Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ନିଜକୁ ବଞ୍ଚେଇବାର ଚେଷ୍ଟା କରୁକରୁ, ଖୁମ୍ବଟି କାଠର ଡେକ୍ ଉପରେ ପଡ଼ିଯିବାରୁ, ସମୀରା ଭାରସାମ୍ୟ ହରାଇ ନୀଳ ସମୁଦ୍ରର ଅତଳ ଗର୍ଭକୁ ଛିଟ୍‌କି ପଡ଼ିଲା । “ନାଇଁ… ସମୀରା ଦି’…,” ବିକଳ ଚିତ୍କାର କରି ଭାଙ୍ଗି ଯାଇଥିବା ରେଲିଂ ଆଡ଼କୁ ବୀରା ଦୌଡ଼ିଯାଇ ସମୁଦ୍ରକୁ ଡେଇଁବା ପୂର୍ବରୁ ସିଡ଼୍ ଓ ରୋହାନ୍ ତାକୁ ଅଟକେଇ ଧରିଥିଲେ । ସମସ୍ତଙ୍କ ଆଖିରୁ ଧାର ଧାର ଲୁହ ବହିଆସୁଥିଲା । ହତାଶ ଓ ଉଦାସ ରୋହାନ୍ ଭାବୁଥାଏ ସମୀରା ଓ ବୀରାଙ୍କ ବାପା, ମା’ଙ୍କ ଅବସ୍ଥା ଏ ଖବର ଶୁଣି କ’ଣ ହେବ । ସମୀରା ଏବେ ଆଉ ବର୍ତ୍ତମାନରେ ନାହିଁ । ସେ ଅତୀତ । କାନ୍ଦି କାନ୍ଦି ବେହାଲ୍ ବୀରା, ସେଇଠି ଚଟାଣ ଉପରେ ଗଡ଼ିଯାଉଥାଏ । “ସମୀରା ଦି’… ସମୀରା ଦି’”… ବୋଲି ବିକଳ ଚିତ୍କାର କରୁଥିଲେ ବି, ବୀରା ଜାଣିସାରିଥିଲା, ଯେ ତା’ ସମୀରା ଦି’ ତା’ଠୁ ଏତେ ଦୂରକୁ ଚାଲିଯାଇଛି, ଯେଉଁଠୁ ତା’ ଡାକ ତାକୁ ଫେରେଇ ଆଣି ପାରିବନି ।

ସେ ସମୟରେ ବୀରାର ମନୋଭାବକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ । ଭଗ୍ନ ହୃଦୟ, ଶୂନ୍ୟ, ଗୋଟେ ଖାଁ ଖାଁ ପଣ । “ବୀରା, ଚାଲି ଆସ, ଗୋଟେ ଲାଇଫ୍‌ବୋଟ୍ ଧରିବା,” ଉଦାସ କଣ୍ଠରେ ସିଡ଼୍ କହିଲା । ପାପୁଲି ଭିତରେ ମୁହଁକୁ ପୋତିରଖି ବୀରା କାନ୍ଦିଚାଲିଥାଏ ।

ବୀରାକୁ ସାଙ୍ଗରେ ଧରି ଲାଇଫ୍‌ବୋଟ୍ ଯାଏଁ ନେଇ ଯିବାକୁ ରୋହାନ୍ ଇଶାରା କଲା ପରେ, ଦୁଇଭାଇଯାକ ତାକୁ ଏକ ରକମ ଧରି ଧରି ଡେକ୍‌ର ଅପରପାଶ୍ୱର୍ ପର୍ଯ୍ୟନ୍ତ ନେଇଗଲେ । ରୋହାନ୍ କାନ୍ଧରେ ମୁଣ୍ଡରଖି ବୀରା କେବଳ ଲୁହ ଝରେଇ ଚାଲିଥାଏ । ନେଭି ୟୁନିଫର୍ମରେ ଥିବା ଜଣେ କର୍ମଚାରୀ, ସେଠାରେ ଉପସ୍ଥିତ ଥାଇ ମହିଳା, ଶିଶୁ ଏବଂ ଅଠର ବର୍ଷରୁ କମ୍ ବୟସର ପିଲାମାନେ କେଉଁ ପଟକୁ ଯାଇ କେଉଁ ଲାଇଫ୍‌ବୋଟ୍‌ ଧରିବେ, ସେ ସମ୍ପର୍କରେ ସୂଚନା ଦେଉଥା’ନ୍ତି । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଟେ ଧାଡ଼ିରେ ଛିଡ଼ା ହେବା ପାଇଁ ବୀରା କାନରେ ଧୀର ସ୍ୱରରେ ରୋହାନ୍ କହିଲା । କିନ୍ତୁ ଲାଗୁଥାଏ ଯେମିତି ବୀରା କିଛି ବି ଶୁଣି ପାରୁନଥିଲା । ସେ ଦୁଇଭାଇଙ୍କଠାରୁ ନିଜକୁ ମୁକୁଳାଇ ନେଲା । ତା’ର ଗାଲ ଉପରେ ଧାର ଧାର ଲୁହ, ଆଖି ପୁରାପୁରି ଲାଲ୍ । ଦେଖିଲେ ଲାଗୁଥାଏ ଯେ କୌଣସି ମୁହୂର୍ତ୍ତରେ ସେ ଭାଙ୍ଗି ନିଶ୍ଚଳ ହୋଇ ପଡ଼ିବ ଅବା । ସମବେଦନାର ଚାହାଁଣୀରେ ସିଡ଼୍ ବୀରାକୁ ଦେଖି ମନେମନେ ଭାବୁଥାଏ ସମୀରା ସହିତ ବୀରା କେତେ ମାତ୍ରାରେ ଅନ୍ତରଙ୍ଗ ଥିଲା ।

Leave A Reply

Your email address will not be published.