Latest Odisha News

BREAKING NEWS

ଏବେ ଚଳଚ୍ଚିତ୍ରରେ ଅଭିନୟ କରିବେ ଆତ୍ମସମର୍ପଣ କରିଥିବା ମାଓବାଦୀ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ହେଉଛି ନକ୍ସଲ ପ୍ରଭାବିତ ଅଞ୍ଚଳ। ପୋଲିସ ଏବଂ ସରକାର ଏଠାରେ ଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି। ସେମାନଙ୍କ ପାଇଁ ବସ୍ତି ବସେଇବାଠାରୁ ଆରମ୍ଭ କରି ନିଯୁକ୍ତି ଯୋଗାଇବା କାମ କରୁଛି ସରକାର। ଏହି କ୍ରମରେ ଗଡ଼ଚିରୋଲି ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ବର୍ତ୍ତମାନ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବେ ସରକାର। ଏନେଇ ଜାରି ରହିଛି ଚେଷ୍ଟା।

ଗଡ଼ଚିରୋଲି ଜିଲ୍ଲାରେ ନକ୍ସଲମାନେ ଯେପରି ଏକ ସମସ୍ୟା, ସେହିପରି ଏଠାରେ ବାସ କରୁଥିବା ଆଦିବାସୀମାନଙ୍କ ମଧ୍ୟରେ ଅନେକ ପ୍ରକାରର ଭେଦଭାବ ରହିଛି। ଏଠାରେ ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଘର ବାହାରେ ନିର୍ମିତ ଏକ ଛୋଟ ଘରେ ରହିବାକୁ ପଡେ। ଯାହାକୁ କୁର୍ମାଗର କୁହାଯାଏ। ଏହା ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଯେଉଁଥି ପାଇଁ ଫିଲ୍ମ କମ୍ପାନୀ ସ୍ଥାନୀୟ କଳାକାର ଖୋଜୁଛି। ପୋଲିସର ସୂଚନାନୁସାରେ, ୨୫ ଜଣ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଏହି ଅଡିସନରେ ଭାଗ ନେଇଥିଲେ। ସେଥିମଧ୍ୟରୁ ୫ ଜଣଙ୍କୁ ଚୟନ କରାଯାଇଛି।

ଗଡ଼ଚିରୋଲି ପୋଲିସ୍ ଅଧୀକ୍ଷକ ନୀଲୋଟପାଲ କହିଛନ୍ତି ଯେ ୨୫ ଜଣଙ୍କ ମଧ୍ୟରୁ ୫ ଜଣ ଭଲ ଅଡିସନ୍ ଦେଇଛନ୍ତି ଏବଂ ବର୍ତ୍ତମାନ ଫିଲ୍ମ ଟିମ୍ ସେମାନଙ୍କୁ ଫିଲ୍ମରେ କାମ କରିବାକୁ ସୁଯୋଗ ଦେଉଛି। ଗଡ଼ଚିରୋଲି ପୋଲିସର ଉଦ୍ଦେଶ୍ୟ ହେଉଛି ଯଦି ଆତ୍ମସମର୍ପଣ କରୁଥିବା ଲୋକଙ୍କୁ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସିଲଭର ସ୍କ୍ରିନରେ ଦେଖାଯାଇପାରିବ, ତେବେ ବନ୍ଧୁକ ଧରି ବୁଲୁଥିବା ନକ୍ସଲମାନେ ମୁଖ୍ୟ ସ୍ରୋତକୁ ଫେରିଆସିପାରିବେ।

ସୂଚନାଯୋଗ୍ୟ ଯେ ସରକାରଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ନେଇଥିବା ନକ୍ସଲମାନଙ୍କୁ ଫେରାଇ ଆଣିବା ପାଇଁ ଗଡ଼ଚିରୋଲି ପୋଲିସ ଏକ ନବଜୀବନ ବସ୍ତି ସ୍ଥାପନ କରିଛି ଯେଉଁଥିରେ ସେମାନଙ୍କୁ ରହିବା ଏବଂ ନିଯୁକ୍ତି ପାଇଁ ତାଲିମ ଦିଆଯାଉଛି। ଏପରିକି ପରିବାର ବିସ୍ତାର କରିବା ପାଇଁ ଗୋଷ୍ଠୀ ବିବାହର ଏକ ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି। ଭାରତର ଅନେକ ଜିଲ୍ଲାରେ ମାଓବାଦୀମାନେ ଏକ ବଡ ସମସ୍ୟା ହୋଇ ଠିଆ ହୋଇ ରହିଛନ୍ତି। ଗୋଟିଏ ପଟେ ନକ୍ସଲ ଏବଂ ପୋଲିସ ମଧ୍ୟରେ ଏନକାଉଣ୍ଟର ସାଧାରଣ ଘଟଣା ଥିବା ବେଳେ ଅନ୍ୟପଟେ ପୋଲିସ ପ୍ରଶାସନ ଏବଂ ସରକାର ହିଂସା ଛାଡି ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଗଡ଼ଚିରୋଲି ପୋଲିସ ସେମାନଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇ ଏକ ନିଆରା ପଦକ୍ଷେପ ନେଇଛି।

Leave A Reply

Your email address will not be published.