Latest Odisha News

BREAKING NEWS

ମହାନଦୀ ଜଳ ବିବାଦ: ସମାଧାନର ଆଶା, ଆପୋଷ ବୁଝାମଣା ପାଇଁ ଓଡ଼ିଶା ଓ ଛତିଶଗଡ଼ର ସମ୍ମତି

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଥିବା ଏହି ଅନ୍ତଃରାଜ୍ୟ ନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଆପୋଷ ବୁଝାମଣା ଏବଂ ଆଲୋଚନା ମାଧ୍ୟମରେ ସମାଧାନର ପଥ ବାଛିଛନ୍ତି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଶୁଣାଣି ସମୟରେ ଉଭୟ ରାଜ୍ୟ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି, ଯାହାକି ଟ୍ରିବ୍ୟୁନାଲ ଦ୍ୱାରା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବିବେଚନା କରାଯାଇଛି।

 

ଏହି ବିବାଦର ଶୁଣାଣି ସମୟରେ, ଟ୍ରିବ୍ୟୁନାଲ୍ ଛତିଶଗଡ଼କୁ ଏକ ଲିଖିତ ପ୍ରତିଶ୍ରୁତି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁଲାଇ ୨୩ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ପ୍ରତିଶ୍ରୁତି ପ୍ରଦାନ କରିବାକୁ କୁହାଯାଇଛି। ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ ଟ୍ରିବ୍ୟୁନାଲ୍ ଉଭୟ ରାଜ୍ୟର ସକାରାତ୍ମକ ମନୋଭାବକୁ ସ୍ୱୀକାର କରିଛନ୍ତି ଏବଂ ଏହି ଦୀର୍ଘଦିନର ବିବାଦର ସମାଧାନ ପାଇଁ ଆଲୋଚନା ପ୍ରକ୍ରିୟାକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି। ଏହା ବିବାଦର ଆପୋଷ ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ।

 

କିଛି ଦିନ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଛତିଶଗଡ଼ ପ୍ରତିପକ୍ଷ ବିଷ୍ଣୁ ଦେଓ ସାଏଙ୍କୁ ଚିଠି ଲେଖି କେନ୍ଦ୍ରୀୟ ଜଳ ଆୟୋଗ (CWC) ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ଏକ ମିଳିତ କମିଟି ଗଠନ କରି ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ କୁହାଯାଇଥିଲା। ଗତ ଜୁନ୍ ୧୬ ରୁ ୨୬ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଉଭୟ ରାଜ୍ୟର ବୈଷୟିକ ଏବଂ ଆଇନଗତ ବିଶେଷଜ୍ଞମାନଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ରିପୋର୍ଟ ଜୁନ୍ ୨୭ ତାରିଖରେ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯାଇଥିଲା, ଯାହା ଆପୋଷ ବୁଝାମଣା ପାଇଁ ଏକ ମୂଳଦୁଆ ସ୍ଥାପନ କରିଥିଲା।

 

ମହାନଦୀ ଓଡ଼ିଶାର ଜୀବନରେଖା। ଏହା ଛତିଶଗଡ଼ର ଅମରକଣ୍ଟକ ପାହାଡ଼ରୁ ବାହାରି ଓଡ଼ିଶା ଦେଇ ବଙ୍ଗୋପସାଗରରେ ମିଶିଛି। ଛତିଶଗଡ଼ର ଉପରମୁଣ୍ଡରେ ଅନେକ ବ୍ୟାରେଜ ଏବଂ ଆନିକଟ୍ ନିର୍ମାଣ ହେତୁ ଓଡ଼ିଶାକୁ ଆସୁଥିବା ଜଳର ପରିମାଣ ହ୍ରାସ ପାଇବା ଅଭିଯୋଗ ହୋଇଆସୁଛି। ଏହା ଦ୍ୱାରା ରାଜ୍ୟର ଚାଷ, ମତ୍ସ୍ୟଚାଷ, ପାନୀୟ ଜଳ ଯୋଗାଣ ଏବଂ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବାରୁ ଓଡ଼ିଶା ଏହି ବିବାଦକୁ ଟ୍ରିବ୍ୟୁନାଲ୍ ନିକଟକୁ ନେଇଥିଲା। ବର୍ତ୍ତମାନ ଉଭୟ ରାଜ୍ୟରେ ଏକାଭଳି ସରକାର ଥିବାରୁ ଏହି ଆଲୋଚନା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.