Latest Odisha News

BREAKING NEWS

କାଳୀପୂଜାର ଦ୍ଵିତୀୟ ଦିନ: ‘ମହାକାଳୀ’ ବେଶରେ ପୂଜା ପାଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ପବିତ୍ର କାଳୀପୂଜା ଉପଲକ୍ଷ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ଙ୍କର ଏହି ବେଶକୁ ଦେଖିବା ପାଇଁ ସକାଳୁ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ଭକ୍ତମାନେ ଧୂପ, ଦୀପ ନୈବେଦ୍ୟ ଦେଇ ମା’ଙ୍କର ଆଶୀର୍ବାଦ ଭିକ୍ଷା କରୁଛନ୍ତୁ ।

କିପରି ରହିଛି ଆଜି ମାଆଙ୍କ ବେଶ:

ମାଆ ଭଦ୍ରକାଳୀ ଆଜି ନାଲି ପାଟ ବସ୍ତ୍ର ପରିଧାନ କରିବା ସହ ମୁଖ ମଣ୍ଡଳରୁ ଝରି ଆସୁଛି ଶ୍ୟାମଳ ବର୍ଣ୍ଣର ଆଭା । ମୁକୁଳା କେଶକୁ ରକ୍ତ ଜିହ୍ୱା ଏବଂ ହାତରେ ଖଡ଼୍ଗ ଓ ତ୍ରିଶୂଳ ଧାରଣ କରିଛନ୍ତି ମାଆ । ମୁଣ୍ଡମାଳରେ ନିଜ ଗଳାକୁ ସଜାଇ ମା ନେଇଛନ୍ତି ମହାକାଳୀ ରୂପ ।

ମା’ ଭଦ୍ରକାଳୀ ପରମ ବୈଷ୍ଣବୀ ଓ ଜଗତ କଲ୍ୟାଣକାରୀ ଅଟନ୍ତି । ମା’ ନିଜ କୋଳରେ ବାଳ ଗୋପାଳଙ୍କ ବିଗ୍ରହକୁ ଧାରଣକରି ସ୍ନେହମୟୀ ଓ ମଙ୍ଗଳମୟୀର ପରିଚୟ ଦେଉଛନ୍ତି ।

ସେହିପରି ଗତକାଲିଠାରୁ କାଳୀପୂଜାର ପ୍ରଥମ ଦିନରେ ମା’ ଭଦ୍ରାକାଳୀଙ୍କର ସପ୍ତମାତୃକା ବେଶର ଆରମ୍ଭ ହୋଇଛି । ସପ୍ତମାତୃକା ବେଶର ପ୍ରଥମ ଦିନରେ ମା’ ଭଦ୍ରାକାଳୀ ବେଦମାତା ବେଶରେ ଦର୍ଶନ ଦେଇଛନ୍ତି ।

ମା’ଙ୍କ ହାତରେ ବେଦ ସହ ବାହନ ଭାବେ ହଂସ ପୂଜା ପାଉଛନ୍ତି । ମା’ଙ୍କୁ ଏହି ବେଶରେ ଦର୍ଶନ କଲେ ସକଳ ଜ୍ଞାନ ପ୍ରାପ୍ତି ହୋଇଥାଏ ।

କାଳୀପୂଜା ସମୟରେ ସଂସାରରୁ ପାପର ବିନାଶ କରିବା ପାଇଁ ମନୁଷ୍ୟର ଗର୍ବ, ଅହଂକାର ଓ ଆସୁରିକ ପ୍ରବୃତ୍ତିକୁ ବିନାଶ କରି ସତ୍ୟ-ଧର୍ମର ବାର୍ତ୍ତା ଦେଇ ମା’ ଭଦ୍ରକାଳୀ ସପ୍ତମାତୃକା ରୂପରେ ଭକ୍ତଗଣଙ୍କୁ ଦର୍ଶନ ଦେବେ।

Leave A Reply

Your email address will not be published.