ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ପରିମଲ୍ଙ୍କ ଘରେ କାମ କରୁଥିବା ମୁନିୟା ପାଖାପାଖି ତିରିଶ ବର୍ଷ ବୟସ୍କା ଜଣେ ମହିଳା । ସାମ୍ନା ଦାନ୍ତ ଖୁବ୍ ବଡ଼ବଡ଼ ଏବଂ କ୍ଷୀଣ ଚିଁ ଚିଁଆ ସ୍ୱର । ରୋହାନ୍ ଏବଂ ସିଡ଼୍ ମଥାକୁ ଗେଲ କରି ଏବଂ ବୀରାକୁ ଆଶୀର୍ବାଦ ଦେଇ ସେ ସମସ୍ତଙ୍କୁ ସ୍ୱାଗତ କଲା । ସିଡ଼୍ ଏବଂ ରୋହାନ୍ଙ୍କ ମିଛିମିଛିକା ମଧୁର ଝଗଡ଼ା ସେଠି ଦେଖି ବୀରା ଅନୁଭବ କରୁଥାଏ ଯେ କୌଣସି ନା କୌଣସି ପ୍ରକାରେ ଏ ଦୁହେଁ ଯେମିତି ତା’ର ନିଜର, ପରିବାରର କେହି ।
ସିଡ଼୍ ଓ ରୋହାନ୍ ସହ ବୀରା ଯେତେବେଳେ ଲିଭିଂଗ୍ ରୁମ୍ରେ ପହଂଚିଲା, ବୀରାର ଅଙ୍କଲ୍ ଏବଂ ଆଣ୍ଟି ଭାବିପାରୁ ନଥିଲେ ସେମାନେ ତାକୁ ଦେଖି ହସିବା ଠିକ୍ ହେବ କି ନା!
ବୀରା ତା’ ଆଣ୍ଟିଙ୍କୁ ଦେଖି ଆଲିଙ୍ଗନ କରିବାମାତ୍ରେ, ସେ ବୀରାକୁ ଜଡ଼େଇ ଧରି କାନ୍ଦିବାକୁ ଲାଗିଲେ ।” ଏ – କ’ଣ ହେଇଗଲା – ବୀରା!”, ବୀରାର ମୁଣ୍ଡକୁ ଆଉଁସି ଦେଉଦେଉ ନିଜ ଲୁହ ଅଟକେଇବାକୁ ଚେଷ୍ଟାକରି ବାଷ୍ପରୁଦ୍ଧ ହୋଇ କହି ଚାଲିଥିଲେ ।” ଆଉ କାନ୍ଦନି, ଆଣ୍ଟି ।
ଶ୍ରେୟା ଆଉ ସୁନୈନା କେମିତି ଅଛନ୍ତି?” ଅତ୍ୟନ୍ତ ସ୍ଥିର ଥିଲାଭଳି ବୀରା ପଚାରିଲା । ଶ୍ରେୟା ଓ ସୁନୈନା ଉଭୟ ତେର ବର୍ଷର ଜାଆଁଳା ଝିଅ, ବୀରାର ଭଉଣୀ ହେବେ । “ହଁ, ସେମାନେ ଠିକ୍ ଅଛନ୍ତି, କିନ୍ତୁ ସେଇଟା ଏବେ ପ୍ରସଙ୍ଗ ନୁହେଁ ।” ତଥାପି, କୋହରେଇ କାନ୍ଦୁଥିବା ଆଣ୍ଟି କହିଲେ ।
ବୀରାର ମଥାକୁ ଚୁମି ଦେଇ ମିଃ. ଓ ମିସେସ୍ ପରିମଲ୍ଙ୍କୁ ଚାହିଁ ବୀରାର ଅଙ୍କଲ କହିଲେ, “ଆପଣଙ୍କୁ ବହୁତ ଧନ୍ୟବାଦ ଯେ ଆମ ବୀରାର ଏମିତି ଯତ୍ନ ନେଇଛନ୍ତି । ଆମେ ଆହୁରି ଶୀଘ୍ର ଫେରି ପାରିଥା’ନ୍ତୁ, କିନ୍ତୁ ସମ୍ଭବ ହୋଇ ପାରିଲାନି ।” ସେମାନଙ୍କ ସଫେଇ ଦେଲାପରି କଥା ଏଡ଼େଇ ଯାଇ ମିଃ. ପରିମଲ୍ ବୀରାକୁ ଟିକେ ଦୂରକୁ ଡାକିନେଇ ତା’ସହ ଅଲଗା କଥା ହେଲେ ।
“ବୀରା, ଏଇ ଚାରିଦିନ ଭିତରେ ତମେ ଆମ ପରିବାରର ଜଣେ ସଦସ୍ୟ ହୋଇଗଲା ପରି ଆମେ ଅନୁଭବ କରୁଛୁ । ଲାଗୁଛି ସତେ ଯେମିତି ତମର ଆମର ଗୋଟେ ନିଆରା ବନ୍ଧନ ଅଛି ଯାହା ଆମ ଚାରିଜଣକ ହୃଦୟର ଖୁବ୍ ନିକଟତର ।
କ୍ରମଶଃ