Latest Odisha News

ଧାରାବାହିକ ଉପନ୍ୟାସ : ଦେବୀ (୨୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୮

ଅନେକ ଚେଷ୍ଟା କରି ବି ଦେବ ସେ ମୁହୂର୍ତ୍ତ ସବୁକୁ ସ୍ମୃତିରୁ ଅଲଗା କରିପାରେନା ଦେବୀ। ସେ ଚାହେଁ ସବୁ କିଛି ଭୁଲି ଯାଆନ୍ତା ।ପୃଥିବୀରେ ସେ ଏକମାତ୍ର ମଣିଷ ହୁଅନ୍ତା ଯାହାର ଅତୀତ ନାହିଁ।

ହେଲେ ଏମିତି କିଛି ହୁଏନା, ବରଂ ଆପଣାର ଛୁରୀ ପରି ପ୍ରେମରେ ପ୍ରେମରେ ଛାତିକୁ ଚିରି ପକାଏ ସେ ସ୍ମୃତି। ଦେବ ଭାଇର ସ୍ମୃତି।

ସେଦିନ ସମୁଦ୍ର କୁଳରୁ ଫେରିବା ପରେ ଦେବୀ ଆଉ ନିଜର ହୋଇନଥିଲା। ସେ ଅନୁଭବ କରିଥିଲା ଆଉ ଗୋଟେ ସମ୍ଭାବନା। ଆଉ ଗୋଟେ ଶୂନ୍ୟତା। ଆଉ ଗୋଟେ ଅନ୍ୱେଷଣ ଏବଂ ଗୋଟେ ମରଣ। ସେ ଚାହୁଁଥିଲା ତା ପାଇଁ ସବୁବେଳେ ଗୋଟିଏ ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ, ହୃଦୟ ଭିତରେ ନିଜର କାମନା କଳ୍ପନା। ରାଜକୁମାରୀ ପରି ନିଜର ଅଗଣିତ ସ୍ବପ୍ନ ଆଉ କଳ୍ପନାମାନଙ୍କୁ କାମରେ ଲଗେଇ ସାଇତି ରଖିବାକୁ ଚାହୁଁଥିଲା ଏକ ଦିବ୍ୟ ସମ୍ପର୍କର ମଧୁରତା।

ୟା ଭିତରେ ଅନେକ ଦିନ ଗଡିଯାଇଥିଲା। ସତେ ଯେପରି ଶୀତର ସନ୍ତ୍ରାସ ପବନରେ ହତଶିରି ହୋଇଯାଇଛି ବସନ୍ତ। ରାତିରେ ଶୋଇବା ବେଳେ ବୋଉ ସହିତ କଥା ହେଉହେଉବେଳେବେଳେ ଦେବର ନାଁ ତା ତୁଣ୍ଡରୁ ବାହାରି ଖଟ ଉପରେ ବିଞ୍ଚି ହୋଇଯାଉଥିଲା। ସେ ଗଙ୍ଗଶିଉଳି ଫୁଲ ପରି ତାକୁ ଗୋଟାଇ ନେଇ ନିଜ ହୃଦୟ ସିନ୍ଦୁକରେ ସାଇତି ରଖୁଥିଲା।

ଅନେକ ଦିନ ଅତିକ୍ରାନ୍ତ ହୋଇଗଲା। ସୁନାମୁହିଁ ଆଉ କାଦୁଆ ଦେଇ କେତେ ପାଣି ବୋହି ଯାଇଥିଲା ସମୁଦ୍ର ଭିତରକୁ। ଦେବୀ ପାଇଁ କିନ୍ତୁ ଦୁନିଆ ଥିଲା ନୂଆ ଏକ ପ୍ରୟୋଗଶାଳା ।ଯେଉଁଠି ସେ ନିଜ ସହିତ ନିଜକୁ ଯୋଡୁଥିଲା ପୁଣି ଫେଡୁ ବି ଥିଲା । ସେ ଜାଣି ପାରୁଥିଲା ତା ଭିତରେ ତିଆରି ହେଉଛି ଆଉ ଏକ ପୃଥିବୀ। ପ୍ରେମରେ ପୃଥିବୀ। ଅଜ୍ଞାତାର ବଦ୍ଧ ବକ୍କଳ ଫଟାଇ ତା ଭିତରେ ଜନ୍ମ ନେଉଛି ଗୋଟେ ପ୍ରଜାପତି, ଗୋଟେ ବସନ୍ତ ଆଉ ଗୋଟେ ଉପବନ। ସେ ଦେବର ଦେବୀ ହେବାରେ ଲାଗିଛି

କ୍ରମଶଃ……

Leave A Reply

Your email address will not be published.