ଧାରାବାହିକ ଉପନ୍ୟାସ : ଦେବୀ (୩୭)

0
5

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୭

ପୌଷ କୁହୁଡିର ବିଭ୍ରାନ୍ତି ଭାଙ୍ଗି ଉଦୟ ହେଲେ ଚିରନ୍ତନ ସତ୍ୟର ସୂର୍ଯ୍ୟ। ଯେଉଁ ପକ୍ଷୀ କେତୋଟି ସନ୍ତାନ ମାୟାରେ ଗଛ ଡାଳରେ ଅଟକି ରହିଥିଲେ ସେମାନେ ଉଡ଼ିଗଲେ ଦିଗବଳୟ ଆଡେ। ପ୍ରୀତି ପୁର ଗାଁ ଦାଣ୍ଡରେ ଧିରେ ଧିରେ ବଢୁଥିଲା ଗହଳି। ଉଦିତ ସୂର୍ଯ୍ୟଆଡେ ଚାହିଁ ଚାହିଁ ଗାଁ ଭିତରେ ପଶିଲା ଦେବ।

ସମସ୍ତେ ତାକୁ ଆଶ୍ଚର୍ଯ୍ୟ ଚକିତ ଭାବେ ଚାହିଁରହୁଥିଲେ। ସତେ ଯେମିତି ଦେବକୁ ସେମାନେ ପ୍ରଥମ ଥର ଦେଖୁଛନ୍ତି।ସତେ ଯେମିତି ଦେବର ମୁଣ୍ଡ ଉପରେ ଦୁଇଟି ଗୋଜିଆ ଶିଙ୍ଗ ଉଠି ଯାଇଛି । ନହେଲେ ତା ଦୁଇ ହାତ ଦାଢ଼ରେ ଦୁଇଟି ଡେଣା ହେଇ ଯାଉଛନ୍ତି ପ୍ରଧାନ ଘରର ମଉଡମଣୀ ଦୁର୍ଯୋଧନ ପ୍ରଧାନ। ବୟସ ପଚାଶ ଉପରେ ହେଲେ ହେଁ ଏବେ ବି ଯୌବନ ବିଡା ହୋଇନି ତାଙ୍କ ଦେହରୁ। କଥାବାର୍ତ୍ତାରୁ ଜଣାପଡେ ତାଙ୍କ ଶୃଗାଳ ଧୂର୍ତ୍ତପଣ। ପ୍ରତିଟି କଥାକୁ ରାଜନୀତିରେ ରଙ୍ଗେଇ ଘଟଣାକୁ ଦୁର୍ଘଟଣାରେ ପରିବର୍ତ୍ତିତ କରିବାରେ ଓସ୍ତାଦ।

ପ୍ରଧାନେ ଡଗଡଗ ହୋଇ ପଡ଼ିଆ ଆଡେ ଯାଉଯାଉ ତାଙ୍କ ନଜର ପଡିଗଲା ଦେବ ଉପରେ। ଦେବ ଚାହୁଁ ନଥିଲା ପ୍ରଧାନଙ୍କ ସହିତ ତାର ଭେଟ ହେଉ। ଯେବେଠୁ ମଣିଷର ଗୁଣ ଗାରିମା ବିଷୟରେ ଦେବ ସଚେତନ ସେବେଠୁ ଏହି ଲୋକଟିର ରଗ୍ଣ ବ୍ୟକ୍ତିତ୍ଵ ପାଇଁ ଦେବକୁ ଭଲ ଲାଗେନା। ସେ ସବୁବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରେ ଯେମିତି କେବେବି ଏହି ଲୋକଟି ସହିତ ତାର ଦେଖାନହେଉ।

ହେଲେ ଆଜି କିଛି ବ୍ୟତିକ୍ରମ ହୋଇଗଲା ପରି ଲାଗୁଥିଲା ଦେବକୁ। ଅରଣା ମଇଁଷି ପରି ପ୍ରଧାନେ ମାଡ଼ିଆସୁଥିଲେ ଦେବ ଆଡ଼କୁ। ପାଖାପାଖି ହେବାପରେ ଦେବ ଦେଖି ପାରିଲା ଏକ ଘୃଣ୍ୟ କୁଟିଳ ଭାବୋଦ୍ୟକ ବ୍ରଣକ୍ଷତ ମୁହଁ। ତାଙ୍କ ଆଖି ଦୁଇଟିରେ ଦାଉଦାଉ ଜଳୁଥିଲା ଅନ୍ୟକୁ ହଇରାଣ କରିବାର ଏକ ଲୋଲୁପ ଚାହାଣୀ।

ଆରେ ଦେବୁ କିରେ…..କେତେବେଳେ ଆସିଲୁ।ହେଁ ହେଁ ମୋ ଜାଣିବାରେ ତୁମ ପରିବାରରେ କେହି ତ ମରିନାହାନ୍ତି। କଣ ଜମି ବିକିବାର ଅଛି କି? ମତେ କହିବୁ ବାପା…ତୁ ତ ଜାଣୁ ମୋ ସାନ ପୁଅ ପ୍ରଭାତ ରାଜନୀତି ଛାଡ଼ି ଏବେ କୁକୁଡ଼ା ଫାର୍ମ କରିଛି। ଆଉ ଖଣ୍ଡେ ଜମି ହେଲେ କେଇଟା ପୋଖରୀ ଖୋଳି ଦିଅନ୍ତି,ବିଚରା କୂଳରେ ଲାଗି ଯାଆନ୍ତା।

ଦେବକୁ ମୁହୂର୍ତ୍ତେ ଭଲ ଲାଗୁନଥିଲା। ହେଲେ ବାଧ୍ୟ ହୋଇ ନମସ୍କାର କରି ଦେବ ସେ ସ୍ଥାନ ପରିତ୍ୟାଗ କରିବା ପୂର୍ବରୁ
କହିଲା – ନାଇଁ କକେଇ ମୋର ଜମି ବିକିବା ଦରକାର ନାହିଁ।

ପ୍ରଧାନଙ୍କ ମୁହଁରେ ଉଡ଼ିବୁଲିଲା ଏକ କ୍ଷୁଦିତ ଚେମେଣୀ। ଆଉ କିଛି ନକହି ଆଗକୁ ବଢିଲା ଦେବ।ସେ ଦେଖି ପାରୁଥିଲା ଦେବୀ ଘର ଅଗଣା,ଯେଉଁଠି ଦିନେ ସେ ତା ଯୌବନର ପ୍ରଥମ ସ୍ବପ୍ନ ଦେଖିଥିଲା।

କ୍ରମଶଃ…...