଚେଷ୍ଟାରେ ନିରନ୍ତର ରହେ। କେବେ କେମିତି ମନ ବିଚଳିତ ହୁଏ, ଅବଶ୍ୟ। ତାଙ୍କର ଅସ୍ତିସୂଚକ ବାଣୀ ଠେଲିନିଏ ଆଗକୁ ଆଗକୁ ଅନେକ ଆଗକୁ। ଅନେକ ସମ୍ଭାବନାର ଖଣି ଏ ମଣିଷ। ସଦୁପଯୋଗ କଲେ ଅସାଧ୍ୟ ସାଧନ ହୋଇପାରିବ।

ଶୈଶବରେ ଦିନେ ଦିନେ  ବାପାଙ୍କ ଅଫିସ ଫେରନ୍ତା ସମୟ ଗଡିଗଲେ  ମାଆ ଅନେଇ ରହନ୍ତି  ବିଚଳିତ ହୋଇ। କାରଣଟା ମୋତେ ଦେଖାଯାଏ। କହେ ଧିରେ ଅଥଚ ଦୃଢ ଭାବରେ। ମାଆ ବିଶ୍ବାସ, ଅବିଶ୍ବାସର ଦୋଛକିରେ ହସଟିଏ ଦେଇ କହନ୍ତି,  ‘ ତୁ ଏସବୁ ଭାବୁଚୁ, ଡାକୁନୁ, ପ୍ରଭୁ ବାପାଙ୍କର ସବୁ ଭଲ ହେଉ।’  ‘ହୁଁ’ ଛଡା ମୋ’ ପାଖରେ ଆଉ କିଛି ନଥାଏ। ଅପେକ୍ଷା କରୁ ଆମେ ଦୁହେଁ । ବାପା ଘରେ ଗୋଡ ଦେଉଦେଉ କହନ୍ତି,  ‘  ଟ୍ରାଫିକ ସମସ୍ୟା ନୁହେଁ  ଆଜି ଡେରି ହୋଇଗଲା …କାରଣଟା ଯାହା କୁହନ୍ତି ମାଆ ହତଭମ୍ଭ ହୋଇଯାଆନ୍ତି  ମୋ’ ଆଡକୁ ଅନେଇ। ଏକାଗ୍ରତାର କି ଶକ୍ତି  ସତରେ ! ଏସବୁ  ଆମ ମାଟିର କଥା। ମୁନୀ, ଋଷି, ସନ୍ଥଙ୍କ କଥା। ଧ୍ୟାନ ,ଧାରଣା ,ସମାଧିର କଥା। ଏକ ଉତ୍ସରୁ ଅନେକ ଉତ୍ସର ସୃଷ୍ଟି …ଗୋଟିଏ ବତୀରୁ ଆଉ ଅନେକ ବତୀ ଜଳିଲାପରି  ,  ଗୋଟିଏ ଆଲୋକିତ ଦିଗର ବ୍ୟାପ୍ତିକୁ ଯାତ୍ରା ଜାରି ରହେ …। ଧ୍ରୁବ କି ପ୍ରହ୍ଲାଦପରି ବାଳକମାନେ ଏଇ ଉତ୍ସ ଆଡକୁ  ଧାଇଁଥିଲେ। ସଫଳତା ମୁଠେଇଥିଲେ ପରିଶେଷରେ। ନିଷ୍କାମ କର୍ମମାର୍ଗରେ ଧାଉଁଥିବା ମଣିଷ ବୁଝିପାରିବ ନାମ ଜପର  ମହତ୍ତ୍ଵ। ନହଲେ କି କଂସେଇକୁ ଗୁରୁ କରିଥାଆନ୍ତେ ମହାମୁନି ନାରଦ ! ତେଲଭର୍ତ୍ତି  ପାତ୍ରକୁ ଧରି ପାଦେପାଦେ ଚାଲୁଥିବା ନାରଦ ଭୁଲିଗଲେ ଜପ ଅଥଚ କଂସେଇର ହାତ ଚାଲୁଥିଲା ନିର୍ଦ୍ଦିଷ୍ଟ ଛନ୍ଦରେ ଆଉ ମନ ଥିଲା ପଦ୍ମପାଦରେ। ଶୁଦ୍ଧ ମନଟେ ଦରକାର। ନିଷ୍ପାପ ମନଟିଏ ଦରକାର। ସେହି ଶକ୍ତିର ଉତ୍ସକୁ ନେଇ ଏ ମଣିଷ ଜୀବନଯାତ୍ରା ଜାରି ରଖିଛି। ଡକ୍ଟର ବସା କହୁକହୁ କହିଥିଲେ ସେଇ ଉତ୍ସ,ସେଇ ଶକ୍ତି,  ଦୃଢମନୋବଳ, ଦୃଢ ଆତ୍ମପ୍ରତ୍ୟୟର କଥା। ତା’କୁ ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ।  ଦୂରରୁ ଥାଇ ଉପଚାର କରିବାକୁ। ଔଷଧ ତ ନିଶ୍ଚୟ ଦରକାର,ମାତ୍ର, ମନର ଉପଚାର ମନହିଁ କରିପାରେ। ଅବିଶ୍ବସନୀୟ  ଲାଗିଲେ ମଧ୍ୟ ଏକଥା ସତ୍ୟ।
କ୍ରମଶଃ …