Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୬

ବୁଝିବାକୁ ଆଉ ବାକି କ’ଣଥିଲା…। କେତେବେଳେ ବହିଗଲା ସମୟ ଏମିତି ହାତରୁ। ଏଇଆ କ’ଣ ଜୀବନ…କେତେ ଆଉ ଦେଖିବି,ଶିଖିବି,ବୁଝିବି…. ଆଉ  କାହିଁକି … । ମୋ’ ସହିତ କାହିଁକି ଏମିତି ହେଉଚି …ସବୁ ଦୋଷ ମୋ’ର ନା ଆଉ କାହାର…।ଟିକିଏ  ଶ୍ରଦ୍ଧା ଖୋଜିଥିଲି।ସେଥିରେ ବି ଭାଗ ବସିଗଲା ।ନିଜର ବୋଲି କହି କେବେ କାହାକୁ କିଛି  ମାଗି ନଥିଲି ତ।ସତ ଭଲପାଇବାର ଫଳ କଣ ଏଇଆ  … ?

ମନର ଅବସ୍ଥା  ଯେତେବେଳେ ବାତ୍ୟା ବିଧ୍ବସ୍ତ ସେତିକିବେଳେ ମାଆର ଝିଙ୍ଗାସ ବହୁତ କଷ୍ଟ ଦେଲା। ବାପା ପାଖରୁ ସବୁଦିନେ ଗାଳିଖାଏ, ଦେହସୁହା  ସେଇଟା।ଆଉ ସେ ଲିପୁନକୁ ଆକଟକଲେ ,ବର୍ଷିଯାଏ ମୋ’ ଉପରେ।କେତେଥର ଝଗଡେ। ଅଥଚ ଡରଭୟ ଛାଡି ତା’ରି ପାଇଁ  ଧାଉଁଥିଲି ଭୋରରୁ ଆଣ୍ଟିଙ୍କ ପାଖକୁ। ଶିଖୁଥିଲି ପାର୍ଲୋର ପାଠ..।ଚିତ୍ରା ମୋ’ ସୁନା ଭଉଣୀ। ସେ ଛଳିଲା..ପାରିଲା! ସମସ୍ତଙ୍କ କଥା ଅଲଗା।ମାଆ ଅବୁଝା ହେବାଟା ଅସହ୍ୟ ଥିଲା ମୋ’ ପାଇଁ। ଆମେ ଦୁହେଁ ବର୍ଷ ବର୍ଷ ଧରି ପ୍ରତ୍ୟେକ କ୍ଷେତ୍ରରେ ଆଲୋଚନା କରି, ଦୁଃଖରେ ସୁଖରେ ନିର୍ଣ୍ଣୟ ନେଉଥିଲୁ।ଆଉ ଆଜି…।

ଘୋଷାରିହୋଇ ଗଲି ପାର୍ଲୋର। ଅନେକ ଆପଏଣ୍ଟମେଣ୍ଟ  ଥିଲା।ମନା କରିବା ଠିକ୍ ହବନି। ମୋ’ ରୁମରେ ଭିତରୁ କବାଟଦେଇ ବସିଲି।କାମରେ ମନଦେବା ଆଜି ସମ୍ଭବପର ନଥିଲା।ଅବଶ୍ୟ ମୋ’ ପିଲାଏ  ଯିଏ ଯାହାର କାମ କରିବେ। କ୍ୟାମେରା ଲାଗିଚି, ଦେଖିନେବି ସବୁ। କିନ୍ତୁ ମନଟାଥିଲା ଆଉ କୋଉଠି।  ମନଖୋଲି କାନ୍ଦିବା ଛଡା  ଆଉଥିଲା ବା  କଣ..। ଅମ୍ଳାନ …ଏମିତି କେମିତି ହେଲେ… ବିଶ୍ବାସ   ହେଉନଥିଲା ଜମା। ଛଳନା ଥିଲା ତାହାହେଲେ ତାଙ୍କ କଥା,ତାଙ୍କ ପ୍ରତିଶ୍ରୁତି, ତାଙ୍କ ବ୍ୟବହାର …! ଆଉ ସେ ଅଞ୍ଜନା ଆଣ୍ଟି …କେମିତି ଗ୍ରହଣ କଲେ …?ମାଆ ତ ଜାଣିଶୁଣି  ପ୍ରଶ୍ରୟ ଦେଲା,ଆଉ ମୋତେ ସେତକ  ଥରେବି ଜଣେଇଲାନି।ଅଥଚ, ଛାଇଭଳି ପିଲାବେଳୁ ଥିଲି ମୁଁ ତା’ ସହିତ।ପ୍ରତ୍ୟେକ ହାନୀଲାଭରେ କିଏ ଥିଲା ? କେମିତି ବୁଝିପାରିଲାନି ଏ ମନଟିକୁ ମୋ’ର। ଏତେଟିକିଏ  ବିଶ୍ବାସ କଲେନି କେହି ମୋତେ..।କେତେ ପ୍ରକାର ଛଳନା …କେତେ ପ୍ରବଞ୍ଚନା …।ଅଷ୍ଟାଙ୍ଗ ଶରୀରରେ ଜହରର ଜ୍ବାଳା  …।

ମୁଣ୍ଡ ବିନ୍ଧିବାର ଛଳନାକରି କବାଟ ଖୋଲିଲି ସିନା କାମର ବାହାନାରେ ଲ୍ୟାପିରେ ମୁହଁ ଗୁଞ୍ଜିଲି।ଘରକୁ ଫେରିବାକୁ ମନ କହିଲାନି।ସୁଇଚ୍ ଅଫ୍ କଲି ମୋବାଇଲ। ସମସ୍ତଙ୍କ ଯିବା ପରେ ଭିତରୁ ବନ୍ଦକଲି  ମୁଖ୍ୟ ଦ୍ବାର।ଲାଇଟ ଅଫ୍ କଲି।ଶୋଇଲି ଅଣ ଓସାରିଆ ଖଟରେ,ଯୋଉଠି ଅନ୍ୟ ଅନେକ ଫେସିଆଲ ପାଇଁ  ଶୁଅନ୍ତି। ବିଚିତ୍ର ଅନୁଭବ। ମନେରଖିଲା ଦିନୁ ରୂପ ନାରାୟଣ ମୋ’ ଦେହରେ ମନରେ ଗୁଡେଇହୋଇଚି।ବୁଢାବଳଙ୍ଗ ତା’ ପରେ…ଆଉ ଏବେ ସବୁନଦୀ ଏକାଭଳି ଲାଗୁଚି…।ମୁଁ  ନଈ ନା ଝରଣା ….ଆରମ୍ଭ ଅଛି,ଶେଷ କାହିଁ …। ଖାଲଖମା ଅରମା ସବୁକୁ ସମାନେ ନେଇ ଧାଇଁଚି …କେତେକେତେ ବନ୍ୟା ବିତ୍ପାତ ଦେଖିଚି…ଅଟକି ଯାଇନି ତ…ହଁ କେବେ କେମିତି ଟିକିଏ ଆଙ୍କି ବାଙ୍କି ଯାଇଚି…। ସେଇଟା ଯଦି  ମୋର ଭୁଲ…ଆଉ ଏଇଟା ତା’ର ଫଳ ତାହାହେଲେ …।ନା ନା ,ଭୁଲ ନୁହେଁ  ଆଦୌ…ଫଳ ବି ନୁହେଁ …।

କାହିଁ ଖୋଜିଲେନି ତ କେହି। ସକାଳ ଆସିଲା ଯେମିତି ଆସିବାକଥା।  ମୋବାଇଲ ଅନକରି ଦେଖିଲି।କେହି ଜଣେ ଖୋଜିନି କି ଫୋନ କରିନି ଜାଣିବାକୁ ମୋ’ ବିଷୟରେ। ବାଃ , ବାଃ …ବାଃରେ ଜୀବନ।ଏମାନେ ନିଜର.. ଏମାନଙ୍କ ପାଇଁ ମୁଁ  ନିଜକୁ ନିଜପାଖରେ ଅଚିହ୍ନା ମଣେ…।ନିଜ ସ୍ବପ୍ନକୁ ଭାଙ୍ଗେ …! ନିଜର ଇଚ୍ଛାରେ ନୁହେଁ ବରଂ  ସମସ୍ତଙ୍କୁ ଭଲପାଇ ବଞ୍ଚେ। ମୋ’ ଭଲପାଇବାର ଏମିତି  ମୂଲ୍ୟାୟନ କରିଦେଲେ … ।   କେବେହେଲେ ଆକଟ କରିବନି,କିଛି ପଚାରିବନି, ହୁଏତ ସେଇଥିରେ ଢେର ଛଳନାକୁ ଘାଣ୍ଟି ଘାଣ୍ଟି  ଗୋଳେଇଥିବ… ହୁଏତ ଭଲ ଲାଗିନପାରେ କାହାକୁ ଏସବୁ … ଭୁଲ ହୋଇଥାଇପାରେ ମୋର ଏକଥା, ଭୁଲ ହୁଅନ୍ତା କି…ଅଭିଜ୍ଞତା କିନ୍ତୁ ଏମିତି କହୁଛି।

ସମୟ ଅନେକ ଅଛି ଖୋଲିବା ପାଇଁ ପାର୍ଲୋର । ଆଜି ଆଣ୍ଟିଙ୍କ ପାଖକୁ ଗଲେ ହୁଅନ୍ତା। ଏବେ ତ ଆଉ ଅନେକ ସେ କାମପାଇଁ ଅଛନ୍ତି। ସେଇ କଡା ଶୃଙ୍ଖଳା ଅଛି।ଡକ୍ଟର ଆଣ୍ଟି ବିଶେଷ ଦରକାର ହେଲେ ଡାକନ୍ତି।ବାଟ ଅଛି।ତାଙ୍କୁ ଫୋନକଲେ ସେ ହୁଏତ ହଁ କହିବେ।ନା ଜଣେଇବିନି ଏତେ ଶୀଘ୍ର ତାଙ୍କୁ ଏସବୁ ବାଜେକଥା। କେଜାଣି ଅମୃତା ଆସୁଚି କି ନାହିଁ ..।ଜଣେ ସାଙ୍ଗ କେହି ନାହିଁ ମୋ’ର।ଘର ଆଉ ଘର…ଏଇମାନଙ୍କୁ ନେଇ ତ ଜୀବନ ଚାଲିଥିଲା। ଅନୁଭବ ବି କେବେ  କରିନି ସାଙ୍ଗ କେହି ନାହିଁ ବୋଲି।ଆଜି ଏକାଥରେ ଶୂନ୍ୟ।

ସେଇ ଘରକୁ ଗଲି।କେହି ଜଣେ ପଦେ କିଛି  କହିଲେନି। ଅପାଙ୍କ୍ତେୟକୁ ଆଉ ସ୍ଥାନ ନାହିଁ  ଜାଣିଲି।ନା ମୁଁ  ଦାନ୍ତ ଘଷିଲି ନା ଆଉକିଛି  କଲି, ଖାଲି ଯେତିକି ଦରକାର ଟ୍ରଲିବ୍ୟାଗରେ ଧରିଲି। ଗୋଟି ଗୋଟି  କରି ଥୋଇ ଦେଲି ମୋ’ର ସବୁ ଆକଟ,  ଶୃଙ୍ଖଳା , ସମୟ ଜ୍ଞାନ, ରୋକଠୋକ କଥା  …ଆହୁରି ମଧ୍ୟ  ଓହ୍ଲାଇଦେଲି  ପାରିବାରିକ ବନ୍ଧନ, ଦାୟିତ୍ୱ… ବହୁତ ଆଗରୁ ରଖିଦେଇଥିଲି, ଚପଳତା,  ଅବୁଝାପଣ କି ଗେହ୍ଲେଇ ଝିଅର ଅଝଟିଆ ମନ ..। ହଜେଇ ଦେଇଥିବା ସମୟ ଫିରିବନି ତ ଆଉ…। କର୍ତ୍ତବ୍ୟ ଖାତିରରେ ବଞ୍ଚିବାକୁ ହବନି ଏବେ…।ନୂଆ ପ୍ରକାରେ ନିଜପାଇଁ  ଏବେ ସମୟ।

ଲୁହ ନଥିଲା ଆଉ …। କାହାକୁ କହିକି ଆସିନି କି ପଛକୁ ଅନେଇନି , ଛାଡିଦେଲି ତ ଅତୀତକୁ ଏଇଠି। ଏକଲା ଚାଲିବାକୁ ହବ ଏବେ। ଏମାନଙ୍କ ସହିତ  ଏତିକି ଦିନଥିଲା ମୋ’ର ମିଶି ଚଳିବାକୁ ..।ଆଜିଠୁ ମୁଁ  ହିଁ  ମୋ’ର।ବାସ୍ ଥରକରେ ବୁଝେଇଲି ମନକୁ।ସତରେ କିଏ କାହାର …କାହିଁକି  ଗୋଡେଇହୁଏ କାହା ପଛରେ କିଏ …।ସବୁ କାହିଁକିର କୋଉ ଉତ୍ତର ଥାଏ ଯେ ! (କ୍ରମଶଃ)

Leave A Reply

Your email address will not be published.